)
1.Afghanistan Earthquake News: ରବିବାର ମଧ୍ୟରାତ୍ରିରେ ଆଫଗାନିସ୍ତାନର ପୂର୍ବ ଅଞ୍ଚଳରେ ଭୟଙ୍କର ଭୂମିକମ୍ପ ହୋଇଛି । ଏହି ଭୂକମ୍ପରେ ଅତି କମରେ 800 ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏଥିସହ 2500 ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତାଲିବାନ ସରକାରଙ୍କ ଜଣେ ମୁଖପାତ୍ର ସୋମବାର ଏନେଇ ସୂଚନା ଦେଇଛନ୍ତି। ରିକ୍ଟର ସ୍କେଲରେ 6.0 ତୀବ୍ରତାର ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ କୁନାର ପ୍ରଦେଶରେ ଥିଲା । ଭୂମିକମ୍ପ ଅନେକ ଅଞ୍ଚଳକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଥିଲା ।
2.Odisha News:ଏଥର ରାଜଧାନୀ ଭୁବନେଶ୍ୱରରେ ଦୁର୍ଗା ପୂଜା ଭସାଣରେ ଡିଜେ ବାଜିବନି କି ବାଣ ଫୁଟିବନି । କେବଳ ସେତିକି ନୁହେଁ, ଲେଜର ଲାଇଟ୍ କୁ ମଧ୍ୟ ମନା କରାଯାଇଛି । କେବଳ ପାରମ୍ପରିକ ବାଜାରେ ମା’ଙ୍କ ଭସାଣ ହେବ ବୋଲି ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି। ପୂର୍ବରୁ ପାର୍ବଣରେ ପୂଜା କରିବାକୁ ବେଆଇନ୍ ଭାବେ ଚାନ୍ଦା ମାଗୁଥିବା ବ୍ୟକ୍ତିଙ୍କୁ ସାବଧାନ କରାଯାଇଛି । କଟକରେ ବେଆଇନ ଚାନ୍ଦା ଆଦାୟକାରୀଙ୍କୁ ସାବାଡ୍ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି ପୋଲିସ୍। କଟକ ଡିସିପି ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଗଗତ କରିଥିଲେ।
3.Ramon Magsaysay Award 2025: 'ଏଜୁକେଟ୍ ଗାର୍ଲ୍ସ', ନାମକ ଏକ ଭାରତୀୟ ଅଣଲାଭକାରୀ ସଂସ୍ଥା ଯାହା ଦୂରଦୂରାନ୍ତ ଗ୍ରାମାଞ୍ଚଳରେ ସ୍କୁଲ ବାହାରେ ଥିବା ଝିଅମାନଙ୍କୁ ଶିକ୍ଷା ପ୍ରଦାନ କରିଥାଏ, ଏହାକୁ ୨୦୨୫ ରମନ ମ୍ୟାଗାସେସେ ପୁରସ୍କାର ବିଜେତା ଭାବରେ ଘୋଷଣା କରାଯାଇଛି, ଫାଉଣ୍ଡେସନ୍ ରବିବାର ଦିନ ଏହି ଘୋଷଣା କରିଛି। ରମନ ମ୍ୟାଗସେସେ ପୁରସ୍କାର ଫାଉଣ୍ଡେସନ୍ (RMAF) ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ପ୍ରଥମ ଭାରତୀୟ ସଂଗଠନ ଭାବରେ ରାମନ ମ୍ୟାଗସେସେ ପୁରସ୍କାର ପାଇ ଇତିହାସ ରଚିଛି ଏହି ସଙ୍ଗଠନ।
4.Ama Bus: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ଓଡ଼ିଶା ଯାତ୍ରୀ’ ଆପ୍ରେ ଏଣିକି ଚିଲିକାରେ ନୌବିହାର ଏବଂ ଆମ ବସ୍ ସେବା ବୁକିଂ କରି ହେବ। ଏହି ଦୁଇ ସେବାକୁ ‘ଓଡ଼ିଶା ଯାତ୍ରୀ’ ଆପ୍ରେ ସଂଯୋଗ କରି ରାଜ୍ୟରେ ଏକ ସମନ୍ୱିତ ଯାତ୍ରୀସେବା ଆଡ଼କୁ ମୁହାଁଇଛି ନଗର ଉନ୍ନୟନ ବିଭାଗ। ଅର୍ଥାତ୍ ସହରାଞ୍ଚଳ ବସ୍ ସେବା ଲାଗି ବା ଟ୍ୟାକ୍ସି ସେବା ଲାଗି ଆଉ ଭିନ୍ନ ଭିନ୍ନ ଆପ୍ ମୋବାଇଲରେ ରଖିବା ଆବଶ୍ୟକ ରହିବ ନାହିଁ।
5.Dharmendra Pradhan-Mohan Charan Majhi: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତଥା ବର୍ତ୍ତମାନର ବିଜେପି ସଂଗଠନ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବୁଝାମଣା ହୋଇଥିବା ଆଲୋଚନା ହେଉଛି। ପ୍ରାୟ ଦେଢ଼ ବର୍ଷର ବ୍ୟବଧାନ ପରେ ଏହି ବୁଝାମଣା ସଂଗଠନରେ ଥିବା ଅଚଳାବସ୍ଥାକୁ ଦୂର କରିପାରେ। ଏପରିକି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଥିବା ଅଚଳାବସ୍ଥା ଦୂର ହେବ ଏବଂ କିଛି ନେତାଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ। ଏହାସହ ନିଗମ ଅଧ୍ୟକ୍ଷ ପଦବୀରେ ମଧ୍ୟ ଅନେକ ହାରୁ ପ୍ରଭାବଶାଳୀ ନେତାଙ୍କୁ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।
6.Mahua Moitra: ତୃଣମୂଳ କଂଗ୍ରେସ ସାଂସଦ ମୋହୁଆ ମୋଇତ୍ର ଏକ ବିବାଦରେ ଫସିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ବୟାନ ଦେବା ପାଇଁ ଭାରତୀୟ ଦଣ୍ଡ ସଂହିତା (BNS)ର ଧାରା 196 ଏବଂ 197 ଅନୁଯାୟୀ ମାନା କ୍ୟାମ୍ପ ପୋଲିସ ଷ୍ଟେସନରେ ମହୁଆ ମୋଇତ୍ରାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି।
7.Maobadi: ଧ୍ୱଂସ ହେଲା ମାଓ ଶିବିର, ଭୁଶୁଡ଼ିଲା ଲାଲ ଗଡ଼। ମାଲକାନଗିରି ଛତିଶଗଡ ସିମାନ୍ତ ନାରାୟଣପୁରଜିଲ୍ଲାର ଆବୁଝମାଡ ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳି ବିନିମୟ ହୋଇଛି। ଏନକାଉଣ୍ଟର ରେ କିଛି ମାଓବାଦୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ଘଟଣା ସ୍ଥଳରୁ ଶତାଧିକ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ ହୋଇଛି। ଯାହା ମଧ୍ୟରେ ରହିଛି LMG, AK-47, INSAS, SLR ଓ ଷ୍ଟେନ୍ ଗନ୍ ଭଳି ଅନେକ ଅତ୍ୟାଧୁନିକ ବନ୍ଧୁକ।
8.Weather Report: ରାଜ୍ୟରେ ଏବେ ସକ୍ରିୟ ରହିଛି ମୌସୁମୀ। ପୁଣି ଆସୁଛି ଲଘୁଚାପ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏ ନେଇ ମଙ୍ଗଳବାର ସେପ୍ଟେମ୍ବର ୨ ତାରିଖରେ ସମସ୍ତ ୩୦ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ଆଲର୍ଟ ଜାରି ହୋଇଥିବା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ ୩୦-୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।
9.Bubaneswar: ନୂଆ ଭୁବନେଶ୍ବର ଘୋଷଣାକୁ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରତିକ୍ରିୟା। ଗିଫ୍ଟ ସିଟି ଧୋଲେରା ଢାଞ୍ଚାରେ ହେବ ନୂଆ ଭୁବନେଶ୍ବର ସହର। ମଳିପଡ଼ା, ଦାସପୁର, ଅନ୍ଧାରୁଆ ଓ ଗୋଠପାଟଣାକୁ ନେଇ ହେବ ନୂଆ ସହର। ସିଙ୍ଗାପୁର ସରକାର ଏହାର ଡ୍ରଇଙ୍ଗ୍ ଓ ଡିଜାଇନ୍ ପ୍ରସ୍ତୁତ ଦାୟିତ୍ବ ନେଇଛନ୍ତି। ନୂଆ ସହରରେ ଆଇଟି ପାର୍କ, ମେଡିକାଲ ସୁବିଧା, ବ୍ୟବସାୟିକ ପ୍ରତିଷ୍ଠାନ ରହିବ। ନୂଆ ସହରରେ ଶିଳ୍ପ ସଂସ୍ଥାକୁ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।
10.PM Modi: ପ୍ରଧାନମନ୍ତ୍ରୀ ମୋଦି ଓ ରୁଷିଆ ରାଷ୍ଟ୍ରପତି ପୁଟିନ୍ଙ୍କ ମଧ୍ୟରେ ଆଲୋଚନା। ଚୀନ୍ ତିଆନଜିନ୍ SCO ସମ୍ମିଳନୀରେ ଯୋଗ ଦେବା ପରେ ଆଲୋଚନା। ଦ୍ବିପାକ୍ଷିକ ଆଲୋଚନାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିକ୍ରିୟା। ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଶୀଘ୍ର ସମାପ୍ତ ହେଉ ବୋଲି କାମନା କରିଛନ୍ତି। ଭାରତ ସର୍ବଦା ଶାନ୍ତି ସପକ୍ଷରେ, ସଂଘର୍ଷ ସମାପ୍ତ ମାନବିକତା ପାଇଁ ଭଲ। କଠିନ ସମୟରେ ରୁଷିଆ ଓ ଭାରତ ସର୍ବଦା ଏକାଠି ଠିଆ ହୋଇଛନ୍ତି। ବିଶ୍ବରେ ଶାନ୍ତି ଓ ସ୍ଥିରତା ପାଇଁ ଦୁଇ ଦେଶର ଭୂମିକା ଗୁରୁତ୍ବପୂର୍ଣ୍ଣ।