Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
)
ଶ୍ରୀମନ୍ଦିରକୁ ରେଡ୍ ଜୋନ୍ ଘୋଷଣା
ଶ୍ରୀମନ୍ଦିର ଓ ଏହାର ଚତୁଃପାର୍ଶ୍ୱ ଅଞ୍ଚଳକୁ ରେଡ୍ ଜୋନ୍ ଘୋଷଣା କରିଛି ଦେଶର ସର୍ବୋଚ୍ଚ ବିମାନ ପରିଚାଳନା ନିୟନ୍ତ୍ରକ ସଂସ୍ଥା ‘ଡିଜିସିଏ’। ଏଣିକି ଶ୍ରୀମନ୍ଦିର ପରିଧି ଅନ୍ତର୍ଗତ ଆକାଶ ସୀମାରେ ବିମାନ, ଡ୍ରୋନ୍ କିମ୍ବା କୌଣସି ଉଡ଼ାଣ ଯନ୍ତ୍ର ବିନା ଅନୁମତିରେ ଉଡ଼ିପାରିବ ନାହିଁ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ହେଉଛି ଭାରତର ଅନ୍ୟତମ ପବିତ୍ର ଧାମ ଏବଂ ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥାର କେନ୍ଦ୍ରସ୍ଥଳ। କେନ୍ଦ୍ର ବେସମାରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏହାକୁ ‘ରେଡ୍ ଜୋନ୍’ ଭାବେ ଘୋଷଣା କରିବା ଦ୍ବାରା ଉଭୟ ଶ୍ରୀମନ୍ଦିର ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ବୋଲି ବିବେଚନା କରାଯାଉଛି।
ପୀତବାସ ପଣ୍ଡା ହତ୍ୟାକାଣ୍ଡ: କର୍ପୋରେଟରଙ୍କ ସମେତ ୩ଜଣଙ୍କୁ ଉଠାଇନେଲା ପୋଲିସ
ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ବଡ଼ ଅପଡେଟ୍ । ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡଙ୍କ ନିକଟତର ହୋଇଛି ପୁଲିସ । ବଡ଼ ସୁରାକ ସହ ସହରର ଜଣାଶୁଣା କର୍ପୋରେଟରଙ୍କୁ ପୁଲିସ ଉଠାଇ ନେଇଛି । ଶନିବାର ରାତିରେ ସମ୍ପୃକ୍ତ କର୍ପୋରେଟରଙ୍କୁ ତାଙ୍କ ଘରୁ ପୁଲିସ ଉଠାଇ ନେଇ ଜେରା କରୁଛି । ବ୍ରହ୍ମପୁର ପୁଲିସ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଅଟକ କର୍ପୋରେଟରଙ୍କୁ ଅଜ୍ଞାତ ସ୍ଥାନରେ ପଚରାଉଚରା ଚଳାଇଛି ।
ଫେରିଯିବ ମୌସୂମୀ
ରାଜ୍ୟରୁ ଆଉ ଦୁଇରୁ ତିନି ଦିନ ମଧ୍ୟରେ ପ୍ରତ୍ୟାବର୍ତ୍ତନ କରିବ ଦକ୍ଷିଣ ପଶ୍ଚିମ ମୌସୂମୀ ବାୟୁ। ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ବିହାରର କିଛି ଅଞ୍ଚଳରୁ ମୌସୁମୀ ବାୟୁ ବାହୁଡିବ। ଝାଡ଼ଖଣ୍ଡ ଏବଂ ଛତିଶଗଡ଼ରୁ ସମ୍ପୂର୍ଣ୍ଣ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ରହିଛି। ଦକ୍ଷିଣ ବାଂଲାଦେଶ ଏବଂ ଏହାର ପାର୍ଶ୍ୱବର୍ତ୍ତି ଉତ୍ତର ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।
ଅଭିଜିତ ମଜୁମଦାର ପୁଣି ଆଇସିୟୁରେ ଭର୍ତ୍ତି
ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଙ୍ଗୀତକାର ଅଭିଜିତ ମଜୁମଦାର। ଭୁବନେଶ୍ଵର ଏମ୍ସର ଆଇସିୟୁରେ ରଖି ତାଙ୍କୁ ଚିକିତ୍ସା କରାଯାଉଛି। ସେ ଏବେ ବି କୋମାରେ ରହିଛନ୍ତି। ଶରୀରର ସ୍ନାୟବିକ ସ୍ଥିତିରେ ସୁଧାର ଆସି ନ ଥିବା ଡାକ୍ତର କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆମେରିକାର ନୂତନ ରାଷ୍ଟ୍ରଦୂତ
ଭାରତରେ ନିଯୁକ୍ତ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ଶନିବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହାପରେ ସେ କହିଛନ୍ତି ଯେ ଆମେରିକା ଭାରତ ସହିତ ତା’ର ସମ୍ପର୍କକୁ ବହୁତ ଗୁରୁତ୍ୱ ଦିଏ। ସେ କହିଥିଲେ, “ପ୍ରଧାନମନ୍ତ୍ରୀଙ୍କ ସହ ମୋର ସାକ୍ଷାତ ସାନଦାର ଥିଲା। ଆମେ ପ୍ରତିରକ୍ଷା, ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ସମେତ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲୁ। ଆମେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଗୁରୁତ୍ୱ ବିଷୟରେ ମଧ୍ୟ ଆଲୋଚନା କରିଥିଲୁ।”
ପୀଡିତାଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ
ପଶ୍ଚିମବଙ୍ଗର ଦୁର୍ଗାପୁର ଠାରେ ଦୁଷ୍କର୍ମର ଶିକାର ହୋଇଥିବା ଓଡ଼ିଆ ଝିଅଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ସହିତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଜଣେ ବାପା ଭାବରେ ଆପଣ କେଉଁ ପ୍ରକାର ମାନସିକ ସ୍ଥିତିରେ ଥିବେ, ମୁଁ ତାହା ଅନୁଭବ କରି ପାରୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଏହାସହ ତାଙ୍କର ( ପୀଡ଼ିତାଙ୍କ ବାପା) ଏ ଘଡିସନ୍ଧି ମୁହୂର୍ତ୍ତରେ ସେ ବ୍ୟକ୍ତିଗତ ଭାବେ ଏବଂ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ସହିତ ଦୃଢ଼ ଭାବରେ ଅଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ପାକିସ୍ତାନ ଉପରେ ଆଫଗାନିସ୍ତାନର ଏୟାରଷ୍ଟ୍ରାଇକ
ଦୁଇ ଦିନ ପୂର୍ବରୁ ଆଫଗାନିସ୍ତାନ ଉପରେ ପାକିସ୍ତାନର ବିମାନ ଆକ୍ରମଣ କରିଥିଲା। ଯାହାର କଡ଼ା ଜବାବ ଦେଇଛି ଆଫଗାନ ସେନା। ଗତକାଲି ରାତିରେ ଡୁରାଣ୍ଡ ରେଖା କୂଳରେ ଥିବା କୁରାମ ଜିଲ୍ଲାର ଗାଭି ଅଞ୍ଚଳରେ ପାକିସ୍ତାନ ଏବଂ ଆଫଗାନ ସୀମାନ୍ତ ବାହିନୀ ମଧ୍ୟରେ ଏକ ଭୟଙ୍କର ସଂଘର୍ଷ ଘଟିଥିଲା। ଖାଇବର ପଖତୁନଖ୍ୱା ଏବଂ ବେଲୁଚିସ୍ତାନରେ ସୀମାରେ ଦୁଇ ସେନା ମଧ୍ୟରେ ଗୁଳି ବିନିମୟ ଏବଂ ସଂଘର୍ଷରେ ୧୨ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିଲା, ଯେତେବେଳେ ଆଫଗାନ ସେନା ସୀମାରେ ଥିବା ଅନେକ ପାକିସ୍ତାନୀ ପୋଷ୍ଟକୁ ମଧ୍ୟ କବଜା କରିଥିଲା।
IPS ପୂରଣ କୁମାରଙ୍କ ମୃତ୍ୟୁ ଘଟଣା: ବିଦା ହେଲେ ରୋହତକ ଏସପି
ଆତ୍ମହତ୍ୟାର ୪ ଦିନ ପରେ ହରିୟାଣାର ଅତିରିକ୍ତ ପୁଲିସ ଡିଜି ୱାଇ. ପୂରନ କୁମାରଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ଏହି ମାମଲାରେ ରୋହତକ୍ ପୁଲିସ ଡିଜିଙ୍କୁ ହରିୟାଣା ସରକାର ପଦରୁ ହଟାଇ ଦେଇଛନ୍ତି । ସେପଟେ ତେଜିଛି ରାଜନୀତି । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ମୃତ ଆଇପିଏସ୍ ଅଫିସରଙ୍କ ପତ୍ନୀଙ୍କୁ ଚିଠି ଲେଖି ସାନ୍ତ୍ବନା ଦେଇଛନ୍ତି । ହରିୟାଣା ଏଡିଜିପି ୱାଇ. ପୂରନ କୁମାରଙ୍କ ଆତ୍ମହତ୍ୟା ନେଇ ବିବାଦ ବଢ଼ୁଛି । ପ୍ରଥମ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ହରିୟାଣା ସରକାର । ରୋହତକ ପୁଲିସ୍ ସୁପରିନଟେଣ୍ଡେଣ୍ଟ ନରେନ୍ଦ୍ର ବିଜରନିୟାଙ୍କୁ ପଦରୁ ହଟାଯାଇଛି । ତାଙ୍କୁ କୌଣସି ନୂଆ ପଦ ଦିଆଯାଇ ନାହିଁ ।
ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା
ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଓ ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରଶୀଳ ମିସନ୍ର ଆଜି ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦେଶର ୧୦୦ଟି ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରାଯାଇଛି। ଏଥିରେ ଓଡ଼ିଶାର କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଆଜିଠାରୁ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା କାର୍ଯ୍ୟକାରୀ ହୋଇଛି ।
Sultan of Johor Cup 2025: ବିଜୟରୁ ଟିମ୍ ଇଣ୍ଡିଆର ଅଭିଯାନ ଆରମ୍ଭ
ଭାରତୀୟ ଜୁନିଅର ପୁରୁଷ ହକି ଦଳ ସୁଲତାନ ଜୋହୋର କପ୍ ୨୦୨୫ରେ ଦମଦାର ପ୍ରଦର୍ଶନ କରି ବିଜୟରୁ ଅଭିଯାନ ଆରମ୍ଭ କରିଛି । ଶନିବାର ଦିନ ମାଲେସିଆର ଜୋହୋର ବାହରୁର ତମାନ ଦୟା ହକି ଷ୍ଟାଡିୟମରେ ଗ୍ରେଟ ବ୍ରିଟେନକୁ ୩-୨ ଗୋଲରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଭାରତ ପକ୍ଷରୁ ଅଧିନାୟକ ରୋହିତ (୪୫+’, ୫୨’) ଏବଂ ରଭନୀତ ସିଂହ (୨୩’) ଗୋଲ ସ୍କୋର କରିଛନ୍ତି । ବିପକ୍ଷ ଦଳ ଗ୍ରେଟ୍ ବ୍ରିଟେନ ପକ୍ଷରୁ ମାଇକେଲ ରଏଡେନ (୨୬’) ଏବଂ କାଡେନ ଡ୍ରେସି (୪୬’) ଗୋଲ ସ୍କୋର କରିଥିଲେ।