)
Top 10 News Today
Headlines 01- ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ । ମୁଖ୍ୟ ଶାସନ ସଚିବ ଓ ଶିଳ୍ପ ସଚିବଙ୍କ ଉପସ୍ଥିତିରେ ଭେଟି ରାଜ୍ୟରେ ବଡ଼ ଧରଣର ପୁଞ୍ଜିନିବେଶ ନେଇ ଆଲୋଚନା କରିଛନ୍ତି । ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ କହିଛନ୍ତି ଯେ, ଢେଙ୍କାନାଳରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରି ୩୦ ଲକ୍ଷ ଟନ୍ର ଆଲୁମିନିୟମ ପ୍ଲାଣ୍ଟ କରିବ ବେଦାନ୍ତ । ଜମି ମିଳିଲେ ୩ରୁ ୪ ମାସ ଭିତରେ କାମ ଆରମ୍ଭ ହେବ । ଏକ ମାସରେ ଜମି ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ୩ରୁ ସାଢ଼େ ୩ ବର୍ଷ ଲାଗିବ, ୩୦ରୁ ୪୦ ହଜାର ଲୋକେ କାମ ପାଇବେ ବୋଲି ଅନୀଲ ଅଗ୍ରୱାଲ କହିଛନ୍ତି ।
Headlines 02- ଅତିଥି ଫ୍ୟାକଲ୍ଟି ନିଯୁକ୍ତି ପାଇଁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶାବଳୀ ଜାରି କରିଛି । ୪୮୮ ଓ ୬୬୨ ବର୍ଗ, ସଂସ୍କୃତ ବିଦ୍ୟାଳୟରେ ନିଯୁକ୍ତି ପାଇଁ ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି । ଅବସରପ୍ରାପ୍ତ ଶିକ୍ଷାବିତଙ୍କୁ ଅତିଥି ଫ୍ୟାକଲ୍ଟି ଭାବେ ନିଯୁକ୍ତି ଦିଆଯାଇପାରିବ । ନିୟମିତ ଖାଲି ପଦଗୁଡ଼ିକ ପୂରଣ ପର୍ଯ୍ୟନ୍ତ ନିଯୁକ୍ତି ପାଇ ପାରିବେ । ଖାଲିପଦବୀ ବିବରଣୀ ବିଜ୍ଞାପନ HIMS ମାଧ୍ୟମରେ ପ୍ରକାଶିତ ହେବ । ଆବେଦନକାରୀଙ୍କ ସର୍ବାଧିକ ବୟସ ୬୯, ଶାରୀରିକ ସକ୍ଷମ ହୋଇଥିବେ । ଅବସରପ୍ରାପ୍ତ ଶିକ୍ଷାବିତ କେବଳ HIMS ପୋର୍ଟାଲରେ ଆବେଦନ କରିବେ ।
Headlines 03- ଦୀପାବଳି ଅବସରରେ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ବଢିବା କାରଣରୁ ଚିନ୍ତା ପ୍ରକାଶ କରିଛନ୍ତି ସାଧାରଣ ଲୋକ । ଦିଲ୍ଲୀ ଏନସିଆର୍ ଅଞ୍ଚଳରେ କ୍ଲାଉଡ୍ ସିଡିଂ (କୃତ୍ରିମ ବର୍ଷା) ସମ୍ପର୍କରେ ଏକ ପ୍ରମୁଖ ଅପଡେଟ୍ ସାମ୍ନାକୁ ଆସିଛି । ବଢୁଥିବା ପ୍ରଦୂଷଣକୁ କମ କରିବା ପାଇଁ ଖୁବ୍ ଶୀଘ୍ର କୃତ୍ରିମ ବର୍ଷା କରାଯାଇପାରେ। ରାଜଧାନୀରେ କୃତ୍ରିମ ବର୍ଷା କରାଇବା ପାଇଁ ଏକ ସ୍ୱତନ୍ତ୍ର ସେନା ବିମାନ ମେରଠରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହି ବିମାନ କାନପୁରରୁ ଆସୁଥିବା ସୂଚନା ମିଳିଛି ।
Headlines 04- ହାଇକୋର୍ଟରୁ ଜାମିନ ମିଳିବା ପରେ ଝାରପଡ଼ା ଜେଲ୍ରୁ ବାହାରିଛନ୍ତି କର୍ପୋରେଟର ଅମରେଶ ଜେନା । ଜେଲ୍ ବାହାରେ ଅପେକ୍ଷା କରିଥିବା ସମର୍ଥକ ମାନେ ଅମରେଶଙ୍କୁ ପାଛୋଟି ନେଇଥିବା ଦେଖିବାକୁ ମିଳିଛି । ଜେଲ୍ ରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅମରେଶ ଜେନା କହିଛନ୍ତି ଯେ, ସାମାଜିକ ଓ ରାଜନୈତିକ ହତ୍ୟା ପାଇଁ ଷଡ଼ଯନ୍ତ୍ର ହୋଇଥିଲା । ନ୍ୟାୟଳୟ ଉପରେ ମୋର ପୂରା ଭରସା ଅଛି, ନ୍ୟାୟ ପାଇବି ବୋଲି ମୋର ଆଶା ରହିଛି । ଆପଣଙ୍କୁ କହିରଖୁଛୁ ଯେ, ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅମରେଶ ଗିରଫ ହୋଇଥିଲେ । ୩ ମାସ ଜେଲ୍ ରେ ରହିବା ପରେ ମୁକୁଳିଛନ୍ତି ।
Headlines 05- ପ୍ରାଥମିକ ଶିକ୍ଷା ଢାଞ୍ଚାରେ ସରକାର ଆଣୁଛନ୍ତି ବଡ଼ ପରିବର୍ତ୍ତନ। ଦଶମ ଶ୍ରେଣୀ ଭଳି ଏ-ଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଲେ ଛାତ୍ରଛାତ୍ରୀ ଦେବେ ସପ୍ଲିମେଣ୍ଟାରି। ଏନେଇ ନୂଆ ଗାଇଡ୍ଲାଇନ୍ ଜାରି କରିଛି ଗଣଶିକ୍ଷା ବିଭାଗ। ବିଶେଷ କରି, ପାଠପଢାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ଭାରି ପଡିପାରେ। ପାସ୍ ନ କଲେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ। ପରୀକ୍ଷା ଢାଞ୍ଚା ଓ ଖାତା ଦେଖା ପ୍ରକ୍ରିୟା କିଭଳି ହେବ। ସେଥିପାଇଁ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଏସସିଇଆରଟି ଦାୟିତ୍ୱ ନେଇଛନ୍ତି। ଏନେଇ ଜିଲ୍ଲା ଶିକ୍ଷା ଏବଂ ତାଲିମ ପ୍ରତିଷ୍ଠାନ (DIET)ର କର୍ମକର୍ତ୍ତମାନେ ତାଲିମ ନେବେ ବୋଲି ଜଣାପଡିଛି।
Headlines 06- ଓଡ଼ିଶା ରାଜ୍ୟ ମାନବାଧିକାର କମିଶନର ସମସ୍ତ ଶୁଣାଣି ଏଣିକି ଭିଡିଓ କନ୍ଫରେନ୍ସିଂରେ କରାଯିବ। ପ୍ରକ୍ରିୟାରେ ଅଧିକ ଭାଗିଦାରୀ ବୃଦ୍ଧି ଏବଂ ସହଜ ଅଂଶଗ୍ରହଣ ପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ୨୧୭ ତାରିଖରୁ ରାଜ୍ୟରେ ଥିବା କମିଶନଙ୍କ ସମସ୍ତ ବେଞ୍ଚରେ ଏହି ବ୍ୟବସ୍ଥା ଲାଗୁ ହେବ । ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜଣାଇ ଦିଆଯାଇଛି। କମିଶନଙ୍କ ସମସ୍ତ ବେଞ୍ଚ “ଗୁଗୁଲ ମିଟ” ପ୍ଲାଟଫର୍ମ ମାଧ୍ୟମରେ ଭିଡିଓ କନଫରେନ୍ସିଂ ମୋଡ୍ ସହିତ ଫିଜିକାଲ୍ ମୋଡ୍ରେ କାର୍ଯ୍ୟ ସଂପାଦନ କରିବେ।
Headlines 07- ନୂଆପଡ଼ାରେ ବି ଭୋଟ ଚୋରି ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ପିସିସି ମିଡିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ। ସେ କହିଛନ୍ତି ନୂଆପଡ଼ାରେ କଂଗ୍ରେସର ବିଜୟ୍ରକୁ ଦେଖି ଏପରି ଉଦ୍ୟମ କରାଯାଇଛି। ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସସୀରାମ ମାଝିଙ୍କ ବିପୁଳ ବିଜୟ ହେଉଥିବା ଜାଣି ବିଜେପି ଭୟଭୀତ ହୋଇ ପଡିଛି। ସରକାର କଂଗ୍ରେସକୁ ହରାଇବା ପାଇଁ ସମସ୍ତ ପ୍ରକାରର କୌଶଳକୁ ଆପଣେଇଛନ୍ତି। ଭୋଟରଙ୍କୁ ନେଇ ଏକ ବିରାଟ ବ୍ୟତିକ୍ରମର ପ୍ରମାଣ ହସ୍ତଗତ ହୋଇଛି। ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସଂଶୋଧିତ ତଥା ଚୂଡ଼ାନ୍ତ ଭୋଟର ତାଲିକାରେ ୫ ହଜାର ନୂଆ ଭୋଟରଙ୍କୁ ଯୋଡ଼ିଛନ୍ତି ବୋଲି କହିଛନ୍ତି ଶ୍ରୀ ଦାସ।
Headlines 08- ପୂର୍ବତଟ ରେଳପଥ ସମସ୍ତ ଯାତ୍ରୀଙ୍କୁ ଷ୍ଟେସନରେ ପ୍ରବେଶ କିମ୍ବା ପ୍ରସ୍ଥାନ କରିବା ସମୟରେ, ଟିକେଟ୍ କିଣିବା ଏବଂ ଟ୍ରେନରେ ଚଢ଼ିବା ସମୟରେ ସୁବ୍ୟବସ୍ଥିତ ଧାଡ଼ି ବଜାୟ ରଖିବାକୁ ଅନୁରୋଧ କରିଛି। ଯାତ୍ରୀମାନଙ୍କୁ ଦ୍ରୁତ ଗତିରେ ଯିବା, ଠେଲାପେଲା କରିବା କିମ୍ବା ଅବ୍ୟବସ୍ଥା ସୃଷ୍ଟି କରିବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଇଛି, ବିଶେଷକରି ଫୁଟ୍ ଓଭର ବ୍ରିଜ୍, ଏସ୍କେଲେଟର୍ ଏବଂ ପ୍ଲାଟଫର୍ମ କଡ଼ରେ, କାରଣ ସମସ୍ତଙ୍କ ସୁରକ୍ଷା ଶାନ୍ତ ଏବଂ ସଂଗଠିତ ଗତିବିଧି ଉପରେ ନିର୍ଭର କରେ। ପ୍ଲାଟଫର୍ମରେ ବିପଦପୂର୍ଣ୍ଣ ଭିଡ଼କୁ ଏଡାଇବା ପାଇଁ ଯାତ୍ରୀମାନେ ଟ୍ରେନରେ ଚଢ଼ିବା ପାଇଁ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ଷ୍ଟେସନରେ ନିର୍ଦ୍ଦିଷ୍ଟ ହୋଲ୍ଡିଂ ଏରିଆ ବ୍ୟବହାର କରିବା ଉଚିତ।
Headlines 09- ରାଜ୍ୟରେ ଆଳୁ ଉତ୍ପାଦନ ବୃଦ୍ଧି ଲାଗି ସରକାର ତତ୍ପର ହୋଇଛନ୍ତି। ଏବବର୍ଷ ଏହି ପରିପ୍ରେକ୍ଷୀରେ ୫୦ ହଜାର ଏକର ଜମିରେ ଆଳୁ ଚାଷ ହେବ। ସେଥିଲାଗି ୩ ଲକ୍ଷ କ୍ୱିଣ୍ଟାଲ୍ ବିହନ ସରକାର ପ୍ରଦାନ କରିବେ। ଏଥିଲାଗି କଡ଼ା ନିର୍ଦ୍ଦେଶ ଦେଇଛନ୍ତି କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ। ଓଡିଶାକୁ ଆଳୁରେ ଆତ୍ମନିର୍ଭର କରିବା ଅଭିଯାନରେ ଚଳିତବର୍ଷ ଚାଷୀଙ୍କୁ ଆଗୁଆ ଆଳୁ ବିହନ ଯୋଗାଇ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାକୁ ସେମାନଙ୍କ ଆବଶ୍ୟକ ଅନୁଯାୟୀ ବିହନ ପରିମାଣର ତଥ୍ୟ କୃଷି ବିଭାଗକୁ ପ୍ରେରଣ କରିବା ନିମନ୍ତେ କୁହାଯାଇଛି ।
Headlines 10- ମୌସୁମୀ ଫେରିବା ପରେ ମଧ୍ୟ କିଛି ସ୍ଥାନରେ ବର୍ଷାର ଆଶଙ୍କା ରହିଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ୨୪, ୨୬ ଏବଂ ୨୮ ଅକ୍ଟୋବରରେ ତାମିଲନାଡୁରେ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ଆଗାମୀ ୫ ଦିନ ମଧ୍ୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଏବଂ ଓଡ଼ିଶାରେ ବଜ୍ରପାତ ଏବଂ ଝଡ଼ ପବନ ସହିତ ଝଡ଼ ହେବାର ସମ୍ଭାବନା ଅଛି; ଆଗାମୀ ପାଞ୍ଚ ଦିନ ମଧ୍ୟରେ ପୂର୍ବ ମଧ୍ୟପ୍ରଦେଶ, ବିଦର୍ଭ ଏବଂ ଛତିଶଗଡ଼ରେ ଘଡ଼ଘଡ଼ି ସହ ଝଡ଼ ହେବାର ସମ୍ଭାବନା ଅଛି।