)
1. ସ୍ୱଦେଶୀ ଚିପ ବିକ୍ରମର ପ୍ରଦର୍ଶନ
ଭାରତ ଏହାର ପ୍ରଥମ ସ୍ୱଦେଶୀ ଚିପ୍କୁ ସାରା ବିଶ୍ୱରେ ପ୍ରଦର୍ଶନ କରିଛି। ଏହି ଚିପ୍ର ନାଁ ରହିଛି ‘ବିକ୍ରମ’। ଇସ୍ରୋ ପକ୍ଷରୁ ବିକାଶ କରାଯାଇଥିବା ଏହି ମାଇକ୍ରୋ ପ୍ରସେସର ଚିପକୁ ମହାକାଶ ବିଜ୍ଞାନ କ୍ଷେତ୍ରରେ ଉପଯୋଗ କରାଯିବ। ଏହି ଅବସରରେ ଓଡ଼ିଶାରୁ ପ୍ରସ୍ତୁତ ୩ଟି ସେମି କଣ୍ଡକ୍ଟର ଚିପ୍କୁ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ହସ୍ତାନ୍ତର କରିଛନ୍ତି। ଏହା ଓଡ଼ିଶାକୁ ସେମି କଣ୍ଡକ୍ଟକର ଉତ୍ପାଦନ କ୍ଷେତ୍ରରେ ଏକ ହବ୍ ଭାବେ ପରିଣତ କରିବାର ପ୍ରତିଶୃତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି।
2. ପୂର୍ବତନ ନିର୍ବାହୀ ଅଧିକାରୀ ଗିରଫ
ବେଲପାହାଡ଼ ମ୍ୟୁନିସିପାଲିଟିର ପୂର୍ବତନ ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂହଙ୍କୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ। ବିଭିନ୍ନ ସରକାରୀ ଯୋଜନାର ଅର୍ଥକୁ ବିନା ଅନୁମତିରା ଅନ୍ୟ କାମରେ ଲଗାଇବା ତଥା ଅର୍ଥ ହୋରଫେର ନେଇ ତାଙ୍କ ନାଁରେ ଅଭିଯୋଗ ଆସିଥିଲା।
3. ନୂତନ ଜିଲ୍ଲା ଗଠନ ନେଇ ସରକାରଙ୍କ ଯୋଜନା
ରାଜ୍ୟରେ ନୂତନ ଜିଲ୍ଲା ଗଠନ ନେଇ ସରକାର ଚିନ୍ତା କରୁଛନ୍ତି ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ। ଜିଲ୍ଲାର ଆକାର ଛୋଟ ହେଲେ ବିକାଶ ତ୍ୱରାନ୍ୱିତ ହେବ ବୋଲି ସରକାର ଆଶା କରୁଥିବା ସେ ସୂଚନା ଦେଇଛନ୍ତି। ୨୦୨୫ ଜନଗଣନାକୁ ଆଖି ଆଗରେ ରଖି ଖୁବ୍ ଶୀଘ୍ର ନୂତନ ରାଜସ୍ୱ ଗ୍ରାମ ଘୋଷଣା ଲାଗି ସରକାର ଚିନ୍ତା କରିଥିବା କହିଛନ୍ତି ରାଜସ୍ୱମନ୍ତ୍ରୀ।
4. ଚଳିତ ଶିକ୍ଷାବର୍ଷରୁ ସକ୍ଷମ ହେବ ଫୁଲବାଣୀ ତାଳଚେର ମେଡିକାଲ କଲେଜ
ଚଳିତ ଶିକ୍ଷାବର୍ଷଠାରୁ ସକ୍ଷମ ହେବ ଫୁଲବାଣୀ ଓ ତାଳଚେରର ମେଡିକାଲ୍ କଲେଜ। ଏଥିଲାଗି ଅନୁମୋଦନ ଦେଇଛନ୍ତି ଏମ୍ସିଆଇ। ଫଳରେ ଏହି ଦୁଇ କଲେଜରେ ୧୦୦ ଲେଖାଏଁ ଏମ୍ବିବିଏସ୍ ସିଟ୍ ଆଡ୍ମିଶନ ପାଇଁ ଖୋଲିବ।
5. ଆଜି ଜିଏସଟି ପରିଷଦ ବୈଠକ
ଆଜି ନୂଆଦିଲ୍ଲୀରେ ଜିଏସ୍ଟି ପରିଷଦ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପ୍ରତିନିଧିମାନେ ଏଥିରେ ଯୋଗ ଦେବେ। ଏହି ବୈଠକ ଆଗାମୀ ଦିନମାନଙ୍କରେ ଭାରତୀୟ ବଜାରରେ ବିଭିନ୍ନ ଦ୍ରବ୍ୟ ଓ ସେବା ଉପରେ କର ରହାତି ଘୋଷଣା କରିପାରେ। ପ୍ରଧାନମନ୍ତ୍ରୀ ଦୀପାବଳୀ ପୂର୍ବରୁ ବିଭିନ୍ନ ଉତ୍ପାଦ ଉପରେ ଜିଏସ୍ଟି ହ୍ରାସ ନେଇ ଦେଇଥିବା ଇଙ୍ଗିତକୁ ଏହା ସ୍ପଷ୍ଟ କରିବାର ଆଶା ରହିଛି।
6. ଆମେରିକା ସହ ଦ୍ୱିପାକ୍ଷିକ ବୁଝାମଣା ଲାଗି ପ୍ରୟାସ
ଭାରତ ସରକାରଙ୍କ ପକ୍ଷରୁ ଆମେରିକା ସହ ଦ୍ୱିପାକ୍ଷିକ ବାଣିଜ୍ୟ ବୁଝାମଣା ଲାଗି ପ୍ରକ୍ରିୟା ଜାରି ରହିଛି। ଏ ଭିତରେ ୫ ପର୍ଯ୍ୟାୟରେ ବୈଠକ ହୋଇଛି। କିନ୍ତୁ ଷଷ୍ଠ ବୈଠକ ଲାଗି ତାରିଖ ଚିହ୍ନିତ ହୋଇ ନାହିଁ। ଆମେରିକାର ରାଷ୍ଟ୍ରପତି ଭାରତ ଉପରେ ଡବଲ ଟାରିଫ ଘୋଷଣା କରିବାରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ପ୍ରଭାବ ଦେଖିବାକୁ ମିଳିଛି। ତେବେ ଭାରତର ଆମେରିକାର ସର୍ତ୍ତ ଆଗରେ ମୁଣ୍ଡ ନ ନୁଆଁଇ ଋଷଠାରୁ ଅଶୋଧିତ ତୈଳ ଆମଦାନୀ ଜାରି ରଖିଛି।
7. ଗ୍ରୀନ ହାଇଡ୍ରୋଜେନ ପ୍ରକଳ୍ପକୁ ଗୁରୁତ୍ତ୍ୱ
ଦେଶରେ ପରିବେଶ ପ୍ରଦୂଷଣ ସମସ୍ୟା ଓ ଶକ୍ତି ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗ୍ରୀନ୍ ହାଇଡ୍ରୋଜେନ୍ ପ୍ରକଳ୍ପକୁ ଗୁରୁତ୍ୱ ଦେଇଛନ୍ତି। ଏହିକ୍ରମରେ ୧୦ଟି ଜାତୀୟ ରାଜପଥରେ ଗ୍ରୀନ ହାଇଡ୍ରୋଜେନ୍ ଟ୍ରକ ଚଳାଚଳ ପାଇଁ ପ୍ରସ୍ତୁତି ଚାଲିଛି। ଏଥିରେ ପୁରୀ-ଭୁବନେଶ୍ୱର-କୋଣାର୍କ ଯାହାକୁ ସ୍ୱର୍ଣ୍ଣ ତ୍ରିଭୁଜ ବୋଲି ଓଡ଼ିଶା ପର୍ଯ୍ୟଟନରେ କୁହାଯାଏ ସେହି ଅଞ୍ଚଳ ସାମିଲ ରହିଛି। ଏ ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ।
8. ମଣିପୁର ଯାଇପାରନ୍ତି ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ଗସ୍ତରେ ଆସିପାରନ୍ତି। ଚଳିତ ୧୩ ଓ ୧୪ ତାରିଖରେ ଏହି ଗସ୍ତ ସ୍ଥିର ହୋଇଚି। ସରକାରୀ ସ୍ତରରେ ସ୍ପଷ୍ଟ ପ୍ରକାଶ କରାଯାଇ ନଥିଲେ ମଧ୍ୟ ମଣିପୁରରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଛି। ପ୍ରଧେନମନ୍ତ୍ରୀ କାଙ୍ଗଲା ଏବଂ ଚୁରାଚାନ୍ଦପୁର ଶାନ୍ତି କ୍ଷେତ୍ରକୁ ଯାଇପାରନ୍ତି ବୋଲି ଆଲୋଚନା ହେଉଛି।
9. ଆସନ୍ତା ୭ରେ ଚନ୍ଦ୍ରଗ୍ରହଣ
ଆସନ୍ତା ୭ ତାରିଖରେ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ନିତିକାନ୍ତି ପରିଚାଳନା ପାଇଁ ଛତିଶା ନିଯୋଗ ପକ୍ଷରୁ ନିର୍ଘଣ୍ଟ ସ୍ଥିର କରାଯାଇଛି। ଏହି ଅନୁସାରେ ପୂର୍ବ ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଗ୍ରହଣ ସ୍ପର୍ଶ କରିବା ମାତ୍ରେ ମହାସ୍ନାନ କରାଯାଇ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ ବୋଲି କୁହାଯାଇଛି।
10. ରାଜ୍ୟରେ ଲଘୁଚାପ ବର୍ଷା ଜାରି
ରାଜ୍ୟରେ ଲଘୁଚାପ ବର୍ଷା ଜାରି ରହିଛି। ଏହି ହେତୁ ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। କେବଳ ସେତିକି ନୁହେଁ ସହରାଞ୍ଚଳର ବିଭିନ୍ନ ସ୍ଥାନ ଜଳମଗ୍ନ ହେବାରୁ ସାଧାରଣ ଜନଜୀବନ ବ୍ୟାହତ ହୋଇଛି।