)
୧୧ ଦିନରେ ସରିଲା ବିଧାନସଭା
କାଁଭାଁ ହଟ୍ଟଗୋଳକୁ ଛାଡ଼ିଦେଲେ ୧୧ ଦିନ ସୁରୁଖୁରୁରେ ଚାଲିବା ପରେ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଶେଷ ହୋଇଛି। ବିଧାୟକ, ମନ୍ତ୍ରୀ ଓ ବାଚସ୍ପତିଙ୍କ ଦରମା ସମ୍ପର୍କିତ ବିଲ ପାସ କରିବା ପରେ ମଙ୍ଗଳବାର ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରିଦେଇଛନ୍ତି। ବାଚସ୍ପତି ସୁରମା ପାଢ଼ୀ ଏହି ଘୋଷଣା କରି ଅଧିବେଶନକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିଥିଲେ। ଯାହା ପୂର୍ବରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିଲା। ଏହି ଅଧିବେଶନ ପାଇଁ ମୋଟ ୨୯ କାର୍ଯ୍ୟ ଦିବସ ସ୍ଥିର କରାଯାଇଥିଲା। ଏଠାରେ କହି ରଖୁ କି ନଭେମ୍ବର ୨୭ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଐତିହାସିକ ଅଭିଭାଷଣ ସହିତ ଅଧିବେଶନ ଆରମ୍ଭ ହୋଇଥିଲା। ଏହା ରାଜ୍ୟର ବିଧାନସଭା ଇତିହାସରେ ପ୍ରଥମ ଥର ପାଇଁ ଭାରତର ଜଣେ କାର୍ଯ୍ୟରତ ରାଷ୍ଟ୍ରପତି ଗୃହକୁ ସମ୍ବୋଧିତ କରିଥିଲେ। ଯାହା ବିଧାନସଭା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଥିଲା।
୨୦୨୫ ମସିହାରେ ୭୦ ହଜାରରୁ ଅଧିକ ଯାଇଛନ୍ତି ଦାଦନ
ଚଳିତ ବର୍ଷ ନଭେମ୍ବର ମାସ ଶେଷ ସୁଦ୍ଧା ବଲାଙ୍ଗୀରରୁ ସର୍ବାଧିକ ଶ୍ରମିକ ଦାଦନ ଭାବେ ବାହାର ରାଜ୍ୟକୁ ଯାଇଛନ୍ତି। କେବଳ ବଲାଙ୍ଗୀର ନୁହେଁ, ନୂଆପଡାରୁ ମଧ୍ୟ ବହୁ ସଂଖ୍ୟାରେ ରାଜ୍ୟ ବାହାରକୁ କାର୍ଯ୍ୟ ଅନ୍ୱେଷଣରେ ରାଜ୍ୟ ବାହାରକୁ ଯାଇଛନ୍ତି ବୋଲି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଗୃହକୁ ସୂଚନା ଦେଇଛନ୍ତି। ରେଢାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କର ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଦେଇଥିବା ସୂଚନା ଅନୁସାରେ ଚଳିତ ବର୍ଷ ନଭେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟରୁ ପ୍ରାୟ ୭୦ ହଜାର ୩୬୦ ଜଣ ଶ୍ରମିକ ଦାଦନ ଭାବେ ରାଜ୍ୟ ବାହାରକୁ କର୍ମ ଅନ୍ୱେଷଣରେ ଯାଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୦୭ ଜଣଙ୍କୁ ଲାଇସେନ୍ସ ଦିଆଯାଇଥିଲା।
ନେତାମନ୍ତ୍ରୀଙ୍କର ବଢିଲା ଦରମା
ରାଜ୍ୟରେ ବଢ଼ିଲା ବିଧାୟକ, ମନ୍ତ୍ରୀ ଓ ବାଚସ୍ପତିଙ୍କ ଦରମା। ମଙ୍ଗଳବାର ଦିନ ଏହାକୁ ନେଇ ବିଧାନସଭାରେ ଓଡ଼ିଶା ବିଧାନସଭା ସଦସ୍ୟ, ବାଚସ୍ପତି, ଉପ ବାଚସ୍ପତି ଓ ମନ୍ତ୍ରୀମାନଙ୍କ ଦରମା, ଭତ୍ତା ଓ ପେନସନ ସମ୍ପର୍କିତ ୪ଟି ପୃଥକ ବିଲ୍ ଉପସ୍ଥାପନ କରାଯାଇଥିଲା। ଯାହକୁ ଅନୁମୋଦନ ମିଳିଛି। ନୂତନ ବିଲ୍ ସହିତ ଉଭୟ ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ଦରମା ଏବଂ ପେନସନ ୯୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
ଭାରତ ଫେରିବେ ମେହୁଲ ଚୋକସୀ !
ପଳାତକ ଭାରତୀୟ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଏକ ବଡ଼ ଝଟକା ଲାଗିଛି। ବେଲଜିୟମ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଭାରତକୁ ପ୍ରତ୍ୟର୍ପଣକୁ ଚ୍ୟାଲେଞ୍ଜ କରି ବେଲଜିୟମ ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। କଥିତ ₹୧୩,୦୦୦ କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାରେ ଚୋକସି ଫେରାର ଅଛନ୍ତି। କୋର୍ଟର ଏହି ରାୟ ପରେ, ଚୋକସିଙ୍କୁ ଖୁବ୍ ଶୀଘ୍ର ଭାରତକୁ ପ୍ରତ୍ୟର୍ପଣ କରାଯାଇପାରେ।
ଇଣ୍ଡିଗୋକୁ ସରକାରଙ୍କ ଛାଟ, ୧୦ ପ୍ରତିଶତ ଉଡାଣ ହ୍ରାସ ପାଇଁ ନିର୍ଦ୍ଦେଶ
ଭାରତର ସର୍ବବୃହତ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋକୁ ଏବେ ଅସ୍ଥାୟୀ ଭାବରେ ଏହାର ଉଡ଼ାଣ ହ୍ରାସ କରିବାକୁ ପଡିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ଏକ ନିର୍ଦ୍ଦେଶନାମା ଜାରି କରି କହିଛି ଯେ ବିମାନ କମ୍ପାନୀକୁ ଏହାର ମୋଟ କାର୍ଯ୍ୟକୁ ୧୦ ପ୍ରତିଶତ ହ୍ରାସ କରିବାକୁ ପଡିବ। ସମ୍ପ୍ରତି ଉଡ଼ାଣ ବାତିଲ ଏବଂ ପରିଚାଳନାଗତ ଅସୁବିଧାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।
ଆଜିଠୁ ୧୪ ଯାଏ ଯୁକ୍ତ ଦୁଇ ପାଇଁ ନାମଲେଖା ସୁଯୋଗ
ଅଧାରୁ ପାଠପଢ଼ା ଛାଡ଼ି ରହିଥିବା ପିଲାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଯୁକ୍ତ ଦୁଇ ଚତୁର୍ଥ ପର୍ଯ୍ୟାୟରେ ନାମଲେଖାଇ ହେବ। ବୁଧବାରଠୁ ସାମ୍ସ ୱେବ୍ସାଇଟ୍ରେ ନାମଲେଖା ଆବେଦନ ଆରମ୍ଭ ହେବ । ୧୪ ତାରିଖ ଯାଏ ଆବେଦନ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି, କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ଯୁକ୍ତଦୁଇ (ଏକାଦଶ ଶ୍ରେଣୀ) ନାମଲେଖା ପାଇଁ ଚତୁର୍ଥ ପର୍ଯ୍ୟାୟ ନାମଲେଖା ହେବ । ସ୍କୁଲରୁ ଦୂରରେ ରହୁଥିବା ପିଲାଙ୍କୁ ନାମ ଲେଖାଇବାକୁ ସୁଯୋଗ ପ୍ରଦାନ କରାଯିବ । ବୁଧବାରଠୁ ୧୪ ତାରିଖ ମଧ୍ୟରେ ସାମ୍ସ ୱେବ୍ସାଇଟ୍ ମାଧ୍ୟମରେ ଆବେଦନ କରାଯିବ । ୧୭ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୧୮ରୁ ୧୯ ତାରିଖ ମଧ୍ୟରେ ନାମ ଲେଖାଇବେ ।
ଅଭିଳାଷ ପଣ୍ଡା ବିଜେପିର ଯୁବମୋର୍ଚ୍ଚା ସଭାପତି ଭାବେ ମନୋନୀତ
ଭାରତୀୟ ଜନତା ପାର୍ଟି (BJP) ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ନୂତନ ପଦାଧିକାରୀଙ୍କ ନାମ ଘୋଷଣା କରିଛି। ଘୋଷଣା ଅନୁସାରେ ଅଭିଳାଷ ପଣ୍ଡାଙ୍କୁ (Avilash Panda) ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସଭାପତି ଭାବରେ ଏବଂ ଡକ୍ଟର ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କୁ (Aishwarya Biswal) ମହିଳା ମୋର୍ଚ୍ଚାର ସଭାପତି ଭାବରେ ନିଯୁକ୍ତ କରାଯାଇଛି।
ଆହୁରି ବଢ଼ିବ ଥଣ୍ଡା, ରାତିରେ ଖସିବ ପାରଦ
ବୁଧବାରଠାରୁ ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା । କିଛି ସ୍ଥାନରେ ରାତି ତାପମାତ୍ରା କମିବା ସହ ଅଧିକ ଥଣ୍ଡା ଅନୁଭୂତ ହେବ । ୧୦ରୁ ଅଧିକ ସହରରେ ପାରଦ ୧୦ ଡିଗ୍ରୀ ତଳେ ରହିପାରେ । ଥଣ୍ଡାକୁ ନେଇ ପାଣିପାଗ ବିଭାଗ ଏଭଳି ଆକଳନ କରିଛି । ୧୨ ତାରିଖ ଯାଏ ରାଜ୍ୟର ବିକ୍ଷିପ୍ତ ସ୍ଥାନରେ ଶୀତ ଲହରି ଜାରି ରହିବ ବୋଲି କୁହାଯାଇଛି । ୧୦ ଓ ୧୧ ତାରିଖରେ ଝାରସୁଗୁଡ଼ା, ଅନୁଗୁଳ , ସୁନ୍ଦରଗଡ଼ , ସୋନପୁର, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ଶୀତ ଲହରି ବହିପାରେ ।
ଭିସା ରଦ୍ଦ କଲେ ଟ୍ରମ୍ପ
ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ଗୁଳିକାଣ୍ଡ ପରେ, ଜାତୀୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରଶାସନ ଚଳିତ ବର୍ଷ ପ୍ରାୟ ୮୫,୦୦୦ ଭିସା ରଦ୍ଦ କରିଛନ୍ତି। ଷ୍ଟେଟ୍ ଡିପାର୍ଟମେଣ୍ଟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭିସା ରଦ୍ଦ କରିବାର ଉଦ୍ଦେଶ୍ୟ ହେଉଛି ଆମେରିକାର ସାଧାରଣ ଜନତାଙ୍କୁ ସୁରକ୍ଷା ଦେବା। ଏହି ପଦକ୍ଷେପ ଭାରତୀୟ ବୃତ୍ତିଗତ ଏବଂ ଛାତ୍ରଙ୍କ ଉପରେ ସର୍ବାଧିକ ପ୍ରଭାବ ପକାଇଛି।
ବାରବାଟୀରେ ଭାରତ ବଡ ବିଜୟ
ବାରବାଟୀରେ ଭାରତର ବଡ଼ ବିଜୟ । ପ୍ରଥମ ଟି-୨୦ ମ୍ୟାଚକୁ ୧୦୧ ରନରେ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । ଏଥିସହ ୫ ଟିକିଆ ଟି-ଟ୍ବେଣ୍ଟି ସିରିଜରେ ୧-୦ରେ ଆଗୁଆ ରହିଛି । ବାରବାଟୀ ମ୍ୟାଚରେ ଭାରତୀୟ ବୋଲର ମାନେ ମାପଚୁପ ବୋଲିଂ କରି ଦକ୍ଷିଣ ଆଫ୍ରିକାକୁ ମାତ୍ର ୧୨.୩ ଓଭରରେ ୭୪ ରନରେ ଅଲଆଉଟ କରିଦେଇଥିଲେ ।