)
ଜାଡ଼ରେ ଥରୁଛି ପୂରା ରାଜ୍ୟ
ପ୍ରବଳ ଥରାଇଲାଣି ଥଣ୍ଡା । ଏମିତି ଲମ୍ବା ସମୟ ଶୀତ ପ୍ରକୋପ କେତେ ବର୍ଷ ହେଲା ଅନୁଭୂତ ହୋଇନଥିଲା । ଡିସେମ୍ବର ମାସରେ ଏଯାବତ୍ ଲଗାତାର ୮ ଦିନ ଶୀତ ଲହରି ଅନୁଭୂତ ହେଲାଣି । ନଭେମ୍ବରରେ ବି ୩ ଦିନ ଥରାଇଥିଲା ଶୀତ । ପାଣିପାଗ ପୂର୍ବାନୁମାନ ଯାହା, ଏବେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ । ଥଣ୍ଡା ପ୍ରକୋପ ଜାରି ରହିବ ।
ଲାଲକିଲ୍ଲା ବିସ୍ଫୋରଣ ଘଟଣାରେ ଓଡ଼ିଶା ଲିଙ୍କ୍
ଭୟଙ୍କର ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣରେ ଓଡ଼ିଶା ଲିଙ୍କ୍ ସାମ୍ନାକୁ ଆସିଛି। ଦୁଇ ଜଣଙ୍କୁ ଉଠାଇ ନେଇଛି ଦିଲ୍ଲୀ ସାହିନବାଗ୍ ପୁଲିସ୍। ମୋବାଇଲ ସିମ୍ ଯାଜପୁର ଓ ଭଦ୍ରକରୁ କିଣାଯାଇଥିଲା। ଦୁଇ ଅଭିଯୁକ୍ତଙ୍କ ଆକାଉଣ୍ଟରେ ବିପୁଳ ଅର୍ଥ କାରବାର ହୋଇଥିବାର ଖୁଲାସା ହୋଇଛି। ଗତ ନଭେମ୍ବର ୧୦ ତାରିଖରେ ଜାତୀୟ ରାଜଧାନ ଦିଲ୍ଲୀର ଲାଲକିଲ୍ଲାରେ ବ୍ଲାଷ୍ଟ ହୋଇଥିଲା। ଏଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଅଲ୍ ଫଲାହ ୟୁନିଭର୍ସିଟିର ଡାକ୍ତରମାନେ ଏହି ଆତଙ୍କୀ ଷଡ଼ଯନ୍ତ୍ର କରିଥିଲେ । ଘଟଣାର ତଦନ୍ତ ଜାରି ରହିଛି।
ଆମେରିକାର ୟୁନିଭର୍ସିଟିରେ ଗୁଳିମାଡ଼
ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ କରି ଆଖିବୁଜା ଗୁଳି ଚଳାଇଲେ। ଏଥିରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଆଠ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗୁଳିକାଣ୍ଡ ଯୋଗୁଁ ବିଶ୍ୱବିଦ୍ୟାଳୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ଏବଂ ସନ୍ଦିଗ୍ଧ ବ୍ୟକ୍ତି ବିଶୃଙ୍ଖଳାର ସୁଯୋଗ ନେଇ ପଳାଇ ଯାଇଥିଲା। ପ୍ରୋଭିଡେନ୍ସର ପ୍ରୋଭିଡେନ୍ସରେ ଏହି ଘଟଣା ଘଟିଛି, ପ୍ରୋଭିଡେନ୍ସ ମେୟର ବ୍ରେଟ୍ ସ୍ମାଇଲି ନିଶ୍ଚିତ କରିଛନ୍ତି। ପୋଲିସ ଏକ ନାକାବନ୍ଦୀ ସ୍ଥାପନ କରିଛି ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଖୋଜାଖୋଜି ଆରମ୍ଭ କରିଛି।
ଗାଁ ଭିତରକୁ ପଶିଆସିଲେ ହାତୀ
ବାଲେଶ୍ୱର ଜିଲ୍ଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା ହାତୀପଲ ଏବେ ଗାଁକୁ ପଶି ବ୍ୟାପକ ଉପଦ୍ରବ କରୁଛନ୍ତି। ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ବାହାରି ବିଳମ୍ବିତ ରାତିରେ ଏକ ପେଟ୍ରୋଲ ଟାଙ୍କି ଭିତରେ ପଶି ଏଣେତେଣେ ହେବା ଦୃଶ୍ୟ ସମ୍ପ୍ରତି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। କୂଳଡିହା ଅଭୟାରଣ୍ୟରୁ ହାତୀ ଦୈନିକ ପଞ୍ଚଲିଙ୍ଗେଶ୍ୱର ଅଂଚଳରେ ବାହାରି ବ୍ୟାପକ ଉପଦ୍ରବ କରୁଛି । ରାସ୍ତାରେ ଥିବା ମାନଗଡ଼ ପେଟ୍ରୋଲ ଟାଙ୍କିରେ ଏହି ହାତୀଟି ବୁଲୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ହାଇଦ୍ରାବାଦରେ ମେସି
ଭାରତ ଗସ୍ତରେ ଆସିଥିବା ଫୁଟବଲ ଷ୍ଚାର ଲିଓନେଲ ମେସି କୋଲକାତା ପରେ ଏବେ ହାଇଦ୍ରାବାଦରେ ରହିଛନ୍ତି। ହାଇଦ୍ରାବାଦ ଗସ୍ତ ସମୟରେ ମେସି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସହିତ ଫୁଟବଲ ଖେଳିବା ସହିତ ବିରୋଧି ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଆର୍ଜେଣ୍ଟିନାର ଜର୍ସି ପ୍ରଦାନ କରିଥିଲେ।
ହମାସ ଉପରେ ଇସ୍ରାଏଲର ଆକ୍ରମଣ
ଇସ୍ରାଏଲ ହମାସ ଉପରେ ଏକ ବଡ଼ ଆକ୍ରମଣ କରିଛି। ଏଥର ଇସ୍ରାଏଲ ହମାସର ସାମରିକ ଶାଖାର ଅସ୍ତ୍ରଶସ୍ତ୍ର ନିର୍ମାଣ ମୁଖ୍ୟାଳୟକୁ ଟାର୍ଗେଟ କରିଛି। ଇସ୍ରାଏଲ ଦାବି କରିଛି ଯେ ଏହି ଆକ୍ରମଣରେ ହମାସର ଶୀର୍ଷ କମାଣ୍ଡର ରାଦ ସାଦଙ୍କ ମୃତ୍ୟୁ ହୋଇଛି। ଇସ୍ରାଏଲୀ ସେନା ଆକ୍ରମଣର ଏକ ଭିଡିଓ ମଧ୍ୟ ଜାରି କରିଛି, ଯେଉଁଥିରେ ସାଦ ଏକ ଗାଡ଼ିରେ ଯାତ୍ରା କରୁଥିବାର ଦେଖାଯାଇଛି। ଇସ୍ରାଏଲୀ ସେନା ଆକ୍ରମଣ କରି ସେହି ଗାଡ଼ିକୁ ଉଡ଼ାଇ ଦେଇଛି।
ପରଲୋକରେ ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ର
ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ର । ଶନିବାର କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି । । ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ଅନ୍ତିମ ସମୟରେ ତାଙ୍କର ଦୁଇପୁତ୍ର ଦେବାଶିଷ ଓ ଶୁଭାଶିଷ ଏବଂ ପୁତ୍ରବଧୂ ଉପସ୍ଥିତ ଥିଲେ ।
ବର୍ଦ୍ଧିତ ଦରମା ଗରୀବଙ୍କ ପାଇଁ ଛାଡ଼ିଲେ ନବୀନ
ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭା ଦ୍ୱାରା ସଦ୍ୟ ଗୃହୀତ ହୋଇଥିବା ଦରମା ଏବଂ ଭତ୍ତା ବୃଦ୍ଧିକୁ ନ ନେବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖି ପଟ୍ଟନାୟକ ଅନୁରୋଧ କରିଛନ୍ତି ଯେ ଏହି ରାଶି ରାଜ୍ୟର ଗରିବ ଲୋକଙ୍କ କଲ୍ୟାଣ ପାଇଁ ବ୍ୟବହାର କରାଯାଉ।
୫୦ ପ୍ରତିଶତ କର୍ମଚାରୀଙ୍କ ପାଇଁ 'ୱାର୍କ ଫ୍ରମ ହୋମ'
ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ବୃଦ୍ଧି ପାଉଥିବା ସ୍ତରକୁ ଦୃଷ୍ଟିରେ ରଖି GRAP-4 କାର୍ଯ୍ୟକାରୀ କରାଯାଇଛି। ରାଜ୍ୟର ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ପାଇଁ ଏକ ନୂତନ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି। ଯେଉଁଥିରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ କରିବାକୁ ବାଧ୍ୟ କରାଯାଇଛି। ପରିବେଶ (ସୁରକ୍ଷା) ଆଇନ, ୧୯୮୬ର ଧାରା ୫ ଅଧୀନରେ ଏହି ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଗୁପ୍ତଚର ସନ୍ଦେହରେ ଅବସରପ୍ରାପ୍ତ ଯବାନ ଗିରଫ
ଶନିବାର ଦିନ ପୋଲିସ କହିଛି ଯେ ପାକିସ୍ତାନୀ ଗୁପ୍ତଚରଙ୍କ ସହ ସମ୍ପର୍କ ରଖିବା ଅଭିଯୋଗରେ ଆସାମର ସୋନିତପୁର ଜିଲ୍ଲାରେ ଜଣେ ଅବସରପ୍ରାପ୍ତ ଭାରତୀୟ ବାୟୁସେନା ସୈନିକଙ୍କୁ ଗିରଫ କରାଯାଇଛି। ପୋଲିସ ଅଧିକାରୀ କହିଛନ୍ତି, "ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ସୋସିଆଲ ମିଡିଆ ମାଧ୍ୟମରେ ପାକିସ୍ତାନୀ ଗୁପ୍ତଚରଙ୍କ ସହ ସମ୍ବେଦନଶୀଳ ଡକ୍ୟୁମେଣ୍ଟ ଏବଂ ସୂଚନା ସେୟାର କରିଥିଲେ।