Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
)
ରାଜ୍ୟରେ ଆହୁରି ୪ ଦିନ ହାଡ଼ଭଙ୍ଗା ଜାଡ଼
ରାଜ୍ୟରେ ତଳମୁହାଁ ରହିଛି ପାରଦ । ଫଳରେ ବୃଦ୍ଧି ପାଇଛି ଶୀତର ପ୍ରକୋପ । ଉପକୂଳରୁ ଆରମ୍ଭ କରି ଉତ୍ତର, ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ବି ନିସ୍ତାର ମିଳୁନି । ଆସନ୍ତା ୪ ଦିନ ଯାଏ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ । ଆହୁରି ଦୁଇ ଦିନ ରାଜ୍ୟରେ ଏମିତି ଥଣ୍ଡା ଲହରୀ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ଶ୍ରୀଧାମ ଏକ୍ସପ୍ରେସକୁ ବୋମା ଧମକ
ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣ ପରେ, ସାରା ଦେଶର ସୁରକ୍ଷା ଏଜେନ୍ସିଗୁଡ଼ିକ ହାଇ ଆଲର୍ଟରେ ଅଛନ୍ତି । ଏହି ସମୟରେ, ଦିଲ୍ଲୀର ନିଜାମୁଦ୍ଦିନ ଅଭିମୁଖେ ଯାଉଥିବା ଶ୍ରୀଧାମ ଏକ୍ସପ୍ରେସରେ ଏକ ବୋମା ଧମକ ଆତଙ୍କ ସୃଷ୍ଟି କରିଥିଲା । ଶ୍ରୀଧାମ ଏକ୍ସପ୍ରେସର ଜେନେରାଲ କୋଚରେ ବୋମା ଥିବା ନେଇ କର୍ତ୍ତୃପକ୍ଷଙ୍କୁ ଏକ ସତର୍କ ସୂଚନା ମିଳିଥିଲା, ଯାହା ଫଳରେ ଟ୍ରେନର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇଥିଲା । ବୋମା ଧମକରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ ।
କଟକରେ ବଢୁଛି ଜଣ୍ଡିସ
କଟକରେ ଜଣ୍ଡିସ ବ୍ୟାପିବାରେ ଲାଗିଛି । ୧୫ରୁ ଅଧିକ ଜଣ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ, ୨ ଜଣଙ୍କ ଅବସ୍ଥା ଗୁରୁତର ମଧ୍ୟ ରହିଛି । ଦୂଷିତ ଜଳ ବ୍ୟବହାର କାରଣରୁ ଏତେ ସଂଖ୍ୟାରେ ଲୋକେ ଜଣ୍ଡିସ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ବିଶେଷ କରି କଟକର କଦମ ଏ ରସୁଲର ବ୍ରାହ୍ମଣ ସାହିରେ ଏହି ଆକ୍ରାନ୍ତ ମାନେ ଚିହ୍ନଟ ହୋଇଛନ୍ତି । ଏନେଇ ପ୍ରଶାସନ ତରଫରୁ ତୁରନ୍ତ ପଦକ୍ଷେପ ନିଆଯାଇ ସିଏମସିର ସ୍ବାସ୍ଥ୍ୟ ବିଭାଗ ଉକ୍ତ ଅଞ୍ଚଳ ସଫେଇ କରିବା ସହ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଇଛି ।
ହ୍ୟୁମାନ୍ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର
ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଥିବା କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ସୁଧାର ଆସିନାହିଁ। କିନ୍ତୁ ତାଙ୍କ ଇନ୍ଦ୍ରିୟଗୁଡ଼ିକ କାମ କରୁଥିବା ପରିଲକ୍ଷିତ ହୋଇଛି। ସେ କଥା ଶୁଣିବା ସହିତ ଆଖି ଓ ମୁଣ୍ଡ ହଲାଇ ପ୍ରତିକ୍ରିୟା ଦେଉଛନ୍ତି ବୋଲି ଚିକିତ୍ସା କରୁଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ ପ୍ରଶଂସକମାନଙ୍କ ମନରେ ନୂଆ ଆଶା ସୃଷ୍ଟି ହୋଇଛି ଏବଂ ସେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ପ୍ରଶଂସକମାନେ ପ୍ରାର୍ଥନା କରିଛନ୍ତି। ୧୪ ତାରିଖଠାରୁ ଏମ୍ସରେ ଚିକିତ୍ସିତ ହେଉଥିବା ହ୍ୟୁମାନ୍ ସାଗରଙ୍କ ଲିଭର୍ ଓ କିଡ୍ନି ସମେତ କିଛି ଅଙ୍ଗରେ ସମସ୍ୟା ଦେଖାଯାଇଛି।
ଆତଙ୍କବାଦୀ ଉମରର ସହଯୋଗୀ ଗିରଫ
ଦିଲ୍ଲୀରେ ଲାଲକିଲ୍ଲା କାର ବିସ୍ଫୋରଣ ମାମଲାରେ NIA ଏକ ବଡ଼ ସଫଳତା ହାସଲ କରିଛି । ଆତ୍ମଘାତୀ ବିସ୍ଫୋରଣକାରୀର ସହଯୋଗୀ ଆମିର ରସିଦ ଅଲିଙ୍କୁ ଦିଲ୍ଲୀରେ ଗିରଫ କରାଯାଇଛି । ଜମ୍ମୁ ଓ କାଶ୍ମୀରର ସାମ୍ବୋରା (ପାମ୍ପୋର)ର ବାସିନ୍ଦା ଆମିର ଉନ୍ ନବିଙ୍କ ସହ ଷଡ଼ଯନ୍ତ୍ର କରିଥିଲେ । ଆକ୍ରମଣରେ ବ୍ୟବହୃତ କାରଟି ଆମିରଙ୍କ ନାମରେ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି । ଆତ୍ମଘାତୀ ଆକ୍ରମଣକାରୀଙ୍କୁ ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ (ଫରିଦାବାଦ)ର ସହାୟକ ପ୍ରଫେସର ଉମର ଉନ୍ ନବି ଭାବରେ ଚିହ୍ନଟ କରାଯାଇଛି । ନବିଙ୍କ ମାଲିକାନାରେ ଥିବା ଅନ୍ୟ ଏକ ଗାଡ଼ିକୁ ମଧ୍ୟ ଜବତ କରାଯାଇଛି ଏବଂ ଫରେନସିକ୍ ପରୀକ୍ଷା ଚାଲିଛି ।
ଆଜି ଶ୍ରୀଜୀଉଙ୍କ ପଇତାଲାଗି ନୀତି
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ । ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ମଧ୍ୟାନ୍ନଧୂପ ବଢି ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦଇତାପତିମାନେ ଗର୍ଭଗୃହକୁ ପ୍ରବେଶ କରି ଏହି ଗୁପ୍ତ ନିତିକୁ ନିଷ୍ଠାର ସହ ସମ୍ପର୍ଣ୍ଣ କରିବେ ।ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଗୁଆ ସୂଚନା ଦିଆଯାଇଛି ।
ପାକିସ୍ତାନରେ ଜାଫର ଏକ୍ସପ୍ରେସକୁ ପୁଣି ଟାର୍ଗେଟ୍
ପାକିସ୍ତାନରେ ଜାଫର ଏକ୍ସପ୍ରେସ ଉପରେ ଅତୀତରେ ବାରମ୍ବାର ଆକ୍ରମଣ ହୋଇଛି, ଯାହା ଫଳରେ ଅନେକ ମୃତାହତ ହୋଇଛନ୍ତି। ଟ୍ରେନ ଉପରେ ଆକ୍ରମଣ କରିବାକୁ ଆଉ ଏକ ପ୍ରୟାସ କରାଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆକ୍ରମଣକାରୀମାନେ ଟ୍ରାକରେ ବୋମା ରଖିଥିଲେ, କିନ୍ତୁ ସୌଭାଗ୍ୟବଶତଃ ଟ୍ରେନଟି ଯିବା ପରେ ବୋମା ବିସ୍ଫୋରଣ ହୋଇଥିଲା। କୌଣସି ମୃତାହତର ଖବର ମିଳିନାହିଁ। ଏହାର ଅର୍ଥ ହେଉଛି ଏଥର ବୋମା ବିସ୍ଫୋରଣ ଉଦ୍ୟମ ବିଫଳ ହୋଇଛି। ବାଲୁଚିସ୍ତାନର ନାସିରାବାଦରେ ବିସ୍ଫୋରଣ ଘଟିଥିଲା।
ସ୍ନେହାଙ୍ଗିନୀଙ୍କୁ କଡ଼ା ସମାଲୋଚନା
ସ୍ନେହାଙ୍ଗିନୀ ଛୁରିଆଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ସମାଲୋଚନା କରିଛି ବିଜେପି । ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେଡି ଜନାଦେଶକୁ ଅପମାନିତ କରୁଛି । ୨୪ ବର୍ଷ ଶାସନରେ ରହିଲେ, ଯାଉ ଯାଉ ଉପନିର୍ବାଚନରେ ୩ୟ ସ୍ଥାନରେ ତେଣୁ ଏଥିରୁ ପ୍ରମାଣ ହେଉଛି ବିଜେଡି ପ୍ରତି ଲୋକଙ୍କ ଆକ୍ରୋଶ ଭରି ରହିଛି । ୨୪ ବର୍ଷ ଶାସନ ପରେ ପ୍ରାର୍ଥୀ ପାଇଲେନି ୧୫୦ କିମି ଦୂରରୁ ପ୍ରାର୍ଥୀ ଆଣିଲେ । ରାହୁଲ ଗାନ୍ଧିଙ୍କ ରାସ୍ତାରେ ଏବେ ବିଜେଡି କହି ତାଚ୍ଛଲ୍ୟ କରିଛନ୍ତି ଅନୀଲ ।
ଜଗତସିଂହପୁରରେ ପୋଲିସର ଢାଉ
ଜଗତସିଂହପୁର ସଦର ଥାନା ବେହେରାମ ବସ୍ତିରେ ପୋଲିସ ଚଢ଼ାଉ କରିଛି । ୨ ସନ୍ଦିଗ୍ଧ ବାଂଲାଦେଶୀ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଓ ମାରଣାସ୍ତ୍ର ଜବତ କରାଯାଇଛି । ପୋଲିସର ରେଡ୍ ପୂର୍ବରୁ ୧୦ରୁ ଊର୍ଦ୍ଧ୍ବ ପରିବାର ଫେରାର ହୋଇଥିବା ସୂଚନା ମିଳିଛି । ଉକ୍ତ ବସ୍ତିରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ବଦଳିବ ବଳଦେବଜୀଉ ମନ୍ଦିରର ରୂପରେଖ
ଖୁବଶୀଘ୍ର ବଦଳିବାକୁ ଯାଉଛି ବଳଦେବଜୀଉ ମନ୍ଦିରର ରୂପରେଖ । ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ପରିକ୍ରମା ପ୍ରକଳ୍ପ ପାଇଁ ସମୀକ୍ଷା ପରେ ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ନେଇ ଆଇନ ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେଇଥିଲେ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏଣ୍ଡାମେଣ୍ଟ କମିଶନର ଏବଂ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ । ପ୍ରକଳ୍ପର ରୂପରେଖ ଏବଂ କାର୍ଯ୍ୟନ୍ୱୟନ ନେଇ ଆଲୋଚନା ହୋଇଥିଲା ।