)
ଆଜି ପବିତ୍ର ବିଜୟାଦଶମୀ
ଆଜି ପବିତ୍ର ବିଜୟା ଦଶମୀ, ମଣ୍ତପରେ ଚାଲିଛି ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର। ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ । ଅଧର୍ମ ଉପରେ ହେବ ଧର୍ମର ବିଜୟ । ମଣ୍ତପରେ ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ପୁରପଲ୍ଲୀ। ପୂଜା ମଣ୍ତପରୁ ଆରମ୍ଭ କରି ଘରେ ଘରେ ରୀତିନୀତି ଅନୁସାରେ ଚାଲିଛି ମା ଜଗତଜନନୀଙ୍କ ପୂଜା। ବିଜୟା ଦଶମୀ ଅବସରରେ ପୂଜା ମଣ୍ଡପ ଗୁଡିକରେ ଭାବ ଓ ଭକ୍ତିମୟ ପରିବେଶ ଦେଖିବାକୁ ମିଳୁଛି । ମାନ୍ୟତା ରହିଛି ଆଜିର ଦିନରେ ମା’ଙ୍କ ପୂଜା କଲେ ଦଶ ଜନ୍ମର ପାପରୁ ଉଦ୍ଧାର ମିଳିଥାଏ ।
ସୁନାବେଶରେ ଦର୍ଶନ ଦେବେ ମହାବାହୁ
ଆଜି ହେଉଛି ପବିତ୍ର ବିଜୟାଦଶମୀ ଅର୍ଥାତ ଦଶହରା ପର୍ବ। ପୀଠରୁ ପୂଜା ମଣ୍ଡପ ସବୁଠି ଚାଲିଛି ମାଙ୍କ ବିଜୟା ଦଶମୀ ଦଶହରା ପର୍ବ। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜ୍ ରାଜେଶ୍ୱରୀ ବେଶ । ସୁବର୍ଣ୍ଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । କିରିଟି, ଚୂଳ, ଚନ୍ଦ୍ରିକା, ଆଡକାନି, ଚନ୍ଦ୍ରସୂର୍ଯ୍ୟ , ଶ୍ରୀଭୁଜ, ଶ୍ରୀପୟର, ଘାଗଡା ମାଳି ଆଦି ସ୍ୱର୍ଣ୍ଣାଳଙ୍କାରରେ ବିଭୁଷିତ ହେବେ ଜଗତ ଠାକୁର। ସକାଳ ଧୂପ ପରେ ଆୟୁଧ ମାନଙ୍କର ମାଜଣା ପୁଜା ସରିବା ପରେ ମହାପ୍ରଭୁ ଆୟୁଧ ଧାରଣ କରିବେ। ଶ୍ରୀମନ୍ଦିରରେ ଅବକାଶ ନିତି ପରେ ଶ୍ରୀଜୀଉଙ୍କର ସୁନାବେଶ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କର ଏହି ସୁନାବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଅନ୍ୟପଟେ ପରମ୍ପରା ମୁତାବକ କାକୁଡିଖାଇଙ୍କୁ ଆଜି ବିସର୍ଜନ କରାଯିବ ।
ବଢିଲା ମହଙ୍ଗା ଭତ୍ତା
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଦିପାବଳୀରେ କେନ୍ଦ୍ର ସରକାର ଦେବାକୁ ଯାଉଛନ୍ତି ବଡ଼ ଉପହାର। କେବଳ ସରକାରୀ କର୍ମଚାରୀ ନୁହଁନ୍ତି ପେନସନଧାରୀଙ୍କ ପାଇଁ ମଧ୍ୟ ବଡ଼ ଖୁସି ଖବର। କେନ୍ଦ୍ର ସରକାର କ୍ୟାବିନେଟ୍ ବୈଠକରେ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ବୃଦ୍ଧି କରିଛନ୍ତି। କ୍ୟାବିନେଟ ବୈଠକରେ ୩% ଡିଏ ବୃଦ୍ଧି କରିଛନ୍ତି ଏହି ନିଷ୍ପତ୍ତିରେ ୪୯ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୯ ଲକ୍ଷ ପେନସନଧାରୀ ବ୍ୟକ୍ତି ଉପକୃତ ହେବେ। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ବିନ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।
ପଦ୍ମବିଭୂଷଣ ଛନ୍ନୁଲାଲଙ୍କ ଦେହାନ୍ତ
ଶାସ୍ତ୍ରୀୟ ଗାୟକ ଏବଂ ପଦ୍ମ ବିଭୂଷଣ ପଣ୍ଡିତ ଛନ୍ନୁଲାଲ ମିଶ୍ରଙ୍କର ଗୁରୁବାର ଭୋର ପ୍ରତ୍ୟୁଷରେ ଉତ୍ତର ପ୍ରଦେଶର ମିର୍ଜାପୁରରେ 91 ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ତାଙ୍କ ଝିଅ ନମ୍ରତା ମିଶ୍ରଙ୍କ ମିର୍ଜାପୁରସ୍ଥିତ ଘରେ ସକାଳ 4.15 ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ କିଛି ସମୟ ଧରି ଅସୁସ୍ଥ ଥିଲେ ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (BHU) ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସରେ ଚିକିତ୍ସାଧୀନ ଥିଲେ। ପରେ, ତାଙ୍କ ଝିଅ ତାଙ୍କୁ ମିର୍ଜାପୁରସ୍ଥିତ ତାଙ୍କ ଘରକୁ ନେଇଯାଇଥିଲେ, ଯେଉଁଠାରେ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଥିଲେ। ଛନ୍ନୁଲାଲ ମିଶ୍ର ତାଙ୍କ ଶାସ୍ତ୍ରୀୟ ସଙ୍ଗୀତ ଦ୍ୱାରା ଲୋକଙ୍କ ହୃଦୟରେ ସ୍ଥାନ ପାଇଥିଲେ।
ଦେଶ ପାଳୁଛି ଗାନ୍ଧୀ, ଶାସ୍ତୀଙ୍କ ଜୟନ୍ତୀ
ଆଜି ମନେ ପଡନ୍ତି ମହାନ ଯୁଗପୁରୁଷ ମହାତ୍ମା ଏବଂ ଶାସ୍ତ୍ରୀ । ଯାହାଙ୍କ ମିଳିତ ଉଦ୍ୟମରେ ସ୍ଵାଧିନତାର ସ୍ଵାଦ ଚାଖିଛି ଭାରତ । ଆଜି ସେହି ପବିତ୍ର ମହାନ ଆତ୍ମା ଜାତିର ପିତା ମହାତ୍ମା ଗାନ୍ଧି ଏବଂ ରାଷ୍ଟ୍ରନାୟକ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ । ଗାନ୍ଧୀଜୀ ଥିଲେ ସତ୍ୟ ଏବଂ ଅହିଂସାର ଜୀବନ୍ତ ମୂର୍ତ୍ତି । ଯାହାଙ୍କ ସତ୍ୟ ଓ ଅହିଂସା ଆଗରେ ପ୍ରତିପକ୍ଷର ଗର୍ବ ଓ ଦମ୍ଭ ଭାଙ୍ଗି ଚୁରମାର ହୋଇଯାଏ ।
ସାରା ଓଡ଼ିଶାକୁ ବର୍ଷା ଭୟ
ପଶ୍ଚିମକେନ୍ଦ୍ରୀୟ ବଂଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇସାରିଥିବା ବେଳେ ଏହା ଅଧିକରୁ ଅଧିକ ଘନିଭୂତ ହୋଇ ଗଭୀର ଅପପାତର ରୂପ ନେଉଛି । ବିଶାଖପାଟଣାଠାରୁ ୩ ଶହ କିଲୋମିଟର ଓ ଗୋପାଳପୁରଠାରୁ ୩୨୦ କିଲୋମିଟର ଦୂରରେ ରହି ସମୁଦ୍ରରେ ବଳ ଗୋଟାଇ ଆଗକୁ ବଢ଼ୁଛି ଅବପାତ। ଏହ ଆଜି ରାତିରେ କିମ୍ବା କାଲି ସକାଳେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ । ପାରାଦୀପରୁ ଗୋପାଳପୁର ମଧ୍ୟରେ ଅତିକ୍ରମ କରିବାର ଅଧିକ ସମ୍ଭାବନା ରହିଛି। ସମ୍ଭାବ୍ୟ ଗଭୀରଅବପାତ ପ୍ରଭାବରେ ଆଜି ଏବଂ ଆସନ୍ତାକାଲି ସକାଳ ଯାଏଁ ରାଜ୍ୟରେ ବଡ଼ ବର୍ଷା ଏବଂ ପବନର ପ୍ରଭାବ ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ କରାଯାଇଛି।
ଖୋଲିବ ୫୭ କେନ୍ଦ୍ରୀୟ ବିଦ୍ୟାଳୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର କେନ୍ଦ୍ର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। ଓଡ଼ିଶା ସମେତ ଦେଶର ବେସାମରିକ କ୍ଷେତ୍ରରେ ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ପ୍ରସ୍ତାବରେ ଓଡ଼ିଶାର ୬ଟି ସ୍ଥାନରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ମଞ୍ଜୁରୀ ଦିଆଯାଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ବଢିଲା ରବି ଫସଲ ପାଇଁ ସର୍ବନିମ୍ନ ମହାୟକ ମୂଲ୍ୟ
କେନ୍ଦ୍ର ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ୨୦୨୬-୨୭ ବିପଣନ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କରିଛନ୍ତି। ନୂଆଦିଲ୍ଲୀରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ସରକାର ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। ତୈଳବୀଜ ପାଇଁ ସର୍ବାଧିକ କ୍ୱିଣ୍ଟାଲ ପିଛା ୬୦୦ ଟଙ୍କା ଓ ମସୁର ପାଇଁ କ୍ୱିଣ୍ଟାଲ ପିଛା ୩୦୦ ଟଙ୍କା ବୃଦ୍ଧି କରାଯାଇଛି।
ଭାରତ ଆସିବେ ପୁଟିନ
ଋଷର ତୈଳ ଆମଦାନୀକୁ ନେଇ ଆମେରିକା ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ୍ଶୀଘ୍ର ଭାରତ ଗସ୍ତରେ ଆସିବେ। ଏହି ଗସ୍ତର ତାରିଖ ପ୍ରକାଶ ପାଇଛି। ପୁଟିନଙ୍କ ଭାରତ ଗସ୍ତ ଡିସେମ୍ବର ୫-୬ ତାରିଖରେ ହେବାର ଆଶା କରାଯାଉଛି। ଏହି ସମୟ ମଧ୍ୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଧ୍ୟ ସାକ୍ଷାତ କରିବେ।
ଓଡ଼ିଶା ରଣଜୀ ଦଳ ଘୋଷଣା, ଶୁଭ୍ରାଂଶୁ ସେନାପତି ଦଳର ଅଧିନାୟକ
ଘୋଷଣା ହେଲା ଓଡ଼ିଶା ରଣଜୀ ଦଳ । ପ୍ରଥମ ୩ଟି ମ୍ୟାଚ ପାଇଁ ରବିବାର ୧୫ ଜଣିଆ ଟିମ ଘୋଷଣା କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍। ଶୁଭ୍ରାଂଶୁ ସେନାପତି ଦଳର ଅଧିନାୟକ ଚୟନ ହୋଇଛନ୍ତି। ଘୋଷଣା ହୋଇଥିବା ଟିମ୍ରେ ରହିଛନ୍ତି ଶୁଭ୍ରାଂଶୁ ସେନାପତି (ଅଧିନାୟକ), ସ୍ବସ୍ତିକ ସାମଲ (ଉପଅଧିନାୟକ), ଗୌରବ ଚୌଧୁରୀ, ସନ୍ଦୀପ ପଟ୍ଟନାୟକ, ଗୋବିନ୍ଦ ପୋଦ୍ଦାର, ଆଶୀର୍ବାଦ ସ୍ବାଇଁ (ୱିକେଟ୍କିପର), ରାଜେଶ ଧୂପର (ୱିକେଟ୍କିପର), ଅନିଲ ପରିଡ଼ା, ସମ୍ବିତ ଏସ୍ ବରାଳ, ସୁମିତ ଶର୍ମା, ବାଦଲ ବିଶ୍ବାଳ, ସୁନୀଲ କୁମାର ରାଉଳ, ରାଜେଶ ମହାନ୍ତି, ତାରିଣୀ ସା, ତାପସ ଦାସ। ସେହିଭଳି ଷ୍ଟାଣ୍ଡବାଏ ଖେଳାଳି ଭାବରେ ରହିଛନ୍ତି ଶାନ୍ତନୁ ମିଶ୍ର, ବିପ୍ଲବ ସାମନ୍ତରାୟ, ସୌରଭ ଗୌଡ଼, ପ୍ରଶାନ୍ତ ରଣା ଏବଂ କାର୍ତ୍ତିକ ବିଶ୍ବାଳ।