)
1-ଆଜି ମଣ୍ଡପରେ ଚାଲିଛି ମହାମାୟୀଙ୍କ ମହାଅଷ୍ଟମୀ ପୂଜା। ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ମଣ୍ଡପ ବୁଲି ମାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
2-ଓଡ଼ିଶା ରାଜନୀତିରୁ ଆସିଲା ବଡ଼ ଦୁଃଖଦ ଖବର। ପ୍ୟାରୀମୋହନ ମହାପାତ୍ରଙ୍କ ପତ୍ନୀ ପ୍ରତିଭା ମହାପାତ୍ରଙ୍କ ପରଲୋକ ହୋଇଛି। ଭୁବନେଶ୍ବରରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିବା ସୂଚନା ମିଳିଛି।
3-ରାଜ୍ୟରେ ଆସନ୍ତା ୫ ଓ ୬ ତାରିଖରେ ହେବାକୁ ଥିବା ପୁଲିସ ଏସ୍ଆଇ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। କିଛି ଅପ୍ରତ୍ୟାଶିତ ଘଟଣାକ୍ରମକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ପକ୍ଷରୁ କୁହାଯାଇଛି। ତେବେ ଏହି ପରୀକ୍ଷା ପୁଣିଥରେ କେବେ ହେବ ତାହା କୁହାଯାଇ ନାହିଁ। ଏ ବାବଦରେ ସୂଚନା ଦିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ବୋର୍ଡର ଅଧ୍ୟକ୍ଷ ଏ ବାବଦରେ ଏକ ନୋଟିସ୍ ପ୍ରକାଶ କରିଛନ୍ତି।
4-ଆଜି ଅଷ୍ଟମୀରେ ଆଣ୍ତାମାନ୍ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ଓ ସଂଲଗ୍ନ ବଙ୍ଗୋପସାଗରରେ ନବମୀରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆଜିଠାରୁ ବର୍ଷା ବଢିବ। ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶାରେ ହାଲୁକାରୁ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୩୦ ରୁ ୪୦ କିମି ବେଗରେ ପବନ ବହିବ।
5-ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ଖୁବଶିଘ୍ର ଭାରତ ଓ ଭୁଟାନ୍ ମଧ୍ୟରେ ପ୍ରଥମ ଥର ପାଇଁ ରେଳ ସେବା ଆରମ୍ଭ ହେବାକୁ ଯାଇଛି। ଏଥିଲାଗି ୨ଟି ରେଳ ଲାଇନ୍ ବିଛାଇବାକୁ ଘୋଷଣା ହୋଇଛି। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୋମବାର କହିଛନ୍ତି ଯେ, ଏହି ରେଳ ଲାଇନ୍ ଆସାମ୍ ର କୋକ୍ରାଝାରକୁ ଭୁଟାନ୍ ର ଗେଲେଫୁ ସହର ଓ ପଶ୍ଚିମବଙ୍ଗର ବନାରହାଟକୁ ଭୁଟାନର ସମେତ୍ସେ ସହ ଯୋଡିବ। କୋକ୍ରାଝାର-ଗେଲେଫୁ ଲାଇନ୍ ପ୍ରାୟ ୭୦ କିମି ଲମ୍ବା ହେବ।
6-ମଙ୍ଗଳବାର ଦିନ ଭାରତୀୟ ଇଲେକ୍ଟ୍ରିକ୍ ମୋବିଲିଟି ସେକ୍ଚର ଏକ ଇତିହାସ ରଚିଛି। ଓମେଗା ସେକି ମୋବିଲିଟି (OSM) ବିଶ୍ୱର ପ୍ରଥମ ସ୍ୱୟଂଚାଳିତ ବୈଦ୍ୟୁତିକ ତିନି ଚକିଆ ଯାନ "ସ୍ୱୟଙ୍ଗତି" ଲଞ୍ଚ କରିଛି। ଏହାର ମୂଲ୍ୟ ମାତ୍ର ୪ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଏହି ଯାନଟି ଏବେ ବାଣିଜ୍ୟିକ ବ୍ୟବହାର ପାଇଁ ପ୍ରସ୍ତୁତ। ଜାଣନ୍ତୁ ଏହା ବିଷୟରେ ସବୁକିଛି।
7-ଶ୍ରୀମନ୍ଦିରର ୧ କିଲୋମିଟର ପରିଧି ଓ ବଡ଼ଦାଣ୍ଡରେ ରହିବନି ମଦ ଦୋକାନ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ବିଶେଷକରି,ବଡ଼ଦାଣ୍ଡ ଏବଂ ସଂଯୋଗ କରୁଥିବା ଛୋଟ ଛୋଟ ରାସ୍ତାରେ ଆମିଷ ବିକ୍ରି ବନ୍ଦ ହୋଇଛି।
8- ଆଜିଠାରୁ ICC ମହିଳା ODI ବିଶ୍ୱକପ୍ ୨୦୨୫ ଆରମ୍ଭ ହୋଇୃଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଶ୍ରୀଲଙ୍କା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। କହି ରଖୁଛୁ ଯେ ଭାରତ ଏବଂ ଶ୍ରୀଲଙ୍କା ଏହି ଟୁର୍ଣ୍ଣାମେଣ୍ଟର ମିଳିତ ଆୟୋଜକ।
9-ପାକିସ୍ତାନର କ୍ୱେଟା ସହରରେ ଥିବା ସେନା ମୁଖ୍ୟାଳୟରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏହାପରେ ଅଚାନକ ଗୁଳିମାଡ଼ ହୋଇଥିଲା। ବିସ୍ଫୋଟ ଏତେ ଭୟଙ୍କର ଥିଲା ଯେ ଏହା ନିକଟସ୍ଥ ମଡେଲ ସହର ଓ ପାଖ ଆଖ ଅଞ୍ଚଳରେ ଶୁଣିବାକୁ ମିଳିଥିଲା। ଏହି ବିସ୍ଫୋରଣରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୨ ଜଣ ଆହତ ହୋଇଥିବା ସୂଚନା ମିଳିଛି।
10-ଆଗାମୀ ଅକ୍ଟୋବର ୧୧ ତାରିଖରୁ ୧୫ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ହେବାକୁ ଥିବା ୨୮ତମ ଏସୀୟ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍ ପାଇଁ ଭାରତର ଟେବୁଲ୍ ଟେନିସ୍ କିମ୍ବଦନ୍ତୀ ଅଚନ୍ତ ଶରତ କମଲଙ୍କୁ ବ୍ରାଣ୍ଡ ଆମ୍ବାସଡର ଭାବରେ ମନୋନୀତ କରାଯାଇଛି । ୨୨ଟି ଶ୍ରେଷ୍ଠ ଏସୀୟ ଦଳକୁ ନେଇ ଆୟୋଜିତ ହେବାକୁ ଥିବା ଏହି ଚର୍ଚ୍ଚିତ ମହାଦେଶୀୟ ଟୁର୍ଣ୍ଣାମେଣ୍ଟ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରତିଯୋଗିତା,ଯାହା ୨୦୨୬ ମସିହାରେ ଲଣ୍ଡନରେ ହେବାକୁ ଥିବା ବିଶ୍ୱ ଦଳଗତ ଟେବୁଲ ଟେନିସ୍ ଚାମ୍ପିଅନସିପ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗ୍ୟତା ପଥ ଭାବରେ ପ୍ରମାଣିତ ହେବ।