)
ଜିଏସଟି ହ୍ରାସ, ଜନତା ଆଶ୍ୱସ୍ତ
ବସିଥିବା ଜିଏସଟି କାଉନସିଲ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ଏବେ ଆଉ ୪ଟି ସ୍ଲାବ ନୁହେଁ ବରଂ ୨ ଟି ସ୍ଲାବରେ ଏହି କର ଆଦାୟ କରାଯିବ । କେବଳ ୫ ପ୍ରତିଶତ ଓ ୧୮ ପ୍ରତିଶତ ସ୍ଲାବ ଲାଗୁ ହେବ । ୧୨ ଓ ୨୮ ପ୍ରତିଶତ ସ୍ଲାବ ବନ୍ଦ୍ କରାଯାଇଛି । ସେପ୍ଟେମ୍ବର ୨୨ ତାରିଖରୁ ଲାଗୁ ହେବ ନୂଆ ସ୍ଲାବ । ସୂତ୍ର ସୂଚନା ମୁତାବକ ସ୍ୱାସ୍ଥ୍ୟ ଓ ଜୀବନ ବୀମା ଉପରେ ଜିଏସଟି ଲାଗିବ ନାହିଁ । ଉପଭୋଗ ସାମଗ୍ରୀକୁ ୪୦ ପ୍ରତିଶତ ସ୍ଲାବରେ ରଖାଯାଇଛି । ଏବେ ଅଧିକାଂଶ ସାମଗ୍ରୀ ଉପରେ ୫ ଓ ୧୮ ପ୍ରତିଶତ ଟ୍ୟାକ୍ସ ଲାଗିବ । ଏହା ଔପଚାରିକ ଭାବେ ଘୋଷଣା ହୋଇନାହିଁ।
ଧାଡ଼ି ଦର୍ଶନ ପ୍ରସ୍ତାବକୁ ଅନୁମୋଦନ
ଶ୍ରୀମନ୍ଦିର ନୂତନ ପରିଚାଳନା କମିଟି ଗଠନ ପରେ ବୁଧବାର ନୀଳାଦ୍ରି ଭକ୍ତ ନିବାସରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାୟୀ ସଭାପତି ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିଲେ। ଚଳିତ ମାସ ୧୫ତାରିଖରୁ ନାଟମଣ୍ଡପରେ ପ୍ରସ୍ତାବିତ ଧାଡ଼ି ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ୫ ଜଣ ସେବକ ପ୍ରତିନିଧି, ଓବିସିସି, ଏଏସଆଇ ପ୍ରତିନିଧି ପ୍ରମୁଖ ଧାଡି ଦର୍ଶନ ସମ୍ପର୍କରେ ସମୀକ୍ଷା କରିବେ।
ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମନୀତି
ଶ୍ରୀମନ୍ଦିରରେ ଆଜି ପାଳିତ ହେବ ବାମନ ଜନ୍ମନୀତି । ସ୍ୱତନ୍ତ୍ର ନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ସନ୍ଧ୍ୟା ୫ ଟାରୁ ରାତି ୧୦ ଟା ଯାଏଁ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହେବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଯୋଜନା କରିଥିବା ଭକ୍ତମାନେ ଏହି ସୂଚନା ଆଧାରରେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ବାଟ ଖୋଲିଲା
ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ବାଟ ଫିଟିଲା। ୨୦୧୫ରେ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କଲେ ଓଡିଶା ହାଇକୋର୍ଟ। ୬ ସପ୍ତାହ ଭିତରେ ବିଜ୍ଞପ୍ତି ପାଇଁ ସରକାରଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ସଂରକ୍ଷଣ ନିୟମ ଆଧାରରେ ସାନି ବିଜ୍ଞପ୍ତି ପାଇଁ କହିଲେ ହାଇକୋର୍ଟ।
ଯମୁନାରେ ବଡ଼ ବନ୍ୟା: ଦିଲ୍ଲୀ-ଏନ୍ସିଆର୍ ଅଚଳ
ଗତ ୩ ଦିନର ଲଗାଣ ବର୍ଷାରେ ଦିଲ୍ଲୀ ସହର ଅଚଳ ହୋଇଯାଇଛି ଏବଂ ଆଜି ମଧ୍ୟ ବର୍ଷା ଜାରି ରହିଥିବାରୁ ସ୍ଥିତି ବିଗୁଡ଼ୁଛି। ଦିଲ୍ଲୀ-ଏନ୍ସିଆର୍, ପଡ଼ୋଶୀ ନୋଏଡ଼ା, ଗୁରୁଗ୍ରାମ, ଗାଜିଆବାଦ ଏବଂ ଫରିଦାବାଦରେ ଜଳବନ୍ଦି ସମସ୍ୟା ସାଂଘାତିକ ରୂପ ନେଇଛି। ଯମୁନା ନଦୀ ଲଗାତାର ଫୁଲୁଥିବାରୁ ଦିଲ୍ଲୀରେ ରାସ୍ତାଘାଟରେ ଏବେ ବନ୍ୟା ପାଣିର ସୁଅ ଛୁଟିଛି। ତଳିଆ ଅଞ୍ଚଳର ଅନେକ ଘର ଜଳମଗ୍ନ ହୋଇଯାଇଛି। ‘ମଜନୁ କା ତିଲା’ ଅଞ୍ଚଳରେ ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର କରାଯାଇଛି।
ପଞ୍ଜାବରେ ବଡ଼ ବନ୍ୟା, ୩୭ ଲୋକଙ୍କ ଜୀବନ ହାନୀ
ପଞ୍ଜାବରେ ପାଣି ପ୍ରଳୟ । ବନ୍ଯାର ବିକଟାଳ ରୂପ ଦେଖୁଛି ପଞ୍ଜାବ । ସାରା ରାଜ୍ୟରେ ଏବେ ବର୍ଷା ପରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ୩୭ ବର୍ଷର ରେକର୍ଡ ଭାଙ୍ଗିଛି ଏଥରର ବନ୍ୟା ସ୍ଥିତି । ୧୯୮୮ ପରେ ପଞ୍ଜାବ ସବୁଠାରୁ ବଡ଼ ବନ୍ୟାର ସାମ୍ନା କରିଛି । ପଞ୍ଜାବ ସାରା ପାଣି ଆଉ ପାଣି । ଘରଦ୍ବାର, ରାସ୍ତାଘାଟ, ଦୋକାନ ବଜାର ସବୁଠି ବନ୍ୟାଜଳ । ସତଲେଜ, ବ୍ୟାସ, ରାବି ନଦୀର ଜଳସ୍ତର ବଢିବା କାରଣରୁ ସ୍ଥିତି ଆହୁରି ସଙ୍ଗୀନ ହେଉଛି । ନଦୀ ଫୁଲି ସ୍ଥଳଭାଗକୁ, ସହରକୁ, ଜନବସତିକୁ ମାଡି ଯିବା ପରେ ସ୍ଥିତି ଭାୟାବହ ହୋଇଛି ।
ଓଡ଼ିଶାରେ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଆଜି ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଓଡ଼ିଶା ଉପକୂଳରେ ଥିବା ଏହି ଲଘୁଚାପ କ୍ଷେତ୍ର ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଏଥିସହ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢ଼ଳି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ଓଡ଼ିଶା ସଂଲଗ୍ନ ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।
ଚଳଚିତ୍ର ପୁରସ୍କାର ପାଇଁ ଦରଖାସ୍ତ ଆହ୍ୱାନ
୩୫ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ଏବଂ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୪ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି। ଆଗ୍ରହୀ ପ୍ରଯୋଜକମାନେ ଅକ୍ଟୋବର ୪ତାରିଖ ସୁଦ୍ଧା ଆବେଦନ ଫର୍ମ ସହ ଆବଶ୍ୟକ କାଗଜପତ୍ର ଓ ଚଳଚ୍ଚିତ୍ରର ସଫ୍ଟ୍ କପି (ପେନ୍ ଡ୍ରାଇଭ)କୁ ରେଜିଷ୍ଟର୍ଡ଼ ପୋଷ୍ଟ ବା ସ୍ପିଡ଼ ପୋଷ୍ଟ ମାଧ୍ୟମରେ ବିଭାଗ ନିକଟରେ ଦାଖଲ କରିପାରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଶିକ୍ଷୟିତ୍ରୀଙ୍କ ମାଡ଼ରେ କୁନି ଝିଅର ଆଖି ନଷ୍ଟ ଅଭିଯୋଗ
ଭୁବନେଶ୍ବର ଡୁମୁଡୁମା ଫେଜ-ଟୁରେ ଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଅଭବନୀୟ ଘଟଣା I ମାଡ଼ ମାରି ଆଖି ନଷ୍ଟ କରିଦେଲେ ଶିକ୍ଷୟିତ୍ରୀ । ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି ଶିକ୍ଷୟିତ୍ରୀ I ଗଣିତ ଆସିଲାନି ବୋଲି ମାଡ଼ ମାରି ଆଖି ଫଟେଇ ଦେଇଥିବା ଅଭିଯୋଗ ହୋଇଛି I ୯ ବର୍ଷର ଝିଅକୁ ଏକ ସ୍ୱତନ୍ତ୍ର ଆଖି ଡାକ୍ତରଖାନାରେ ଚିକିତ୍ସା କରାଯାଇଛି । ଏନେଇ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି । ସେପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିକ୍ଷୟିତ୍ରୀ । କହିଛନ୍ତି ଘଟଣା ପାଇଁ ସେ ଦୁଃଖିତ।
ମିଳିଲା ୟ୍ୟୁଟୁବରଙ୍କ ମୃତଦେହ
ଓଡ଼ିଶାର କୋରାପୁଟ ଜିଲ୍ଲାର ଡୁଡୁମା ଜଳପ୍ରପାତରେ ଭାସି ଯାଇଥିବା YouTuber ସାଗର କୁଣ୍ଡୁଙ୍କ ମୃତଦେହ ୧୦ ଦିନରୁ ଅଧିକ ସମୟ ପରେ ବୁଧବାର ଦିନ ଉଦ୍ଧାର କରାଯାଇଛି। ମାଚକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରୁ ପ୍ରାୟ ୩ କିଲୋମିଟର ଦୂରରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।