Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
)
କାଳବୈଶାଖୀ ବର୍ଷା ପାଇଁ ଆଜି ୫ ଜିଲ୍ଲାକୁ ରେଡ ଆଲର୍ଟ
ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ଟ୍ୱିନ ସିଟିରେ କାଳବୈଶାଖୀ ତାଣ୍ଡବ। ବିଜୁଳି ଘଡଘଡି, ଧୂଳିଝଡ଼ ସହ ପ୍ରବଳ ବର୍ଷା ହୋଇଛି। ୬୦ରୁ ୯୦ କିମି ବେଗରେ ଝଡପବନ। ମୟୂରଭଞ୍ଜ ଉଦଳାରେ ସାଙ୍ଘାତିକ କ୍ଷୟକ୍ଷତି ହୋଇଛି। ଆଜି ୫ ଜିଲ୍ଲାକୁ କାଳବୈଶାଖୀ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ସୁନ୍ଦରଗଡ଼, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି। ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ଓ କୁଆପଥର ପଡ଼ିବା ଆଶଙ୍କା ରହିଛି। ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ପର୍ଯ୍ୟନ୍ତ ପବନ ବହିପାରେ।
କଟକ ବ୍ରିଜ ଦୁର୍ଘଟଣା: ମୃତକଙ୍କୁ କ୍ଷତିପୂରଣ ଘୋଷଣା
ଖାନ୍ନଗରରେ ବ୍ରିଜ୍ ନିର୍ମାଣ ସମୟରେ ଆଜି ଘଟିଥିବା ଅଘଟଣରେ ୩ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ଓ ଆହତଙ୍କ ସମସ୍ତ ଚିକିତ୍ସା ମାଗଣାରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜସ୍ଥାନରେ ପାକିସ୍ତାନୀ ରେଞ୍ଜର ଗିରଫ
ଜଣେ ପାକିସ୍ତାନୀ ରେଞ୍ଜରଙ୍କୁ ଗିରଫ କରିଛି ବିଏସଏଫ୍ । ସମ୍ପୃକ୍ତ ପାକିସ୍ତାନୀ ରେଞ୍ଜର ଜଣକ ସୀମା ପାର ହୋଇ ଭାରତ ପଟକୁ ଚାଲିଆସିଥିଲେ । ରାଜସ୍ଥାନର ରାଏସିଂହନଗରରେ ପାକିସ୍ତାନୀ ଯବାନ ଜଣକ ଅନୁପ୍ରବେଶ କରିବା ପରେ ତାଙ୍କୁ ତୁରନ୍ତ ସେଠାରେ ପାଟ୍ରୋଲିଂ କରୁଥିବା ଭାରତୀୟ ସୀମା ସୁରକ୍ଷା ବାହିନୀର ଯବାନ ମାନେ ଧରିପକାଇଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଜଣେ ଭାରତୀୟ ଯବାନ ଭୁଲରେ ପାକିସ୍ତାନ ପଟକୁ ଚାଲିଯାଇଥିବା ବେଳେ ପାକିସ୍ତାନୀ ରେଞ୍ଜରମାନେ ତାଙ୍କୁ ଅଟକ ରଖିଛନ୍ତି ।
ମୋଦୀଙ୍କୁ ଭେଟିଲେ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର୍
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମ ଥର ପାଇଁ, ଜମ୍ମୁ ଏବଂ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏହି ବୈଠକ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହୋଇଥିଲା ଏବଂ ଏହି ବୈଠକ ପ୍ରାୟ ଅଧ ଘଣ୍ଟା ଧରି ଚାଲିଥିଲା। ସୂତ୍ର ଅନୁଯାୟୀ, ଆକ୍ରମଣ ପରେ ସୃଷ୍ଟି ହେଉଥିବା ପରିସ୍ଥିତି ଉପରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।
ଡାଲ ହ୍ରଦରେ ଓଲଟିଲା ଡଙ୍ଗା
ଜମ୍ମୁ ଓ କଶ୍ମୀରର ପ୍ରସିଦ୍ଧ ଡାଲ ହ୍ରଦରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶୁକ୍ରବାର ହ୍ରଦରେ ଏକ ଶିକାରା (ନୌକା) , ଯେଉଁଥିରେ ପର୍ଯ୍ୟଟକମାନେ ଥିଲେ, ସେହି ଡଙ୍ଗାଟି ପ୍ରବଳ ପବନ ଯୋଗୁଁ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଅନେକ ପର୍ଯ୍ୟଟକ ହ୍ରଦକୁ ଖସି ପଡିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଆସିଥିବା ଏକ ଭିଡିଓରେ ଦେଖାଯାଇଛି ଯେ, କେତେକ ଲୋକ ହ୍ରଦ ମଧ୍ୟରେ ସାହାଯ୍ୟ ପାଇଁ ଚିତ୍କାର କରୁଛନ୍ତି। ସ୍ଥାନୀୟ ଲୋକଙ୍କ ସହ ପୋଲିସ ଓ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏକ ରିପୋର୍ଟ ଅନୁସାରେ, ଜଣେବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି, କିନ୍ତୁ ଅନ୍ୟ ଜଣେ ବୁଡି ଯାଇଥିବା ସନ୍ଦେହ କରାଯାଉଛି।
୩୯ ଓଇଏସଙ୍କ ବଦଳି
ଓଡ଼ିଶା ଶିକ୍ଷା ସେବା କ୍ୟାଡରରେ ଅଦଳବଦଳ ହୋଇଛି। ୩୯ ଜଣ ଶିକ୍ଷା ଅଧିକାରୀଙ୍କୁ ବଦଳି କରାଯାଇଛି। ଏହା ମଧ୍ୟରୁ ୨୮ ଜଣ ବ୍ଲକ ଶିକ୍ଷା ଅଧିକାରୀଙ୍କର ବଦଳି ହୋଇଛି। ଭୁବନେଶ୍ୱର ବିଇଓ ଭାବେ ଢେଙ୍କାନାଳ ସଦର ବିଇଓ ବ୍ରହ୍ମାନନ୍ଦ ରାଉତଙ୍କୁ ନିଯୁକ୍ତ ଦିଆଯାଇଛି। ଏଥିସହ କଟକ ଆରଡିଇର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ଅଞ୍ଜୁଲତା ହେବେରାଙ୍କୁ ପଞ୍ଚସଖା ଶିକ୍ଷା ସେତୁର ଅତିରିକ୍ତ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଏନେଇ ଆଜି ବିଦ୍ୟାଲୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
କୋଟିପତି ସିଡିପିଓଙ୍କୁ ଜେଲ
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର କୋଟିପତି ସିଡିପିଓ ଶକୁନ୍ତଳା ଦାସ ଏବଂ ଅଙ୍ଗନବାଡି କର୍ମୀ ମିନତୀ ଖୋସଲାଙ୍କୁ ଲାଞ୍ଚକାରବାରରେ ଜେଲକୁ ପଠାଇ ଦିଆଯାଇଛି। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସ୍ୱତନ୍ତ୍ର କାରାଗାରକୁ ପଠାଇ ଦିଆଯାଇଥିବା ନେଇ ସୂଚନା ରହିଛି। ସିଜିପିଓ ଶ୍ରୀମତୀ ଦାସଙ୍କ ନାଁରେ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ।
ପାରାଦୀପ ବନ୍ଦର ଭିତରେ ମର୍ମନ୍ତୁଦ ଦୁର୍ଘଟଣା: ଦୁଇ ହାଇୱା ଡ୍ରାଇଭର ମୃତ
ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା ଘଟିଛି। ଏଠାରେ ହାଇଓ୍ବାକୁ ଧକ୍କା ଦେଲା ଲୁହାପଥର ବୋଝେଇ ଟ୍ରକ୍। ଦୁଇଜଣ ହାଇଓ୍ବା ଡ୍ରାଇଭର ମୃତ। ଦୁଇ ମୃତକ ହେଲେ ଅସ୍ତରଙ୍ଗର ରତ୍ନାକର ସ୍ବାଇଁ ଓ ଷଣ୍ଢକୁଦର ଚନ୍ଦନ ଜେନା। ଦୁଇ ଡ୍ରାଇଭର ରତ୍ନାକର ସ୍ବାଇଁ ଓ ଚନ୍ଦନ ଜେନା ଏକ ବ୍ରେକ୍ ଡାଉନ୍ ହାଇଓ୍ବାର ମରାମତି କାମ କରୁଥିଲେ । ଏହି ସମୟରେ ଏକ ଟ୍ରକ୍ ସେମାନଙ୍କ ଉପରକୁ ମାଡ଼ିଯାଇଥିଲା। ବନ୍ଦରର ଆଇ ୧୦ ପ୍ଲଟ ସମ୍ମୁଖରେ ଘଟିଥିଲା ଏହି ଅଭାବନୀୟ ଘଟଣା। ଧକ୍କା ଦେଇଥିବା ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛନ୍ତି।
ପୁଣିଥରେ ପାକିସ୍ତାନର ସିଜଫାୟାର
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଦଶମ ଦିନରେ ମଧ୍ୟ ସୀମା ଆରପାରିରୁ ଗୁଳିଚାଳନା ହୋଇଛି। ମେ ୩-୪ ରାତିରେ, ପାକିସ୍ତାନୀ ସେନା ପୋଷ୍ଟଗୁଡ଼ିକ ଜମ୍ମୁ ଓ କାଶ୍ମୀରର କୁପୱାରା, ବାରାମୁଲ୍ଲା, ପୁଞ୍ଚ, ରାଜୌରୀ, ମେନ୍ଧାର, ନୌଶେରା, ସୁନ୍ଦରବାନି ଏବଂ ଅଖନୁର ଆଖପାଖ ଅଞ୍ଚଳରେ ନିୟନ୍ତ୍ରଣ ରେଖା ପାର ହୋଇ ଛୋଟ ଅସ୍ତ୍ରଶସ୍ତ୍ରର ଅକାରଣରେ ଗୁଳିଚାଳନା କରିଥିଲେ। ଭାରତୀୟ ସେନା ଏହି ଗୁଳିମାଡ଼ର ଉଚିତ ଜବାବ ଦେଇଥିଲା।
ଭାରତକୁ ମିଳିଲା ଅଙ୍ଗୋଲାର ସମର୍ଥନ
ପାକିସ୍ତାନ ବିପକ୍ଷରେ ଭାରତକୁ ଆଙ୍ଗୋଲାର ସମର୍ଥନ ମିଳିଛି। ଆଙ୍ଗୋଲା ରାଷ୍ଟ୍ରପତି ଲୁରେନ୍କୋ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି ଏବଂ ଭାରତ ସହିତ ଏକତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପହଲଗାମରେ ଯାହା ଘଟିଲା ତାହା ଏକ ଆତଙ୍କବାଦ କାର୍ଯ୍ୟ ଏବଂ ଆଙ୍ଗୋଲା ଯେକୌଣସି ଆତଙ୍କବାଦକୁ ସ୍ପଷ୍ଟ ଭାବରେ ନିନ୍ଦା କରେ, ତାହା ଯେଉଁଠାରେ ଘଟେ। ଭାରତ ଏବଂ ଆଙ୍ଗୋଲା ସେମାନଙ୍କର ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।