Top 10 News: ରାଜଭବନରେ ରାଷ୍ଟ୍ରପତି, ବିଦେଶ ଯିବ ଓଡ଼ିଶା ଆମ୍ୱ ଏବଂ ଅନ୍ୟ ଖବର
Advertisement
Article Detail0/zeeodisha/odisha2692877

Top 10 News: ରାଜଭବନରେ ରାଷ୍ଟ୍ରପତି, ବିଦେଶ ଯିବ ଓଡ଼ିଶା ଆମ୍ୱ ଏବଂ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ରାଜଭବନରେ ରାଷ୍ଟ୍ରପତି, ବିଦେଶ ଯିବ ଓଡ଼ିଶା ଆମ୍ୱ ଏବଂ ଅନ୍ୟ ଖବର

Top 10 News Today

Headlines 01- ନୟାଗଡ ଜିଲ୍ଲାର କଣ୍ଟିଲୋ ନୀଳମାଧବ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦର୍ଶନ ପରେ ଶବର ରାଜା ବିଶ୍ୱାବସୁଙ୍କ ଗାଁ କାଳିଆପଲ୍ଲୀକୁ ଯାଇଥିଲେ ରାଷ୍ଟ୍ରପତି । କାଳିଆପଲ୍ଲୀଠାରେ ବିଶ୍ବାବସୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଅନୁଷ୍ଠିତ ଶବର ସମ୍ପ୍ରଦାୟଙ୍କର ମହାଯଜ୍ଞରେ ଯୋଗଦେଇଥିଲେ । ରାଷ୍ଟ୍ରପତିଙ୍କ ସହ ଯୋଗଦେଇଥିଲେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭାମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କଣ୍ଟିଲୋରୁ ଫେରି ଭୁବନେଶ୍ୱର ରାଜଭବନରେ ରାତ୍ରିଯାପନ କରିଛନ୍ତି ରାଷ୍ଟ୍ରପତି ! 

Headlines 02- ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଟାରିଫ୍ ଅପରିବର୍ତ୍ତିତ ସହ ମିଟର ରେଣ୍ଟ ଛାଡ଼ ହୋଇଛି। ଏନେଇ OERC ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ୨ କିଲୋ ୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ରେଣ୍ଟ୍‌ ଛାଡ଼ ହୋଇଥିବା ସୂଚନା ମିଳିଛି । ଡିଜିଟାଲ୍ ପେମେଣ୍ଟରେ ୪ ପ୍ରତିଶତ ରିହାତି ବଳବତ୍ତର ରଖାଯାଇଛି । ଯେଉଁ ୬୦ ଟଙ୍କା ରେଣ୍ଟ୍ ଚାର୍ଜ ପଡୁଥିଲା ଗ୍ରାହକଙ୍କୁ ଆଉ ତାହା ପଡ଼ିବନାହିଁ । ୨୦୨୧-୨୨ ପରଠାରୁ ଟାରିଫ୍ ବୃଦ୍ଧି କରାଯାଇନି ।

Headlines 03- କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI)ର ଜେନେରାଲ ମ୍ୟାନେଜରଙ୍କ ସମେତ ୪ ଜଣ ଅଭିଯୁକ୍ତ ଏବଂ ଏକ ଘରୋଇ କମ୍ପାନୀର ଜେନେରାଲ ମ୍ୟାନେଜରଙ୍କ ସମେତ ତାଙ୍କ ୩ ଜଣ ବ୍ୟକ୍ତିଗତ ଲୋକଙ୍କୁ ୧୫ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଗିରଫ କରିଛି । ଯାହା NHAIର ଚୁକ୍ତିନାମା/କାର୍ଯ୍ୟ ସମ୍ପର୍କିତ ବିଲ୍ ପ୍ରକ୍ରିୟାକରଣ ଏବଂ ବିଲ୍ ପାସ୍ କରିବା ପାଇଁ ଅବୈଧ ଭାବରେ ନେଣଦେଣ ହୋଇଥିଲା। ଏହି ସମ୍ପର୍କରେ କରାଯାଇଥିବା ତଲାସୀ ସମୟରେ ୧.୧୮ କୋଟି ଟଙ୍କା ଜବତ କରାଯାଇଥିଲା।

Headlines 04- ସାଂସଦଙ୍କ ଦରମା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ସାଂସଦଙ୍କ ଦରମା ବ୍ୟତୀତ ପୂର୍ବତନ ସାଂସଦଙ୍କ ଭତ୍ତା ଏବଂ ପେନସନ ରାଶିକୁ ମଧ୍ୟ ବଢାଇଦିଆଯାଇଛି । ଏହି ବଦ୍ଧିତ ଦରମା ଏବଂ ଭତ୍ତା ପିଛିଲା ଭାବେ ୧ ଏପ୍ରିଲ୍ ୨୦୨୩ ରୁ ଲାଗୁ ହେବ । ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଦିନ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଲୋକସଭା ଏବଂ ରାଜ୍ୟସଭା ସଦସ୍ୟଙ୍କ ଦରମା ପ୍ରତିମାସ ୧ ଲକ୍ଷ ଟଙ୍କାରୁ ୧.୨୪ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଏଥିସହ ଦୈନିକ ଭତ୍ତା ୨ ହଜାର ଟଙ୍କାରୁ ୨୫୦୦ ଟଙ୍କା କରାଯାଇଛି । କେବଳ ସେତିକି ନୁହେଁ,  ପୂର୍ବତନ ସାଂସଦଙ୍କ ପେନସନ ପ୍ରତିମାସ ୨୫,୦୦୦ ଟଙ୍କାରୁ ୩୧,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

Headlines 05- କେନ୍ଦ୍ରର ନୂଆ ଅର୍ଥ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ଅଜୟ ସେଠ୍‌ । ପୂର୍ବରୁ ଅର୍ଥନୈତିକ ବ୍ୟାପାର ସଚିବ ଥିଲେ ଅଜୟ । ଏନେଇ ସରକାରୀ ସୁତ୍ରରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । 

Headlines 06- ବାଙ୍ଗିରିପୋଷିରେ ମନ୍ତ୍ରୀଙ୍କୁ ଛାଡ଼ି ଫେରୁଥିବା କାର୍‌କୁ ଆକ୍ରମଣ ଘଟଣାରେ ୪ଜଣକୁ ଗିରଫ କରିଛି ପୋଲିସ । ୪ଜଣଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଗିରଫ ହୋଇଛନ୍ତି । ୧୯ ଜଣଙ୍କ ନାଁ ସହ ଆଉ ୫୦ ଜଣଙ୍କ ବିରୋଧରେ ମାମଲା ହୋଇଛି । ଭଙ୍ଗାରୁଜା, ସରକାରୀ କର୍ମଚାରୀଙ୍କ କାମରେ ବାଧା ସୃଷ୍ଟି ଭଳି ଲାଗିଛି ୧୨ ଦଫା ।

Headlines 07- କଟକ ଏସ୍‌ସିବିରେ ଶିଶୁ ବଦଳ ଅଭିଯୋଗ ମାମଲାରେ ଜବାବ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ନୋଟିସ କରିଛନ୍ତି ହାଇକୋର୍ଟ । ଅଭିଯୋଗ ଅନୁସାରେ ଫେବ୍ରୁଆରୀ ୧୦ରେ ଜଣେ ପ୍ରସୂତି ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ । ୧୧ ତାରିଖରେ ତାଙ୍କର ଏକ ଝିଅ ଜନ୍ମ ହୋଇଥିଲା । ସୁସ୍ଥ ଥିବା ସତ୍ତ୍ବେ ଛୁଆଟିକୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ପରିବାର ଲୋକଙ୍କୁ କୁହାଯାଇଥିଲା । ୧୨ ତାରିଖରେ ଶିଶୁର ଆଇମା’ଙ୍କୁ ମୃତ ଶିଶୁ ଧରାଇ ଦେଇଥିଲେ କର୍ତ୍ତୃପକ୍ଷ । ମୃତ ଛୁଆଟିକୁ ମହାନଦୀରେ ପୋତିବାକୁ ନେବା ସମୟରେ ସନ୍ଦେହ ହୋଇଥିଲା । ଛୁଆଟି ତାଙ୍କର ହୋଇଥିବା ଏବଂ ଛୁଆ ପୋଷାକରେ ବାଲି ଲାଗିଥିବା ଦେଖିବାକୁ ମିଳିଥିଲା । ଏନେଇ ମେଡିକାଲରୁ ଥାନା ପର୍ଯ୍ୟନ୍ତ ଦୌଡି ନିରାଶ ହୋଇଥିଲେ ପରିବାର ଲୋକେ । ଫଳରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମୃତ ଛୁଆର ବାପା ।

Headlines 08- ଚିଟଫଣ୍ଡ୍‌ ଟଙ୍କା ଫେରସ୍ତ ନେଇ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଧାନସଭାରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ଯେ, ଚିଟଫଣ୍ଡ ଜମାକାରୀଙ୍କ ପାଇଁ ପ୍ରକ୍ରିୟାକୁ ସରଳୀକରଣ ପାଇଁ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛୁ । ବର୍ତ୍ତମାନ ପର୍ଯ୍ୟନ୍ତ ୯୬ ହଜାର ୪୭୪ କ୍ଷତିଗ୍ରସ୍ତଙ୍କୁ ୪୫ କୋଟି ୯୬ ଲକ୍ଷ ଫେରସ୍ତ କରାଯାଇଛି । ଅବଶିଷ୍ଟ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ତ୍ବରିତ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Headlines 09- ରାଜଧାନୀରୁ ଧରାପଡିଛି ନକଲି ସବ୍ ଇନସ୍ପେକ୍ଟର  । ବ୍ଲକି ଚେକି ସମୟରେ ପୋଲିସ ଆଖିରେ ଧୂଳି ଦେଇ ଖସିଯିବାକୁ ଉଦ୍ୟମ କରୁଥିବା ସମୟରେ ମାଡିବସିଛି କମିଶନରେଟ ପୋଲିସ। ଉକ୍ତ ବ୍ୟକ୍ତିଙ୍କ ନାମ ମାନସ ରଞ୍ଜନ ସେନାପତୀ ଏବଂ ଘର ଭଦ୍ରକ ଅଞ୍ଚଳରେ । ତାଠାରୁ ପୋଲିସ ୟୁନିଫର୍ମ ସହ କିଛି ନକଲି ଆଇଡି କାର୍ଡ ଏବଂ ଆନୁମାନିକ ୨ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି । ଏନେଇ ସହୀଦନଗର‌ ଥାନା ପକ୍ଷରୁ ସୂଚନା ଦିଆଯାଇଛି ।

Headlines 10- ବିଦେଶ ଯିବ ଓଡ଼ିଶା ଆମ୍ୱ । ଏନେଇ MOU ସ୍ବାକ୍ଷରିତ ହୋଇଛି । ରାଜ୍ୟ ସରକାରଙ୍କ ସହ ଏକ ଏନ୍‌ଜିଓ ସହ ୧୫ ବର୍ଷ ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଢେଙ୍କାନାଳ ଆମ୍ବ ରପ୍ତାନୀ ହେବ ବୋଲି ଜଣାପଡିଛି । 

;