Top 10 News: ରାଜ୍ୟସଭାକୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ ସୁଜିତ କୁମାର, ଅଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Top 10 News Headlines: ଓଡ଼ିଶାରୁ ଏକମାତ୍ର ରାଜ୍ୟସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସୁଜିତ କୁମାର ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଉପ ନିର୍ବାଚନ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ସୁଜିତ ନାମାଙ୍କନ ଦାଖଲ କରିଥିବାରୁ ତାଙ୍କୁ ନିର୍ବାଚିତ ଘୋଷଣା କରାଯାଇଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Top 10 News Headlines 13 December 2024: H1.Odisha CM to distribute job letters: ଆଜି ରାଜ୍ୟ ସରକାରଙ୍କ ଦ୍ବାରା ଆୟୋଜିତ ନିଯୁକ୍ତି ମେଳାରେ ୩୭୬ ଜଣ ନିଯୁକ୍ତି ପାଇଛନ୍ତି। ଏଥିରେ ସ୍ବାସ୍ଥ୍ୟ ବିଭାଗର ୮୫ ଜଣ ହୋମିଓପାଥିକ ଚିକିତ୍ସକ ଓ ୨୩୯ ଜଣ ରେଡିଓଗ୍ରାଫର ଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗର ୫୨ ଜଣ ଅଧ୍ୟାପକ ଅଛନ୍ତି। ଏହି ଅବସରରେ ଲୋକସେବା ଭବନ ସ୍ଥିତ କନ୍ଭେନ୍ସନ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନବ ନିଯୁକ୍ତ ଡାକ୍ତର, ଅଧ୍ୟାପକ ଓ ରେଡିଓଗ୍ରାଫର ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ବୃତ୍ତିଗତ ଦକ୍ଷତା ଓ ସେବା ମନୋବୃତ୍ତି ନେଇ କାମ କରିବାକୁ ପରାମର୍ଶ ଦେଇଛନ୍ତି।
H2. Sujeet Kumar elected to Rajya Sabha unopposed: ଓଡ଼ିଶାରୁ ଏକମାତ୍ର ରାଜ୍ୟସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସୁଜିତ କୁମାର ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଉପ ନିର୍ବାଚନ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ସୁଜିତ ନାମାଙ୍କନ ଦାଖଲ କରିଥିବାରୁ ତାଙ୍କୁ ନିର୍ବାଚିତ ଘୋଷଣା କରାଯାଇଛି । ରିଟର୍ଣିଂ ଅଫିସର ଅବନିକାନ୍ତ ପଟ୍ଟନାୟକ ସୁଜିତ କୁମାରଙ୍କୁ ବିଜୟ ନେଇ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ସଂସଦରେ କଳାହାଣ୍ଡି ତଥା ଓଡ଼ିଶାର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉତ୍ଥାପନ କରିବେ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
H3. Odisha CM Majhi felicitates Young Astronomer Talent: ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ବା Young Astronomers Talent Search (ୟ୍ୟାଟ୍ସ)ର ୧୮ତମ ଗ୍ରାଣ୍ଡ ଫିନାଲେ ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହାନ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉପସ୍ଥିତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ ଓ ପୁରସ୍କୃତ କରିଥିଲେ।
H4. Allu Arjun Arrested: ଡିସେମ୍ବର ୪ ରେ ହାଇଦ୍ରାବାଦରେ ନିଜ ଚଳଚ୍ଚିତ୍ର 'ପୁଷ୍ପା ୨'ର ପ୍ରିମିୟର୍ ସମୟରେ ଘଟିଥିବା ଷ୍ଟାମ୍ପଡେଡ୍ ଘଟଣାରେ ସାଉଥ୍ ସୁପରଷ୍ଟାର୍ ଅଲୁ ଅର୍ଜୁନଙ୍କୁ ପୋଲିସ ଗିରଫ କରିଥିଲା। ଷ୍ଟାମ୍ପଡେରେ ଜଣେ ୩୯ ବର୍ଷୀୟା ମହିଳା ପ୍ରାଣ ହରାଇଛନ୍ତି ଏବଂ ତାଙ୍କ ପୁଅର ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ ସନ୍ଧ୍ୟାରେ ତେଲେଙ୍ଗାନା ହାଇକୋର୍ଟ ଅଲୁ ଅର୍ଜୁନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।
H5. RG Kar Case: ଅଗଷ୍ଟ ୯ ରେ କୋଲକାତାର ଆର.ଜି କର ମେଡିକାଲ କଲେଜରେ ଜଣେ ଜୁନିଅର ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସିଲଦା କୋର୍ଟ ଏକ ବଡ ରାୟ ଦେଇଛନ୍ତି। ହତ୍ୟା ମାମଲାରେ ପ୍ରମାଣ ଟାମ୍ପରିଂ ଅଭିଯୋଗରେ ଗିରଫ ହୋଇଥିବା ପୂର୍ବତନ ମେଡିକାଲ କଲେଜ ପ୍ରିନ୍ସପାଲ ସନ୍ଦୀପ ଘୋଷ ଏବଂ ତାଲା ପୋଲିସ ଷ୍ଟେସନର ପୂର୍ବତନ ଅଧିକାରୀ ଅଭିଜିତ ମଣ୍ଡଳଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ଯେ ୯୦ ଦିନ ମଧ୍ୟରେ ସିବିଆଇ ଉଭୟଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିପାରି ନାହିଁ। ତେଣୁ ଜାମିନ ପ୍ରଦାନ କରାଯାଇଛି।
H6. Priyanka Gandhi's first speech in lok sabha: ୱାୟାନାଡ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ପ୍ରିୟଙ୍କା ଗାନ୍ଧୀ ଲୋକସଭାରେ ଆଜି ନିଜର ପ୍ରଥମ ଭାଷଣରେ ସରକାରଙ୍କ ଉପରେ ଜୋରଦାର ଟାର୍ଗେଟ୍ କରିଥିଲେ। ଲୋକସଭାରେ ନିଜର ପ୍ରଥମ ଅଭିଭାଷଣରେ ପ୍ରିୟଙ୍କା ଗାନ୍ଧୀ ୩୨ ମିନିଟ୍ କଥା ହୋଇଥିଲେ, ଯେଉଁଥିରେ ସେ ଜନଗଣନା, ଆଦାନୀ ପ୍ରସଙ୍ଗ, ଦେଶର ଏକତା ଭଳି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ।
H7. MEA on Syria issue: ସିରିଆରେ ଚାଲିଥିବା ଗୃହଯୁଦ୍ଧ ମଧ୍ୟରେ ସେଠାରେ ଫସି ରହିଥିବା ଭାରତୀୟଙ୍କ ଘରକୁ ଫେରିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣନ୍ଧୀର ଜୈସୱାଲ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୭୭ ଜଣ ଭାରତୀୟଙ୍କୁ ସେଠାରୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ଲିବାନୋନ୍ ଦେଇ ସିରିଆରୁ ସ୍ଥାନାନ୍ତର କରାଯାଇଛି। ସେ ସ୍ପଷ୍ଟ କରିଛନ୍ତି ଯେ ଯଦି କେହି ସିରିଆରେ ରହୁଥିବା ଫେରିବାକୁ ନିଷ୍ପତ୍ତି ନେବେ ତେବେ ତାଙ୍କୁ ଭାରତକୁ ଫେରାଇ ଅଣାଯିବ।
H8. RBI receives bomb threat in Russian email: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ଗୁରୁବାର ଦିନ ଅପରାହ୍ନରେ ଆରବିଆଇର ଅଫିସିଆଲ୍ ୱେବସାଇଟରେ ଏହି ଧମକପୂର୍ଣ୍ଣ ଋଷିଆନ୍ ଇ-ମେଲ୍ ଆଇଡିରୁ ଗ୍ରହଣ କରାଯାଇଥିଲା। ଇ-ମେଲରେ ରିଜର୍ଭ ବ୍ୟାଙ୍କକୁ ବୋମା ଦେବାର ଧମକ ରହିଥିଲା। ଏହି ମାମଲାରେ ମାତା ରାମବାଇ ମାର୍ଗ (MRA Marg) ପୋଲିସ ଷ୍ଟେସନରେ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି।
H9. Biden issues clemency to four Indian-Americans: ଆମେରିକାର ରାଷ୍ଟ୍ରପତି ବିଡେନ ଗୋଟିଏ ଦିନରେ ପ୍ରାୟ ୧୫୦୦ ଅଭିଯୁକ୍ତଙ୍କ ଦଣ୍ଡାଦେଶକୁ କମ କରିଛନ୍ତି ଓ ୩୯ ଜଣଙ୍କୁ କ୍ଷମା ପ୍ରଦାନ କରିଛନ୍ତି। ଏଥିରେ ସେ ଚାରି ଜଣ ଭାରତୀୟ-ଆମେରିକୀୟଙ୍କୁ ମଧ୍ୟ କ୍ଷମା ପ୍ରଦାନ କରିଛନ୍ତି। ଗୋଟିଏ ଦିନରେ ଏତେ ସଂଖ୍ୟକ କ୍ଷମା ପ୍ରଦାନ କରିବାର ନିକଟ ଅତୀତରେ ଏହା ହେଉଛି ଏକମାତ୍ର ଘଟଣା।
H10. Champions Trophy 2025 updates: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ହାଇବ୍ରିଡ ମଡେଲକୁ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଅନୁମୋଦନ କରିଛି। ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ସମ୍ପର୍କରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏବଂ ବିସିସିଆଇ ମଧ୍ୟରେ ଏକ ଚୁକ୍ତି ହୋଇଛି। ଭାରତୀୟ ଦଳ ବର୍ତ୍ତମାନ ଦୁବାଇରେ ଏହାର ସମସ୍ତ ମ୍ୟାଚ୍ ଖେଳିବାକୁ ଯାଉଥିବା ବେଳେ ଅନ୍ୟ ମ୍ୟାଚ୍ ଗୁଡିକ ପାକିସ୍ତାନରେ ଅନୁଷ୍ଠିତ ହେବ।