1. ନୂଆ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ
ନୂଆ ଅଭିଯୋଗ ପ୍ରକୋଷ୍ଠରେ ଆଜି ପ୍ରଥମଥର ଲାଗି ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି କରିବେ। ଏଥିଲାଗି ଭୁବନେଶ୍ୱର ଅଶୋକନଗରସ୍ଥିତ କାର୍ଯ୍ୟାଳୟରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଅତ୍ୟଧକ ଗୟୀଷ୍ମ ପ୍ରବାହକୁ ଆଖିରେ ରଖି ରାଜ୍ୟ ସରକାର ସକାଳ ୮ଟାରେ ଅଭିଯୋଗ ଶୁଣାଣି ଆରମ୍ଭ କରିବେ। ଏହି ଶୁଣାଣିରେ ଭାଗ ନେବା ଲାଗି ୧୬ ତାରିଖରେ ଅନ୍ଲାଇନ୍ ପଞ୍ଜୀକରଣ ଆରମ୍ଭ ହୋଇଥିଲା। ସର୍ବାଧିକ ୧୦୦୦ ଅଭିଯୋଗକାରୀ ଏହି ପର୍ଯ୍ୟାୟରେ ଅଭିଯୋଗକୁ ପଞ୍ଜିକୃତ କରିଥିଲେ।
2. ଭୁବନେଶ୍ୱରରେ ଖୋଲିବ ଏନଆଇଏର ଶାଖା କାର୍ଯ୍ୟାଳୟ
ଜାତୀୟ ସୁରକ୍ଷା ଏଜେନ୍ସୀ ( ଏନ୍ଆଇଏ)ର ଏକ କାର୍ଯ୍ୟାଳୟ ଓଡ଼ିଶାରେ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏହା ଜଣେ ଏସ୍ସି ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେବ। ଜାତୀୟ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟକଳାପ ଉପରେ ସେ ଏବଂ ତାଙ୍କ ଟିମ ନଜର ରଖିବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟାଳୟ ପାଇଁ ଅନୁମତି ପ୍ରଦାନ କରାଯାଇଛି।
3. ପ୍ରିୟଙ୍କା ସେନାପତିଙ୍କୁ ନେଇ ଚର୍ଚ୍ଚା ଜୋରଦାର
ପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କୁ ନେଇ ଚର୍ଚ୍ଚା ଜୋରଦାର ହୋଇଛି। ପାକିସ୍ତାନୀ ଗୁଇନ୍ଦା ସହ ସମ୍ପର୍କରେ ଥିବା ଅଭିଯୋଗରେ ଗିରଫ ହୋଇଥିବା ହରିୟାଣାର ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ବନ୍ଧୁ ଭାବେ ସେ ପରିଚିତ। ଜ୍ୟୋତିଙ୍କ ସହ ବିଭିନ୍ନ ସ୍ଥାନ ବୁଲିବା ସହ ସେ ପୁରୀର ବିଭିନ୍ନ ଫଟୋଚିତ୍ର ତାଙ୍କ ସହ ମିଶି ଉତ୍ତୋଳନ କରିଥିବା ନେଇ ଅଭିଯୋଗ ହୋଇଛି। ପୁଲିସ ଏ ମାମଲାର ତଦନ୍ତ କରୁଛି।
4. ଆକ୍ରମଣ ପୂର୍ବରୁ ପହଲଗାମ ବୁଲିଥିଲେ ଟ୍ରାଭେଲ ବ୍ଲଗର ଜ୍ୟୋତି
ପହଲଗାମ ଆକ୍ରମଣ ପୂର୍ବରୁ ଜ୍ୟୋତି ମଲହୋତ୍ରା ସେ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ। ଏପରିକି ତାଙ୍କା ପାକିସ୍ତାନ ଓ ଚୀନର ଗୁଇନ୍ଦା ଏଜେନ୍ସୀ ସହ ସମ୍ପର୍କ ରହିଛି ବୋଲି ହରିୟାଣା ପୁଲିସ ସନ୍ଦେହ କରିଛି। ଏହିକ୍ରମରେ ଜ୍ୟୋତିଙ୍କୁ ଗିରଫ କରିଛି ପୁଲିସ। ପାକିସ୍ତାନ ତାଙ୍କୁ ଗୁଇନ୍ଦା ସମ୍ପତ୍ତି ଭାବେ ସୁରକ୍ଷା ଓ ସୁବିଧା ଦେଉଥିବା ନେଇ ଆଲୋଚନା ହେଉଛି।
5. ଆଦର୍ଶ ଜିଲ୍ଲା ହେବ ବୌଦ୍ଧ ଜିଲ୍ଲା
ବୌଦ୍ଧ ଜିଲ୍ଲାକୁ ଏକ ଆଦର୍ଶ ଜିଲ୍ଲା ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ନୟାଗଡ଼ରୁ ବୌଦ୍ଧ ରେଳ ସେବା, ହସ୍ପିଟାଲ, ନୂଆ ବସ୍ ଷ୍ଟାଣ୍ଡ ରେଳ ଷ୍ଟେସନ୍ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏନେଇ ପଡ଼ି ରହିଥିବା କାମକୁ ତ୍ୱରାନ୍ୱିତ କରିବା ଲାଗି ସେ ଅଧିକାରୀମାନଙ୍କ ଆଦେଶ ଦେଇଛନ୍ତି।
6. ପ୍ରଧାନ ବିଚାରପତିଙ୍କ ସ୍ୱାଗତ କରିବାରେ ପ୍ରୋଟୋକଲ ପାଳନ କରିନି ମହାରାଷ୍ଟ୍ର ସରକାର
ଭାରତର ପ୍ରଧାନ ବିଚାରପତିଙ୍କ ସ୍ୱାଗତ କରିବାରେ ପ୍ରୋଟୋକଲ ପାଳନ କରିନି ମହାରାଷ୍ଟ୍ର ସରକାର। ଆସନ ଅଳଂକୃତ କରିବା ପରେ ସେ ପ୍ରଥମଥର ପାଇଁ ମହାରାଷ୍ଟ୍ରଗସ୍ତରେ ଆସିଥିଲେ। ଏହି ସମୟରେ ତାଙ୍କୁ ସମ୍ବିଧାନର ଧାରା ୧୪୨ ଅନୁସାରେ ମୁଖ୍ୟ ସଚିବ, ଡିଜି ସ୍ୱାଗତ କରିବା କଥା। କିନ୍ତୁ କେହି ତାଙ୍କ ସ୍ୱାଗତ ସମୟରେ ଉପସ୍ଥିତ ନଥିଲେ। ତାଙ୍କ ସ୍ଥାନରେ ଯଦି ଆଉ କେହି ହୋଇଥାଆନ୍ତେ ତେବେ ଉଚିତ କାର୍ଯ୍ୟାନୁଷ୍ଠାନ ନେଇଥାଆନ୍ତେ ବୋଲି କହିଛନ୍ତି ପ୍ରଧାନ ବିଚାରପତି ବି.ଆର୍. ଗବାଇ।
7. ଆତଙ୍କବାଦୀ ଅବୁ ସଇଫୁଲ୍ଲା ନିହତ
ମହାରାଷ୍ଟ୍ରର ନାଗପୁରରେ ଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କାର୍ଯ୍ୟାଳୟ ଉପରେ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଅବୁ ସଇଫୁଲ୍ଲା ଓରଫ୍ ବିନୋଦ ନିହତ ହୋଇଛି। ପାକିସ୍ତାନର ଲସ୍କର ଏ ତୋଇବାର ସେ ଜଣେ ପ୍ରମୁଖ ସଦସ୍ୟ। ସେ ପାକିସ୍ତାନରେ ନିଜ ଘରୁ ବାହାରି ଆସୁଥିବା ବେଳେ କେହି ଅଜଣା ଲୋକ ତାଙ୍କୁ ଗୁଳି ମାରିଥିଲେ। ଆଉ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
8.ବର୍ଦ୍ଧିତ ବାଂଲାଦେଶୀଙ୍କ ସଂଖ୍ୟା ଏବେ ମୁଣ୍ଡବିନ୍ଧାର କାରଣ
ରାଜଧାନୀରେ ବଢ଼ୁଥିବା ବାଂଲାଦେଶୀଙ୍କ ସଂଖ୍ୟା ଏବେ ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ଅପରାଧ ନିୟନ୍ତ୍ରଣ ବୈଠକରେ ଏନେଇ ଗୁରୁତ୍ୱ ଦେଇ ଡିସିପି ଜଗମୋହନ ମୀନା ପ୍ରତି ଥାନା ଅଞ୍ଚଳରେ ବାଂଲାଦେଶୀଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏମାନେ କିଏ ଏବଂ କେମିତି ଆସୁଛନ୍ତି ତାହାକୁ ନିର୍ଦ୍ଧାରଣ କରିବ ପୁଲିସ। ଉପଯୁକ୍ତ ପ୍ରମାଣପତ୍ର ନ ଦେଖାଇଲେ ସେମାନଙ୍କ ବିପକ୍ଷରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି।
9. ସଲତାନତ ଏ ବାଂଲା ଜାରି କଲା ଗ୍ରେଟର ବାଂଲା ନାମକ ମାନଚିତ୍ର
ଅପରପକ୍ଷେ ବାଂଲାଦେଶର ଏକ ସଂଗଠନ ‘ସଲତାନତ୍ ଏ ବାଂଲା’ ଗ୍ରେଟର ବାଂଲା ନାମରେ ଏକ ମାନଚିତ୍ର ଜାରି କରିଛି। ଏଥିରେ ଓଡ଼ିଶା, ବିହାର, ଝାଡନଖଣ୍ଡ, ଉତ୍ତର ପୂର୍ବାଞ୍ଚଳକୁ ଗ୍ରେଟର ବାଂଲାର ଅଂଶବିଶେଷ ଭାବେ ଚିହ୍ନଟ କରିଛି। ତୁର୍କୀୟେ ସହାୟତାରେ ଏହିପରି କାର୍ଯ୍ୟକ୍ରମ ବଂଲାଦେଶରେ ଏବେ ସାଧାରଣ ହୋଇଛି। ଭାରତବିରୋଧୀ ତତ୍ତ୍ୱକୁ ବଂଲାଦେଶ ସରକାର ଏବେ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି।
10. ଜାରି ରହିବ ଗ୍ରୀଷ୍ମ ପ୍ରବାହ
ଆଜିବି ରାଜ୍ୟର ଅଧିକାଂଶ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିବାର ସମ୍ଭାବନା ରହିଛି। ଏଥିଲାଗି ଭାରତ ପାଣିପାଗ ବିଭାଗ ପକ୍ଷରୁ ପୀତ ସତର୍କତା ଜାରି କରାଯାଇଛି। ପଶ୍ଚିମାଞ୍ଚଳର ଅନେକ ସ୍ଥାନରେ ନାରଙ୍ଗୀ ସତର୍କତା ଜାରି କରାଯାଇଛି।
Add Zee News as a Preferred Source