)
ପର୍ଯ୍ୟଟକଙ୍କୁ ମାଡ଼ ମାରିଲେ ହୋଟେଲ କର୍ମଚାରୀ
ପୁରୀରେ ହୋଟେଲ ମାଲିକ ଓ କର୍ମଚାରୀଙ୍କ ଦବଙ୍ଗ ଗିରି । ଗ୍ରାହକଙ୍କୁ ମାଡ଼ ମାରି ଆହତ କରିବା ସହ ରେଷ୍ଟୁରାଣ୍ଟରୁ କଲେ ବିଦା । ପୁରୀ ବାଲିସାହିର ଅଭିଯୋଗକାରୀ ଶ୍ରୀମତୀ ସ୍ମୃତିରେଖା ମିଶ୍ର ତାଙ୍କ ପରିବାର ସଦସ୍ୟଙ୍କ ସହିତ ପୁରୀର ଭିଆଇପି ରୋଡ଼ରେ ଥିବା ଅଗ୍ରୱାଲ ଭେଜ୍ ରେଷ୍ଟୁରାଣ୍ଟକୁ ମଧ୍ୟାହ୍ନ ଭୋଜନ କରିବାକୁ ଯାଇଥିଲେ । ସେତେବେଳେ ହୋଟେଲରେ ଭିଡ଼ ଥିଲା । ଖାଇବା ଦେବାରେ ବିଳମ୍ବକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ହୋଟେଲ ମାଲିକ, ପରିଚାଳକ ଏବଂ ଅନ୍ୟ ୧୦ ଜଣ କର୍ମଚାରୀ ଅଭିଯୋଗକାରୀଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଥିଲେ ।
ଆସନ୍ତା ଦୁଇ ଦିନ କାଁ ଭାଁ ବର୍ଷା
ଆସନ୍ତା ଦୁଇ ଦିନ ରାଜ୍ୟରେ କାଁ ଭାଁ ବର୍ଷା ହୋଇପାରେ । ରବିବାର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ସୋମବାର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ରବିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
ଜାପାନରେ ଭୟଙ୍କର ଭୂମିକମ୍ପ
ଥରିଲା ଜାପାନ। ଶକ୍ତିଶାଳୀ ଭୂମିକମ୍ପ ଝଟକାରେ ଜାପାନର ହୋଂସୁ ପୂର୍ବ ଉପକୂଳ ଦୋହଲି ଯାଇଛି। ରିକ୍ଟର ସ୍କେଲରେ ଭୂମିକମ୍ପ ତୀବ୍ରତା ୬.୦ ରେକର୍ଡ ହୋଇଛି। ଭୂମିକମ୍ପ ଝଟକା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ୫୦ କିଲୋମିଟର ଗଭୀରତାରେ ଥିଲା। ରିପୋର୍ଟ ଲେଖାଯିବ ସୁଦ୍ଧା କୌଣସି କ୍ଷୟକ୍ଷତିର ରିପୋର୍ଟ ହସ୍ତଗତ ହୋଇନାହିଁ । ସୁନାମୀ ଆଲର୍ଟ ଜାରି ହୋଇଛି।
ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କ ମାମଲା ପରିଚାଳନା: ପ୍ୟାନେଲରେ ୧୮ ଓଡ଼ିଆ ଆଇନଜୀବୀ
ସର୍ବୋଚ୍ଚ ନ୍ୟାୟାଳୟରେ ଓଡ଼ିଶା ସରକାରଙ୍କ ମାମଲା ପରିଚାଳନା ପାଇଁ ୬୯ ଜଣ ଆଇନଜୀବୀ ପ୍ୟାନେଲଭୁକ୍ତ ହୋଇଛନ୍ତି । ଏଥିରେ ୧୮ ଓଡ଼ିଆ ଆଇନଜୀବୀ ଅଛନ୍ତି । ରାଜ୍ୟରେ ମୋହନ ଚରଣ ମାଝୀ ସରକାର ଗଠନର ୧୬ ମାସ ପରେ ସର୍ବୋଚ୍ଚ ନ୍ୟାୟାଳୟରେ ଓଡ଼ିଶା ସରକାରଙ୍କ ଆଇନଜୀବୀ ପ୍ୟାନେଲ ପୁନର୍ଗଠିତ ହୋଇଛି । ବରିଷ୍ଠ ଆଇନଜୀବୀ ତାଲିକାରେ ୨୧ ଜଣ, ଆଡ଼ଭୋକେଟ ଅନ ରେକର୍ଡ ତାଲିକାରେ ୨୮ ଜଣ ଏବଂ ଆର୍ଗୁଇିଂ କାଉନସେଲ ତାଲିକାରେ ୨୦ ଜଣ ଅଛନ୍ତି ।
SI ପରୀକ୍ଷା ବିଭ୍ରାଟରେ ଆଉ ଜଣେ ଗିରଫ
ରାଜ୍ୟରେ ସବ-ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷାରେ ହୋଇଥିବା କଥିତ ଘୋଟାଲା ଅଭିଯୋଗରେ ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ପ୍ରଶ୍ନପତ୍ର ଲିକ୍ ସନ୍ଦେହରେ କର୍ତ୍ତୃପକ୍ଷ ପୂର୍ବରୁ ନିଯୁକ୍ତି ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି ଏବଂ ପୋଲିସ ଏହି ଘଟଣାରେ ୧୧୪ ଜଣ ଏସଆଇ ପ୍ରାର୍ଥୀଙ୍କ ସମେତ ୧୧୭ ଜଣଙ୍କୁ ଗିରଫ କରିଛି।
ବାଲିଯାତ୍ରା ପାଇଁ ୧୩ରୁ ଆରମ୍ଭ ହେବ ପ୍ଲଟ ନିଲାମୀ ପ୍ରକ୍ରିୟା
ଐତିହାସିକ କଟକ ବାଲିଯାତ୍ରା-୨୦୨୫ରେ ଷ୍ଟଲ ଖୋଲିବା ନିମନ୍ତେ ପ୍ଲଟ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଛି। ଏହା ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ୧୩ ତାରିଖର ପ୍ଲଟ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
୫୫ ଦାଦନ ଶ୍ରମିକ ଉଦ୍ଧାର: ଚାଲାଣ ଯୋଜନା ଭଣ୍ଡୁର
ରାଜ୍ୟ ବାହାରକୁ ଚାଲାଣ ହେବା ପୂର୍ବରୁ ବଲାଙ୍ଗୀରଜିଲ୍ଲା କଣ୍ଟାବାଞ୍ଜି ପୁଲିସ ସ୍ଥାନୀୟ ଦାଦନ ସର୍ଦ୍ଦାର ବେଦପ୍ରକାଶ ବେହେରାଙ୍କ ଘରୁ ୫୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି। ଉଦ୍ଧାର ଶ୍ରମିକମାନେ ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ତୁରେକେଲା ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ୨୫ ଜଣ ପୁରୁଷ, ୧୬ ଜଣ ମହିଳା ଓ ୧୪ ଜଣ ଛୋଟ ପିଲା ରହିଛନ୍ତି। ବଲାଙ୍ଗୀର ଶ୍ରମ କାର୍ଯ୍ୟାଳୟରୁ ଅଧିକାରୀମାନେ ଆସି ସମସ୍ତ ଦାଦନ ଶ୍ରମିକମାନଙ୍କ କାଗଜପତ୍ର ଯାଞ୍ଚ କରୁଛନ୍ତି।
ଆମେରିକାରେ ଭାରତୀୟଙ୍କୁ ଗୁଳି କରି ହତ୍ୟା
ଶୁକ୍ରବାର ରାତିରେ ଟେକ୍ସାସର ଡାଲାସରେ ଏକ ପେଟ୍ରୋଲ ପମ୍ପରେ କାମ କରୁଥିବା ୨୮ ବର୍ଷୀୟ ଭାରତୀୟ ଛାତ୍ର ଚନ୍ଦ୍ରଶେଖର ପୋଲଙ୍କୁ ଜଣେ ଅଜ୍ଞାତ ବନ୍ଧୁକଧାରୀ ଗୁଳି କରି ହତ୍ୟା କରିଛନ୍ତି। ଠିକ୍ ଗୋଟିଏ ମାସ ପୂର୍ବରୁ ସେହି ସହରରେ ଆଉ ଜଣେ ଭାରତୀୟ ଚନ୍ଦ୍ର ମୌଲି ନାଗାମଲ୍ଲାୟାହଙ୍କୁ ନିର୍ମମ ଭାବରେ ମୁଣ୍ଡ କାଟି ହତ୍ୟା କରାଯାଇଥିଲା।
କଫ ସିରଫ ମାମଲା: ଜଣେ ଗିରଫ
ମଧ୍ୟପ୍ରଦେଶର ଛିନ୍ଦୱାଡ଼ାର ପରସିଆରେ ୧୦ ଜଣ ପିଲାଙ୍କ ମୃତ୍ୟୁ ଘଟଣାରେ ପୋଲିସ ଡାକ୍ତର ପ୍ରବୀଣ ସୋନିଙ୍କୁ ଗିରଫ କରିଛି। ପିଲାମାନେ କୋଲଡ୍ରିଫ୍ କଫ୍ ସିରପ୍ ଖାଇବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ସରସନ ଫାର୍ମାସ୍ୟୁଟିକାଲ୍ସ ଏବଂ ଡାକ୍ତର ସୋନିଙ୍କ ବିରୋଧରେ ବେଆଇନ ଭାବରେ ସିରପ୍ ଦେବାର ଅଭିଯୋଗ ହୋଇଛି।
ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ
ଶନିବାର ଦିନ ବିସିସିଆଇ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତର ODI ଏବଂ T20 ଦଳ ଘୋଷଣା କରିଛି। ଟେଷ୍ଟ ଏବଂ T20 ଆନ୍ତର୍ଜାତୀୟରୁ ଅବସର ନେଇଥିବା ଅଭିଜ୍ଞ ବ୍ୟାଟସମ୍ୟାନ୍ ରୋହିତ ଶର୍ମା ଏବଂ ବିରାଟ କୋହଲି ODI ଦଳର ସ୍ଥାନ ପାଇଛନ୍ତି। ୩୮ ବର୍ଷୀୟ ରୋହିତ ମଧ୍ୟ ଆଉ ଦଳର ଅଧିନାୟକତ୍ୱ କରିବେ ନାହିଁ। ତାଙ୍କ ସ୍ଥାନରେ ଯୁବ ବ୍ୟାଟସମ୍ୟାନ୍ ଶୁଭମନ ଗିଲଙ୍କୁ ODI ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି।