Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
)
Top 10 News Today
Headlines 01- ରାଜଧାନୀ ଦିଲ୍ଲୀରେ ଆଜି ସନ୍ଧ୍ୟାରୁ ଅଧିକ ମାତ୍ରାରେ ବର୍ଷା ହେଉଛି । ଫଳରେ ଜନଜୀବନ ବେଶ୍ ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ପାଣି ଜମି ରହିବା ସହ ରାସ୍ତାରେ ଟ୍ରାଫିକ୍ ଜାମ୍ ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଲୋକଙ୍କ ଘରେ ମଧ୍ୟ ପାଣି ପଶିଯାଇଛି । ତେବେ ଆସନ୍ତା କାଲି ମଧ୍ୟ ଦିଲ୍ଲୀରେ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଲୋକଙ୍କ ଚିନ୍ତା ବଢିଛି ।
Headlines 02- ସୋମବାର ଦିନ ସରକାର GST ସଂଗ୍ରହ ତଥ୍ୟ ସମ୍ପର୍କରେ ସୂଚନା ଜାରି କରିଛନ୍ତି, ଯାହା ଏକ ଆଶ୍ୱସ୍ତି ପ୍ରଦାନ କରିଛି । ସରକାରୀ ସଂଖ୍ୟା ଅନୁସାରେ ଅଗଷ୍ଟ ମାସରେ 1.86 ଲକ୍ଷ କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଥିଲା, ଯାହା ଗତ ବର୍ଷର ସମାନ ସମୟ ତୁଳନାରେ 6.5 ପ୍ରତିଶତ ଅଧିକ ବୋଲି ଜଣାପଡିଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ, ଅଗଷ୍ଟ 2024 ରେ ଜିଏସଟି ସଂଗ୍ରହ 1.75 ଲକ୍ଷ କୋଟି ଟଙ୍କା ଥିଲା। ଅନ୍ୟପକ୍ଷରେ, ଯଦି ଆମେ ପୂର୍ବ ମାସ ବିଷୟରେ କଥା ହେବା, ତେବେ ଜୁଲାଇ 2025 ରେ GST ସଂଗ୍ରହରୁ 1.96 ଲକ୍ଷ କୋଟି ଟଙ୍କା ସରକାରୀ କୋଷାଗାରକୁ ଆସିଥିଲା।
Headlines 03- ରବିବାର ମଧ୍ୟରାତ୍ରିରେ ଆଫଗାନିସ୍ତାନର ପୂର୍ବ ଅଞ୍ଚଳରେ ଭୟଙ୍କର ଭୂମିକମ୍ପ ହୋଇଛି । ଏହି ଭୂକମ୍ପରେ ଅତି କମରେ 800 ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏଥିସହ 2500 ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତାଲିବାନ ସରକାରଙ୍କ ଜଣେ ମୁଖପାତ୍ର ସୋମବାର ଏନେଇ ସୂଚନା ଦେଇଛନ୍ତି। ରିକ୍ଟର ସ୍କେଲରେ 6.0 ତୀବ୍ରତାର ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ କୁନାର ପ୍ରଦେଶରେ ଥିଲା । ଭୂମିକମ୍ପ ଅନେକ ଅଞ୍ଚଳକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଥିଲା । ରବିବାର ରାତି 11:47 ସମୟରେ ଭୂମିକମ୍ପ ହୋଇଥିଲା ।
Headlines 04- ନୂଆ NAC ଘୋଷଣା ପରେ ବର୍ତ୍ତମାନ ଅସନ୍ତୋଷ ନିଆଁ ତେଜିବାରେ ଲାଗିଛି। ଦଳୀୟ ଭିତ୍ତିରେ ଘୋଷଣା କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି। ବାଦ୍ ସ୍ଥାନକୁ ମାନ୍ୟତା ନଦେଲେ ବିଜେଡି ଆନ୍ଦୋଳନ କରିବ ବୋଲି ଚେତାବନୀ। ଅନ୍ୟପଟେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।
Headlines 05- ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ନୂଆ ନିୟମ ଜାରି ହୋଇଛି। ଏହି ନିୟମ ଅନୁସାରେ ବର୍ଷ ବର୍ଷ ଧରି ପ୍ରଚଳିତ ପରମ୍ପରାକୁ ଭଙ୍ଗ କରାଯାଇଛି। ଯେଉଁ ଦାତା ତଥା ଦାତ୍ରୀଙ୍କୁ ୧୯୯୬ ମସିହାରୁ ଶ୍ରୀମନ୍ଦିରର ବିଶେଷ ସୁବିଧା ପ୍ରଦାନ କରାଯାଉଥିଲା ତାହାକୁ ରଦ୍ଦ କରିଛନ୍ତି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ। ଏ ନେଇ ପ୍ରଶାସନର ଦାନ ଉପ ବିଭାଗ ଏକ ଘୋଷଣାନାମା ପ୍ରକାଶ କରିଛନ୍ତି। ମନ୍ଦିର ପ୍ରଶାସନ ଓ ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ଶ୍ରୀମନ୍ଦିର ପ୍ରଶାସନର କର୍ପସ ପାଣ୍ଠିକୁ ଦାନ ଦେଉଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ଦିନରେ ଦୀପ, ଧ୍ୱଜା ବନ୍ଧନ, ମହାପ୍ରସାଦ, ଭକ୍ତନିବାସରେ ରହଣୀ ଓ ପହଣ୍ଡି ଦେଖିବା ଲାଗି ସୁବିଧା ପ୍ରଦାନ କରାଯାଉଥିଲା। ପହଣ୍ଡି ଦାନ ପାଇଁ ସେମାନଙ୍କୁ ଟିକଟ ଦିଆଯାଉଥିଲା। କିନ୍ତୁ ଆସନ୍ତା ରଥଯାତ୍ରା ସମୟରେ ଏହି ଭକ୍ତମାନେ ଆଉ ଏହି ଟକଟ ପାଇବେ ନାହିଁ।
Headlines 06- ଏଥର ରାଜଧାନୀ ଭୁବନେଶ୍ୱରରେ ଦୁର୍ଗା ପୂଜା ଭସାଣରେ ଡିଜେ ବାଜିବନି କି ବାଣ ଫୁଟିବନି । କେବଳ ସେତିକି ନୁହେଁ, ଲେଜର ଲାଇଟ୍ କୁ ମଧ୍ୟ ମନା କରାଯାଇଛି । କେବଳ ପାରମ୍ପରିକ ବାଜାରେ ମା’ଙ୍କ ଭସାଣ ହେବ ବୋଲି ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି । ସୂଚନାଯୋଗ୍ୟ, ପୂର୍ବରୁ ପାର୍ବଣରେ ପୂଜା କରିବାକୁ ବେଆଇନ୍ ଭାବେ ଚାନ୍ଦା ମାଗୁଥିବା ବ୍ୟକ୍ତିଙ୍କୁ ସାବଧାନ କରାଯାଇଛି । କଟକରେ ବେଆଇନ ଚାନ୍ଦା ଆଦାୟକାରୀଙ୍କୁ ସାବାଡ୍ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି ପୋଲିସ୍ । କଟକ ଡିସିପି ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଗଗତ କରିଥିଲେ ।
Headlines 07- ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ଆବେଦନ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଆବେଦନର ଶେଷ ତାରିଖ ଅଗଷ୍ଟ ୩୦ ତାରିଖ ରହିଥିଲା । ସାମ୍ବାଦିକମାନଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାର ଏହି ଆବେଦନର ଶେଷ ତାରିଖକୁ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏହି ସୂଚନା ଦେଇଛନ୍ତି । ପୂର୍ବରୁ ମଧ୍ୟ ଏହି ଆବେଦନ ସମୟସୀମାକୁ ବୃଦ୍ଧି କରାଯାଇଥିଲା । କର୍ମଜୀବୀ ସାମ୍ବାଦିକମାନଙ୍କୁ ରାଜ୍ୟ ସରକାର ସ୍ୱାସ୍ଥ୍ୟବୀମା ଯୋଗାଇ ଦେଉଛନ୍ତି । ଏହା ଦ୍ୱାରା ବହୁ ସାମ୍ବାଦିକଙ୍କ ପରିବାର ଦେୟମୁକ୍ତ ଭାବେ ବିଭିନ୍ନ ଅନୁବନ୍ଧିତ ଡାକ୍ତରଖାନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରୁଛନ୍ତି ।
Headlines 08- ଟିଚର ଇଲିଜିବିଲିଟି ଟେଷ୍ଟ (TET) ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ସାମ୍ନାକୁ ଆସିଛି । TET ଉତ୍ତୀର୍ଣ୍ଣ ବାଧ୍ୟତାମୂଳକ ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଯେଉଁ ଶିକ୍ଷକମାନେ ଚାକିରିରେ ଅଛନ୍ତି ୨ ବର୍ଷରେ TET ପାସ୍ କରିବାକୁ ପଡ଼ିବ ଏବଂ ଯେଉଁ ଶିକ୍ଷକଙ୍କ ଅବସର ୫ ବର୍ଷରୁ କମ୍ ଅଛି ସେମାନଙ୍କ ପାଇଁ ଦରକାର ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଅବସର ୫ ବର୍ଷରୁ ଊର୍ଦ୍ଧ୍ବ ଥିଲେ TET ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ । TET ଉତ୍ତୀର୍ଣ୍ଣ ହୋଇ ନ ପାରିଲେ ବାଧ୍ୟତାମୂଳକ ଅବସର ଦିଆଯିବ । ସଂଖ୍ୟାଲଘୁଙ୍କ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ନିଷ୍ପତ୍ତି ବୃହତ ଖଣ୍ଡପୀଠ ନେବେ ।
Headlines 09- ରାଜ୍ୟରେ ଚାଷୀମାନଙ୍କୁ ସାର ଠିକ୍ ଭାବରେ ମିଳିପାରିବା ସଂପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଅନୁଷ୍ଠିତ ଏକ ସମନ୍ୱୟ ବୈଠକରେ ଅଧ୍ୟକ୍ଷତା କରି ସ୍ଥିତି ସମୀକ୍ଷା କରିଛନ୍ତି। କୃଷକମାନଙ୍କୁ ଆବଶ୍ୟକତା ଅନୁସାରେ ସାର ଯୋଗାଇବା ପାଇଁ ଯୋଗାଣ ଶୃଙ୍ଖଳ, ସାର ମହଜୁଦ ଓ ବଣ୍ଟନ ବ୍ୟବସ୍ଥାରେ ଉପଯୁକ୍ତ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ଃ ଅରବିନ୍ଦ କୁମାର ପାଢ଼ୀ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, ସମବାୟ ସମିତି ନିବନ୍ଧକ ସିଦ୍ଧାର୍ଥ ଦାସ, ମାର୍କଫେଡର ପରିଚାଳନା ନିର୍ଦ୍ଦେଶକ ଏବଂ କୃଷି ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Headlines 10- ରାଜ୍ୟରେ ଏବେ ସକ୍ରିୟ ରହିଛି ମୌସୁମୀ। ପୁଣି ଆସୁଛି ଲଘୁଚାପ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏ ନେଇ ମଙ୍ଗଳବାର ସେପ୍ଟେମ୍ବର ୨ ତାରିଖରେ ସମସ୍ତ ୩୦ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହିବା ଯୋଗୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜିବୀମାନଙ୍କୁ ସମୁଦ୍ର ଯିବା ପାଇଁ ବାରଣ କରାଯାଇଛି।