)
ଇତିହାସ ରଚିଲା ଭାରତୀୟ ମହିଳା ଦଳ
ଦକ୍ଷିଣ ଆଫିକାକୁ ହରାଇ ଭାରତ ପ୍ରଥମ ଥର ପାଇଁ ବିଶ୍ବକପ ଜିତିଛି। ଏହା ସହିତ ଇତିହାସ ସୃଷ୍ଟି କରିଛି ଭାରତୀୟ ମହିଳା ଦଳ। ଭାରତୀୟ ମହିଳା କ୍ରିକେଟ୍ ଦଳ ସର୍ବପ୍ରଥମ ବିଶ୍ବକପ୍ ଜିତି ଦୀର୍ଘ ୨୫ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଛି। ୨୦୦୫ ଫାଇନାଲ୍ରେ ଅଷ୍ଟ୍ରେଲିଆଠାରୁ ଏବଂ ୨୦୧୭ ଫାଇନାଲ୍ରେ ଇଂଲଣ୍ଡଠାରୁ ହାରି ରନର୍ସଅପ୍ ହୋଇଥିବା ଭାରତୀୟ ଦଳ ତୃତୀୟ ଥର ଫାଇନାଲ୍ ଖେଳି ପ୍ରଥମ ଥର ବିଶ୍ବ ବିଜେତା ହୋଇଛି।
ଆଜି ପଞ୍ଚକର ଦ୍ବିତୀୟ ଦିନ
ଶ୍ରୀକ୍ଷେତ୍ରରେ ପବିତ୍ର ପଞ୍ଚୁକ ବ୍ରତ ନୀତି । ଦ୍ୱାଦଶୀ ତିଥିରେ ଠାକୁରଙ୍କ ଡାଳିକିଆ ତଥା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବ। ସକାଳ ୫ଟାରେ ମଙ୍ଗଳଆଳତି, ୬ଟା ୧୦ରେ ଅବକାଶ ପୂଜା ଶେଷ ପରେ ମଇଲମ ହୋଇ ଡାଳିକିଆ ବେଶ ନୀତି ଆରମ୍ଭ ହୋଇଛି। ମହାପ୍ରଭଙ୍କୁ ତ୍ରିବିକ୍ରମ ବେଶ ଦର୍ଶନ କରିବାକୁ ଭୋରୁ ବଡ଼ ଦାଣ୍ଡରେ ଶ୍ରଦ୍ଧାଳୁଙ୍କୁ ଭିଡ଼ ପରିଲକ୍ଷିତ ହୋଇଛି। ଆଡ଼କିଆ ବେଶରେ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ । ଏହି ଚୂଳରେ ସ୍ୱର୍ଣ୍ଣନିର୍ମିତ କିଆ ଆଡ଼ବାଗରେ ଖୋସା ହୋଇଥାଏ । ସୁଭଦ୍ରା ଓ ଦୁଇ ଠାକୁରଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ । ଏଥିସହିତ ପୂର୍ବ ଦିନ ପରି ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାର ଓ ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ର ଇତ୍ୟାଦିରେ ଠାକୁରମାନଙ୍କୁ ଆଡ଼କିଆ ବା ତ୍ରିବିକ୍ରମ ବେଶରେ ଭୂଷିତ କରାଯାଇଥାଏ ।
ଆଜି ନୂଆପଡ଼ା ଯିବେ ନବୀନ
ନୂଆପଡ଼ା ଉପନିର୍ବାଚନ ପ୍ରଚାର ଶେଷ ହେବାକୁ ମାତ୍ର ସପ୍ତାହେ ବାକି । ଆଜି ପ୍ରଚାରକୁ ଯିବେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କୋମନାର ତରବୋଡରେ ଜନସଭା କରିବେ । ୭ ତାରିଖରେ ପ୍ରଚାର ମୈଦାନକୁ ଓହ୍ଲାଇପାରନ୍ତି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ। ସାଲେଭଟାରେ କଂଗ୍ରେସ ପ୍ରାର୍ଥୀ ଘାସିରାମଙ୍କ ପାଇଁ ପ୍ରଚାର କରିବେ। ବିଜେପି ପ୍ରାର୍ଥୀଙ୍କ ପାଇଁ ଦ୍ବିତୀୟ ଥର ଭୋଟ ମାଗିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶେଷ ପର୍ଯ୍ୟାୟରେ ଅର୍ଥାତ୍ ୬ରୁ ୮ ତାରିଖ ପର୍ଯ୍ୟନ୍ତ ସେ ନୂଆପଡ଼ାରେ ପ୍ରଚାର କରିବେ।
ପଞ୍ଚକ ପାଇଁ ପୁରୀରେ ଅସମ୍ଭାଳ ଭିଡ଼
ପଞ୍ଚକର ପ୍ରଥମ ଦିନ ସହ ରବିବାର ଥିବାରୁ ଲୋକାରଣ୍ୟ ଶ୍ରୀକ୍ଷେତ୍ର । ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଯୋଗୁ ଠେଲାପେଲା ସ୍ଥିତି । ବ୍ୟାରିକେଡ୍ ଭାଙ୍ଗି ପ୍ରବେଶ କରିବାକୁ ଉଦ୍ୟମ କଲେ ଭକ୍ତ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭୋରରୁ ବ୍ୟାରିକେଡ୍ରେ ଲମ୍ବା ଲାଇନ୍ରେ ଶ୍ରଦ୍ଧାଳୁ । ସକାଳୁ ସଂଧ୍ୟା ଯାଏଁ କମିଲାନି ଗହଳି । ଘଣ୍ଟା ଘଣ୍ଟା ଧରି ଭକ୍ତଙ୍କୁ ଅପେକ୍ଷା କରିବା ପରେ ଅସମ୍ଭାଳ ହୋଇଥିଲା ପରିସ୍ଥିତି । କିଛି ଶ୍ରଦ୍ଧାଳୁ ଅସୁସ୍ଥ ଅନୁଭବ କରିବା ସହ ଅସନ୍ତୋଷ ଝାଡ଼ିଛନ୍ତି ।
ଇତିହାସ ରଚିଲା ଭାରତ: ‘ସିଏମ୍ଏସ୍-୦୩’ର ସଫଳ ଉତ୍କ୍ଷେପଣ
ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ପକ୍ଷରୁ ଆଜି ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରର ଦ୍ବିତୀୟ ଲଞ୍ଚପ୍ୟାଡ୍ରୁ ଭାରତୀୟ ନୌସେନାର ଜିଏସ୍ଏଟି-୭ଆର୍ (ସିଏମ୍ଏସ୍-୦୩) ଯୋଗାଯୋଗ ଉପଗ୍ରହକୁ ପଠାଯାଇଛି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଅତ୍ୟାଧୁନିକ ସିଏମ୍ଏସ୍-୦୩ ଉପଗ୍ରହର ଓଜନ ୪୪୧୦ କିଗ୍ରା ରହିଛି। ୨୪ ଘଣ୍ଟାର ଅବଗଣନା ପରେ ୪୩.୫ ମିଟରର ଲମ୍ବ ବାହୁବଳୀ ରକେଟ୍ ଏଲ୍ଭିଏମ୍୩-ଏମ୍୫ ଜରିଆରେ ନିର୍ଦ୍ଧାରିତ ସମୟ ଅପରାହ୍ଣ ୫ଟା ୨୬ ମିନିଟ୍ରେ ଉତ୍କ୍ଷେପଣ କରାଯାଇଛି।
‘ରୁଚି’ ପ୍ରତିଷ୍ଠାତା ଶରତ ସାହୁଙ୍କ ପରଲୋକ
‘ରୁଚି’ କମ୍ପାନିର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ ଆଉ ନାହାନ୍ତି। କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୁମ୍ବାଇସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ମଧ୍ୟାହ୍ନ ୧୨ଟା ବେଳେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଶେଷ ସମୟରେ ତାଙ୍କ ନିକଟରେ ପତ୍ନୀ ସଂଯୁକ୍ତା ସାହୁ, ପୁଅ ଅରବିନ୍ଦ ସାହୁ, ବୋହୂ ସଲିନା ସାହୁ, ଝିଅ ରଶ୍ମୀ ସାହୁ ଓ ଅନ୍ୟାନ୍ୟ ପ୍ରିୟଜନ ଉପସ୍ଥିତ ଥିଲେ।
ଶକ୍ତିଶାଳୀ ଭୂକମ୍ପ ଝଟ୍କାରେ ଥରିଲା ଆଫଗାନିସ୍ତାନ
ଶକ୍ତିଶାଳୀ ଭୂକମ୍ପ ଝଟ୍କାରେ ଥରିଲା ଆଫଗାନିସ୍ତାନ। ହିନ୍ଦୁକୁଶ ଅଞ୍ଚଳରେ ଜୋରଦାର୍ ଝଟ୍କା। ରିକ୍ଟର ସ୍କେଲରେ ୬.୩ ତୀବ୍ରତା ରେକର୍ଡ। ୭ ମୃତ, ୧୫୦ରୁ ଉର୍ଦ୍ଧ୍ଵ ଆହତ। ରବିବାର ରାତି ପ୍ରାୟ ୧୨ଟା ୫୯ରେ ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଖୁଲମ୍ ସହରରୁ ୨୨ କିଲୋମିଟର ପଶ୍ଚିମ-ଦକ୍ଷିଣ-ପଶ୍ଚିମରେ, ଭୂପୃଷ୍ଠରୁ ୨୮ କିଲୋମିଟର ତଳେ ଥିଲା।
ବଢିବ ଶୀତ, ଖସିବ ରାତି ତାପମାତ୍ରା
ରାଜ୍ୟରେ ଆସନ୍ତା ଦୁଇ ଦିନ ମଧ୍ୟରେ ରାତିର ତାପମାତ୍ରା କମିବ। ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ । ଏହା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିସହ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ସୋମବାର ଦକ୍ଷିଣ ଉପକୂଳ ଓଡ଼ିଶା ଓ ରାୟଗଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମଙ୍ଗଳବାରଠୁ ୮ ତାରିଖ ଯାଏ ରାଜ୍ୟ ସାରା ପାଗ ଶୁଖିଲା ରହିବ ।
ଇସ୍ରୋ ଲଞ୍ଚ କଲା ବାହୁବଳୀ ସାଟେଲାଇଟ
ISRO ଏହାର ବାହୁବଳୀ ସାଟେଲାଇଟ୍ ଉତକ୍ଷେପଣ କରିଛି। CMS-03 ନାମକ ଏହି ସାଟେଲାଇଟ୍ ଏକ LVM3-M5 ରକେଟ୍ ସାହାଯ୍ୟରେ ଉତକ୍ଷେପଣ କରାଯାଇଥିଲା। ଏହାର ଭାରୀ ପେଲୋଡ୍ କ୍ଷମତା ପାଇଁ ଏହାକୁ "ବାହୁବଳୀ" ନାମ ଦିଆଯାଇଛି।
ଯୋଧପୁର ବସ ଦୁର୍ଘଟଣାରେ ୧୮ ମୃତ
ରାଜସ୍ଥାନର ଯୋଧପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଫାଲୋଡି ଜିଲ୍ଲାର ମାଟୋଡା ଅଞ୍ଚଳରେ ଏକ ପର୍ଯ୍ୟଟକ ବସ୍ ଠିଆ ହୋଇଥିବା ଏକ ଟ୍ରକ୍ କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଅଠର ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନିରୁ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି।