Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
)
ଓଡିଶାକୁ ଫେରିଲା କୋରୋନା; ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
ପୁଣି ଭାରତରେ ନିଜର କାୟା ବିସ୍ତାର କରିଛି କୋରୋନା । ଯାହାକୁ ନେଇ ଲୋକଙ୍କ ମନରେ ଏକ ପ୍ରକାର ଭୟର ବାତ୍ତାବରଣ ଦେଖିବାକୁ ମିଳିଥିବାବେଳେ ଓଡିଶାରେ ଚିହ୍ନଟ ହୋଇଛନ୍ତି ପ୍ରଥମ କୋରୋନା ଆକ୍ରାନ୍ତ । ଆକ୍ରାନ୍ତ ଜଣଙ୍କ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାଯାଇଛି। ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ। ତେବେ ଓଡିଶାରେ କୋରୋନାର ନୂଆ ମାମଲା ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ମଧ୍ୟରେ ଚିନ୍ତାର କାରଣ ପାଲଟିଛି।
ଯୁକ୍ତ ୨ରେ ୮୨.୭୭ ପ୍ରତିଶତ ପାସ
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଫଳ ଗୋଟିଏ ସମୟରେ ପ୍ରକାଶ ପାଇଛି। ଏହାର ପାସ୍ ହାର ୮୨.୭୭% ହୋଇଛି। ୪ଟି ଯାକ ବିଭାଗକୁ ମିଶାଇ ମୋଟ ୩ଲକ୍ଷ ୮୨ହଜାର ୭୨୯ଜଣ ପରୀକ୍ଷା ଦେଇଥିବା ବେଳେ ୩ଲକ୍ଷ ୧୬ହଜାର ୭୮୭ଜଣ ପାସ୍ କରିଛନ୍ତି। ୧ଲକ୍ଷ ୪୨ହଜାର ୫୧୨ ଛାତ୍ର ଓ ୧ଲକ୍ଷ ୭୪ହଜାର ୨୫୧ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୧ଲକ୍ଷ ୧ହଜାର ୯୧୪, ଦ୍ବିତୀୟ ଶ୍ରେଣୀରେ ୬୭ହଜାର ୮୧୫ ଓ ତୃତୀୟ ଶ୍ରେଣୀରେ ୧ଲକ୍ଷ ୪୩ହଜାର ୩୩୯ ଜଣ ପାସ୍ କରିଛନ୍ତି। ଆଂଶିକ ବର୍ଗ ବା କମ୍ପାର୍ଟମେଣ୍ଟାଲରେ ୩,୭୧୯ ଜଣ ରହିଛନ୍ତି।
ବିଜ୍ଞାନରେ ପାସ ହାର ସର୍ବାଧିକ
ବିଜ୍ଞାନ ବିଭାଗରେ ପାସ୍ହାର ସର୍ବାଧିକ ୮୭.୫୦% ହୋଇଥିବା ବେଳେ ବାଣିଜ୍ୟରେ ୮୩.୨୦%, କଳାରେ ୮୦.୫୧% ଓ ଧନ୍ଦାମୂଳକ ଶିକ୍ଷାରେ ୫୫.୭୧% ହୋଇଛି। ଏଥର ବି ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଛାତ୍ରଙ୍କ ପାସ୍ ହାର ୭୭.୮୮% ଥିବା ବେଳେ ୮୭.୨୪% ସହ ଛାତ୍ରୀ ଆଗୁଆ ରହିଛନ୍ତି। ପରୀକ୍ଷା ଢାଞ୍ଚା ପରିବର୍ତ୍ତନ ତଥା ଇଣ୍ଟରନାଲ୍ ମାର୍କ ସାମିଲ କରାଯିବାରୁ ଏଥର ୯୦% କିମ୍ବା ତା’ଠାରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।
ମାତୃତ୍ୱ ଛୁଟି ଦ୍ୱନ୍ଦ୍ୱ ଦୂର
ସରକାରୀ ମହିଳା କର୍ମଚାରୀଙ୍କ ମାତୃତ୍ବ ଛୁଟିକୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବର ଅବସାନ ଘଟିଛି। ମାତୃତ୍ବ ଛୁଟି ସମ୍ପର୍କିତ ସମସ୍ତ ନିୟମକୁ ସରକାର ସ୍ପଷ୍ଟ କରିଛନ୍ତି। ଜଣେ ସରକାରୀ ମହିଳା କର୍ମଚାରୀ ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି। କିନ୍ତୁ ମାତୃତ୍ୱ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ନେଇ କିଛିଟା ଦ୍ୱନ୍ଦ୍ବ ଥିଲା। ମହିଳା ସରକାରୀ କର୍ମଚାରୀମାନେ ମାତୃତ୍ୱ ସମୟରେ ୧୮୦ ଦିନର ଛୁଟି କେଉଁ ପରିସ୍ଥିତିରେ କିପରି ନେବେ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହା ଦ୍ୱାରା ମହିଳା ସରକାରୀ କର୍ମଚାରୀ ମାତୃତ୍ୱ ଛୁଟି ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଦୂର ହୋଇଛି।
ଛତିଶା ନିଯୋଗ ବୈଠକ: ପହଣ୍ଡି ବେଳେ ରହିବେ ନିର୍ଦ୍ଦିଷ୍ଟ ସେବାୟତ ଓ ଅଧିକାରୀ
ରଥଯାତ୍ରାରେ ପହଣ୍ଡି ଅଘଟଣ ରୋକିବାକୁ ଛତିଶା ନିଯୋଗ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି। ଶ୍ରୀଜୀଉଙ୍କ ପହଣ୍ଡିବେଳେ ନିର୍ଦ୍ଦିଷ୍ଟ ସେବାୟତ ଓ ଅଧିକାରୀ ରହିବେ ବୋଲି ସୂଚନା ମିଳିଛି। ପହଣ୍ଡିର ଉତ୍ତମ ତଦାରଖ ପାଇଁ ପ୍ରତ୍ୟେକ ବିଗ୍ରହଙ୍କ ପାଇଁ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀ ଦାୟିତ୍ୱରେ ରହିବେ । ଶ୍ରୀମନ୍ଦିର ପୋଲିସ ମଧ୍ୟ ସହଯୋଗ କରିବେ । ସ୍ନାନଯାତ୍ରାଠାରୁ ନିଳଦ୍ରୀ ବିଜେ ପର୍ଯ୍ୟନ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ସମାପନ କରିବାକୁ ଗୁରୁତ୍ୱ ଦିଆଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି । ରଥଯାତ୍ରାବେଳେ ପହଣ୍ଡି ବିଜେ ବେଳେ ନିର୍ଦ୍ଦିଷ୍ଟ ସେବାୟତ ଓ ଅଧିକାରୀ ରହିବେ। ବାଡ଼ଗ୍ରାହୀ, ଭୋଇ ସେବକ, ବରିଷ୍ଠ ତତ୍ତ୍ୱାବଧାରକ ଉପସ୍ଥିତ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି।
ଦିଲ୍ଲୀ ଘୂର୍ଣ୍ଣିଝଡ଼, କୁଆପଥର ବର୍ଷା
ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଦିଲ୍ଲୀ-ଏନସିଆରରେ ହଠାତ୍ ପାଗ ପରିବର୍ତ୍ତନ ହୋଇଥିଲା। ପ୍ରବଳ କାଳବୈଶାଖି ସହିତ ପ୍ରବଳ ବର୍ଷା ଆରମ୍ଭ ହେଲା। ଅନେକ ସ୍ଥାନରେ କୁଆପଥର ବର୍ଷା ହୋଇଛି। ପ୍ରବଳ ପବନ ଯୋଗୁଁ ଅନେକ ଅଞ୍ଚଳରେ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁଁ ପାଣି ଜମି ରହିବା ସହିତ ଅନେକ ସ୍ଥାନରେ ଗଛ ପଡ଼ିଯିବାରୁ ଟ୍ରାଫିକ୍ ପରିସ୍ଥିତି ମଧ୍ୟ ଗୁରୁତର ହୋଇପଡ଼ିଛି। ହଠାତ୍ ବର୍ଷା ଏବଂ କୁଆପଥର ମାଡ଼ ଯୋଗୁଁ ଲୋକମାନଙ୍କ ମଧ୍ୟରେ ଅସ୍ତବ୍ୟସ୍ତ ହୋଇ ପଡିଥିବାର ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ, ବର୍ଷାଜନିତ ପୃଥକ ଘଟଣାରେ ଜଣେ ୨୨ ବର୍ଷୀୟ ଯୁବକ ଏବଂ ଜଣେ ଦିବ୍ୟାଙ୍ଗଙ୍କ ମୃତ୍ୟୁ ହୋଇଛି।
ଆଫଗାନିସ୍ତାନ ପର୍ଯ୍ୟନ୍ତ ବ୍ୟାପ୍ତ ହେବ ଚୀନର ସିପିଇସି ପ୍ରକଳ୍ପ
ଭାରତ ବିରୁଦ୍ଧରେ ଖୋଲାଖୋଲି ଭାବରେ ପାକିସ୍ତାନ ସହିତ ଛିଡା ହେବା ପରେ, ଚୀନ୍ ଆଉ ଏକ ଷଡ଼ଯନ୍ତ୍ର ରଚୁଛି। ଚୀନ୍ ପାକିସ୍ତାନ ଏବଂ ତାଲିବାନ ମଧ୍ୟରେ ସମ୍ପର୍କକୁ ଉନ୍ନତ କରିବାରେ ଲାଗି ପଡିଛି । ଚୀନର ମହତ୍ୱାକାଂକ୍ଷୀ ପ୍ରକଳ୍ପ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ପ୍ରକଳ୍ପ ଏବେ ଆଫଗାନିସ୍ତାନ ପର୍ଯ୍ୟନ୍ତ ପହଞ୍ଚିବ। ପାକିସ୍ତାନ ଏବଂ ଆଫଗାନିସ୍ତାନ ସହିତ ଚୀନ ତ୍ରିପାକ୍ଷିକ ଆଲୋଚନା କରିଛି। ଏହି ବୈଠକରେ ତାଲିବାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀଙ୍କ ସହିତ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସାକ ଦାର ଉପସ୍ଥିତ ଥିଲେ।
ମୌସୂମୀ ପାଇଁ ଉପନିର୍ବାଚନ ସ୍ଥଗିତ
ସ୍ଥଗିତ ରହିଲା ପଞ୍ଚାୟତ ଉପ ନିର୍ବାଚନ । ମୌସୁମୀ ପାଇଁ ସ୍ଥଗିତ ରଖିବାକୁ ରାଜ୍ୟ କମିଶନ ନିଷ୍ପତ୍ତି ନେଇଛନ୍ତି । ୧ହଜାର ୧୩୧ଟି ଖାଲି ପଦ ପୂରଣ ପାଇଁ ବାହାରି ଥିବା ବିଜ୍ଞପ୍ତି ରଦ୍ଦ ହୋଇଛି । ଜିଲ୍ଲା ଅଧିକାରୀ ଏବଂ ଆଶାୟୀ ପ୍ରାର୍ଥୀମାନେ ମୌସୁମୀ ପାଇଁ ଉପ-ନିର୍ବାଚନକୁ ଘୁଞ୍ଚାଇବାକୁ କହିଥିଲେ । ଏଥର ମୌସୁମୀ ସଅଳ ଆସିବାର ସମ୍ଭାବନା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ପରବର୍ତ୍ତୀ ସମୟରେ ନୂଆ ତାରିଖ ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ସଚିବ ।
୭ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ
ଯୁକ୍ତ ତିନି ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଜୁଲାଇ ୧୫ରୁ ପାଠପଢା ପାଇଁ ରହିଛି ଲକ୍ଷ୍ୟ । ସବୁକିଛି ଠିକ୍ଠାକ୍ ଚାଲିଲେ ଦଶହରା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ସରିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍ । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଛାତ୍ର ସଂସଦ ନିର୍ବାଚନ ନେଇ କରାଯାଇଥିଲା ଘୋଷଣା । ଗତ ସରକାରରେ ୭ବର୍ଷ ହେବ ଲଗାତର ଭାବେ ସ୍ଥଗିତ ରହିଆସୁଥିଲା କଲେଜ ନିର୍ବାଚନ । ପ୍ରଥମେ ବିୃଶଙ୍ଖଳା ଓ ପରେ କରୋନାକୁ ଆଳ କରି ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ ରଖାଯାଇଥିଲା ।
ଆଇପିଏଲ୍ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କଲା ମୁମ୍ବାଇ
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୫ର ୬୩ତମ ମୁକାବିଲାରେ ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଥିଲେ। ବୁଧବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମୁମ୍ବାଇ ଇଣ୍ଡିଆନ୍ସ ୫୯ ରନ୍ରେ ପରାସ୍ତ କରିବା ସହିତ ପ୍ଲେ ଅଫ ପାଇଁ ଯୋଗ୍ୟତା ହାସଲ କରିଛି। ଦିଲ୍ଲୀ ପାଇଁ ମୁମ୍ବାଇ ୧୮୧ ରନର ଟାର୍ଗେଟ ଦେଇଥିଲା। ମୁମ୍ବାଇ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ୪୩ଟି ବଲ୍ ଖେଳି ସର୍ବାଧିକ ୭୩ ରନ୍ କରିଥିଲେ। ମୁମ୍ବାଇର ବୋଲରମାନେ ଦିଲ୍ଲୀକୁ ମ୍ୟାଚ୍ରେ ପ୍ରତ୍ୟାବର୍ତ୍ତନ କରିବାକୁ ଦେଇ ନଥିଲେ ଏବଂ ୧୨୧ ରନ୍ରେ ଅଲଆଉଟ୍ କରିଥିଲେ। ଆଇପିଏଲର ୧୮ତମ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସର ଯାତ୍ରା ଶେଷ ହୋଇଛି।