Top 10 News Today: ଆଜି ଅଧରପଣା ନୀତି, ଗୋଣ୍ଡାରେ ଓଲଟିଲା ଦିବ୍ରୁଗଡ଼ ଏକ୍ସପ୍ରେସ ଏବଂ ଅନ୍ୟ ଅପଡେଟ
Advertisement
Article Detail0/zeeodisha/odisha2341838

Top 10 News Today: ଆଜି ଅଧରପଣା ନୀତି, ଗୋଣ୍ଡାରେ ଓଲଟିଲା ଦିବ୍ରୁଗଡ଼ ଏକ୍ସପ୍ରେସ ଏବଂ ଅନ୍ୟ ଅପଡେଟ

Top 10 News Today: ଚୁଟକୀରେ ପଢି ନିଅନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ଆଜି ଅଧରପଣା ନୀତି, ଗୋଣ୍ଡାରେ ଓଲଟିଲା ଦିବ୍ରୁଗଡ଼ ଏକ୍ସପ୍ରେସ ଏବଂ ଅନ୍ୟ ଅପଡେଟ

H1. ଆଜି ଅଧରପଣା ନୀତି
ଆଜି ମହାପ୍ରଭୁଙ୍କ ପବିତ୍ର ଅଧରପଣା ନୀତି। ସନ୍ଧ୍ୟା ବେଳେ ରଥାରୁଢ଼ ଠାକୁରଙ୍କ ପାଖରେ ଲାଗି ହେବ ଅଧରପଣା। ଏଥିପାଇଁ ପ୍ରତି ରଥରେ ଶ୍ରୀଜିଉମାନଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ପ୍ରସ୍ତୁତ କରାଯାଇଥାଏ। ସର, କଦଳୀ, ଛେନା, ଗୋଲମରିଚ, ଗୁଣ୍ଡ କର୍ପୁର, ଜାଇଫଳ ଆଦି ସାମଗ୍ରୀରେ ପ୍ରସ୍ତୁତ ୯ଟି  ଅଧର ହାଣ୍ଡିକୁ ରଥରେ ଥିବା ପାର୍ଶ୍ବ ଦେବଦେବୀ ଓ ଚଣ୍ଡି ଚାମଣ୍ଡାଙ୍କ ତୃପ୍ତି ଉଦ୍ଦେଶ୍ୟରେ ଭଙ୍ଗାଯାଇଥାଏ। ଆଜି ରାତି ୮ଟାରେ ଅଧରପଣା ନୀତି ଶେଷ ହେବ। ଏହା ପରେ ରାତି ୯ଟାରେ ମହାସ୍ନାନ ଓ ପରେ ରାତି ୧୦ଟାରେ ମଇଲମ ଓ ବେଶ ହେବ। ରାତି ସାଢ଼େ ୧୦ଟାରେ ସଂଧ୍ୟା ଆଳତି ହୋଇ ଅନ୍ୟାନ୍ୟ ନୀତିକାନ୍ତି କରାଯିବ। 

H2. ଶୁଭ ମୁହୂର୍ତ୍ତରେ ଖୋଲିଲା ଭିତର ରତ୍ନ ଭଣ୍ଡାର
ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ଆଜି ପୂର୍ବାହ୍ନ ୯ଟା ୫୧ ମିନିଟ୍‌ରେ ଖୋଲିଛି ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର । ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ବାହାର କରାଯାଇ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌କୁ ନିଆଯିବ। ଭିତର ରତ୍ନ ଭଣ୍ଡାର ଖୋଲିବା ନିମନ୍ତେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଟେକନିକାଲ୍ ଟିମ୍ ଶ୍ରୀମନ୍ଦିର ଭିତରେ ରହିଛନ୍ତି। ଓଡ୍ରାଫ୍, ଅଗ୍ନିଶମ ଏବଂ ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ବି ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ଲାଇଟ୍, କଟର, ଜେନେରେଟର୍, ଫାୟାର୍ ମାସ୍କ, ମେଟାଲ୍ ଡିଟେକ୍ଟର ସବୁ ଭିତରକୁ ଯାଇଛି। ଗତ ରବିବାର ବାହାର ରତ୍ନଭଣ୍ଡାର ଖୋଲି ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର ହୋଇଥିବା ବେଳେ, ଆଜି ଭିତର ଭଣ୍ଡାରର ପାଳି।

H3. ରତ୍ନଭଣ୍ଡାରରୁ ବାହାରକୁ ଆସି ସୂଚନା ଦେଲେ ଗଜପତି
ପୂର୍ବ ନିର୍ଦ୍ଧାରିତ ଶୁଭ ମୁହୂର୍ତ୍ତରେ ଆଜି ଖୋଲାଯାଇଛି ଭିତର ରତ୍ନଭଣ୍ଡାର। ଗଜପତି ମହାରାଜ ମଧ୍ୟ ଭିତର ରତ୍ନଭଣ୍ଡାର ଭିତରକୁ ଯାଇଥିଲେ। ରତ୍ନଭଣ୍ଡାର ଭିତରୁ ବାହାରକୁ ଆସି ଗଜପତି କହିଥିଲେ, ଅସ୍ଥାୟୀ ‘ଖଟଶେଯ’ ଘରକୁ ଅଳଙ୍କାର ଗୁଡ଼ିକ ସ୍ଥାନାନ୍ତର କରାଯାଉଛି। ଆମେ ଆଶା କରୁଛୁ ମହାପ୍ରଭୁଙ୍କ କୃପାରୁ ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର ପ୍ରକ୍ରିୟା ସରିବ। ବାହାର ରତ୍ନ ଭଣ୍ଡାରର ଆଲମାରି ଓ ସିନ୍ଦୁକକୁ ବାହାରକୁ ନିଆଯାଇ ସଫାସୁତରା କରାଯାଇଛି। ଭିତରେ ରତ୍ନ ଭଣ୍ଡାରରେ ଥିବା ଆଲମାରି ଓ ସିନ୍ଦୁକ ସେପରି ରହିଛି। କିଛି ସମୟ ମଧ୍ୟରେ ଭିତର ରତ୍ନ ଭଣ୍ଡାରର ଆଲମାରି ଓ ସିନ୍ଦୁକ ଗୁଡ଼ିକ ଘୁଞ୍ଚା ଯିବା ପ୍ରକିୟା ଆରମ୍ଭ ହେବ। ବାହାର ରତ୍ନଭଣ୍ଡାରର ସାମଗ୍ରୀ ଚାଙ୍ଗଡ଼ା ଘର ଓ ଫୁଲ ଘରେ ରଖାଯାଇଛି। କଡ଼ା ସୁରକ୍ଷା ବଳୟ ଭିତରେ ଅଳଙ୍କାର ଗୁଡ଼ିକ ରଖାଯାଇଛି। ସେଠାରେ ସିସିଟିଭି ଲଗାଯାଇଛି। 

H4. ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଲାଇନଚ୍ୟୁତ
ଚଣ୍ଡିଗଡ଼-ଦିବ୍ରୁଗଡ ଏକ୍ସପ୍ରେସର ପାଞ୍ଚଟି ବଗି ଗୁରୁବାର ୟୁପିର ଗୋଣ୍ଡାଠାରେ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ରେଳବାଇ ଏବଂ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି।ଗୋଣ୍ଡା-ଗୋରଖପୁର ରେଳ ଲାଇନର ମୋତିଗଞ୍ଜର ପାଇକରା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ଚଣ୍ଡିଗଡ଼-ଦିବ୍ରୁଗଡ ଏକ୍ସପ୍ରେସର ପାଞ୍ଚଟି ବଗି ଓଲଟି ପଡିଛି। ବର୍ତ୍ତମାନ ସୁଦ୍ଧା ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ରେଳବାଇ ଏବଂ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆହତମାନଙ୍କୁ ରେଳ ଡାକ୍ତରଖାନାକୁ ଅଣାଯାଉଛି।

H5. ଏସସିବିରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ
ଗତ କିଛି ଦିନ ହେଲା ଅସୁସ୍ଥ ହୋଇ ପଡ଼ିଥିବା ପଦ୍ମଶ୍ରୀ କମଳା ପୂଜାରୀ କଟକ ଏସସିବି ମେଡିକାଲରେ ଭତ୍ତି ହୋଇଛନ୍ତି। ଆଜି ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ଅଣାଯାଇ ଏସସିବର ମେଡ଼ିସିନ ବିଭାଗରେ ଭର୍ତ୍ତି କରାଯାଇଛି। ଏସସିବି ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଚାଲିଛି। କିଡନୀ ଜନିତ ସମସ୍ୟା ସହ ଜ୍ୱର ରୋଗରେ ଆକ୍ରାନ୍ତ ହୋଇଛନ୍ତି କମଳା ପୂଜାରୀ। ଏସସିବି ମେଡ଼ିସିନ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ଏକ ଚାରିଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି।

H6. ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ହେଲେ ଅରିନ୍ଦମ ଡାକୁଆ
କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ମୁଖ୍ରମନ୍ତ୍ରୀ ମୋହନ ମାଝିଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ କରାଯାଇଛି। ଅତିରିକ୍ତ ସଚିବ ଭାବେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ନିଯୁକ୍ତି ଦିଆଯାଇଛି। ସାଧାରଣ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। 

H7. ସୁପ୍ରିମକୋର୍ଟକୁ ମିଳିଲା ୨ ନୂଆ ବିଚାରପତି
ଜମ୍ମୁ କାଶ୍ମୀର ହାଇକୋର୍ଟର ପ୍ରଧାନ ବିଚାରପତି ଏନ. କୋଟିଶ୍ୱର ସିଂ ଗୁରୁବାର ଦିନ ସୁପ୍ରିମକୋର୍ଟର ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ଏବଂ ମଣିପୁରରୁ ସୁପ୍ରିମକୋର୍ଟକୁ ଉନ୍ନୀତ ହୋଇଥିବା ପ୍ରଥମ ବିଚାରପତି ହୋଇଛନ୍ତି। ମାଡ୍ରାସ ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଆର. ମହାଦେବନ୍ ସୁପ୍ରିମକୋର୍ଟର ବିଚାରପତି ଭାବରେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟ କମ୍ପ୍ଲେକ୍ସରେ ଆୟୋଜିତ ଏକ ସମାରୋହରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୁ଼ଡ଼ ଉଭୟ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ। ଏହା ସହ ସୁପ୍ରିମକୋର୍ଟରେ CJI ସମେତ ବିଚାରପତିଙ୍କ ସଂଖ୍ୟା ବର୍ତ୍ତମାନ ୩୪ ରେ ପହଞ୍ଚିଛି ଓ ସମସ୍ତ ପଦ ପୂର୍ଣ୍ଣ ହୋଇଛି।

H8. ପାରାଦୀପରେ ଶ୍ରମିକ ଅଶାନ୍ତି
ପାରାଦୀପରେ ଥ‌ିବା ବିଅର ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଜୋରଜବରଦସ୍ତ କମ୍ପାନୀରୁ ବାହାର କରି ଦିଆଯାଇଛି। ଯାହାକୁ ନେଇ ଶ୍ରମିକ ଅଶାନ୍ତି ଦେଖାଦେଇଛି । ଏନେଇ କମ୍ପାନୀରେ କାର୍ଯ୍ୟରତ ଶ୍ରମିକମାନେ କମ୍ପାନୀ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଛନ୍ତି। ଶ୍ରମିକମାନଙ୍କୁ କିଛି ନଜଣାଇ କିମ୍ବା ସଂଘ ରେ କୌଣସି ସୂଚନା ନଦେଇ ଶ୍ରମିକ ମାନଙ୍କୁ ଛଟେଇ କରା ଯାଉଛି ବୋଲି ଶ୍ରମିକ ମାନେ ଅଭିଯୋଗ ଆଣିଛନ୍ତି। ଶ୍ରମିକ ମାନଙ୍କ ପ୍ରତି ବିଭିନ୍ନ ସମୟରେ ଧମକ ଚମକ ଦିଆ ଯାଉଛି ବୋଲି ଧାରଣାରେ ବସିଥିବା କର୍ମଚାରୀ ମାନେ ଅଭିଯୋଗ ଆଣିଥିବା ବେଳେ କମ୍ପାନୀ ତରଫରୁ ସଠିକ ସମୟରେ ଇପିଏଫ୍ ଓ ଇଏସ୍ଆଇ ଭରା ଯାଉନାହିଁ। 

H9. ଆଜି ରାଜ୍ୟ କ୍ୟାବିନେଟ
ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏଥିରେ କୃଷି ସମ୍ପର୍କିତ ଏକ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି। ଆଜି ମଧ୍ୟ ମନ୍ତ୍ରୀ ପରିଷଦ ବୈଠକ ରହିଛି। ସକାଳ ୯ଟା ୩୦ରେ ଏହି ବୈଠକ ବସିବ। ବଜେଟ ଅଧିବେଶନ ପୂର୍ବରୁ ବସିବ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଆସନ୍ତା ୨୫ ତାରିଖରେ ବିଧାନସଭାରେ ଆଗତ ହେବ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍।

H10. ଯୁବକଙ୍କୁ ବେକାରୀ ଭତ୍ତା
ଦ୍ୱାଦଶ ପାସ କରିଥିବା ଯୁବକଙ୍କୁ ମହାରାଷ୍ଟ୍ର ସରକାର ମାସିକ ୧୦ ହଜାର ଟଙ୍କା ଯାଏ ଭତ୍ତା ଦେବେ ମହାରାଷ୍ଟ୍ର ସରକାର। ଏଥିଲାଗି ଏକ ‘ଲାଡ୍‍ଲା ଭାଇ’ ଯୋଜନା ଆରମ୍ଭ କରିଛନ୍ତି। ଯେଉଁମାନେ ଦ୍ୱାଦଶ ପାସ୍‍ କରିଛନ୍ତି ସେମାନଙ୍କୁ ମାସିକ ୬ ହଜାର, ଡିପ୍ଲୋମାଧାରକଙ୍କ ଲାଗି ୮ ହଜାର ଏବଂ ସ୍ନାତକ ଶେଷ କରିଥିବା ଛାତ୍ରଙ୍କ ଲାଗି ୧୦ ହଜାର ଟଙ୍କାର ଭତ୍ତା ପ୍ରଦାନ ଲାଗି ସରକାର ପ୍ରସ୍ତାବ ଅନୁମୋଦନ କରିଛନ୍ତି।