)
୨୭ରେ ସ୍ଥଳଭାଗ ଛୁଇଁପାରେ ସମ୍ଭାବ୍ୟ ବାତ୍ୟା
ପାଣିପାଗ ବିଭାଗର ଆକଳନ ଅନୁସାରେ ମାସ ଶେଷ ବେଳକୁ ପୁଣି ଥରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ବାତ୍ୟା । ଏହାର ତୀବ୍ରତା କେତେ ରହିବ ? କେଉଁଠି ସ୍ଥଳଭାଗ ଅତିକ୍ରମ କରିବ ? ତାହା ସ୍ପଷ୍ଟ ହୋଇନଥିଲେ ବି ୨୭ରେ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛି ଆଇଏମଡି । ଏହାର ପ୍ରଭାବରେ ଓଡ଼ିଶାରେ ବଡ ବର୍ଷାର ସମ୍ଭାବନା ରହିଛି ।
ସତର୍କ ଜାରି କଲେ ଏସଆରସି
ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶା ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିସନ (ଏସ୍ଆରସି) ପକ୍ଷରୁ ମଧ୍ୟ ରାଜ୍ୟବାସୀଙ୍କ ପାଇଁ ଚେତାବନୀ ଜାରି କରାଯାଇଛି।
ଏସ୍ଆରସି ପକ୍ଷରୁ କୁହାଯାଇଛି ଯେ, ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକୁ ଅଧିକ ସତର୍କ ରହିବାକୁ ହେବ। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। କୁଆପଥର ମାଡ଼ ଓ ବଜ୍ରପାତରୁ ନିଜକୁ ସୁରକ୍ଷା କରିବା ପାଇଁ ସୁରକ୍ଷିତ ସ୍ଥାନକୁ ଆଶ୍ରୟସ୍ଥଳୀ ଭାବେ ବାଛନ୍ତୁ। ଅକ୍ଟୋବର ୨୬ ତାରିଖ ଠାରୁ ୨୯ ପର୍ଯ୍ୟନ୍ତ ସମୁଦ୍ର ଅସ୍ଥିର ରହିବ।
କବି ରାଜକିଶୋର ପଣ୍ଡାଙ୍କ ପରଲୋକ
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ତାଙ୍କ ନାମରେ ୧୬ଟି କବିତା ସଙ୍କଳନ ପ୍ରକାଶିତ ହୋଇଛି। ୧୯୮୫ରେ ତାଙ୍କ ପ୍ରକାଶିତ ପୁସ୍ତକ ଶୈଳକଳ୍ପପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ୨୦୧୦ ମସିହାରେ ସେ ଗଙ୍ଗାଧର ଜାତୀୟ ସମ୍ମାନ ପ୍ରାପ୍ତ କରିଥିଲା। ସେହିପରି ୨୦୨୦ରେ ତାଙ୍କୁ କୁଭେମ୍ପୁ ରାଷ୍ଟ୍ରୀୟ ପୁରସ୍କାର ମିଳିଥିଲା।
ମହାପ୍ରଭୁଙ୍କ ମହାସ୍ନାନ
ମହାପ୍ରଭୁଙ୍କର ହେଲା ମହାସ୍ନାନ। ଭିତର କାଠ ନିକଟରେ ରକ୍ତ ଛିଟା ପଡିବାରୁ ମହାପ୍ରଭୁଙ୍କର ମହାସ୍ନାନ କରାଯାଇଛି। ଏଥିପାଇଁ ଦୁଇଘଣ୍ଟା ଦର୍ଶନ ବନ୍ଦ ରହିଛି। ଏଠାରେ କହି ରଖୁ କି ଦ୍ୱିତୀୟ ଭୋଗମଣ୍ଡପ ସରିବା ପରେ ଭିତର କାଠ ନିକଟରେ ରକ୍ତ ଛିଟା ପଡିଥିବା ଦେଖିବାକୁ ମିଳିଥିଲା। ଫଳରେ ମହାସ୍ନାନ କରାଯାଇଥିଲା। ମହାସ୍ନାନ ପାଇଁ ସନ୍ଧ୍ୟା ୭ଟାରୁ ୯ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିଥିଲା।
ଦିଲ୍ଲୀରେ ପ୍ରଥମ ଥର ପାଇଁ ହେବ କୃତ୍ରିମ ବର୍ଷା
ପ୍ରଦୂଷିତ ବାୟୁମଣ୍ଡଳୁ ରକ୍ଷା ପାଇଁ ଦିଲ୍ଲୀରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି କୁତ୍ରିମ ବର୍ଷା। ଏହି ପରିସ୍ଥିତିରେ, ଦିଲ୍ଲୀ ସରକାର ଏବେ କୃତ୍ରିମ ବର୍ଷା କରାଇବାକୁ ପ୍ରସ୍ତୁତ ହେଉଛନ୍ତି। ପରୀକ୍ଷଣ ସମାପ୍ତ ହୋଇଛି, ଏବଂ ରିପୋର୍ଟ କରାଯାଇଛି ଯେ କ୍ଲାଉଡ୍ ସିଡିଂ ଦ୍ୱାରା ଅକ୍ଟୋବର ୨୯ ତାରିଖରେ ଦିଲ୍ଲୀରେ କୃତ୍ରିମ ବର୍ଷା ହେବ।
୧୩ ଶୀତଳଭଣ୍ଡାର ପାଇଁ କାମ ଆରମ୍ଭ ହୋଇଛି: ଉପମୁଖ୍ୟମନ୍ତ୍ରୀ
ଓଡ଼ିଶା ସରକାର ରାଜ୍ୟକୁ ଆଳୁ ଏବଂ ଡାଲି ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ ରଖିଛନ୍ତି। ଆଗାମୀ ଦିନରେ ଆଉ ଆଳୁ ପାଇଁ ପଶ୍ଚିମବଙ୍ଗ ଏବଂ ଡାଲି ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହେବା ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ଆଳୁ ଏବଂ ଡାଲି ଉତ୍ପାଦନରେ ଓଡ଼ିଶା ଆତ୍ମନିର୍ଭର ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଭାବରେ କହିଛନ୍ତି। ସେହିପରି ପଶ୍ଚିମବଙ୍ଗ ଆଉ ନାଲି ଦେଖାଇ ପାରିବ ନାହିଁ। ଆଳୁ ଚାଷ ପାଇଁ ୩ ଲକ୍ଷ ମେଟ୍ରିକ ଟନ ଆଳୁ ବିହନ ଯୋଗାଇ ଦିଆଯାଇଛି। ୧୩ ଶୀତଳଭଣ୍ଡାର କାମ ଆରମ୍ଭ ହୋଇଛି।
ଦିଲ୍ଲୀରେ ବଡ଼ ଆକ୍ରମଣ ଯୋଜନା ପଣ୍ଡ
ଦିଲ୍ଲୀରେ ବଡ଼ ବିସ୍ଫୋରଣ ଯୋଜନା ପଣ୍ଡ । ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କଲା ପୋଲିସ । ଦିଲ୍ଲୀର ଜଣେ ଓ ମଧ୍ୟପ୍ରଦେଶର ଜଣେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଆଇଇଡି ବିସ୍ଫୋରଣ ପାଇଁ ଏହି ଦୁଇ ଆତଙ୍କବାଦୀ ଯୋଜନା କରୁଥିଲେ । ଦିଲ୍ଲୀର ଜନଗହଳିପୂର୍ଣ୍ଣ ଅଞ୍ଚଳ ଏମାନଙ୍କ ଟାର୍ଗେଟ୍ରେ ଥିଲା । ଗୁଇନ୍ଦା ଓ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍ର ମିଳିତ ସହଯୋଗରେ ଦୁଇ ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଏମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରାଯାଇଛି ।
ଘରପିଛା ମିଳିବ ଅତିରିକ୍ତ ୫ କେଜି ଚାଉଳ
ଆଉ ତିନିମାସ ହିତାଧିକାରୀଙ୍କୁ ମିଳିବ ଅତିରିକ୍ତ ୫ କେଜି ଚାଉଳ । ଘୋଷଣା କଲେ ଖାଦ୍ୟ, ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗ । ଅତିରିକ୍ତ ଚାଉଳ ବଣ୍ଟନ ଶେଷ କରିବାକୁ ୧୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୧୯ ଜିଲ୍ଲାରେ ମୋଟ ୨ କୋଟି ୪୦ଲକ୍ଷ ହିତାଧିକାରୀ ଉପକୃତ ହେବେ ।
ସରିଲା ଜମ୍ମୁ କାଶ୍ମୀରର ରାଜ୍ୟସଭା ନିର୍ବାଚନ
ଜମ୍ମୁ ଓ କାଶ୍ମୀରରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନର ଫଳାଫଳ ଶୁକ୍ରବାର (୨୪ ଅକ୍ଟୋବର) ଘୋଷଣା କରାଯାଇଛି। ନ୍ୟାସନାଲ କନଫରେନ୍ସ ଚାରୋଟି ଆସନ ମଧ୍ୟରୁ ତିନୋଟିରେ ବିଜୟୀ ହୋଇଥିବା ବେଳେ ବିଜେପି ଗୋଟିଏରେ ବିଜୟୀ ହୋଇଛି। ବିଜେପିର ସତପାଲ ଶର୍ମା ବିଜୟୀ ହୋଇଛନ୍ତି। ନ୍ୟାସନାଲ କନଫରେନ୍ସର (ଏନସି) ଚୌଧୁରୀ ମହମ୍ମଦ ରମଜାନ, ଜି.ଏସ୍. ଓବେରୟ ଓରଫ ଶମ୍ମି ଓବେରୟ ଏବଂ ସଜ୍ଜାଦ କିଚଲୁ ସମସ୍ତେ ବିଜୟୀ ହୋଇଛନ୍ତି। ସଜ୍ଜାଦ ୫୭ ଭୋଟ ପାଇଛନ୍ତି। ଚୌଧୁରୀ ମହମ୍ମଦ ରମଜାନ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତାରେ ବିଜେପିର ଅଲି ମହମ୍ମଦ ମିରଙ୍କ ସହ ଥିଲେ। ସଜ୍ଜାଦ କିଚଲୁ ବିଜେପିର ରାକେଶ ମହାଜନଙ୍କୁ ମୁକାବିଲା କରିଥିଲେ। ଶମ୍ମି ଓବେରୟ ଜମ୍ମୁ ଓ କାଶ୍ମୀରରୁ ରାଜ୍ୟସଭାକୁ ନିର୍ବାଚିତ ହେବାରେ ପ୍ରଥମ ଶିଖ ନେତା ହେବେ।
ସରକାର ଆଣୁଛନ୍ତି ଭାରତ ଟ୍ୟାକ୍ସି
କେନ୍ଦ୍ର ସରକାର ଭାରତର ପ୍ରଥମ ସମବାୟ ଟ୍ୟାକ୍ସି ସେବା "ଭାରତ ଟ୍ୟାକ୍ସି" ଆରମ୍ଭ କରିଛନ୍ତି। ଯାହା ଓଲା ଏବଂ ଉବର ଭଳି ଘରୋଇ କମ୍ପାନୀଗୁଡ଼ିକୁ ସିଧାସଳଖ ଚ୍ୟାଲେଞ୍ଜ କରିବା ପାଇଁ ଡିଜାଇନ୍ କରାଯାଇଛି। କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଏବଂ ଜାତୀୟ ଇ-ଗଭର୍ଣ୍ଣାନ୍ସ ଡିଭିଜନ (NeGD) ଅଧୀନରେ ବିକଶିତ, ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଡ୍ରାଇଭରମାନଙ୍କୁ ସେମାନଙ୍କ ରୋଜଗାରର ପୂର୍ଣ୍ଣ ମାଲିକାନା ପ୍ରଦାନ କରିବା ସହିତ ଯାତ୍ରୀମାନଙ୍କୁ ଘରୋଇ କ୍ୟାବ୍ ଏଗ୍ରିଗେଟରଙ୍କ ପାଇଁ ଏକ ସରକାରୀ-ନିରୀକ୍ଷଣ ବିକଳ୍ପ ପ୍ରଦାନ କରିବା।