)
Top 10 News Today
Headlines 01- ଆସନ୍ତା ୨୭ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇପାରେ। ଏ ନେଇ ରାଜ୍ୟ ବିଧାନସଭା ପକ୍ଷରୁ ରାଜ୍ୟପାଳଙ୍କ ଅନୁମୋଦନ ମଗାଯାଇଥିବା ସୂଚନା ମିଳିଛି। ଏହି ଅଧିବେଶନରେରେ ରାଜ୍ୟର ସମସ୍ତ ବିଧାୟକଙ୍କୁ ସମ୍ବୋଧନ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରାଯାଇଥିଲା ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
Headlines 02- ନୂଆପଡ଼ାର ଗୋଟିଏ ଆସନ ଲାଗି ଆସନ୍ତା କାଲି ନିର୍ବାଚନ ହେବ। ଏହି ନିର୍ବାଚନ ମଣ୍ଡଳୀ ନାଁ ନୂଆପଡ଼ା। ୨୦୨୪ରେ ଏଠାରୁ ନିର୍ବାଚିତ ହୋଇଥିବା ବିଜୁ ଜନତା ଦଳର ପ୍ରାର୍ଥୀ ରାଜେନ୍ଦ୍ର ସିଂହ ଢୋଲକିଆଙ୍କ ମୃତ୍ୟୁ ପରେ ଏଠାରେ ଉପ ନିର୍ବାଚନ ହେଉଛି। ଏ ନିର୍ବାଚନରେ କୌଣସି ପ୍ରାର୍ଥୀଙ୍କ ଜିତିବା ବା ହାରିବା ରାଜ୍ୟ ରାଜନୀତିରେ କୌଣସି ପ୍ରଭାବ ପକାଇବ ନାହିଁ। କିନ୍ତୁ ଏହା ତିନି ଦଳ ପାଇଁ ସମ୍ମାନ, ଉତ୍ସାହ ଏବଂ ଆତ୍ମବିଶ୍ୱାସର ପ୍ରଶ୍ନ ହୋଇ ରହିଛି। ଏଣୁ ତିନି ଦଳର ରାଜ୍ୟ ସଭାପତି ନିର୍ବାଚନରେ ନିଜ ପ୍ରାର୍ଥୀଙ୍କ ଲାଗି ଭୋଟ ସଂଗ୍ରହରେ ଲାଗି ପଡ଼ିଛନ୍ତି।
Headlines 03- ନୂଆପଡ଼ା ଉପ ନିର୍ବାଚନ ପରିପ୍ରେକ୍ଷୀରେ ଇଭିଏମ୍ ଲିକ୍ ଅଭିଯୋଗକୁ ମୁଖ୍ୟ ନିର୍ବାଚନ କମିଶନ ଖାରଜ କରିଛନ୍ତି। ଏହା ନିର୍ବାଚନ କମିଶନଙ୍କ ଉପରେ ଥିବା ଦୀର୍ଘ କାଳୀନ ଆସ୍ଥାକୁ ଭାଙ୍ଗିବାର ପ୍ରୟାସ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ନୂଆପଡ଼ା ଜିଲ୍ଲା ବାହାରୁ କୌଣସି ଇଭିଏମ୍ ଅଣା ଯାଇ ନାହିଁ ଏବଂ ନୂଆପଡ଼ା ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମରେ ହିଁ ମତ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ସନ୍ଥ ଗୋପାଳନ।
Headlines 04- ଜମ୍ମୁ କାଶ୍ମୀର ପୋଲିସ ଏକ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାଶ କରିଛି। ଜଣେ ଡାକ୍ତରଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି। ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସହିତ ଲିଙ୍କ୍ ସନ୍ଦେହରେ ଗିରଫ ହୋଇଥିବା ଅଭିଯୁକ୍ତ ଡାକ୍ତର ଡକ୍ଟର ଆଦିଲ ଅହମ୍ମଦ ରାଥରଙ୍କ ସୂଚନା ଆଧାରରେ ଜମ୍ମୁ କାଶ୍ମୀର ପୋଲିସ ହରିୟାଣାର ଫରିଦାବାଦ ଜିଲ୍ଲାରେ ଡାକ୍ତର ମୁଫାଜିଲ ଶକିଲଙ୍କ ଭଡା ଘରେ ଚଢାଉ କରି ତାଙ୍କ ଲକରରୁ ୩୦୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ଏବଂ ଏକ ଆସଲ୍ଟ ରାଇଫଲ୍ ଜବତ କରିଛି।
Headlines 05- ବିହାରର ପାଟନା ଜିଲ୍ଲାର ଦାନାପୁର ବିଧାନସଭା ନିର୍ବାଚନମଣ୍ଡଳୀର ଦିଆରା ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆକିଲପୁର ପୋଲିସ ଷ୍ଟେସନ ଅଧୀନରେ ଆସୁଥିବା ମାନସ ନୟାପାନାପୁର ୪୨ ପଟ୍ଟି ଗାଁରେ ରବିବାର ବିଳମ୍ବିତ ରାତିରେ ଏକ ଘରର ଛାତ ଭୁଶୁଡ଼ି ପଡ଼ିଥିଲା। ଭଗ୍ନାବଶେଷ ତଳେ ଚାପି ହୋଇ ଘର ଭିତରେ ଶୋଇଥିବା ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା। ଇନ୍ଦିରା ଆବାସ ଯୋଜନା ଅଧୀନରେ ନିର୍ମିତ ଘରଟି ଭୁଶୁଡ଼ି ପଡ଼ିଥିଲା। ଭୁଶୁଡ଼ିବା ଶବ୍ଦ ଶୁଣି ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ, ପରିବାର ସଦସ୍ୟଙ୍କୁ ଭଗ୍ନାବଶେଷରୁ ବାହାର କରିଥିଲେ। କିନ୍ତୁ ସେମାନେ ପୂର୍ବରୁ ମୃତ୍ୟୁବରଣ କରିଥିଲେ।
Headlines 06- ଓଡ଼ିଆ ଯୁବତୀ ଆମେରିକାରେ ନିର୍ଯାତନା ହେବା ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ । ଫେସବୁକରେ ଯେଉଁ ବନ୍ଧୁଙ୍କୁ ଭିଡିଓ ପଠାଇଥିଲେ ତାଙ୍କୁ ଯୋଗାଯୋଗ କରୁଛୁ ଏବଂଯେହେତୁ ଆଡପସନ୍ ମ୍ୟାଟର, ରାଜ୍ୟ/କେନ୍ଦ୍ରୀୟ ସଂସ୍ଥାକୁ ଯୋଗାଯୋଗ କରିବୁ ବୋଲି ଜିଲ୍ଲାପାଳ କହିଛନ୍ତି । ଘଟଣା ଅନ୍ୟ ଦେଶରେ ତେଣୁ ବୈଦେଶିକ ଅଧିକାରୀଙ୍କ ସାହାଯ୍ୟ ନେବୁ । ଏ ଯାଏଁ ଝିଅ ସହ ସିଧାସଳଖ କୌଣସି ଯୋଗାଯୋଗ ହୋଇ ପାରି ନାହିଁ ବୋଲି ସୂର୍ଯ୍ୟବଂଶୀ ମୟୂର ବିକାଶ କହିଛନ୍ତି ।
Headlines 07- ବିନିକା ନିକଟ NH-୨୬ ଫଟାମୁଣ୍ଡା ନିକଟରୁ ଅଢେଇ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ କରିଛି ଡୁଙ୍ଗୁରିପାଲି ପୋଲିସ । ଘଟଣାରେ ୨ଜଣଙ୍କୁ ଗିରଫ କରାଯିବା ସମୟ ଏକ ବୋଲେରୋ ଜବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବା ନେଇ ସୂଚନା ।
Headlines 08- ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ମାଓପ୍ରବଣ ୮ଟି ବୁଥ୍ ଉପରେ କଡ଼ା ନଜର ରଖାଯାଇଛି। ଦୁର୍ଗମ ସ୍ଥାନକୁ ହେଲିକପ୍ଟରରେ ଯାଇଛନ୍ତି ପୋଲିଂ ଟିମ୍ । ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ବୁଥ୍ରେ ପହଞ୍ଚିଛନ୍ତି ପୋଲିଂ ଟିମ୍।
Headlines 09- ଐତିହାସିକ ବାଲିଯାତ୍ରା ପଡ଼ିଆରେ ଥିବା ଗଣ କବି ବୈଷ୍ଣବ ପାଣି ମଞ୍ଚରେ ରବିବାର ଦିନ ଏକ ଭବ୍ୟ ସାଂସ୍କୃତିକ ସନ୍ଧ୍ୟା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମର ମନମୁଗ୍ଧକର ପ୍ରଦର୍ଶନ ଏବଂ ପ୍ରଶାସନର ସୁଗମ ପରିଚାଳନା ମାଧ୍ୟମରେ ଏଥର ବାଲିଯାତ୍ରା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରିଥିଲା। ସନ୍ଧ୍ୟାର ଆରମ୍ଭ ହୋଇଥିଲା ପ୍ରଖ୍ୟାତ ଓଡ଼ିଆ ଗାୟକ ସୁବାଷ ଦାସ ଏବଂ ତାଙ୍କ ଟିମଙ୍କ ଏକ ଆତ୍ମୀୟ ସଙ୍ଗୀତ ଉପସ୍ଥାପନା ସହିତ, ଯେଉଁମାନେ ଲୋକପ୍ରିୟ ଓଡ଼ିଆ ସଙ୍ଗୀତ ସହିତ ଦର୍ଶକଙ୍କୁ ମୋହିତ କରିଥିଲେ ନିଜ କଳା ଦ୍ଵାରା । ସେମାନଙ୍କ ପ୍ରଦର୍ଶନ ରବିବାର ରାତିରେ ସୃଷ୍ଟି କରିଥିଲା ଏକ ଅବୟବ ବଳୟ ଯାହା କଟକର ବାଲିଯାତ୍ରାକୁ ଦେଇଥିଲା ଦର୍ଶକଙ୍କ ଅବିରତ ତାଳି ।
Headlines 10- ମୌସୁମୀ ଫେରିଯିବା ପରେ ରାଜ୍ୟରେ ଶୀତ ଲହରୀ ଆରମ୍ଭ ହୋଇଛି । ଅନେକ ସ୍ଥାନରେ ପ୍ରବଳ ଶୀତ ସହ ଘନ କୁହୁଡ଼ି ଅନୁଭୂତ ହେଉଛି । କୁହୁଡି କାରଣରୁ ଯାତାୟତ ମଧ୍ୟ ପ୍ରଭାବିତ ହୋଇଛି । ଚଳିତ ବର୍ଷ ପ୍ରଥମ ଥର ୧୦ ଡିଗ୍ରୀ ତଳକୁ ଖସିଛି ପାରଦ । ଜି. ଉଦୟଗିରିରେ ୮.୪ ଏବଂ ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ରାଜ୍ୟର ୧୬ଟି ସହର ୧୫ ଡିଗ୍ରୀ ତଳେ ରହିଛି ପାରଦ ।