Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
)
ଆଜି ସୁନାବେଶ, ଦୋଳ ଓ ହୋଲି
ଆଜି ପବିତ୍ର ଦୋଳ ପୂର୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପବିତ୍ର ଦୋଳ ଉତ୍ସବ ପାଳିତ ହେଉଛି । ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ ,ଭୂଦେବୀ ଓ ଶ୍ରୀଦେବୀ ମଣି ବିମାନରେ ବସି ଦୋଳବେଦୀକୁ ବିଜେ କରିବା ସହ ଭକ୍ତ ଓ ସେବାୟତ ମାନଙ୍କ ସହ ମିଶି ଫଗୁ ଓ ଅବିରରେ ହୋଲି ଖେଳିବେ। ପରମ୍ପରା ଅନୁସାରେ ଆଜି ଦୋଳବେଦୀରେ ମହାପ୍ରଭୁ ଭକ୍ତ ମାନଙ୍କୁ ଦର୍ଶନ ଦେବେ। ଅନ୍ୟପଟେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ରତ୍ନ ସିଂହାସନ ଉପରେ ସକାଳୁ ମହାପ୍ରଭୁ ସୁନାବେଶରେ ସଜିତ ହୋଇ ଭକ୍ତଗଣଙ୍କୁ ଦର୍ଶନ ଦେଉଛନ୍ତି। ଅନ୍ୟପଟେ ଗତକାଲି ରାତିରେ ଦୋଳବେଦୀରେ ମହାପ୍ରଭୁଙ୍କ ମେଣ୍ଢାପୋଡି ନୀତି ଶେଷ ହୋଇଛି।
ବାହାରିଲା OJS ପରୀକ୍ଷା ଫଳ
ପ୍ରକାଶ ପାଇଲା OJS ପରୀକ୍ଷା ଫଳ। ଏଥର ମଧ୍ୟ ବାଜି ମାରିଛନ୍ତି ମହିଳା। ପରୀକ୍ଷାରେ ୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। କୃତକାର୍ଯ୍ୟଙ୍କ ମଧ୍ୟ୍ୟରେ ଅଛନ୍ତି ୨୪ ଜଣ ଛାତ୍ରୀ। ନୟାଗଡ଼ ଖଣ୍ଡପଡାର ସୋମେଶ ରଣବିଜୁଳି ଟପ୍ପର ହୋଇଛନ୍ତି। ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୮ ଜଣ ଝିଅ ରହିଛନ୍ତି। ୨୦୨୩ ମସିହାରେ ହୋଇଥିଲା ପରୀକ୍ଷା। ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ (ଓପିଏସସି) ୱେବସାଇଟରେ ଓଜେଏସ୍ ପରୀକ୍ଷା ପରୀକ୍ଷା ଫଳ ପ୍ରକାଶ କରାଯାଇଛି। ତେବେ ସୋମେଶ ରଣବିଜୁଳି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟରେ ଅଛନ୍ତି ଅରୁଣିମା ପତି, ପାୟଲ ଆତ୍ତା ତୃତୀୟ ସ୍ଥାନରେ ରହିଛନ୍ତି।
ବଜେଟ୍ରୁ ରୁପି ସିମ୍ବଲ୍ ବଦଳାଇଲେ ଷ୍ଟାଲିନ ସରକାର
ତାମିଲନାଡ଼ୁ ବଜେଟରେ ବଦଳିଲା ରୁପି ସିମ୍ବଲ୍ । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସହ ତୁତୁ ମେମେ ଓ ଭାଷା ବିବାଦ ଭିତରେ ରୁପି ବା ଟଙ୍କା ଚିହ୍ନ (₹) ବଦଳାଇବାକୁ ପଦକ୍ଷେପ ନେଇଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ । ସାରା ଦେଶରେ ପ୍ରଚଳିତ ରୁପି ସିମ୍ବଲକୁ ହଟାଇ, ତାମିଲ ଅକ୍ଷର 'ରୁ'କୁ ସେ ୨୦୨୫-୨୬ ରାଜ୍ୟ ବଜେଟ୍ ସଂପର୍କିତ ପ୍ରମୋସନାଲ୍ ମ୍ୟାଟେରିଆଲରେ ସ୍ଥାନିତ କରିଛନ୍ତି ।
ଚଣ୍ଡିଖୋଲ ଜଙ୍କସନ୍ର ଉନ୍ନତିକରଣ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମୀକ୍ଷା
ଗମନାଗମନ ଏବଂ ପରିବହନ ଦୃଷ୍ଟିରୁ ବର୍ତ୍ତମାନ ଯାଜପୁର ଏବଂ ଚଣ୍ଡିଖୋଲ ଅଞ୍ଚଳରେ ଟ୍ରାଫିକ୍ ବ୍ୟବସ୍ଥାର ସୁଦୃଢ଼ିକରଣ ପାଇଁ ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମୀକ୍ଷା। ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ଆମେ ବିକଶିତ ରାଜ୍ୟ ଗଠନର ଲକ୍ଷ୍ୟ ରଖିଥିବାବେଳେ ଏଥି ଲାଗି ଆବଶ୍ୟକ ରାସ୍ତାଘାଟ ଏବଂ ଟ୍ରାଫିକ୍ ସମସ୍ୟାକୁ ସୁଧାରିବାକୁ ପଡ଼ିବ । ଖରାପ ରାସ୍ତା ଏବଂ ଟ୍ରାଫିକ ସମସ୍ୟା ଯୋଗୁଁ ସମୟ ଅପଚୟ ସହ ବାରମ୍ବାର ରାସ୍ତା ଦୁର୍ଘଟଣା ଘଟଣା ସାମ୍ନାକୁ ଆସୁଛି ।
ଜଳିବ ପଶ୍ଚିମ ଓଡ଼ିଶା; ୪ଦିନ ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ
ରାଜ୍ୟରେ ଉପରମୁହାଁ ପାରଦ। ଆସନ୍ତା ୪ ଦିନ ତାତିରୁ ମିଳିବନି ତ୍ରାହି। ୧୭ ତାରିଖ ଯାଏଁ ତାତିରୁ ମିଳିବନି ନିସ୍ତାର। ଏନେଇ ଆଜି ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁ଼ଡିକ ହେଲା, କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ମୟୂରଭଞ୍ଜ, ଝାରସୁଗୁଡ଼ା, ଅନୁଗୁଳ, ବୌଦ୍ଧ, କେନ୍ଦୁଝର, ସୋନପୁର। ଗତକାଲି ଝାରସୁଗୁଡ଼ା ଓ ସମ୍ବଲପୁରରେ ସର୍ବାଧିକ ୩୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଥରିଲା ଜମ୍ମୁ କାଶ୍ମୀର, ତିବ୍ରତା ୫.୨ ରିକ୍ଟର
ଶୁକ୍ରବାର ସକାଳେ ମଧ୍ୟ ଲଦାଖର କାରଗିଲରେ ୫.୨ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ସମୟରେ ଜମ୍ମୁ-କାଶ୍ମୀରରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଭୂମିକମ୍ପଟି ରାତି ୨. ୫୦ ମିନିଟରେ ହୋଇଥିଲା। ଯାହାର କେନ୍ଦ୍ର ୧୫ କିଲୋମିଟର ଗଭୀରରେ ଥିଲା। ଲେହ ଏବଂ ଲଦାଖ ଉଭୟ ଦେଶର ଭୂକମ୍ପୀୟ ଜୋନ୍-୪ ରେ ପଡ଼ିଥାଏ, ଏହି ଜୋନ୍ ଭୂମିକମ୍ପ ଦୃଷ୍ଟିକୋଣରୁ ବହୁତ ବିପଜ୍ଜନକ ବୋଲି ବିବେଚନା କରାଯାଏ।
କଟକରେ ବନ୍ଧୁକ କାରଖାନା: ଖତ ଗାଡ଼ିଆରୁ ୨୯ ବନ୍ଧୁକ ଜବତ
କଟକରେ ପୁଣି ଠାବ ହୋଇଛି ବେଆଇନ ବନ୍ଧୁକ ତିଆରି କାରଖାନା। କଟକ ବୟାଳିଶମୌଜାର ଧୂଳେଶ୍ବର ଗାଁରେ ସିଢ଼ୁଆ ନଦୀ କୂଳରେ ବିହାରୀ ବନ୍ଧୁକ ମିସ୍ତ୍ରିଙ୍କ ଦ୍ବାରା ଚାଲୁଥିବା ଏକ ବଡ଼ ବନ୍ଧୁକ କାରଖାନାକୁ କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍ ଠାବ କରିଛି। ବୁଧବାର ବିଳମ୍ବିତ ରାତିରେ ଏସ୍ଟିଏଫ୍ ଚଢ଼ଉ କରି ସଂପୃକ୍ତ ଘରମାଲିକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। କାରଖାନା ପଛପଟ ଖତ ଗାଡ଼ିଆରୁ ଚାରିଟି ବସ୍ତାରେ ଥିବା ୨୯ଟି ୭ ଏମ୍ଏମ୍ ପିସ୍ତଲ ଜବତ ହୋଇଥିବା ବେଳେ କାରଖାନାରୁ ୨୯ଟି ମାଗାଜିନ୍, ୮୦ଟି ବନ୍ଧୁକର ଉପର ଅଂଶ, ୧୪ଟି ସ୍ଲାଇଡ୍, ୩୬ଟି ଗ୍ରିପ୍, ୧୫ଟି ବ୍ୟାରେଲ୍, ୧୪ଟି ଲୁହା ବାର୍, ମୋଟର ସହିତ ଗୋଟିଏ ଲୋଡ୍ ମେସିନ୍, ଗୋଟିଏ ମିଲିଂ ମେସିନ୍, ଗୋଟିଏ ଡ୍ରିଲିଂ ମେସିନ୍, ଗ୍ରାଇଣ୍ଡର ଇତ୍ୟାଦି ଜବତ ହୋଇଛି।
ହାଇକୋର୍ଟରେ ସିପାହି/କନେଷ୍ଟବଳ ନିଯୁକ୍ତି ମାମଲା
ସିପାହି/କନେଷ୍ଟବଳ ପଦ ପୂରଣ ପାଇଁ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟା ଆଗେଇ ପାରିବ ନାହିଁ। ୨୦୨୪ ସେପ୍ଟେମ୍ବର ୨୨ର ନିଯୁକ୍ତି ବିଜ୍ଞପ୍ତି ଆଧାରରେ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୦କୁ ଧାର୍ଯ୍ୟ କରିଛନ୍ତି। ଆଜି ହାଇକୋର୍ଟରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଯୁକ୍ତି ଉପସ୍ଥାପନ କରାଯାଇଥିବା ବେଳେ ପରବର୍ତ୍ତୀ ଶୁଣାଣି ସମୟରେ ପ୍ରତିପକ୍ଷ ଯୁକ୍ତି ରଖିବେ। ପ୍ରାର୍ଥୀଙ୍କ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ ପାଇଁ ଜଣିକିଆ ଖଣ୍ଡପୀଠ ପ୍ରଦାନ କରିଥିବା ୨୦୨୪ ଡିସେମ୍ବର ୫ର ରାୟ ବିରୋଧରେ ରାଜ୍ୟ ସରକାର ଦାୟର କରିଥିବା ରିଟ୍ ଅପିଲ୍ର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣ ଯୋଜନାର ସର୍ଭେ
ରାଜ୍ୟରେ ଜାନୁଆରୀ ୨୪ରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣ ଯୋଜନାର ସର୍ଭେ ମାର୍ଚ୍ଚ ୩୧ ତାରିଖ ଯାଏଁ ଚାଲିବ। ଏନେଇ ସୂଚନା ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି ବର୍ତ୍ତମାନ ସୁଦ୍ଧା ସର୍ଭେରେ ୧୯ ଲକ୍ଷ ପଞ୍ଜୀକରଣ ହୋଇଛି। ଶେଷ ତାରିଖକୁ ଆହୁରି ୧୭, ୧୮ ଦିନ ଥିବାରୁ ଅଧିକ ଲୋକ ସାମିଲ୍ ହେବାର ସମ୍ଭାବନା ରହିଛି।
ଭୁବନେଶ୍ୱର ଉପକଣ୍ଠରେ ଯୁବକଙ୍କୁ ହତ୍ୟା
ସାଇକେଲ ଚୋରି ସନ୍ଦେହରେ ଜଣେ ବ୍ୟକ୍ତି ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ଜଣେ ଯୁବକଙ୍କୁ ହାଣିଛନ୍ତି। ଘଟଣାସ୍ଥଳରେ ଯୁବକଙ୍କ ପ୍ରାଣବାୟୁ ଉଡି ଯାଇଛି। ମୃତ ଯୁବକ ଜଣକ ହେଲେ ବାଲିଅନ୍ତା ପଞ୍ଚାୟତ ଅଣ୍ଡିଲୋ ୫ ନମ୍ବର ୱାର୍ଡର ସୌମ୍ୟରଞ୍ଜନ ଭୋଇ(୩୨) ଓରଫ ମିଲୁ । ତାଙ୍କୁ ରକ୍ଷା କରିବାକୁ ଯାଇ ମା' ମୀନା ଭୋଇ ଗୁରୁତର ଆହତ ହୋଇଛି। ମୀନାଙ୍କ ଅଣ୍ଟା ଓ ହାତରେ ଖଣ୍ଡା ଚୋଟ ବାଜିଛି। ଏତିକିରେ ଆକ୍ରମଣକାରୀର ଆତଙ୍କ ଥମିନଥିଲା। ବାଲିଅନ୍ତା ଥାନା ପୁଲିସ ଏହି ଘଟଣାରେ ତରୁଣ ଭୋଇ ଓରଫ ଟିମ (୪୮) ନାମକ ଯୁବକକୁ ଗିରଫ କରିଛି।