)
Top 10 News Today
Headlines 01- ସେନାବାହିନୀଙ୍କୁ ସାକ୍ଷାତ କରିବା ଅବସରରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ନିଜର ଅଭିଭାଷଣ ଦେଇଛନ୍ତି । ମୋଦୀ କହିଛନ୍ତି ଯେ, ଭାରତ ମାତାର ଜୟ କେବଳ ଏକ ସ୍ଳୋଗାନ ନୁହେଁ ଏହା ଦେଶ ଏବଂ ସୈନିକମାନଙ୍କର ଶପଥ ଯିଏ ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିବାକୁ ପ୍ରସ୍ତୁତ । ଯେତେବେଳେ ସୈନିକ ଭାରତ ମାତାର ଜୟ କୁହନ୍ତି ସେତେବେଳେ ଶତ୍ରୁର କଲିଜା ଧରିଯାଏ । ଆପଣ ସମସ୍ତେ କୋଟି କୋଟି ଭାରତୀୟଙ୍କ ଛାତି ଗର୍ବରେ କୁଣ୍ଢେମୋଟ କରିଦେଇଛନ୍ତି । ପାକିସ୍ତାନରେ ଏପରି କୌଣସି ସ୍ଥାନ ନାହିଁ ଯେଉଁଠାରେ ଆତଙ୍କବାଦୀମାନେ ଶାନ୍ତିରେ ରହିପାରିବେ। 'ହମ୍ ଘର ମେ ଘୁସ୍ କେ ମାରେଙ୍ଗେ' (ଆମେ ସେମାନଙ୍କୁ ସେମାନଙ୍କ ଘରେ ପଶି ମାରିବୁ)," ଯଦି ସେମାନେ ଭାରତ ଆଡ଼କୁ ଆଖି ଉଠାଇବେ, ତେବେ ପରିଣାମ 'ଭୟଙ୍କର' ହେବ। ସେମାନେ ଜାଣନ୍ତି ଯେ ଯଦି ସେମାନେ ଆମ ଦେଶର ନିର୍ଦ୍ଦୋଷ ନାଗରିକଙ୍କୁ ହତ୍ୟା କରନ୍ତି, ତେବେ ତାହାର ଏକମାତ୍ର ସମାଧାନ ହେଉଛି 'ମହାବିନାଶ' ।
Headlines 02- ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପାକିସ୍ତାନକୁ ଅବୈଧ ଭାବରେ ଅଧିକୃତ କାଶ୍ମୀର (ପିଓକେ) ଖାଲି କରିବାକୁ ପଡିବ। ସେ ଏହା ମଧ୍ୟ ଦୋହରାଇଛନ୍ତି ଯେ, ଏହା ଦୀର୍ଘ ସମୟ ଧରି ଭାରତର ନୀତି ହୋଇଆସିଛି ଏବଂ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଭାରତ ସରକାର ଏହା ସ୍ପଷ୍ଟ କରିଛନ୍ତି ଯେ, ଜମ୍ମୁ-କାଶ୍ମୀର ସହ ଜଡିତ ଯେକୌଣସି ସମସ୍ୟା କେବଳ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ଭାବରେ ସମାଧାନ ହେବ । ଏଥିରେ କୌଣସି ତୃତୀୟ ପକ୍ଷର କୌଣସି ଭୂମିକା ରହିବ ନାହିଁ।
Headlines 03- ପୁରୀ SCS କଲେଜର ଅଧ୍ୟକ୍ଷ ପ୍ରଫେସର ମିହିର ପ୍ରସାଦ ମିଶ୍ର ହେଲେ OPSCର ନୂଆ ସଦସ୍ୟ । IAS ଉଦୟ ନାରାୟଣ ଦାସ OPSCର ଅନ୍ୟତମ ସଦସ୍ୟ ହୋଇଛନ୍ତି । ବର୍ତ୍ତମାନ ଜନଗଣନା ନିର୍ଦ୍ଦେଶକ ଅଛନ୍ତି IAS ଉଦୟ ନାରାୟଣ । ଦୁଇ ସଦସ୍ୟଙ୍କୁ ୬ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି ସରକାର । ସେହିପରି OSSCର ସଦସ୍ୟ ହୋଇଛନ୍ତି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର ଡ. ଶ୍ରୁତି ଦାସ । ଏଥିସହିତ ଅବସରପ୍ରାପ୍ତ IAS ସୁଧାକର ବୁର୍ଗି ଅନ୍ୟତମ ସଦସ୍ୟ ନିଯୁକ୍ତ ହୋଇଛନ୍ତି ।
Headlines 04- ଅର୍ଚ୍ଚନା ନାଗ୍ଙ୍କୁ ଷ୍ଟେଟ୍ ବାର୍ କାଉନସିଲ୍ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଓକିଲାତି ଲାଇସେନ୍ସ ପାଇଁ ଦେଇଥିବା ଆବେଦନର ତଥ୍ୟକୁ ନେଇ ନୋଟିସ୍ ହୋଇଛି । ତାଙ୍କ ନାଁରେ ଥିବା ଫୌଜଦାରୀ ମାମଲା ଆବେଦନରେ ଦର୍ଶାଇ ନଥିବା ସୂଚନା ରହିଛି ।
Headlines 05- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଆଜି ୧୩ ମଇରେ ଦ୍ୱାଦଶ ଏବଂ ଦଶମ ବୋର୍ଡ ପରୀକ୍ଷାର ଫଳାଫଳ ଘୋଷଣା କରିଛି। ଚଳିତ ବର୍ଷ CBSE ଦ୍ୱାରା ଘୋଷଣା କରାଯାଇଥିବା ଦ୍ୱାଦଶ ପରୀକ୍ଷା ଫଳାଫଳ ଗତ ବର୍ଷ ତୁଳନାରେ ଭଲ ହୋଇଛି। ଗତ ବର୍ଷ ପରୀକ୍ଷା ଫଳାଫଳ ୮୭.୯୮ ପ୍ରତିଶତ ଥିଲା। ଯେତେବେଳେ ଚଳିତ ବର୍ଷ ପରୀକ୍ଷା ଫଳାଫଳ ୮୮.୩୯ ପ୍ରତିଶତ ହୋଇଛି। ସେହିପରି ଦଶମ ପରୀକ୍ଷା ଫଳାଫଳ ମଧ୍ୟ ଭଲ ହୋଇଛି। ଦଶମରେ ୯୯.୯୬ ପ୍ରତିଶତ ପିଲା ପାସ୍ କରିଛନ୍ତି। ଯଦି ଆମେ ପରୀକ୍ଷା ଫଳାଫଳ ଉପରେ ନଜର ପକାଇବା, ତେବେ ବହୁତ କମ୍ ପିଲା ଅଛନ୍ତି ଯେଉଁମାନେ ସଫଳତା ପାଇ ନାହାଁନ୍ତି। କିନ୍ତୁ ଯେଉଁମାନେ ସଫଳତାର ଆଶା ରଖିଥିଲେ ଏବଂ ବିଫଳ ହୋଇଥିଲେ, ସେମାନଙ୍କ ପାଇଁ ନିରାଶା ସ୍ୱାଭାବିକ।
Headlines 06- ପରୀକ୍ଷା ଫଳାଫଳ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି X ରେ ଏକ ପୋଷ୍ଟ ଲେଖି ସଫଳ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ନିରାଶ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସେ ଲେଖିଛନ୍ତି- ପ୍ରିୟ ପରୀକ୍ଷା ଯୋଦ୍ଧା, CBSE ଦ୍ୱାଦଶ ଏବଂ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଏହା ଆପଣଙ୍କ ଦୃଢ଼ ନିଷ୍ପତ୍ତି, ଶୃଙ୍ଖଳା ଏବଂ କଠିନ ପରିଶ୍ରମର ଫଳାଫଳ। ଆଜି ଏହି ସଫଳତାରେ ଯୋଗଦାନ ଦେଇଥିବା ପିତାମାତା, ଶିକ୍ଷକ ଏବଂ ଅନ୍ୟ ସମସ୍ତଙ୍କ ଭୂମିକାକୁ ସ୍ୱୀକାର କରିବାର ଦିନ।
Headlines 07- ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀ ପୁଣି ଥରେ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଅପରେସନ୍ ଆରମ୍ଭ କରିଛନ୍ତି। ଏହି ସମୟରେ, ମଙ୍ଗଳବାର ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ହାସଲ କରିଛି। ସୂଚନା ଅନୁଯାୟୀ, ଜମ୍ମୁ-କାଶ୍ମୀରର ଶୋପିଆନରେ ସୁରକ୍ଷା ବାହିନୀ ୨-୩ ଜଣ ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି। ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଭୟଙ୍କର ଗୁଳିବିନିମୟ ହୋଇଥିଲା। ଯେଉଁଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଶୋପିଆନର କେଲର ଜଙ୍ଗଲ ଅଞ୍ଚଳରେ କର୍ଡନ ଏବଂ ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷା ବାହିନୀ ଗୁଳି ଫୁଟିବାର ଶବ୍ଦ ଶୁଣିଥିଲେ। ଏହା ପରେ, ଅଞ୍ଚଳର ଘେରାବନ୍ଦୀକୁ କଡ଼ାକଡ଼ି କରାଯାଇଛି ଏବଂ ଅଧିକ ସୁରକ୍ଷା ବାହିନୀକୁ ପଠାଯାଇଥିଲା।
Headlines 08- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୟୂରଭଞ୍ଜର ବିଶୋଇ ଠାରେ ଜିଲ୍ଲାର ବିଭିନ୍ନ ବ୍ଲକ ପାଇଁ ୪୨୦ କୋଟିରୁ ଉର୍ଦ୍ଧ୍ୱଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ, ବିଶୋଇ ବ୍ଲକ ମୁଖ୍ୟାଳୟ ଠାରେ ଏକ +୨ ମହାବିଦ୍ୟାଳୟ ସ୍ଥାପନ କରିବା ପାଇଁ ଓ ବିଶୋଇ ସ୍ଥିତ ମିନି ଷ୍ଟାଡିଅମକୁ ମହାପୁରୁଷ ଧରଣୀଧର ନାଏକଙ୍କ ନାମରେ ନାମିତ କରିବା ଏବଂ ସେଠାରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ବିଭିନ୍ନ ବ୍ଲକ ପାଇଁ ୪୨୦ କୋଟିରୁ ଉର୍ଦ୍ଧ୍ୱଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ମଧ୍ୟରେ ୩୨୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୧୩୩ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ଏବଂ ୯୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୫୨ ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
Headlines 09- ଗଞ୍ଜାମରେ ପିସ୍ତଲ୍ ଗୁଳି ଗୋଳା ଦେଖାଇ ରାଜ୍ ଚଳାଇଥିବା ଅପରାଧୀଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି । ମଙ୍ଗଳବାର ଦିନ ସେମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ବେଆଇନ ଭାବେ ମାଉଜର, ଗୁଳି ଆଦି ରଖିବା ଏବଂ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ୨୦ ଜଣଙ୍କୁ ଗଞ୍ଜାମ ପୋଲିସ ଜିଲ୍ଲା ଅଧିନସ୍ଥ ବିଭିନ୍ନ ଥାନା ଅଞ୍ଚଳରେ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରବାରେ ସଫଳତା ହାସଲ କରିଛି ।
Headlines 10- ରାଜ୍ୟରେ ଲାଗି ରହିଛି କାଳବୈଶାଖୀ ବର୍ଷା। ଦିନରେ ଖରା ଗୁଳୁଗୁଳି ଦେଖିବାକୁ ମିଳୁଥିବା ବେଳେ ଅପରାହ୍ଣରେ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ପବନ ଦେଖିବାକୁ ମିଳୁଛି। ଅନେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଦେଖିବାକୁ ମିଳିଛି। ଆସନ୍ତା କାଲି ବୁଧବାର ବିଜୁଳି-ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ୨୦ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୟେଲୋ ଆଲର୍ଟ ଜାରି କରାଯାଇଥିବା ୨୦ ଜିଲ୍ଲା ହେଉଛି ଭଦ୍ରକ, କଟକ, ଖୋର୍ଦ୍ଧା, ଅନୁଗୁଳ, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ନୟାଗଡ଼, ବୌଦ୍ଧ, ଗଜପତି, ଯାଜପୁର, ଢେଙ୍କାନାଳ, ବରଗଡ଼, ନୂଆପଡ଼ା, ଜଗତସିଂହପୁର।