)
ସୃଷ୍ଟି ହେଲା ଲଘୁଚାପ, ପ୍ରବଳ ବର୍ଷା ଆଶଙ୍କା
ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହାର ବ୍ୟାପ୍ତି ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮ କିମି ଉଚ୍ଚତା ପର୍ଯ୍ୟନ୍ତ ରହିଛି। ଆସନ୍ତା ୨୪ ତାରିଖ ବେଳକୁ ଏହା ଆହୁରି ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଭୁବନେଶ୍ୱରରେ ପ୍ରବଳ କୁହୁଡ଼ି
ଭୁବନେଶ୍ୱରରେ ରବିବାର ସକାଳୁ ସକାଳୁ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି । ରାସ୍ତାରେ ଘାଟ ଗଛ ପତ୍ର କିଛି ଦେଖାଯାଉନଥିଲା । ଘନ କୁହୁଡ଼ିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପ୍ରବଳ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ସମସ୍ୟା ଦେଖାଯାଇଛି । କିଛି ଯାଗାରେ ଗାଡ଼ି ଚାଳକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ନଜିର ରହିଛି । କୁଡୁଡ଼ିର ପରିମାଣ ଏତେ ଥିଲା ଯେ ୫୦ ମିଟର ବି ଠିକ୍ରେ ଦେଖାଯାଉନଥିଲା । କିଛି ସ୍ଥାନରେ ଦୃଶ୍ୟତା ୫୦ ମିଟରରୁ କମ୍ ମଧ୍ୟ ରହିଥିଲା । ସମ୍ପୂର୍ଣ୍ଣ ରାଜଧାନୀ ଧଳା କୁହୁଡିର ଚାଦର ଭିତରେ ଘୋଡ଼ାଇ ହୋଇ ରହିଥିଲା ।
୨୭ରେ ଆସିବେ ରାଷ୍ଟ୍ରପତି
ଚଳିତ ମାସ ଶେଷ ଆଡ଼କୁ ଓଡ଼ିଶା ଗସ୍ତରେ ଆସିପାରନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲହେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨୭ ତାରିଖରେ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବାରୁ ଗୃହକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧିତ କରିବେ । ଏହାପରେ ରାଜଭବନରେ ରାତ୍ରୀଯାପନ କରିବେ ।
ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯାଉଛନ୍ତି । ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ୧.୩୦ରେ ଆନନ୍ଦପୁର ଷ୍ଟାଡିୟମରେ ଅବତରଣ କରିବା ପରେ ମ୍ୟୁନିସିପାଲଟି କଲ୍ୟାଣମଣ୍ଡପରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୩ଟାରେ ଆନନ୍ଦପୁର ଛାଡି ନିଜ ଜନ୍ମମାଟି ରାଇକଳାରେ ଅବତରଣ କରିବେ । ସେଠାରେ ୭ମ ସର୍ବଭାରତୀୟ ମିନି କଳିଙ୍ଗ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପନୀ ଉତ୍ସବରେ ଯୋଗ ଦେବା ପରେ କେନ୍ଦୁଝର ସର୍କିଟ୍ ହାଉସରେ ରାତ୍ରିଯାପନ କରିବେ। ସୋମବାର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।
ରାଉରକେଲା ଲହୁଣୀପଡ଼ା ଓ ଲାଠିକଟା ନିକଟରେ ଏନକାଉଣ୍ଟର
ରାଉରକେଲା ଲହୁଣୀପଡ଼ା ଓ ଲାଠିକଟା ନିକଟରେ ଏନକାଉଣ୍ଟର । ପୋଲିସର ଏନକାଉଣ୍ଟରରେ ୩ ଅଭିଯୁକ୍ତ ଆହତ ହୋଇଛନ୍ତି । ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସୋମାନଙ୍କ ନିକଟରୁ ୩ଟି ଵନ୍ଧୁକ, ଅଫୁଟା ଗୁଳି, ଗୋଟିଏ ସ୍କୋପିଓ ଜଵତ କରାଯାଇଛି । ଡକାୟତ ମାନଙ୍କୁ ଧରିବାକୁ ପୋଲସ ଉଦ୍ୟମ କରୁଥିବା ବେଳେ ଅଭିଯୁକ୍ତମାନେ ପୋଲିସ ଉପରକୁ ଗୁଳିମାଡ କରିଥିଲେ । ପୋଲିସ ମଧ୍ୟ ପାଲଟା ଗୁଳିମାଡ କରିଥିଲା ।
ଲାଗୁ ହେବ ଏମ୍ଏସ୍ପି, ଅଧିକ ଖଣି ଖନନ ଉପରେ ଲାଗିବ ରୋକ୍
ସାରା ରାଜ୍ୟରେ ବାଲି ଦର ସମାନ ରହିବ। ଏଥିପାଇଁ ରାଜ୍ୟ ସରକାର ବାଲି ପାଇଁ ଏମ୍ଏସ୍ପି (ସର୍ବାଧିକ ବିକ୍ରୟ ମୂଲ୍ୟ) ଲାଗୁ କରିବେ। ଏଣିକି ସରକାର ଯେଉଁ ଦାମ୍ ଧାର୍ଯ୍ୟ କରିବେ, ବାଲିଘାଟ ଲିଜ୍ଧାରୀ ସେହି ଦାମ୍ରେ ଲୋକଙ୍କୁ ବାଲି ବିକ୍ରି କରିବେ। ଯିଏ ଅଧିକ ଦାମ୍ରେ ବାଲି ବିକିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି।
ବାଂଲାଦେଶୀ ଅବୈଧ ପ୍ରବେଶର ମୁଖ୍ୟ ଗିରଫ
ଶନିବାର ଦିନ ଜଗତସିଂହପୁର ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ପୋଲିସ୍ ଜିଲ୍ଲାରେ ବାଂଲାଦେଶୀ ନାଗରିକଙ୍କ ଅବୈଧ ପ୍ରବାସର ମୁଖ୍ୟ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତ ସିକନ୍ଦର ଆଲମ ଓରଫ ସିକୋ ସାତ ଦିନ ଧରି ଗିରଫଦାରୀରୁ ବଞ୍ଚିବା ପାଇଁ ଫେରାର ଥିଲେ କିନ୍ତୁ ସିକନ୍ଦର ଆଲମକୁ ଯାଜପୁରରେ ଟ୍ରାକ୍ କରି ପୋଲିସ୍ ଗିରଫ କରିବାରେ ସଫଳ ହୋଇଛି।
ଜି୨୦ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ G20 ସମ୍ମିଳନୀର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ନେତାମାନଙ୍କୁ ସମ୍ବୋଧିତ କରି ଏକ ଦୃଢ଼ କିନ୍ତୁ ସ୍ଥିର ବିଶ୍ୱ ଗଠନ ପାଇଁ ଭାରତର ପ୍ରତିବଦ୍ଧତାକୁ ପୁନଃଦୋହରାଇଥିଲେ। ସେ ବିଶ୍ୱ ଚ୍ୟାଲେଞ୍ଜ ଉପରେ ଭାରତର ଦୃଷ୍ଟିକୋଣକୁ ଉଲ୍ଲେଖ କରିଥିଲେ। ସେ ବିଶ୍ୱ ସମସ୍ୟାର ସମାଧାନ ପାଇଁ ଏକଜୁଟ ପ୍ରୟାସକୁ ଆହ୍ୱାନ କରିଥିଲେ ଏବଂ ପୁରୁଣା ବିକାଶ ମଡେଲର ପୁନର୍ବିଚାର କରିବାକୁ ଆହ୍ୱାନ କରିଥିଲେ, ବ୍ୟାଖ୍ୟା କରିଥିଲେ ଯେ ପୁରୁଣା ମଡେଲକୁ ପରିବର୍ତ୍ତନ କରିବା ଅତ୍ୟନ୍ତ ଜରୁରୀ କାରଣ ଏହା ସମ୍ବଳକୁ ଅପହରଣ କରିଛି।
ଓଡ଼ିଶା ଦିବସ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆଦିଲ୍ଲୀରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (IITF)ରେ "ଓଡ଼ିଶା ଦିବସ" କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଯେଉଁଠାରେ ସେ ବିଭିନ୍ନ କ୍ଷେତ୍ରରେ ରାଜ୍ୟର ପ୍ରଗତିକୁ ପ୍ରଶଂସା କରିଥିଲେ। ମାଝୀ ପାରମ୍ପରିକ ସାଂସ୍କୃତିକ ପ୍ରଦର୍ଶନ, ହସ୍ତତନ୍ତ, ହସ୍ତଶିଳ୍ପ ଏବଂ ସ୍ଥାନୀୟ ଖାଦ୍ୟ ସମେତ ରାଜ୍ୟର କଳା, ଐତିହ୍ୟ ଏବଂ ସଂସ୍କୃତିକୁ ପ୍ରଦର୍ଶିତ କରୁଥିବା ଓଡ଼ିଶା ପାଭିଲିୟନର ପ୍ରଦର୍ଶନୀକୁ ପ୍ରଶଂସା କରିଥିଲେ।
ବିଜେଡିର ପିଏସି ବୈଠକ; ନୂଆପଡ଼ା ନିର୍ବାଚନକୁ ନେଇ ହେଲା ତର୍ଜମା
ନୂଆପଡ଼ା ଉପନିର୍ବାଚନରେ ବିଜେଡି ତୃତୀୟ ସ୍ଥାନକୁ ଖସି ଆସିଥିଲା । ଶୋଚନୀୟ ପରାଜୟ ପରେ ବିଜେଡିର PAC ବୈଠକ ଅନୁଷ୍ଠିତ ହୋଇଛି। ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ନୂଆପଡ଼ା ଉପନିର୍ବାଚନ ଫଳାଫଳ ସମେତ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଜିର ବୈଠକରେ ଆଲୋଚନା ହୋଇଛି। ତେବେ ବିଜେଡି PAC ବୈଠକ ପରେ ସଦସ୍ୟ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ଦେଇଛନ୍ତି ।