)
ଏସିଆ କପ ଟ୍ରଫି ଜିତିଲା ଭାରତ
ନବମଥର ଏସିଆ କପ୍ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ । ପାକିସ୍ତାନକୁ ଫାଇନାଲ ମ୍ୟାଚରେ ପରାସ୍ତ କରି ଭାରତ ଏହି ରେକର୍ଡ ସୃଷ୍ଟି କରିଛି । ତିଲକ ବର୍ମାଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ଓ ଶିବମ ଦୁବେଙ୍କ ବିସ୍ଫୋରକ ପାଳି ଫଳରେ ଭାରତ ୫ ଓ୍ୱିକେଟରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୪୬ ରନ କରିଥିବା ବେଳେ ତିଲକ ବର୍ମାଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ଦୁଇଟି ବଲ ବାକି ଥାଇ ଭାରତ ବିଜୟୀ ହୋଇଥିଲା।
ପାକିସ୍ତାନୀଙ୍କ ହାତରୁ ଟ୍ରଫି ନେଲାନି ଭାରତ
ଏସିଆ କପ୍ ଫାଇନାଲ ପରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ହାଇଡ୍ରାମା । ଏସିସି ଅଧ୍ୟକ୍ଷ ମୋହସିନ୍ ନକଭିଙ୍କ ହାତରୁ ଟ୍ରଫି ନେବାକୁ ଭାରତର ପ୍ରତ୍ୟାଖାନ । ଯାହାକୁ ନେଇ ମ୍ୟାଚ୍ ପରବର୍ତ୍ତୀ ଦେଢ଼ଘଣ୍ଟା ପର୍ଯ୍ୟନ୍ତ ପୋଡିୟମ୍ ଉପରେ ପାକିସ୍ତାନ ଗୃହମନ୍ତ୍ରୀଙ୍କୁ ଅପେକ୍ଷା କରିବାକୁ ପଡ଼ିବା ସହ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଛି ।
ସେନାକୁ ଅର୍ଥ ଦାନ କଲେ ସୂର୍ଯ୍ୟକୁମାର
ମହାନତା ଦେଖାଇଲେ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ। ଏସିଆ କପ୍ର ମ୍ୟାଚ୍ ଫି’ ଭାରତୀୟ ସେନାକୁ କଲେ ସମର୍ପିତ। ପହଲଗାମ୍ ଆତଙ୍କବାଦୀ ହମ୍ଲାରେ ନିହତଙ୍କ ପରିବାରକୁ ଦାନ କଲେ ବିଜୟର ପୁରସ୍କାର। ରବିବାର ରାତିରେ ଦୁବାଇରେ ପାକିସ୍ତାନ ବିପକ୍ଷରେ ଏସିଆ କପ୍ ଜିତିବା ପରେ ଯାଦବ ଏହା ଘୋଷଣା କରିଛନ୍ତି। ଭାରତୀୟ ଅଧିନାୟକ ଏସିଆ କପ୍ ର ପ୍ରଥମ ମ୍ୟାଚ୍ ଜିତିବା ପରେ ପହଲଗାମ୍ ଆକ୍ରମଣରେ ସହିଦ ହୋଇଥିବା ଲୋକଙ୍କ ପରିବାରକୁ ସେନା ଏବଂ ତାଙ୍କ ମ୍ୟାଚ୍ ଫିସ୍ ଉତ୍ସର୍ଗ କରିଥିଲେ।
ଆଜି ପୀଠେ ଅଷ୍ଟମୀ
ନବରାତ୍ରି ଅବସରରେ ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶକ୍ତିପୀଠ । ରାଜ୍ୟର ପ୍ରମୁଖ ଶକ୍ତି ପୀଠରେ ଚାଲିଛି ପୂଜାର୍ଚ୍ଚନା । ପୀଠମାନଙ୍କରେ ଆଜି ମା’ଙ୍କ ମହାଷ୍ଟମୀ ନୀତି ଅନୁଷ୍ଠିତ ହେବାକୁ ଥିବା ବେଳେ ମଣ୍ଡପରେ ମହାସପ୍ତମୀ ନୀତି ପାଳିତ ହେବ। ପଣ୍ଡିତଙ୍କ ବେଦଧ୍ବନୀ ସାଙ୍ଗକୁ ହୋମଯଜ୍ଞ, ସପ୍ତସତୀ ଚଣ୍ଡୀପାଟରେ ପ୍ରକମ୍ପିତ ହେଉଛି ପୀଠରୁ ନେଇ ମଣ୍ଡପ। ଶକ୍ତିପୀଠ ଗୁଡିକରେ ଭିଡ଼ ଜମିଛି। ସକାଳୁ ସକାଳୁ ଉପବାସ ରଖିଥିବା ମହିଳାମାନେ ଲମ୍ବା ଲାଇନରେ ମା’ଙ୍କ ପାଦସ୍ପର୍ଶ ଓ ମୁଖ ଦର୍ଶନ ପାଇଁ ଭିଡ଼ ଲଗାଇଥିବା ବେଳେ ସଂଧ୍ୟାରେ ମା’ଙ୍କ ନବଦିନାତ୍ମକ ରଥଯାତ୍ରାର ଅଷ୍ଟମ ଦିନରେ ରଥ ଚାଳନା କରାଯିବ ।
୧ରୁ ଲଘୁଚାପ
ଅକ୍ଟୋବର ୧ ସୁଦ୍ଧା ଉତ୍ତର ଓ ଏହାର ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଦଶହରା ଭିଜିବାର ସମ୍ଭାବନା ରହିଛି। ଅକ୍ଟୋବର ୧ ରୁ ୩ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷକରି ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ବରଗଡ଼ ଓ ବଲାଙ୍ଗିର ଜିଲାକୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟାରେ ଉପକୂଳବର୍ତ୍ତୀ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଏବଂ ଜଗତସିଂହପୁର ଜିଲାକୁ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ନେଇ ସତର୍କ ସୂଚନା ଦିଆଯାଇଛି।
ନିଯୁକ୍ତ ହେଲେ ୪୭୦ ଅଧିକାରୀ
ଆଗାମୀ ବିହାର ବିଧାନସଭା ନିର୍ବାଚନ ଏବଂ ଜମ୍ମୁ-କାଶ୍ମୀର ସମେତ ସାତଟି ରାଜ୍ୟର ଆଠଟି ଆସନର ଉପନିର୍ବାଚନ ଅନୁଷ୍ଠିତ ହେବ ।ନିର୍ବାଚନକୁ ସ୍ବଚ୍ଛ, ନିରପେକ୍ଷ ଓ ମୁକ୍ତ କରିବା ଉଦ୍ଦେଶ୍ୟରେ ନିର୍ବାଚନ କମିଶନ ୩୨୦ ଜଣ ଆଇଏଏସ୍ ଏବଂ ୬୦ ଜଣ ଆଇପିଏସ୍ ଅଧିକାରୀଙ୍କୁ ମିଶାଇ ମୋଟ ୪୭୦ ଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପର୍ଯ୍ୟବେକ୍ଷକମାନେ ସାଧାରଣ, ପୋଲିସ ଏବଂ ଖର୍ଚ୍ଚ ମାମଲା ଉପରେ ନଜର ରଖିବା ସହିତ କମିଶନକୁ ଆବଶ୍ୟକୀୟ ସୂଚନା ପ୍ରଦାନ କରିବେ।
ଖୋଲିଲା ମମିତା ମେହେର ହତ୍ୟାକାଣ୍ଡର ଫାଇଲ !
ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ହେବ । ଏନେଇ ଗୋବିନ୍ଦଙ୍କ ସମ୍ପର୍କୀୟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଗୋବିନ୍ଦଙ୍କ ସମ୍ପର୍କୀୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଏନେଇ ସୂଚନା ଦେଇଛନ୍ତି ପ୍ରଦୀପ୍ତ କୁମାର ନାଏକ । ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ଗୋବିନ୍ଦ ସାହୁ । ୨୦୨୨ ଡିସେମ୍ବର ୨୦ ତାରିଖରେ କଣ୍ଟାବାଞ୍ଜି ସବ୍-ଜେଲ୍ରେ ଥିବା ସମୟରେ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିଲା । ଆଜି ଗୋବିନ୍ଦ ସାହୁଙ୍କ ପରିବାର ସଦସ୍ୟ ପ୍ରଦୀପ୍ତ କୁମାର ନାଏକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ । ଘଟଣାର ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଦାବି କରିଥିଲେ ।
ଅମାନିଆ ଶତାବ୍ଦୀ, ବିନା ସିଗନାଲରେ ପ୍ଲାଟଫର୍ମରେ ପ୍ରବେଶ
ରବିବାର ମାର୍କୋଣା ଷ୍ଟେସନ୍ରେ ଦେଖିବାକୁ ମିଳିଥିଲା ଏକ ଛାତିଥରା ଘଟଣା। ସିଗ୍ନାଲ୍ ନଥିବା ବେଳେ ଶତାବ୍ଦୀ ଏକ୍ସପ୍ରେସ୍ ଷ୍ଟେସନ୍ ପ୍ଲାଟ୍ଫର୍ମ ଭିତରକୁ ପଶିଆସିଛି। ତେବେ ଷ୍ଟେସନ୍ ମାଷ୍ଟର୍ଙ୍କ ତତ୍ପରତା ଯୋଗୁ ବଡ଼ ଅଘଟଣ ଟଳିଯାଇଛି। ସୂଚନା ଅନୁସାରେ ଆଜି ସଂଧ୍ୟା ବେଳେ ଶତାବ୍ଦୀ ଏକ୍ସପ୍ରେସ୍ ଅପ୍ ଲାଇନ୍ରେ ଯାଉଥିଲା। ଏହା ମାର୍କୋଣା ଷ୍ଟେସନ୍ର ୨ ନମ୍ବର ପ୍ଲାଟ୍ଫର୍ମ ଦେଇ ଯିବାର ଥିଲା। ମାତ୍ର ଷ୍ଟେସନ ମାଷ୍ଟରଙ୍କ ଉପସ୍ଥିତ ବୁଦ୍ଧି ବଳରେ ଏକ ସମ୍ଭାବ୍ୟ ଦୁର୍ଘଟଣକୁ ଏଡ଼ାଇ ଦିଆଯାଇପାରିଛି।
ଦିଲ୍ଲୀର ୧୫୦ ସ୍ଥାନକୁ ମିଳିଲା ବୋମା ଧମକ
ଦିଲ୍ଲୀର ସ୍କୁଲ, କଲେଜ ଏବଂ ବିମାନବନ୍ଦର ସମେତ କିଛି ସାର୍ବଜନୀନ ସ୍ଥାନକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଛି । ଯିଏ ଏହି ବୋମା ଧମକ ଦେଇଛି, ସେ ନିଜକୁ ଏକ ଆତଙ୍କବାଦୀ ଗୋଷ୍ଠୀ ବୋଲି ଦାବି କରିଛି। ମେଲ୍ ପଠାଇଥିବା ବ୍ୟକ୍ତି ନିଜ ଗୋଷ୍ଠୀର ନାମ ଟେରରାଇଜ୍ ୧୧୧ ବୋଲି କହିଛି । ଏହି ଇମେଲ୍ ୧୦୦ ରୁ ୧୫୦ ଇମେଲ୍ ଠିକଣାକୁ ପଠାଯାଇଛି । ଏବେ ଏହି ଧମକର ତଦନ୍ତ କରାଯାଉଛି। ରିପୋର୍ଟ ହୋଇଛି ଯେ ବିମାନବନ୍ଦର ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ଗୁଡ଼ିକ ଧମକପୂର୍ଣ୍ଣ ଇମେଲ୍ ପାଇବା ମାତ୍ରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ବୋମା ନିଷ୍କ୍ରିୟକାରୀ ଦଳ (BDS) ଏବଂ ସନ୍ଧାନୀ କୁକୁର ଦଳକୁ ଘଟଣାସ୍ଥଳକୁ ପଠାଯାଇଛି । ବିମାନବନ୍ଦରରେ ଯାତ୍ରୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି।
ମିଥୁନ ମାନହସ ବିସିସିଆଇର ନୂଆ ସଭାପତି
ମିଥୁନ ମାନହସ BCCIର ନୂଆ ସଭାପତି ହୋଇଛନ୍ତି । ବିସିସିଆଇ ଏଜିଏମ୍ରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ମିଥୁନ ମାନହସ । ଜମ୍ମୁ-କାଶ୍ମୀରର ପ୍ରଥମ ବ୍ୟକ୍ତି ଭାବେ ସେ BCCIର ସର୍ବୋଚ୍ଚ ପଦ ହାସଲ କରିଛନ୍ତି । ସେହିପରି ରାଜୀବ ଶୁକ୍ଲା ଉପସଭାପତି, ଦେବଜିତ ସାଇକିଆ ସମ୍ପାଦକ ହୋଇଛନ୍ତି । ଏ ରଘୁରାମ ଭଟ୍ଟ କୋଷାଧ୍ୟକ୍ଷ ଏବଂ ପ୍ରଭତେଜ ସିଂ ଭାଟିଆ ଯୁଗ୍ମ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।