Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
ଆଜିଠୁ ସକାଳୁଆ ସ୍କୁଲ
ସାରା ରାଜ୍ୟରେ ଆଜିଠୁ ସକାଳୁଆ ସ୍କୁଲ। ଅସହ୍ୟ ଖରା ଓ ଗୁଳୁଗୁଳି ପାଇଁ ତାରିଖ ଓ ସମୟରେ ପରିବର୍ତ୍ତନ କରାଯାଇଛି। ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୬ଟା ୩୦ରୁ ସ୍କୁଲ ଖୋଲି ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିବ। ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍ ହୋଇଛି। ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ ହେବ ବୋଲି ଦିନକ ତଳେ ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଥିଲା। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତାରିଖ ଓ ସମୟରେ ପରିବର୍ତ୍ତନ କରାଯାଇଛି। ଖରାକୁ ଦୃଷ୍ଟିରେ ରଖି ସ୍କୁଲ୍ଗୁଡିକରେ ପିଇବା ପାଣି ବ୍ୟବସ୍ଥା ଏବଂ ପର୍ଯ୍ୟାପ୍ତ ଓଆରଏସ୍ ପ୍ୟାକେଟ୍ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ ଦେଇଛି ବିଭାଗ।
୩୦ ଜଣ ମାଓ ନିପାତ
ଛତିଶଗଡରେ ଗର୍ଜିଲା ଯବାନଙ୍କ ବନ୍ଧୁକ। ଦୁଇଟି ଭିନ୍ନ ଭିନ୍ନ ଏନକାଉଣ୍ଟରରେ ଟଳି ପଡିଳେ ୩୦ କ୍ୟାଡର ମାଓବାଦୀ। ବିଜାପୁର ଜିଲ୍ଲା ଗାଙ୍ଗାଲୁର ଜଙ୍ଗଲରେ ୨୬ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ କାଙ୍କେର ଜିଲ୍ଲାରେ ୪ଜଣ ମାଓବାଦୀଙ୍କୁ ନିପାତ କରିଛନ୍ତି ଯବାନ। ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ସମ୍ପୂର୍ଣ୍ଣ ଭାରତକୁ ମାଓମୁକ୍ତ କରିବା ଦିଗରେ କେନ୍ଦ୍ର ସରକାର ଲକ୍ଷ ରଖି ଥିବା ବେଳେ ଯବାନଙ୍କ ସାହସିକତାକୁ ପ୍ରଶଂସା ଟ୍ବିଟ୍ କରି ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
ନବ ଦାସ ହତ୍ୟାକାଣ୍ଡ: ମୂଳରୁ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ
ନବ ଦାସ ହତ୍ୟାକାଣ୍ଡରେ ଆକ୍ସନରେ କ୍ରାଇମବ୍ରାଞ୍ଚ୍ । ତଦନ୍ତକାରୀ ଟିମ୍ ବ୍ରଜରାଜନଗର ଗାନ୍ଧୀ ଛକ ସ୍ଥିତ କ୍ରାଇମସ୍ପଟ୍ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି । ଏଥିସହ ଗାନ୍ଧୀ ଛକରେ ଥିବା ଗୋପାଳ ଦାସ ଭାଇଙ୍କ ହୋଟେଲର ମାଲିକଙ୍କୁ ପଚରାଉଚରା କରିଛି । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡୋଳାମଣି ପଟେଲଙ୍କ ସହ ଏକାଧିକ ଡାକ୍ତର ଓ କର୍ମଚାରୀଙ୍କ ବୟାନ ରେକର୍ଡ କରିଛି ।
କାଳବୈଶାଖି ବର୍ଷା ସମ୍ଭାବନା, ଏହିସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି
ରାଜ୍ୟରେ ଆସନ୍ତା ଦୁଇ ଦିନ କାଳବୈଶାଖି ଲାଗି ରହିବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସବୁ ଜିଲ୍ଲାକୁ ସତର୍କ କରାଯାଇଛି। ତେବେ, ଆସନ୍ତୁ ଜାଣିବା ଆଜି କେଉଁସବୁ ଜିଲ୍ଲାରେ କାଳବୈଶାଖିର ସମ୍ଭାବନା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆଜି ଅପରାହ୍ନରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଂଜରେ କାଳବୈଶାଖି ହେବାର ସମ୍ଭାବନା ରହିଛି। ସେହିପରି, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ସୋନପୁର,ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ତି, କନ୍ଧମାଳ,ନବରଙ୍ଗପୁର,ରାୟଗଡା, କୋରାପୁଟ୍ , ମାଲକାନଗିରିରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।
ହନିଟ୍ରାପରେ ୪୮ ନେତା
କର୍ଣ୍ଣାଟକରେ ସମବାୟ ମନ୍ତ୍ରୀ କେ ଏନ ରାଜନ୍ନା ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି କି ରାଜ୍ୟର ୪୮ ନେତା ହନିଟ୍ରାପର ଶିକାର ହୋଇଚନ୍ତି। ଏପରିକି ତାଙ୍କ ଉପରେ ମଧ୍ୟ ହନିଟ୍ରାପ ଉଦ୍ୟମ ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏହି ଘଟଣାର ତଦନ୍ତ ଦାବି କରିବା ପରେ ଗୃହମନ୍ତ୍ରୀ ଜି ପରମେଶ୍ୱର ଉକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବଜେଟ ଅଧିବେସନ ଆଲୋଚନା ସମୟରେ ବିଜୟପୁରା ବିଧାୟକ ବସନଗୌଡା ପାଟିଲ ୟତନଲ ଏହି ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ରାଜ୍ୟରେ ସମବାୟ ମନ୍ତ୍ରୀଙ୍କୁ ହନିଟ୍ରାପ କରିବା ପାଇଁ ଉଦ୍ୟମ ହୋଇଥିଲା।
ଓଡ଼ିଶାର ମୁଖ୍ୟ ମହାଡାକପାଳ ହେଲେ ନିର୍ମଳଜିତ ସିଂ
ଓଡ଼ିଶାର ମୁଖ୍ୟ ମହାଡାକପାଳ ଭାବେ ନିଯୁକ୍ତି ହେଲେ ୧୯୯୭ ବ୍ୟାଚର ବରିଷ୍ଠ ଭାରତୀୟ ଡାକ ସେବା ଅଧିକାରୀ ନିର୍ମଳଜିତ ସିଂ । ସେ ଓଡ଼ିଶା ଡାକ ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଶ୍ରୀ ସିଂଙ୍କର ଭାରତୀୟ ଡାକ ସେବା କ୍ଷେତ୍ରରେ ଜାଜ୍ଜୁଲ୍ୟମାନ କ୍ୟାରିଅର ରହିଛି । ସେ ଓଡ଼ିଶା ଡାକ ପରିମଣ୍ଡଳରେ ଅଭିନବ ନେତୃତ୍ୱ ଓ ପରିଚାଳନାଗତ ଉତ୍କର୍ଷତା ଆଣିପାରିବେ ବୋଲି ଆଶା କରାଯାଉଛି ।
ବିଶ୍ୱ ଖୁସି ତାଲିକାରେ ଭାରତ
ବିଶ୍ୱ ଖୁସି ତାଲିକାର ୧୧୮ତମ ସ୍ଥାନରେ ଭାରତ ରହିଛି । ଗୁରୁବାର ଅନ୍ତର୍ଜାତୀୟ ବିଶ୍ୱ ଖୁସି ଦିବସରେ ପ୍ରକାଶିତ ହୋଇଛି ଚଳିତ ବର୍ଷର ଖୁସି ରିପୋର୍ଟ । ଅକ୍ସଫୋର୍ଡ ୟୁନିଭର୍ସିଟି, ଓ୍ବେଲ୍ବିଙ୍ଗ୍ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ମିଳିତ ଭାବେ ଏହି ବାର୍ଷିକ ରିପୋର୍ଟ ପ୍ରକାଶ ପାଇଛି। ଗତବର୍ଷ ଭାରତ ୧୨୬ତମ ସ୍ଥାନରେ ରହିଥିଲା । ଫିନ୍ଲାଣ୍ଡ କ୍ରମାଗତ ଅଷ୍ଟମ ବର୍ଷ ପାଇଁ ସବୁଠୁ ଖୁସି ଦେଶ ରହିଥିବା ବେଳେ ଡେନ୍ମାର୍କ, ଆଇସ୍ଲାଣ୍ଡ ଏବଂ ସୁଇଡେନ୍ ଶୀର୍ଷ ୪ଟି ସ୍ଥାନ ବଜାୟ ରଖିଛନ୍ତି।
ଓଲଟିଲା ବରଯାତ୍ରୀ ଗାଡି
ଓଲଟିଲା ବରଯାତ୍ରୀ ଗାଡି । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି । ଆଜି ଭୋରରୁ କଳାହାଣ୍ଡି ଜିଲ୍ଲାର ୨୬ ନଂ ଜାତୀୟ ରାଜପଥ କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ବରଯାତ୍ରୀ ଗାଡି ଭାରସାମ୍ୟ ହରାଇ ଓଲଟି ପଡିଛି । ଦୁର୍ଘଟଣାର ମୃତ ବ୍ୟକ୍ତି ଜଣକ ହେଲେ ଡ୍ରାଇଭର । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ଭୁବନେଶ୍ୱରରୁ ଗୋଆକୁ ଉଡିବ ବିମାନ
ଓଡ଼ିଶା ରାଜଧାନୀ ଏବଂ ଗୋଆ ମଧ୍ୟରେ ସିଧାସଳଖ ବିମାନ ସେବା ୧ ଏପ୍ରିଲରୁ ଆରମ୍ଭ ହେବ। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ପ୍ରକାଶ କରାଯାଇଛି। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA) ଏବଂ ଗୋଆର ଡାବୋଲିମ୍ ବିମାନବନ୍ଦର ମଧ୍ୟରେ ସିଧାସଳଖ ବିମାନ ସେବା ୧ ଏପ୍ରିଲରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ଓଡ଼ିଶା ସରକାରଙ୍କ ନୂତନ ଗନ୍ତବ୍ୟ ନୀତି ଅନୁଯାୟୀ ସପ୍ତାହରେ ଚାରି ଦିନ – ମଙ୍ଗଳବାର, ବୁଧବାର, ଗୁରୁବାର ଏବଂ ଶନିବାର – ପାଇଁ ବିମାନ ସେବା ଯୋଗାଇବ। ଏହି ପଦକ୍ଷେପ ପର୍ଯ୍ୟଟନ, ବାଣିଜ୍ୟ ଏବଂ ଅନ୍ୟାନ୍ୟ ଆର୍ଥିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ।
ଅଲଗା ହେଲେ ଚହଲ ଓ ଧନଶ୍ରୀ
କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ଛାଡପତ୍ରକୁ କୋର୍ଟ ମଞ୍ଜୁରୀ ଦେଇଛନ୍ତି। ଗୁରୁବାର ଦିନ ମୁମ୍ବାଇ ଫ୍ୟାମିଲି କୋର୍ଟ ଏହି ମାମଲାରେ ରାୟ ଦେଇଛନ୍ତି। କ୍ରିକେଟର ଏବଂ ତାଙ୍କ ପୂର୍ବତନ ପତ୍ନୀ ଅପରାହ୍ନରେ ବାନ୍ଦ୍ରା ପରିବାର କୋର୍ଟରେ ପହଞ୍ଚିଥିଲେ। ବମ୍ବେ ହାଇକୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଏହି ମାମଲାର ଶୁଣାଣି ଏଠାରେ ହେବାର ଥିଲା। ଆଇପିଏଲରେ ପଞ୍ଜାବ କିଙ୍ଗ୍ସ ସହିତ ଚହଲଙ୍କ ପ୍ରତିବଦ୍ଧତାକୁ ବିଚାର କରି କୋର୍ଟ ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ନିଷ୍ପତ୍ତି ସମୟରେ ଚହଲ ଏବଂ ଧନଶ୍ରୀ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଉପସ୍ଥିତ ଥିଲେ।