Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
)
Top 10 News Today
Headlines 01- 'ଅପରେସନ ସିନ୍ଦୂର' ପରେ ଆଜି ପ୍ରଥମଥର ଦେଶବାସୀଙ୍କୁ ସମ୍ୱୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତର ପରାକ୍ରମୀ ସେନା ଏବଂ ବୈଜ୍ଞାନିକଙ୍କୁ ସାଲ୍ୟୁଟ୍ କରି କହିଥିଲେ ଯେ, ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ପହଲଗାମ ଆକ୍ରମଣ ଦେଶବାସୀଙ୍କ ସମେତ ମୋ ପାଇଁ ବ୍ୟକ୍ତିଗତ ଭାବେ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା । ତେଣୁ ୩ ସେନାଙ୍କୁ ସ୍ୱାଧୀନ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅପରେସନ ସିନ୍ଦୁର କୋଟି କୋଟି ଲୋକଙ୍କ ଭାବନାର ପ୍ରତିମ୍ୱିବ । ୬ ମଇରେ ଭାରତୀୟ ସେନା ପାକିସ୍ତାନରେ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଆକ୍ରମଣ କରିଥିଲା ଯେଉଁଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ ।
Headlines 02- ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲା । ପାକିସ୍ତାନର ଡ୍ରୋନ, ମିସାଇଲ୍ ଭାରତ ଭିତରକୁ ଆସିବା ସମୟରେ ଆମ ଏୟାର ଡିଭେନ୍ସ ସିଷ୍ଟମ ହିଁ ସେଗୁଡିକୁ ଆକାଶମାର୍ଗରେ ନଷ୍ଟ କରିଥିଲା । ଭାରତ ପ୍ରଥମ ୩ଦିନରେ ପାକିସ୍ତାନକୁ ଭୟାଳୁ କରିଦେଇଥିଲା । ପାକିସ୍ତାନ ସାରା ଦୁନିଆ ସାମ୍ନାରେ ଏହାକୁ ରୋକିବାକୁ ଗୁହାରି କରିଥିଲା । ଭାରତର ୩ସେନା ଯଥା ବାୟୁସେନା, ସ୍ଥଳସେନା, ଜଳସେନା ଆଲର୍ଟରେ ଅଛନ୍ତି । ସର୍ଜିକାଲ ଷ୍ଟ୍ରାଇକ ଏବଂ ଏୟାରଷ୍ଟ୍ରାଇକ୍ ପରେ ଅପରେସନ ସିନ୍ଦୂର ଏବେ ଭାରତର ନୀତି । ପାକିସ୍ତାନ ସୈନିକ ଏବଂ ସରକାର ଯେପରି ଆତଙ୍କବାଦୀଙ୍କୁ ପ୍ରସୟ ଦେଉଛନ୍ତି ତାହା ଗୋଟେ ଦିନ ପାକିସ୍ତାନକୁ ହିଁ ଶେଷ କରିଦେବ । ମୁଁ ସମଗ୍ର ବିଶ୍ୱକୁ କହୁଛି ଯେ, ଯଦି ପାକିସ୍ତାନ ସହ କଥା ହେବୁ ତେବେ ଆତଙ୍କବାଦୀ ଏବଂ ପିଓକେ ଉପରେ ହିଁ କଥା ହେବୁ ।
Headlines 03- ତିନି ସେନାର ସାମ୍ବାଦିକ ସମ୍ମିଳନୀରେ ଏୟାର ଅପରେସନ୍ସ ଏୟାର ମାର୍ଶାଲ ଏ.କେ ଭାରତୀ କହିଥିଲେ ଯେ ଆମର ଲଢ଼େଇ ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କ ବିରୁଦ୍ଧରେ। ସେଥିପାଇଁ ଆମେ ୭ ମଇ ରାତିରେ ତାଙ୍କୁ ଟାର୍ଗେଟ କରିଥିଲୁ। ଏଥିରେ କିନ୍ତୁ ଆତଙ୍କବାଦୀଙ୍କ ସମର୍ଥନରେ ଆସିଥିଲା ପାକିସ୍ତାନୀ ସେନା। ସେମାନଙ୍କ କାର୍ଯ୍ୟ ପରେ, ଆମେ ପ୍ରତିଶୋଧ ନେଇଥିଲୁ। ଯେଉଁଥିରେ ପାକିସ୍ତାନର ବହୁତ କ୍ଷତି ହୋଇଥିଲା। ଆମର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବହୁସ୍ତରୀୟ। ସମସ୍ତ ପାକିସ୍ତାନୀ ଡ୍ରୋନକୁ ସ୍ୱଦେଶୀ କାଉଣ୍ଟର ଡ୍ରୋନ ସିଷ୍ଟମ ଦ୍ୱାରା ଖସାଇ ଦିଆଯାଇଥିଲା। ଆମର ଲଢ଼େଇ ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କ ବିରୁଦ୍ଧରେ ଥିଲା।
Headlines 04- ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି ଯେ ଆମକୁ ଅପରେସନ ସିନ୍ଦୁରର ବାୟୁ ପ୍ରତିରକ୍ଷା କାର୍ଯ୍ୟକୁ ଏକ ପରିପ୍ରେକ୍ଷୀରେ ବୁଝିବାକୁ ପଡିବ। ଗତ କିଛି ବର୍ଷ ମଧ୍ୟରେ, ଆତଙ୍କବାଦୀ କାର୍ଯ୍ୟକଳାପର ଚରିତ୍ର ପରିବର୍ତ୍ତନ ହେଉଥିଲା, ଏବେ ଆମ ସେନା ସହିତ, ନିରୀହ ଲୋକଙ୍କ ଉପରେ ମଧ୍ୟ ଆକ୍ରମଣ ହେଉଛି। ୨୦୨୪ ମସିହାରେ ଶିବଖୋଡି ମନ୍ଦିରକୁ ଯାଉଥିବା ତୀର୍ଥଯାତ୍ରୀ ଏବଂ ଏହି ବର୍ଷ ଏପ୍ରିଲରେ ପହଲଗାମରେ ନିରୀହ ପର୍ଯ୍ୟଟକ। ପହଲଗାମ ପର୍ଯ୍ୟନ୍ତ, ସେମାନଙ୍କର ପାପର ପାତ୍ର ପୂରଣ ହୋଇଯାଇଥିଲା... ଯେହେତୁ ଆମର ଆତଙ୍କବାଦୀଙ୍କ ଉପରେ ସଠିକ୍ ଆକ୍ରମଣ LOC ଏବଂ IB ବା ଅନ୍ତର୍ଜାତୀୟ ସୀମା ପାର କରି କରାଯାଇଥିଲା। ଆମେ ସମ୍ପୂର୍ଣ୍ଣ ସଚେତନ ଥିଲୁ ଯେ ପାକିସ୍ତାନର ଆକ୍ରମଣ ମଧ୍ୟ ସୀମା ପାରରୁ ହେବ। ତେଣୁ ଆମେ ବାୟୁ ପ୍ରତିରକ୍ଷା ପାଇଁ ପ୍ରସ୍ତୁତି କରିଥିଲୁ।
Headlines 05- ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍ଏସ୍)ର ସରସଂଘଚାଳକ ମୋହନ ଭାଗବତ ଆଜିଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଆଜି ସନ୍ଧ୍ୟା ୬ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ସେ ପହଞ୍ଚିଥିଲେ। ଏଠାରୁ ସଡ଼କପଥରେ ଯାଇ କଟକ ଗତିରାଉତପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରୀ ଭାଗବତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଅଛି।
Headlines 06- ପୁଣି ୨ ଆଇପିଏସ୍ କେନ୍ଦ୍ରୀୟ ଡେପ୍ୟୁଟେସନରେ ଯିବାକୁ ମନ ବଳାଇଛନ୍ତି। ଏହି ଦୁଇ ଅଧିକାରୀ ହେଲେ ୧୯୯୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ ରାଜେଶ କୁମାର ଏବଂ ୨୦୦୬ ବ୍ୟାଚ୍ ଅଧିକାରୀ ଅନୁପ କୁମାର ସାହୁ। କେନ୍ଦ୍ର ସରକାରଙକ୍ କ୍ୟାବିନେଟ୍ କମିଟି ଏହି ଦୁଇ ଅଧିକାରୀଙ୍କ ନାଁକୁ ତାଲିକାଭୁକ୍ତ କରିଛି। ଆଜି ଏହାଙ୍କସହ ୨୦ ଜଣ ଅଧିକାରୀଙ୍କ ନିବେଦନକୁ ତାଲିକାଭୁକ୍ତ କରାଯାଇଛି।
Headlines 07- ଆସନ୍ତା ରଥଯାତ୍ରାକୁ ସୁରକ୍ଷିତ ଓ ସୁ ବ୍ୟବସ୍ଥିତ କରିବା ଲାଗି ନୌସେନାର ସହଯୋଗ ନେବ ଓଡ଼ିଶା ପୁଲିସ। ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାରେ ଥିବା ଆହ୍ୱାନଗୁଡ଼ିକୁ ମୁକାବିଲା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହାସହ ପୂର୍ବଭଳି ଏଆଇ ଚାଳିତ ସିସିଟିଭିକୁ ସହରର ବିଭିନ୍ନ କୋଣରେ ଲଗାଯିବ। ଫଳରେ ସନ୍ଦିଗ୍ଧ ଚଳପ୍ରଚଳକୁ ନିୟନ୍ତ୍ରଣ କରିବାରେ ପୁଲିସ ସକ୍ଷମ ହୋଇପାରିବ। ରଥଯାତ୍ରା ସମୟରେ ବିଶୃଙ୍ଖଳିତ କାର୍ଯ୍ୟକଳାପର ଆଶଙ୍କା ଥିବାରୁ ପୁଲିସ ପ୍ରଶାସନ ପକ୍ଷରୁ ଟେକ୍ନୋଲୋଜି ସହାୟତା ନିଆଯାଇଛି। ସମୂଦ୍ର ଉପକୂଳ ହୋଇଥିବାରୁ କୌଣସି ବାହ୍ୟ ଆକ୍ରମଣ ଉପରେ ନଜର ରଖିବା ଲାଗି ତଟରକ୍ଷୀ ବାହିନୀ ଓ ନୌବାହିନୀର ସହାୟତା ନିଆଯିବ। ଏନେଇ ଆଜି ଏକ ସଂଯୋଜନା ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
Headlines 08- ସାନ୍ତାଳୀ ଭାଷାର ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଏବଂ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ ତମ ରାଜ୍ୟସ୍ତରୀୟ ଜନ୍ମବାର୍ଷିକୀ ଉତ୍ସବ ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅନ୍ତର୍ଗତ ମହୁଲଡିହା ଅଂଚଳରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ, ଦାଣ୍ଡବୋଷ ଅଂଚଳରେ ଥିବା ପଣ୍ଡିତ ମୁର୍ମୁଙ୍କ ବାସଭବନକୁ ସ୍ମାରକୀ ତୀର୍ଥସ୍ଥଳୀ ଓ ତାଙ୍କ ସମାଧି ପୀଠକୁ ଐତିହ୍ୟ ସ୍ମୃତି ପୀଠ ଭାବେ ପରିଣତ କରିବାକୁ ଘୋଷଣା କରିଛନ୍ତି।
Headlines 09- ଭାରତୀୟ ପାଣିପାଗ ବିଭାଗ ସୋମବାର ଦିନ କହିଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମଙ୍ଗଳବାର ସୁଦ୍ଧା ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର କିଛି ଅଂଶରେ ପ୍ରବେଶ କରିବାର ସମ୍ଭାବନା ରହିଛି । ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ନିକୋବର ଦ୍ୱୀପପୁଞ୍ଜର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଆକଳନ କରାଯାଇଛି ।
Headlines 10- ଯୁଦ୍ଧ ବିରତି ଘୋଷଣା ପରେ ସ୍ୱଭାବିକ ହେଉଛି ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଜନଜୀବନ। ଏହି କ୍ରମରେ ଭାରତର ବିଭିନ୍ନ ସ୍ଥାନରେ ଲାଗିଥିବା କଟକଣା କ୍ରମଶଃ ଦୂର ହେବାରେ ଲାଗିଛି। ବିଭିନ୍ନ ସ୍ଥାନରୁ ବ୍ଲାକ୍ଆଉଟ୍ ନିର୍ଦ୍ଦେଶ ଉଠିଛି। ଆଜି ଭାରତ ସରକାର ଶ୍ରୀନଗର ବ୍ୟତୀତ କଟକଣା ଲାଗିଥିବା ୩୨ ବିମାନ ବନ୍ଦରକୁ ସାଧାରଣ ବିମାନ ଚଳାଚଳ ପାଇଁ ଉନ୍ମୁକ୍ତ କରିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ସେମାବାରଦିନ ୩୨ଟି ବିମାନ ବନ୍ଦରରେ ନାଗରିକ ବିମାନ ଚଳାଚଳ ପାଇଁ ବିମାନ ଚଳକଙ୍କୁ ଅନୁମତି ବା ନୋଟାମ ପ୍ରଦାନ କରାଯାଇଛି। ଫଳରେ ଆଜି ସକାଳ ୧୦ଟା ପରେ ଏହିସବୁ ବିମାନ ବନ୍ଦରକୁ ସାଧାରଣ ବିମାନ ଚଳାଚଳ ହୋଇପାରିଛି।