)
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁବ ବାତ୍ୟା ମନ୍ଥା
ଭାରତୀୟ ପାଣିପାଗ ବିଭାଗ ସମ୍ଭାବ୍ୟ ବାତ୍ୟା ପାଇଁ ଦେଶର କେତେକ ରାଜ୍ୟରେ ସତର୍କତା ଜାରି କରିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଡିପ୍ ଡିପ୍ରେସନରେ ପରିଣତ ହୋଇପାରେ, ପରେ ବାତ୍ୟା ଏବଂ ଶେଷରେ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇପାରେ। ଏହି ଝଡ଼ ଆସନ୍ତା ୨୮ ଅକ୍ଟୋବର ସନ୍ଧ୍ୟା କିମ୍ବା ରାତିରେ ମଛଲିପଟନମ୍ ଏବଂ କଳିଙ୍ଗପଟନମ୍ ମଧ୍ୟରେ କାକିନାଡା ନିକଟରେ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିପାରେ ବୋଲି ପାଣିପାଗ ବିଭାଗ (IMD) ଅନୁମାନ କରୁଛି।
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ
ସମ୍ଭାବ୍ୟ ବାତ୍ୟା ମନ୍ଥା ଅକ୍ଟୋବର ୨୮ ତାରିଖରେ ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ଆଇଏମ୍ଡି । ଦକ୍ଷିଣ ଓଡ଼ିଶାରେ ଏହାର ବଡ଼ ପ୍ରଭାବ ପଡ଼ିବ । ଖାଲି ଦକ୍ଷିଣ ନୁହେଁ, ଉପକୂଳ ଓଡ଼ିଶାରେ ମଧ୍ୟ ୩ ଦିନ ଧରି ପ୍ରବଳ ବର୍ଷିବ । ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମକୁ ରେଡ ୱାଣ୍ଣିଂ ଜାରି କରାଯାଇଛି । ସମୁଦ୍ର ଭିତରେ ଗତି କରୁଛି ଅବପାତ । ଆଜି(ରବିବାର) ସନ୍ଧ୍ୟା ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହେବ ।
୫ ପ୍ରସ୍ତାବରେ ଲାଗିଲା କ୍ୟାବିନେଟ ମୋହର
ରାଜ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଛି। ଏଥିରେ ୫ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ଲାଗିଛି। ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି। ଆଗକୁ ରାଜ୍ୟରେ ୨୦୦ ଟି ଇ- ବସ ଚାଲିବ । ଯେଉଁଥିରେ ପ୍ରଥମକରି ଅନୁଗୁଳ, ଝାରସୁଗୁଡ଼ା, କେଉଁଝର ଓ ବାରିପଦାରେ ୨୫ ଲେଖାଏଁ ନୂଆ ଇ-ବସ ଚାଲିବ । ସେହିଭଳି ବ୍ରହ୍ମପୁର ଓ ସମ୍ବଲପୁର ୫୦ ବସ ଚାଲିବ । ଏଥିପାଇଁ ୯୫୨.୫୬ କୋଟି ଟଙ୍କା ଖର୍ଚ୍ଚ ହେବ ।ଏଣିକି ଆହାର ଯୋଜନାର ଖର୍ଚ୍ଚ ରାଜ୍ୟ ସରକାର ନିଜେ ବହନ କରିବେ । ଏଥିପାଇଁ ୫ ବର୍ଷ ପାଇଁ ୫୧୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ବନ୍ଧା ହେଲେ ବିମାନବନ୍ଦର ଡିଜିଏମ
ଲଭ୍-ସେକ୍ସ ଧୋକ୍କା ଅଭିଯୋଗରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଡିଜିଏମ (ଅପରେସନ) ଗିରଫ। ଏୟାର ହୋଷ୍ଟେସଙ୍କ ସହ ୪ ବର୍ଷ ହେବ ସମ୍ପର୍କରେ ଥିଲେ। ବିବାହର ପ୍ରତିଶୃତି ଦେଇ ଜଣେ ଯୁବତୀଙ୍କୁ ପ୍ରତାରଣା କରିଥିଲେ। ଖାଲି ଏତିକି ନୁହେଁ ଶାରୀରିକ ସମ୍ପର୍କ ରଖି ଗର୍ଭପାତ କରାଇଥିଲେ। ଏନେଇ ପୀଡ଼ିତା ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ। ଏଭଳି ସଙ୍ଗୀନ ମାମଲା ରୁଜୁ କରିବା ପରେ ଆକ୍ସନ୍ ମୋଡକୁ ଆସିଲା ପୁଲିସ। ଏହା ପରେ ଏୟାରପୋର୍ଟ ଡିଜିଏମ (ଅପରେସନ) ଉମାକାନ୍ତ ପଟେଲଙ୍କୁ ଗିରଫ କରାଯାଇଛି। ତାଙ୍କୁ ପଚରାଉଚରା କରିବା ପରେ କୋର୍ଟ ଚାଲଣ କରାଯିବ ବୋଲି ସୂଚନା ମିଳିଛି।
ମୋହନ ସରକାରଙ୍କୁ ୫୦୦ ଦିନ ପୂର୍ତ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶା ସରକାରଙ୍କ କାର୍ଯ୍ୟକାଳକୁ ଆଜି ୫୦୦ ଦିନ ପୂରଣ ହୋଇଛି। ୫୦୦ ଦିନ କାର୍ଯ୍ୟକାଳ ପୂରଣ ଅବସରରେ ସରକାର ଆଜି ବିଭିନ୍ନ କ୍ଷେତ୍ରରେ ୩୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି। ଏଥିରେ ୧.୪୬ ଲକ୍ଷ କୋଟି ଟଙ୍କା ନିବେଶ ହେବା ସହିତ ୬୬ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବିକଶିତ ଓଡ଼ିଶା ୨୦୩୬ ହାସଲ ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ।
ରୁଷ ବିରୁଦ୍ଧରେ ଚୀନର ସାହାଯ୍ୟ ଲୋଡ଼ିଲେ ରାଷ୍ଟ୍ରପତି ଟ୍ରମ୍ପ୍
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର କହିଛନ୍ତି ଯେ ସେ ତାଙ୍କର ସମୟ ନଷ୍ଟ କରିବେ ନାହିଁ ଏବଂ ଫେବୃଆରୀ ୨୦୨୨ ରେ ଆରମ୍ଭ ହୋଇଥିବା ୟୁକ୍ରେନକୁ ସମାପ୍ତ କରିବା ପାଇଁ ଦୁଇ ପକ୍ଷ ଏକ ଚୁକ୍ତି ଚୂଡ଼ାନ୍ତ ନହେବା ପର୍ଯ୍ୟନ୍ତ ସେ ତାଙ୍କର ରୁଷ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କୁ ଭେଟିବାକୁ ଯୋଜନା କରୁନାହାଁନ୍ତି। ଏଥିସହିତ ୟୁକ୍ରେନ ଯୁଦ୍ଧରେ ଏକ ନିଷ୍କର୍ଷରେ ପହଞ୍ଚିବାକୁ ସେ ଚିନ୍ତା ସହାୟତା ଲୋଡିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ତାଙ୍କର ଆଗାମୀ ଶିଖର ସମ୍ମିଳନୀ ବିଷୟରେ ଉତ୍ସାହ ପ୍ରକାଶ କରିଛନ୍ତି, କିନ୍ତୁ ତାଇୱାନ ପ୍ରସଙ୍ଗରେ ସିଧାସଳଖ ଆଲୋଚନା ପାଇଁ ମଧ୍ୟ ଇଙ୍ଗିତ କରିଛନ୍ତି।
ଅଭିଜିତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଆସୁନି ସୁଧାର
ଓଲିଉଡ଼ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁନଥିବା ଜଣାପଡିଛି। ବିଶେଷକରି ଅଭିଜିତଙ୍କ ସ୍ନାୟୁଜନିତ ସମସ୍ୟାରେ ଉନ୍ନତି ଆସୁନଥିବାରୁ ସେ କୋମାରୁ ବାହାରିପାରୁନାହାନ୍ତି। ତେଣୁ ଅନିଶ୍ଚିତତା ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ରହିଛି। ଶନିବାର ଏମସ ଭୁବନେଶ୍ୱର ପକ୍ଷରୁ ଜାରି ସ୍ୱାସ୍ଥ୍ୟ ବୁଲେଟିନରେ କୁହାଯାଇଛି କି ଅଭିଜିତ ବର୍ତ୍ତମାନ ସୁଦ୍ଧା କୋମାରେ ରହିଛନ୍ତି। ଡାକ୍ତରଙ୍କ ଚିକିତ୍ସା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟରେ ବିଶେଷ ସୁଧାର ଆସୁନି।
ପୋଡ଼ିଯାଇଥିବା ବସଟି ରାୟଗଡ଼ାରେ ପଞ୍ଜିକୃତ
ଆନ୍ଧ୍ର ବସ୍ ପୋଡ଼ି ଏବଂ ୨୦ ଜୀବନ୍ତ ଦଗ୍ଧ ଘଟଣାରେ ନୂଆ ଟ୍ବିଷ୍ଟ ଆସିଛି । ବସ୍ଟି ରାୟଗଡ଼ା RTOରେ ପଞ୍ଜୀକରଣ ହୋଇଥିବା ସ୍ପଷ୍ଟ ହୋଇଛି । କେଉଁ ପରିସ୍ଥିତିରେ ବସ୍ଟି ହାଇଦ୍ରାବାଦରୁ ବେଙ୍ଗାଳୁରୁ ଚାଲିଥିଲା ତାହା ଅସ୍ପଷ୍ଟ ରହିଛି । ଜିଲ୍ଲାପାଳ କହିଛନ୍ତି ଯେ, ରାୟଗଡ଼ା RTOକୁ ତଦନ୍ତ ପାଇଁ କୁହାଯାଇଛି । ଜଣେ ଓଡ଼ିଆ ଯୁବକ ମୃତ୍ୟୁ ନେଇ ତଥ୍ୟ ସଂଗ୍ରହ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି ।
ଆଜି ଅଭିନେତା ସତୀଶ ସାହଙ୍କ ଶେଷକୃତ୍ୟ
ବଲିଉଡର ଲୋକପ୍ରିୟ ଅଭିନେତା ସତୀଶ ଶାହଙ୍କ ପରଲୋକ ହୋଇଯାଇଛି । ୭୪ ବର୍ଷୀୟ ସତୀଶ ଦୀର୍ଘଦିନ ଧରି କିଡ୍ନୀଜନିତ ରୋଗରେ ଆକ୍ରାନ୍ତ ଥିଲେ । ସେ ୧୦୦ରୁ ଅଧିକ ଫିଲ୍ମରେ ହାସ୍ୟଭିନେତା ଭୂମିକାରେ ନଜର ଆସିଥିଲେ । ସରାଭାଇ Vs ସରାଭାଇ ସିରିଏଲ୍ ପାଇଁ ଘରେ ଘରେ ପରିଚିତ ଥିଲେ ସତୀଶ ।ତେବେ ଆଜି ଦିବଂଗତ ଅଭିନେତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ରହିଛି।
ତୃତୀୟ ଦିନିକିଆରେ ଭାରତର ଦମଦାର ବିଜୟ
ସିଡ୍ନୀରେ ୩ୟ ODIରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୯ ୱିକେଟରେ ବିଜୟୀ ହୋଇଛି । ରୋହିତ ଶର୍ମାଙ୍କ ଦମଦାର ଶତକ ପ୍ରଶଂସକଙ୍କ ହୃଦୟ ଜିଣିଛି । ରୋହିତ ଅପରାଜିତ ୧୨୧, କୋହଲି ଅପରାଜିତ ୭୪ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ୨୩୬ ରନ୍ ସଂଗ୍ରହ କରିଥିବା ସମୟରେ ଭାରତ ୩୮.୩ ଓଭରରେ ୨୩୭/୧ ରନ୍ କରି ବିଜୟଲାଭ କରିଥିଲା ।