)
ଆଜି ସ୍ଥଳ ଭାଗ ଛୁଇଁପାରେ ବାତ୍ୟା ମୋନ୍ଥା
ଘଣ୍ଟା ପ୍ରତି ୧୩ କିମି ବେଗରେ ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ମୋନ୍ଥା’। କାକିନାଡ଼ାଠାରୁ ୪୧୦ କିମି, ବିଶାଖାପାଟଣାଠାରୁ ୪୬୦ କିମି ଓ ଗୋପାଳପୁରଠାରୁ ୬୪୦ କିମି ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ମଙ୍ଗଳବାର ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ୨୮ ତାରିଖ ସନ୍ଧ୍ୟା କିମ୍ବା ରାତିରେ କାକିନାଡ଼ା ପାଖାପାଖି ମଛଲିପଟନମ୍ ଓ କଳିଙ୍ଗପଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୯୦ରୁ ୧୦୦ କିମି ମଧ୍ୟରେ ରହିବ। ଝଟକା ପବନର ବେଗ ଘଣ୍ଟା ପ୍ରତି ୧୧୦ କିମି ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।
ମନ୍ଥା ପାଇଁ ବିଶାଖାପାଟଣାକୁ ହାଇଆର୍ଲଟ
ମାଡ଼ି ଆସୁଛି ବାତ୍ୟା ମୋନ୍ଥା । ବାତ୍ୟା ନେଇ ବିଶାଖାପାଟଣାକୁ ହାଇଆଲର୍ଟ । ୧୬ ବିମାନ ବାତିଲ କଲେ କର୍ତ୍ତୃପକ୍ଷ । ଏୟାର ଇଣ୍ତିଆ ଓ ଇଣ୍ତିଗୋର ବିମାନ ବାତିଲ । ଆସନ୍ତାକାଲି ପାଇଁ ମଧ୍ୟ ଟ୍ରେନ୍ ବାତିଲ । ୭୦ଟି ଟ୍ରେନ୍ ବାତିଲ କଲେ ସାଉଥ ସେଣ୍ଟ୍ରାଲ କର୍ତ୍ତୃପକ୍ଷ ।ସମୁଦ୍ର ଭିତରେ ଆହୁରି ଘନୀଭୂତ ହୋଇ ଆଗକୁ ବଢ଼ୁଛି ବାତ୍ୟା ମୋନ୍ଥା । ମଙ୍ଗଳବାର ସକାଳ ସୁଦ୍ଧା ନେବ ଭୀଷଣ ବାତ୍ୟାର ରୂପ । ତାପରେ ଆନ୍ଧ୍ରପ୍ରଦେଶର କାକିନଡ୍ଡା ଆଡକୁ ମୁହାଁଇବ ।
ବାତ୍ୟା ପାଇଁ କଳିଙ୍ଗା ଘାଟି ସିଲ
କନ୍ଧମାଳରେ ପ୍ରଶାସନ ପକ୍ଷରୁ କଳିଙ୍ଗା ଘାଟି ରାସ୍ତା ସିଲ୍ କରାଯାଇଛି । ବାତ୍ୟାର ପ୍ରଭାବରେ ଭୂସ୍ଖଳନ ଆଶଙ୍କା ଥିବାରୁ ରାସ୍ତା ସିଲ୍ କରାଯାଇଥିବା ସୂଚନା ମିଳିଛି । ଘାଟି ମରାମତି ପାଇଁ ଚାଲିଥିବା ନିର୍ମାଣ କାମ ମଧ୍ୟ ବନ୍ଦ କରାଯାଇଛି । ସେପଟେ ଗୋପାଳପୁରରେ ୩ ଦିନ ପାଇଁ ପର୍ଯ୍ୟଟକଙ୍କ ପାଇଁ କଟକଣା ଲଗାଯାଇଛି । ହୋଟେଲ ଆସିବାକୁ ବାରଣ କରାଯାଇଛି । ଅକ୍ଟେବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ସମସ୍ତ ବୁକିଂ ବାତିଲ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ମୋନ୍ଥା ପ୍ରଭାବ ପାଇଁ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷପ ନିଆଯାଇଛି ।
୧୧ ଜିଲ୍ଲାରେ ସ୍କୁଲ ଛୁଟି
ସମ୍ଭାବ୍ୟ ବାତ୍ୟା ମୋନଥା ପାଇଁ ଦୃଷ୍ଟିରେ ରଖି ୮ ଜିଲ୍ଲାରେ ତିନି ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ ସ୍କୁଲକୁ ଛୁଟି କରିଦିଆଯାଇଛି। କିନ୍ତୁ ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଛି ବିଭାଗ।
ମଙ୍ଗଳବାର ରାୟଗଡ଼ାରୁ ଜଗଦଲପୁର ସବୁ ଟ୍ରେନ ବାତିଲ
ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦେଖି ରାୟଗଡ଼ାଠାରୁ ଜଗଦଲପୁର ଟ୍ରେନ ବାତିଲ କରାଯାଇଛି। ଏହିକ୍ରମରେ ରାୟଗଡ଼ା ଦେଇ ଯିବାକୁ ଥିବା ତିନୋଟି ଏକ୍ସପ୍ରେସ୍ ଟ୍ରେନ ରାୟଗଡ଼ାଠୁ ନିଜ ପ୍ରରମ୍ଭ ସ୍ଥଳକୁ ଫେରିଯିବେ। ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବାତ୍ୟା ବୁଲେଟିନ୍ରେ କୁହାଯାଇଛି, ଆଜି ହଓ୍ୱଡ଼ାରୁ ବାହାରିଥିବା ୧୮୦୦୫ ହାଓଡ଼ା- ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍ ହାଓଡ଼ାରୁ ଛାଡିବା ପରେ ରାୟଗଡ଼ାରେ ଅଟକିବ। ରାୟଗଡ଼ାରୁ ହାଓଡ଼ାକୁ ଏହା ୧୮୦୦୬ ସମଲେଶ୍ୱରୀ ଏକ୍ସପ୍ରେସ ଭାବରେ ଫେରିବ। ତେଣୁ ୨୮.୧୦.୨୦୨୫ରେ ରାୟଗଡ଼ା ଏବଂ ଜଗଦଲପୁର ମଧ୍ୟରେ ଏହି ଟ୍ରେନର କୌଣସି ସେବା ରହିବ ନାହିଁ।
ଓଡ଼ିଶାରେ ହେବ ନାହିଁ ଭୋଟର ତାଲିକା ସଂଶୋଧନ
ରାଜ୍ୟରେ ଏବେ ସଘନ ଭୋଟର ତାଲିକା ସଂଶୋଧନ ହେବ ନାହିଁ। ଏହାକୁ ସ୍ପଷ୍ଟ କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ। ଦ୍ୱିତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ କେବଳ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଲାଗୁ ହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର। ଏହି ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟଗୁଡ଼ିକ ହେଲେ, ଆଣ୍ଡାମାନ ନିକୋବର, ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ଲକ୍ଷଦୀପ, ମଧ୍ୟପ୍ରଦେଶ, ପୁଡୁଚେରୀ, ରାଜସ୍ଥାନ, ତାମିଲ ନାଡ଼ୁ, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗ। ଏହି ୧୨ ରାଜ୍ୟରୁ ପଶ୍ଚିମବଙ୍ଗ, ତାମିଲନାଡ଼ୁ, କେରଳ ଓ ପୁଡୁଚେରୀରେ ନିର୍ବାଚନ ତାରିଖ ନିକଟତର ହୋଇଛି।
ଛଟ ପୂଜାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ
ଆସ୍ଥା ଓ ବିଶ୍ୱାସର ମହାନ ପର୍ବ ‘ଛଠ୍ ପୂଜା’ ଅତ୍ୟନ୍ତ ଉତ୍ସାହ, ଭକ୍ତି ଏବଂ ଆନନ୍ଦ ସହିତ ଦେଶବ୍ୟାପୀ ପାଳିତ ହେଉଛି। ବିହାର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ଓଡ଼ିଶା ସମେତ ଅନେକ ରାଜ୍ୟର ଜଳାଶୟ ଘାଟଗୁଡ଼ିକ ସକାଳରୁ ଉଦୟମାନ ସୂର୍ଯ୍ୟଙ୍କୁ ପ୍ରାର୍ଥନା କରିବା ପାଇଁ ଏକାଠି ହୋଇଥିବା ଭକ୍ତମାନଙ୍କ ଦ୍ୱାରା ଚଳଚଞ୍ଚଳ ହୋଇଛି। କୁଆଖାଇ ନଦୀକୂଳରେ ଆୟୋଜିତ ଛଠ୍ପୂଜାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି।
ବଢିବ ପାରାଦୀପ ବନ୍ଦର କ୍ଷମତା
ମୁମ୍ବାଇର ନେସ୍କୋ ପଡ଼ିଆରେ ଇଣ୍ଡିଆ ମାରିଟାଇମ୍ ୱିକ୍ ୨୦୨୫ ଆରମ୍ଭ ହୋଇଛି। ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ଉଦ୍ଘାଟନ କରିଛନ୍ତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଛନ୍ତି। ସମ୍ମିଳନୀର ପ୍ରଥମ ଦିନରେ ଓଡ଼ିଶାକୁ ନେଇ ୫୦ହଜାର କୋଟି ଟଙ୍କାର ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷରିତ ହୋଇଛି।
ସରିଲା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ
ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ସହିତ ଜଡିତ ସମସ୍ତ କାର୍ଯ୍ୟ ଶେଷ ହୋଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପକ୍ଷରୁରୁ ଏନେଇ ସୂଚନା ଦିଆଯାଇଛି । ଭିତ୍ତିପ୍ରସ୍ତର ସ୍ଥାପନ ହେବାର ଗୋଟିଏ ବର୍ଷରୁ ଅଧିକ ସମୟ ପରେ ମନ୍ଦିରର ଛୋଟମୋଟ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଜାନୁଆରୀ ୨୨, ୨୦୨୪ ରେ ରାମ ମନ୍ଦିର ଉଦଘାଟନ କରାଯାଇଥିଲା ହେଲେ ସେତେବେଳେ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇନଥିଲା।
ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ଗୁରୁତର
ବିଷାକ୍ତ ଖାଦ୍ୟ ଖାଇ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ଗୁରୁତର ଥିବା ବେଳେ ତାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ ଢାମଣାହାଣ୍ଡି ଗ୍ରାମର ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଅପରାହ୍ଣ ପ୍ରାୟ ୨ଟା ବେଳେ ତାଙ୍କ ସହ ସମ୍ପର୍କୀୟ ଶାନ୍ତିଲତା ମାଝୀ, ପାର୍ବତୀ ମାଝୀ ଓ ସାନଟୁକିଙ୍କ ସହ ମିଶି ଆମଟ ତରକାରୀ ଖାଇ ଥିଲେ। ଏହି ତରକାରୀ ଖାଇବା ପରେ ପ୍ରଥମେ ପଦ୍ମିନୀ ବାନ୍ତି କରିଥିଲେ। ତାଙ୍କ ସହ ଆମଟ ଖାଇଥିବା ଅନ୍ୟମାନେ ବି ବାନ୍ତି କରିବା ସହ ଅସୁସ୍ଥ ହୋଇପଡ଼ିଥିଲେ।