Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ୟୁନିଅନ ପବ୍ଲିକ୍ ସର୍ଭିସ୍ କମିଶନ (UPSC) 2024 ସିଭିଲ୍ ସର୍ଭିସେସ୍ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ଘୋଷଣା କରିଛି। ପ୍ରାର୍ଥୀମାନେ UPSCର ଅଫିସିଆଲ୍ ୱେବସାଇଟ୍ upsc.gov.in କୁ ଯାଇ ରୋଲ୍ ନମ୍ବର ଏବଂ ନାମ ଦ୍ୱାରା ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ସାକ୍ଷାତକାର ଏବଂ ମୁଖ୍ୟ ପରୀକ୍ଷାରେ ପ୍ରାପ୍ତ ମାର୍କ ଆଧାରରେ ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଇଛି। କମିଶନ ମୋଟ ୧୦୦୯ ଜଣ ପ୍ରାର୍ଥୀଙ୍କ ନାମ ସୁପାରିଶ କରିଛନ୍ତି। ଏଥି ମଧ୍ୟରେ ସାଧାରଣ ବର୍ଗରେ ୩୩୫ ଜଣ, ଇଡବ୍ଲୁଏସରେ ୧୦୯ ଜଣ, ଓବିସି ବର୍ଗରେ ୩୧୮ ଜଣଙ୍କୁ, ଏସସି ୧୬୦ ଜଣଙ୍କ ନାମ ସୁପାରିଶ କରିଥିବା ବେଳେ ଏସଟି ବର୍ଗରେ ୮୭ ଜଣଙ୍କ ନାଁକୁ ସୁପାରିଶ କରିଛନ୍ତି ଆୟୋଗ।
Headlines 02- ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଶକ୍ତି ଦୁବେ ଶୀର୍ଷ ସ୍ଥାନରେ ରହିଛନ୍ତି। ଦ୍ୱିତୀୟ ସ୍ଥାନରେ ହର୍ଷିତା ଗୋୟଲ, ତୃତୀୟ ସ୍ଥାନରେ ଡୋଙ୍ଗରେ ଅର୍ଚିତ ପରାଗ, ଶାହା ମାର୍ଗି ଚିରାଗ ଚତୁର୍ଥରେ ରହିଥିବା ବେଳେ ଆକାଶ ଗର୍ଗ ପଞ୍ଚମରେ, ଆୟୁଷୀ ବଂଶର ସପ୍ତମ, କୋମଲ ପୁନିଆ ଷଷ୍ଠ, ରାଜକ୍ରିଷ୍ଣା ଝା ଅଷ୍ଟମ, ଆଦିତ୍ୟ ବିକ୍ରି ଅଗ୍ରୱାଲ ନବମ ଓ ମୟଙ୍କ ତ୍ରିପାଠୀ ଦଶମ ସ୍ଥାନରେ ରହିଛନ୍ତି। ୨୪ ବର୍ଷ ବୟସରେ ଆଜି ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ରିତିକା ରଥ। ଦିଲ୍ଲୀରେ ସ୍କୁଲ୍ କ୍ୟାରିୟର ଶେଷ କରିବା ପରେ ଓଡ଼ିଶାରେ ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି କରି ତୃତୀୟ ଥର ପରୀକ୍ଷା ଦେଇ ସେ ସଫଳତା ହାସଲ କରିଛନ୍ତି। ଲୋକଙ୍କ ପାଇଁ ଜଣେ ସହଜରେ ପହଞ୍ଚି ପାରୁଥିବା ଅଧିକାରୀ ହୋଇ ସାଧାରଣ ଲୋକଙ୍କ କଲ୍ୟାଣ କରିବା ଲାଗି ନିୟୋଜିତ ହେବାକୁ ଲକ୍ଷ୍ୟ ରଖିଛନ୍ତି ରିତିକା ରଥ। ବିଳମ୍ବିତ ରାତି ଯାଏ ପଢ଼ିବା ଅପେକ୍ଷା ସେ ସକାଳୁ ଉଠି ପଢ଼ୁଥିଲେ।
Headlines 03- ରାଜଧାନୀ ଛାତି ଉପରେ ପିଲାକୁ ଅପହରଣ କରି କମିଶନରେଟ ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି ଅପହର୍ତ୍ତା। ସେପଟେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ନାବାଳକକୁ କିଛି ଘଣ୍ଟା ମଧ୍ୟରେ ଉଦ୍ଧାର କରିଥିବା ନେଇ ସୂଚନା ରହିଛି। ମିଳିଥିବା ସୂଚନା ରାଜଧାନୀରୁ ୮ ବର୍ଷ ପିଲାକୁ ସ୍କୁଲରୁ ଫେରୁଥିବା ବେଳେ ବନ୍ଧୁକମୁନରେ ଅପହରଣ କରିନେଇଥିଲେ। ଏକ କଳାକାଚ ଥିବା କାରରେ ଉକ୍ତ ନାବାଳକକୁ ଅପହରଣ କରିନେଇଥିଲେ। ଅପହରଣ ପରେ ନାବାଳକର ପରିବାରକୁ ୫ କୋଟି ଟଙ୍କା ମାଗିଥିଲେ। ସେପଟେ ଏହି ସୂଚନା ପାଇବା ପରେ ପୋଲିସ ତ୍ୱରିତ ବେଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଫଳରେ ଖୁବ କମ ସମୟ ମଧ୍ୟରେ ଉକ୍ତ ନାବାଳକକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା ପୋଲିସ । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା ସାମ୍ନାକୁ ଆସିନଥିଲେ ମଧ୍ୟ ଘଟଣାଟି ରାଜଧାନୀ ଉପକଣ୍ଠସ୍ଥ ପାଞ୍ଚ ଗାଁରେ ବୋଲି କୁହାଯାଉଛି।
Headlines 04- କେନ୍ଦ୍ରୀୟ ସଚିବ ଭାବେ ଏମ୍ପ୍ୟାନେଲ୍ ହୋଇଛନ୍ତି IAS ସତ୍ୟବ୍ରତ ସାହୁ । ଆପଣଙ୍କୁ କହିରଖୁଛୁ ଯେ, ସତ୍ୟବ୍ରତ ହେଉଛନ୍ତି ୧୯୯୧ ବ୍ୟାଚ୍ର IAS ଅଫିସର । ସେ ଗୃହ ଓ ଜଙ୍ଗଲ ବିଭାଗ ACS ଥିଲେ । ପୂର୍ବରୁ ୨୦୧୩ରୁ ୨୦୨୦ ପର୍ଯ୍ୟନ୍ତ କେନ୍ଦ୍ରୀୟ ଡେପୁଟେସନ୍ରେ ରହିଥିଲେ ।
Headlines 05- ସର୍ବୋଚ୍ଚ ଖ୍ରୀଷ୍ଟ ଧର୍ମଗୁରୁ ଦିବଂଗତ ପୋପ୍ ଫ୍ରାନ୍ସିସଙ୍କ ସମ୍ମାନାର୍ଥେ ଭାରତରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ଓଡ଼ିଶାରେ ମଧ୍ୟ ଶୋକ ପାଳନ କରାଯାଉଛି। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗକୁ ଚିଠି ଲେଖାଯାଇଛି ।
Headlines 06- ଚଳିତ ମାସ ୨୪ ତାରିଖରେ ବଣ୍ଟନ କରାଯିବ ନୂଆ ରାସନ କାର୍ଡ। ଯୋଗ୍ୟ ହିତାଧିକାରୀଙ୍କୁ ଏହି ନୂଆ ରାସନ କାର୍ଡ ମିଳିବ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପୁରୀରେ ପଞ୍ଚାୟତିରାଜ ଦିବସ ପାଳନ ବେଳେ ରାସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଛି । ୫ ଲକ୍ଷ ୯୦ ହଜାର ନୂଆ ହିତାଧିକାରୀ ରାସନ କାର୍ଡ ପାଇବେ ବୋଲି ସୂଚନା ଦିଆଯାଇଛି ।
Headlines 07- ପବିତ୍ର ଶ୍ରବଣା ମକର ନକ୍ଷତ୍ରରେ ଆଜି ରାତିରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହେବ । ଏଥି ସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଚଳିତବର୍ଷ ପାଇଁ ଶେଷ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ନକ୍ଷତ୍ର ଦିଅଁ ଭିତରକୁ ବିଜେ କରିବା ପରେ ନକ୍ଷତ୍ର ବନ୍ଦାପନା କରାଯାଇ ନକ୍ଷତ୍ର ବେଢାକୁ ଦିଅଁ ବିଜେ କରିବେ । ଜୟବିଜୟ ଦ୍ୱାରରେ ଭୋଗ ଓ ବନ୍ଦାପନା ନୀତି ସରିବା ପରେ ଦିଅଁ ଦକ୍ଷିଣୀ ଘରକୁ ବିଜେ କରିବେ । ସେଠାରେ ଅନ୍ୟାନ୍ୟ ନୀତି ସରିବା ପରେ ସନ୍ଧ୍ୟାରେ ଅଜ୍ଞାମାଳ ପାଇ ଶ୍ରୀରାମ,ଶ୍ରୀ ଲକ୍ଷ୍ମଣ ଓ ଦେବୀସୀତା ପାଲିଙ୍କିଙ୍କୁ ବିଜେ କରି ଶ୍ରୀଜଗନ୍ନାଥ ବଲ୍ଳବ ମଠକୁ ବିଜେ କରିବେ ।
Headlines 08- ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସ୍କୁଲ ଛୁଟି ସମ୍ପର୍କିତ ନିଷ୍ପତ୍ତି ସ୍ଥାନୀୟ ଜିଲ୍ଲାପାଳମାନେ ନେବେ । ଆଜି ଏନେଇ ଗଣମାଧ୍ୟମକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ସ୍କୁଲ ସକାଳୁଆ ଜାରି ରହିଛି । ତେବେ ଏସଓପି ବାହାରେ ନିଷ୍ପତି ନେବାପାଇଁ ଜିଲ୍ଲପାଳମାନଙ୍କୁ ଅଧିକୃତ କରାଯାଇଛି । ଆବଶ୍ୟକ ପଡିଲେ ସେମାନେ ସମ୍ପୃକ୍ତ ଜିଲ୍ଲାର ସ୍କୁଲ ବନ୍ଦ ନିଷ୍ପତି ନେଇପାରିବେ । ଜିଲ୍ଲାପାଳମାନେ ଅଧିକୃତ, ଯେଉଁ ଜାଗାରେ ନିର୍ଦ୍ଧିଷ୍ଟ ତାପମାତ୍ରାଠାରୁ ଅଧିକ ତାପମାତ୍ରା ବଢିବ । ସେଠାରେ ଜିଲ୍ଲାପାଳମାନେ ଅନୁଭବ କରିବେ, ସେମାନେ ସ୍ୱତନ୍ତ୍ର ନିଷ୍ପତି ନେଇପାରିବେ । ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ ଶ୍ରମ, ଗଣଶିକ୍ଷା, ସ୍ଵାସ୍ଥ୍ୟ ଆଦି ବିଭାଗ ସହ ସମ୍ପର୍କରେ ରହିଛି । ଆସନ୍ତା ୨ ଦିନ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ସମୀକ୍ଷା ବୈଠକ ହେବ । ଏହାପରେ ବିଭାଗ ପକ୍ଷରୁ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି ହେବ ।
Headlines 09- ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ କାଟ ନ କରିବାକୁ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି । ସିଂଦେଓ କହିଛନ୍ତି ଯେ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟୁତ କାଟ ନକରିବାକୁ ନିଷ୍ପତ୍ତି ନିଆଯାଇଛି । ବକେୟା ବିଦ୍ୟୁତ୍ ବିଲ ପ୍ରଦାନ କରିନଥିଲେ ମଧ୍ୟ ଏବେ ବିଦ୍ୟୁତ୍ ସଂଯୋଗ କଟାଯିବ ନାହିଁ। ତେବେ ଉପଭୋକ୍ତାଙ୍କୁ ବକେୟା ବିଦ୍ୟୁତ ବିଲ ପ୍ରଦାନ କରିବାକୁ ପଡ଼ିବ। ଅପରପକ୍ଷେ କାଳ ବୈଶାଖ କାରଣରୁ କିଛି ସ୍ଥାନରେ ବିଦ୍ୟୁତ୍ ବ୍ୟାହତ ହେଉଥିଲେ ବି ତୁରନ୍ତ ସମାଧାନ କରାଯାଉଛି। ଖୁଣ୍ଟି ପଡ଼ିଗଲେ ଅଳ୍ପ ସମୟ ମଧ୍ୟରେ ସମାଧାନ କରାଯାଇ ବିଦ୍ୟୁତ ଯୋଗାଇ ଦିଆଯାଉଛି।
Headlines 10- ତାତିରେ ସିଝୁଛି ପୂରା ଓଡ଼ିଶା। ଗତକାଲି ଝାରସୁଗୁଡାରେ ତାପମାତ୍ରା ୪୫ ଡିଗ୍ରୀ ରହିଥିବା ସମୟରେ ଆଜି ମଧ୍ୟ ଅନେକ ଜିଲ୍ଲାରେ ତାପମାତ୍ରା ୪୦ ପରେ ରହିଛି । ଆକାଶରୁ ନିଆଁ ବର୍ଷୁଥିବା କାରଣରୁ ଘରୁ ବାହାରକୁ ବାହାରୁ ନାହାନ୍ତି ଲୋକେ।