Advertisement
Article Detail0/zeeodisha/odisha2668403
Zee OdishaTop 10 NewsTop 10 News Today: ମାର୍ଚ୍ଚ ଆରମ୍ଭରୁ କଲବଲ କଲାଣି ତାତି, ଜଗତସିଂହପୁରରେ ଟ୍ରିପଲ ମର୍ଡର ଓ ସକାଳର ୧୦ ବଡ଼ ଖବର

Top 10 News Today: ମାର୍ଚ୍ଚ ଆରମ୍ଭରୁ କଲବଲ କଲାଣି ତାତି, ଜଗତସିଂହପୁରରେ ଟ୍ରିପଲ ମର୍ଡର ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today: ମାର୍ଚ୍ଚ ଆରମ୍ଭରୁ କଲବଲ କଲାଣି ତାତି, ଜଗତସିଂହପୁରରେ ଟ୍ରିପଲ ମର୍ଡର ଓ ସକାଳର ୧୦ ବଡ଼ ଖବର

ମାର୍ଚ୍ଚ ଆରମ୍ଭରୁ କଲବଲ କଲାଣି ତାତି, ୫ ସହରରେ ୩୮ ଡିଗ୍ରୀ ପାର୍
ମାର୍ଚ୍ଚ ଆରମ୍ଭରୁ ଟାଇଁ ଟାଇଁ ଖରା। ୫ଟି ସହରରେ ତାପମାତ୍ରା ୩୮ ଡିଗ୍ରୀ ପାର୍। ଜନ ଜୀବନ ଅସ୍ତବ୍ୟସ୍ତ । ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରେକର୍ଡ ହୋଇଛି। ଆଗାମୀ ୨ଦିନ ଯାଏ ବଢିବ ତାପମାତ୍ରା। ବିଶେଷ କରି ଉପକୂଳ ଜିଲ୍ଲାମାନଙ୍କରେ ତାତି ଅଧିକ ରହିବ। ଗତକାଲି ବୌଦ୍ଧ ଓ ବଲାଙ୍ଗିରରେ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ରେକର୍ଡ଼ ହୋଇଥିବା ବେଳେ ୧୦ ସହରରେ ତାତି ୩୭ ଡିଗ୍ରୀ ସେଲସିୟସ୍ ପାର୍ କରିଥିଲା। ଝାରସୁଗୁଡ଼ା ଓ ପାରଳାଖେମୁଣ୍ଡିରେ ତାତି ୩୮.୬ ଡିଗ୍ରୀ ରହିବା ସହ ସବୁଠୁ ତତଲା ପାଲଟିଛି। ୮ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଖରା ପାଇଁ ବିଏମସିର ନୂଆ ଗାଇଡ ଲାଇନ
ବଢୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଜାରି କରିଛି ଭୁବନେଶ୍ବର ମହାନଗର ନିଗମ । ବିଏମସିର ନିଷ୍ପତ୍ତି ଅନୁସାରେ, ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ କାମ ବନ୍ଦ ରହିବ । ଏହି ସମୟରେ ଶ୍ରମିକଙ୍କୁ କାମ କରାଇଲେ ମିଳିବ ଦଣ୍ଡ । ଏନେଇ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ସମସ୍ତ ରାଜସ୍ୱ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି । ଆଗକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବା ନେଇ ଆଶଙ୍କା ଥିବାରୁ ଏପରି ନିର୍ଦ୍ଦେଶ ଜାରି କରିଛି ବିଭାଗ । ଯଦି କୌଣସି କାର୍ଯ୍ୟ ଜରୁରୀ ମନେ ହୁଏ କିମ୍ବା ଅତ୍ୟାବଶ୍ୟକୀୟ ସେବା ସହ ଜଡିତ ତେବେ ସତର୍କମୂଳକ ପଦକ୍ଷେପ ନିଆଯିବ । ଏହା ସହ ସହରର ବିଭିନ୍ନ ସ୍ଥାନରେ ପାନୀୟ ଜଳସେବା କେନ୍ଦ୍ର ଖୋଲାଯିବ । ପଶୁପକ୍ଷୀଙ୍କ ପାଇଁ ପାଣି ବ୍ୟବସ୍ଥା କରାଯିବ । ସେହିପରି ଅଂଶୁଘାତ ପୀଡିତଙ୍କ ଚିକିତ୍ସା ପାଇଁ ସମସ୍ତ ହସ୍ପିଟାଲ ପ୍ରସ୍ତୁତ ରହିବ । 

ଜଗତସିଂହପୁରରେ ଟ୍ରିପଲ ମର୍ଡର: ପରିବାରର ୩ ଜଣଙ୍କୁ ହତ୍ୟା
ଜଗତସିଂହପୁର ସହରରେ ଜଘନ୍ଯ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର ତିନି ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଘଟଣା ଘଟିଛି ଜଗତସିଂହପୁର ସହର ଜୟବଡ଼ ଅଞ୍ଚଳରେ। ମୃତକମାନେ ହେଲେ କାଳିଆ ଓରଫ୍ ପ୍ରଶାନ୍ତ ସେଠୀ,  ତାଙ୍କ ପତ୍ନୀ କନକଲତା ସେଠୀ ଓ ଝିଅ ରୋଜାଲିନ। ସାନପୁଅ ସୂର୍ଯ୍ୟକାନ୍ତ ସେଠୀ ଏହି ଜଘନ୍ଯ କାଣ୍ଡ ଘଟାଇଛି। ରାତି ପ୍ରାୟ ୨ଟାରୁ ସାଢେ ୨ଟା ଭିତରେ ଏହି ଘଟଣା ଘଟିଛି। ଭିତରେ ପଥର ଓ ବାହାରେ ହେମ ଦସ୍ତା ପୁଆ ପଡ଼ିଥିବାରୁ ସେଥିରେ ମୁଣ୍ଡକୁ ଛେଚି ହତ୍ୟା କରାଯାଇଥିବା ଜଣାପଡ଼ିଛି। ତିନିଟି ମୃତଶରୀର ରକ୍ତ ଜୁଡୁବୁଡୁ ହୋଇଥିବା ବେଳେ ମୁଣ୍ଡ ନଷ୍ଟ ହୋଇଯାଇଛି। ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସେଠୀକୁ ଜଗତସିଂହପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରୁ ଗିରଫ କରାଯାଇଛି।

Add Zee News as a Preferred Source

ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ
ରଥଯାତ୍ରା ପାଇଁ ପ୍ରସ୍ତୁତି ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କଲାଣି। ଆଜି ଏକ ଜିଲ୍ଲାସ୍ତରୀୟ ବୈଠକରେ ବିଭିନ୍ନ ବିଷୟକୁ ନେଇ ଆଲୋଚନା ହୋଇଛି। ଚଳିତ ରଥଯାତ୍ରାରେ ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବ ବୋଲି ପୁରୀ ଏସ୍‌ପି କହିଛନ୍ତି । ସେହିପରି ରଥଯାତ୍ରା ପାଇଁ ଏକ ସ୍ବତନ୍ତ୍ର ‘ଆପ୍ ’ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । ସବୁ ବିଭାଗର ତଥ୍ୟକୁ ନେଇ ‘ଆପ୍ ’ ପ୍ରସ୍ତୁତ ହେବ ଏବଂ ଏଥିରୁ ସାଧାରଣ ଭକ୍ତ ସବିଶେଷ ତଥ୍ୟ ପାଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ଏଥିସହ ରଥଯାତ୍ରା ସମୟରେ ସମ୍ବେଦନଶୀଳ ସ୍ଥାନରେ ଲାଗିବ AI କ୍ୟାମେରା ।

ମହେଶକୁ ଏନକାଉଣ୍ଟର; ବାମ ଗୋଡ଼ରେ ବାଜିଛି ଗୁଳି
ସମ୍ବଲପୁରରେ ଫୁଟିଲା ଗୁଳି । ଦୁର୍ଦ୍ଦାନ୍ତ ଅପରାଧୀ ମହେଶ କୁମାରକୁ ଏନକାଉଣ୍ଟର କରିଛି ପୋଲିସ। ମହେଶର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ମହେଶକୁ ପୁଲିସ ପୂର୍ବରୁ ଟ୍ରାକ୍‌ କରୁଥିଲା। ଆଜି ଭୋର୍ ୫ଟା ବେଳେ ଅଇଁଠାପାଲି ଥାନା ଲମଡୁଙ୍ଗୁରୀ ନିକଟରେ ମହେଶ ଥିବା ପୁଲିସ ଜାଣିବାକୁ ପାଇଥିଲା। ପରେ ପୁଲିସ ମହେଶକୁ ଧରିବାକୁ ଉଦ୍ୟମ କରିଥିଲା।

ଏଣିକି ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ
ବିଜେଡି ଶାସନରେ ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପଞ୍ଚାୟତିରାଜ ଦିବସ ପାଳନ ହେଉଥିଲା। ଏହାକୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଉଥିଲା। ହେଲେ ସାରା ଦେଶରେ ଏପ୍ରିଲ ୨୪ରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ହେଉଥିଲା। ରାଜ୍ୟରେ ସରକାର ବଦଳିବା ପରେ ବିଜେଡି ସରକାରର ନିୟମକୁ ହଟାଇ ଦିଆଯାଇଛି। ଏଣିକି ଏପ୍ରିଲ ୨୪ରେ ଓଡ଼ିଶାରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଓସ୍କାର୍‌ ପୁରସ୍କାର: ଅନୋରା ଶ୍ରେଷ୍ଠ ଚଳଚ୍ଚିତ୍ର, ଆଡ୍ରିଏନ୍ ବ୍ରୋଡି ଶ୍ରେଷ୍ଠ ଅଭିନେତା
କାଲିଫର୍ଣ୍ଣିଆର ଲସ୍‌ ଏଞ୍ଜେଲେସ୍‌ଠାରେ ୯୭ତମ ଏକାଡେମି ଆୱାର୍ଡ ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସିନ୍ ବେକରଙ୍କ ଅନୋରା ସିନେମାକୁ ଶ୍ରେଷ୍ଠ ସିନେମା ପୁରସ୍କାର ମିଳିଛି। ଏଥିସହିତ ଆଡ୍ରିଏନ୍ ବ୍ରୋଡି ଏବଂ ମିକି ମାଡିସନ୍‌ଙ୍କୁ ଯଥାକ୍ରମେ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଅନୋରାକୁ  ଭିନ୍ନ ଭିନ୍ନ ବର୍ଗରେ ୫ଟି ପୁରସ୍କାର ମିଳିଛି।ଚଳିତବର୍ଷ ଓସ୍କାର ପୁରସ୍କାର ପ୍ରଦାନ ସମାରୋହକୁ କେନନ୍ ଓବ୍ରାୟନ ସଞ୍ଚାଳନ କରିଥିଲେ। ପ୍ରଥମ ଥର ପାଇଁ ‌ହିନ୍ଦୀରେ କିଛି ଘୋଷଣା କରିଥିଲେ। ଡଲ୍‌ବି ଥିଏଟରରେ ପୁରସ୍କାର ପ୍ରଦାନ ସମାରୋହ ଚାଲିଥିବା ବେଳେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର୍‌ ସ୍କେଲରେ ଏହାର ତୀବ୍ରତା ୩.୯ ରହିଥିଲା। ଉପସ୍ଥିତ ଲୋକମାନେ ଏହାର ଝଟ୍‌କା ମଧ୍ୟ ଅନୁଭବ କରିଥିଲେ।

ଆହ୍ଲାବାଦିଆଙ୍କୁ ସୋ’ କରିବାକୁ ଅନୁମତି
ସୁପ୍ରିମକୋର୍ଟ ସୋମବାର ବିବାଦୀୟ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କୁ ନିଜ ପଡ୍‌କାଷ୍ଟ ‘ଦ ରଣବୀର ସୋ’ ପୁନର୍ବାର ଆରମ୍ଭ ନିମନ୍ତେ ଅନୁମତି ଦେଇଛନ୍ତି। ଏଥିପାଇଁ କିଛି ସର୍ଭ ରହିଛି। କୋର୍ଟ କହିଛନ୍ତି, ଆହ୍ଲାବାଦିଆ ସଭ୍ୟତା ଓ ନୈତିକତା ବଜାୟ ରଖିବା ଉଚିତ। ସୋ’ରେ ମାମଲାକୁ ନେଇ ସେ କୌଣସି ଟିପ୍ପଣୀ ଦେବେନାହିଁ । ଅଶ୍ଳୀଳତା ପ୍ରଦର୍ଶନ ବି କରିବେ ନାହିଁ। ସୁପ୍ରିମକୋର୍ଟ ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କୁ ମିଡିଆ କଣ୍ଟେଣ୍ଟର ନିୟନ୍ତ୍ରଣ ଲାଗି ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ କହିଛନ୍ତି। ରଣବୀରଙ୍କ ମାମଲାର ଶୁଣାଣି କରି ବିଚାରପତି ସୂର୍ଯ୍ୟ କାନ୍ତ ଓ ଏନ୍ କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ କହିଛନ୍ତି, ଅଶ୍ଳୀଳ ଭାଷା ବ୍ୟବହାରକୁ ପ୍ରତିଭା ଭାବେ ବିବେଚନା କରାଯିବା ଉଚିତ ନୁହେଁ। ତେଣୁ ଏହା ଉପରେ ନିୟାମକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ।
 
ସହାୟତା ରୋକିଲେ ଟ୍ରମ୍ପ
ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଏକ ଉତ୍ତେଜନାପୂର୍ଣ୍ଣ ଆଲୋଚନା ପରେ ଆମେରିକା ୟୁକ୍ରେନକୁ ସାମରିକ ସହାୟତା ବନ୍ଦ କରିଦେଇଛି । ନ୍ୟୁଜ୍ ଏଜେନ୍ସି ଏଏଫପି ହ୍ୱାଇଟ୍ ହାଉସ୍ ର ଜଣେ ଅଧିକାରୀଙ୍କ ସୂଚନା ଦେଇ କହିଛି ଯେ ଡୋନାଲ୍ଡ ଟ୍ରମ୍ପ ସୋମବାର ୟୁକ୍ରେନକୁ ସହାୟତା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରମ୍ପଙ୍କ ଏହି ପଦକ୍ଷେପ ପରେ, ରୁଷ ସହିତ ଶାନ୍ତି ଆଲୋଚନା କରିବା ପାଇଁ କିଭ ଉପରେ ଚାପ ଆହୁରି ବୃଦ୍ଧି ପାଇଛି। ହ୍ୱାଇଟ୍ ହାଉସ୍ ର ଜଣେ ଅଧିକାରୀ ଏକ ବିବୃତ୍ତି ଜାରି କରି କହିଛନ୍ତି, "ରାଷ୍ଟ୍ରପତି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ସେ ଶାନ୍ତି ଉପରେ ଧ୍ୟାନ ଦେଉଛନ୍ତି। ଆମର ସହଯୋଗୀମାନଙ୍କୁ ମଧ୍ୟ ଏହି ଲକ୍ଷ୍ୟ ପ୍ରତି ପ୍ରତିଶ୍ରୁତିବଦ୍ଧ ହେବାକୁ ପଡିବ। ଏହି ପଦକ୍ଷେପ ସମାଧାନ ଆଡ଼କୁ ନେଇପାରିବ ସେଥିପାଇଁ ସହାୟତା ବନ୍ଦ କରାଯାଉଛି।"

ଆଜି ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ
ଚାମ୍ପିଆନ୍ସ ଟ୍ରଫିରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଅପରାଜୟ ଭାରତ ଆଜି ସେମିଫାଇନାଲରେ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବ । ଶେଷ ଗ୍ରୁପ୍ ଷ୍ଟେଜ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇବା ପରେ ଅଷ୍ଟ୍ରେଲିଆ ସହ ସେମିଫାଇନାଲ ଟକ୍କର ପାଇଁ ସୂଚୀ ସ୍ଥିର ହୋଇଛି । ଆଜି ସେମିରେ ରୋହିତ ବାହିନୀ କଙ୍ଗାରୁ ଦଳ ସହ ଲଢ଼ିବ । ଆଉ ଯେଉଁ ଟିମ ବିଜୟୀ ହେବ ସେ ଆସନ୍ତା ଆସନ୍ତା ୯ ତାରିଖରେ ଫାଇନାଲ ମ୍ୟାଚ ଖେଳିବ। ଅଷ୍ଟ୍ରେଲିଆ ସହ ଭାରତର ଆଇସିସି ରେକର୍ଡ ସେତେ କିଛି ଖାସ ନାହିଁ । ଏହି କଙ୍ଗାରୁ ଟିମ ୨୦୨୩ ବିଶ୍ୱକପରେ ଭାରତର ଚାମ୍ପିୟନ ହେବାର ସ୍ୱପ୍ନକୁ ଚୂରମାର କରିଦେଇଥିଲା । ଆଉ ଆଜି ସେହି ଟିମ ସହ ଟକ୍କର ଦେବ ଭାରତ । 

About the Author