)
Top 10 News Today
Headlines 01- ନେପାଳରେ ସୋସିଆଲ୍ ମିଡିଆ ବ୍ୟାନ୍କୁ ବିରୋଧ କରି ବିକ୍ଷୋଭ ଜୋରଦାର ହୋଇଛି । ବିକ୍ଷୋଭ ବେଳେ କାଠମାଣ୍ଡୁରେ ବ୍ୟାପକ ହିଂସାକାଣ୍ଡ, ପୋଡ଼ାଜଳା ଏବଂ ପୋଲିସ-ବିକ୍ଷୋଭକାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି । ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଫେସବୁକ୍, ଇନଷ୍ଟାଗ୍ରାମ୍, ହ୍ବାଟ୍ସଆପ୍ ଆଦି ବ୍ୟାନ୍କୁ ପ୍ରବଳ ବିରୋଧ କରିଛନ୍ତି ଯୁବପିଢୀ । ମୋଟ୍ ୨୬ଟି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ବ୍ୟାନ୍ କରିଛନ୍ତି ସରକାର । କାଠମାଣ୍ଡୁରେ ସେନାବାହିନୀ ମୁତୟନ କରିବା ସହ କର୍ଫ୍ୟୁ ଜାରି କରିଛନ୍ତି ସରକାର ।
Headlines 02- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି 'ମୋଦୀ ଯୁବା ମାରାଥନ୍' । ଏନେଇ ସୂଚନା ଦେଇଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା । ଆସନ୍ତା ୨୧ ତାରିଖ ସକାଳ ୬ଟା ୧୫ରେ କଳିଙ୍ଗ ଷ୍ଟାଡିୟମ୍ରୁ ଜନତା ମୈଦାନ ଯାଏଁ ଏହି ମାରାଥନ୍ ଚାଲିବ । ମୋଦୀ ଯୁବା ମାରାଥନ୍'ରେ ପ୍ରାୟ ୧୦ ହଜାର ଯୁବକ ସାମିଲ୍ ହେବା ନେଇ ଆଶା କରାଯାଉଛି । ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତା ସୃଷ୍ଟି ମାରାଥନର ମୁଖ୍ୟ ଲକ୍ଷ୍ୟ ରହିଛି । ଦେଶର ୭୫ଟି ସ୍ଥାନରେ 'ମୋଦୀ ଯୁବା ମାରାଥନ୍' ଆୟୋଜନ କରାଯିବ ।
Headlines 03- ଆସନ୍ତାକାଲି ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭାଗ ନେବ ନାହିଁ। ଦଳ ଭିତରେ ସୃଷ୍ଟି ହୋଇଥିବା ଗୋଷ୍ଠୀ କନ୍ଦଳ ଥମିନ ପାରିବାରୁ ଏପରି ଏକ ନିଷ୍ପତ୍ତି ଦଳ ପକ୍ଷରୁ ନିଆଯାଇଥିବା ସୂଚନା ମିଳିଛି। ତେବେ ବିଜେଡିର ଏହି ନିଷ୍ପତ୍ତି ପରୋକ୍ଷ ଭାବରେ ବିଜେପିକୁ ସହାୟକ ହେବାର ସମ୍ଭାବନା ରହିଛି। ନିର୍ବାଚନ ଜିତିବା ଲାଗି କୌଣସି ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସଂଖ୍ୟା ଗରିଷ୍ଠତା ଆବଶ୍ୟକ। ଅର୍ଥାତ୍ ଅଧାରୁ ଗୋଟିଏ ସଂଖ୍ୟା ଅଧିକ ସାଂସଦଙ୍କ ଭୋଟ ଆବଶ୍ୟକ। ଏହି ଅନୁସାରେ ୩୯୨ ଭୋଟର ଆବଶ୍ୟକତା ରହିଛି। କିନ୍ତୁ ଯଦି ବିଜେଡିର ସାଂସଦମାନେ ଅନୁପସ୍ଥିତ ରହିବେ ତେବେ ଏହି ମ୍ୟାଜିକ୍ ସଂଖ୍ୟା ଆହୁରି ତଳକୁ ଖସି ଆସିବ।
Headlines 04- ସାର ବଣ୍ଟନ ସମସ୍ୟାକୁ ନେଇ ସମବାୟ ବିଭାଗ କଡ଼ା ନିର୍ଦ୍ଦେଶ ଦେଇଛି । ସମସ୍ତ ପାକ୍ସ ନିଜର ଲାଇସେନ୍ସ ନବୀକରଣ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି । ପ୍ରାଥମିକତା ଦେଇ ସାର ବଣ୍ଟନକୁ ଗୁରୁତ୍ୱ ଦେବାକୁ ପାକ୍ସକୁ ନିର୍ଦ୍ଦେଶ । ସାର ବଣ୍ଟନରେ ସାମିଲ ନ ହେଲେ ଧାନ କିଣିପାରିବେନି ପାକ୍ସ । ପ୍ରତି ବର୍ଷ ଏପ୍ରିଲରୁ ସାର ବଣ୍ଟନ ନେଇ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି । ସମସ୍ତ ଡିଆରସିଏସ୍ଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ସମବାୟ ବିଭାଗ । ମହଜୁଦ ଥିବା ସାର ୭ ଦିନ ଭିତରେ ବାଣ୍ଟିବାକୁ କୁହାଯାଇଛି । ଖରାପ ମେସିନ ଗୁଡିକୁ ଚଳିତ ସପ୍ତାହ ଭିତରେ ବଦଳାଇବାକୁ ନିର୍ଦ୍ଦେଶ
Headlines 05- ଦିଲ୍ଲୀରେ ପ୍ରତାପ ଷଡ଼ଙ୍ଗୀଙ୍କ ବାସଭବନରେ ବିଜେପି ସାଂସଦଙ୍କ ବୈଠକରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ବୈଠକ ହୋଇଥିବା ନେଇ ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଉପରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ଏନଡିଏ ସଂଖ୍ୟା ଅଧିକ ରହିଛି। ଯାହାର ସଂଖ୍ୟା ଅଧିକ ସେ ଜିତିବ । ତେଣୁ ଆମେ ସୁନିଶ୍ଚିତ ଯେ ବିଜୟୀ ହେବୁ।
Headlines 06- ସୋସିଆଲ୍ ମିଡିଆରେ ‘ଧୃତରାଷ୍ଟ୍ର’ଙ୍କ ଉଦାହରଣ ଦେଇ ନିଶାନା କରିଛନ୍ତି ଶ୍ରୀମୟୀ ମିଶ୍ର । କାହା ନାଁ ନ ନେଇ ପରୋକ୍ଷରେ କଡ଼ା ଆକ୍ଷେପ କରିଛନ୍ତି ଶ୍ରୀମୟୀ । ଶ୍ରୀମୟୀଙ୍କ ତେର୍ଚ୍ଛା ବାଣକୁ ନେଇ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଶ୍ରୀମୟୀ ଆମ ସହିତ ଅଛନ୍ତି, ନବୀନ ବାବୁ ତାଙ୍କୁ ଗୁରୁ ଦାୟିତ୍ଵ ଦେଇଛନ୍ତି । ପଶ୍ଚିମ ଓଡିଶା ନେତ୍ରୀ ଭାବେ ତାଙ୍କ ସହ ମୋର ଘନିଷ୍ଠତା ଅଛି । ସୋସିଆଲ୍ ମିଡିଆରେ ଭାବନା, ଦଳ ସହିତ ସମ୍ପର୍କ ନାହିଁ ।
Headlines 07- ଆକ୍ସନ ମୋଡ୍ରେ ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଅଣଛାତ୍ରଙ୍କୁ ହଟାଇ ୩ ନଂ ହଷ୍ଟେଲକୁ ସମ୍ପୂର୍ଣ୍ଣ ସିଲ୍ କରିଛନ୍ତି । ମରାମତି କରି ଛାତ୍ରଙ୍କୁ ଆଲଟମେଣ୍ଟ କରାଯିବ ବୋଲି କହିଛନ୍ତି । ୨ ନଂ ହଷ୍ଟେଲ୍ର ୨୫ ରୁମ୍ ଓ ୧ ନଂ ହଷ୍ଟେଲ୍ର ୧୯ ରୁମ୍ ସିଲ୍ କରାଯାଇଛି । ୧ ନଂ ହଷ୍ଟେଲ ପାଖରେ ଥିବା କ୍ୟାଣ୍ଟିନ ମଧ୍ୟ ସିଲ୍ ହୋଇଛି । ଏଣିକି ପୋଲିସ ଜଗିବେ ଏବଂ ଆଇ କାର୍ଡ ଦେଖାଇ ପିଲା ଭିତରକୁ ଯିବେ ବୋଲି କୁହାଯାଇଛି ।
Headlines 08- ଏକ ସାମ୍ପ୍ରତିକ ରାୟରେ ରାଜ୍ୟ ମୁଖ୍ୟ ସୂଚନା କମିଶନର ଏକ ଐତିହାସିକ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ୨୦୦୨ ମସିହାରେ ସହକାରୀ ଶିକ୍ଷକ ପଦବୀ ପାଇଁ ମନୋନୀତ ହୋଇ ନଥିବା ଜଣେ ପ୍ରାର୍ଥୀଙ୍କୁ ସାକ୍ଷାତକାର ମାର୍କ ପ୍ରଦାନ କରିବାକୁ ଓଡ଼ିଶା ଲୋକସେବା ଆୟୋଗକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ମୁଖ୍ୟ ସୂଚନା କମିଶନର ମନୋଜ ପରିଡା ତାଙ୍କ ଐତିହାସିକ ରାୟରେ କହିଛନ୍ତି ଯେ, ଓଡ଼ିଶା ଲୋକସେବା ଆୟୋଗର ଏପରି ନିଷ୍ପତ୍ତି ସୂଚନା ଅଧିକାର ଆଇନର ବ୍ୟବସ୍ଥା ବିରୁଦ୍ଧ । ପ୍ରାର୍ଥୀଙ୍କର ସାକ୍ଷାତକାରରେ ପାଇଥିବା ମାର୍କ ଜାଣିବାର ପୂର୍ଣ୍ଣ ଅଧିକାର ରହିଛି ।
Headlines 09- ଭିତରକନିକା ଜଙ୍ଗଲରୁ ନିଖୋଜର ୫ ଦିନ ପରେ ମା’ ପୁଅଙ୍କୁ ଜୀବିତ ଉଦ୍ଧାର କରାଯାଇଛି । କଙ୍କଡ଼ା ଆଣିବାକୁ ଯାଇ ୩ ତାରିଖରୁ ନିଖୋଜ ହୋଇ ଯାଇଥିଲେ ଉଭୟେ । ବନ ବିଭାଗର ୧୦ଟି ଟିମ୍ ଖୋଜାଖୋଜି କରିବା ପରେ ସନ୍ଧାନ ମିଳିଥିଲା । ସାତଭାୟା ଘାଟ ଠାରୁ ଅଳ୍ପ ଦୂରରେ ଠାବ ପରେ ଉଦ୍ଧାର କରାଯାଇଛି । ମା’ପୁଅ ରାଜନଗର ବ୍ଲକ ଦେବେନ୍ଦ୍ର ନାରାୟଣପୁର ଗାଁର ବୋଲି ଜଣାପଡିଛି ।
Headlines 10- ରାଜ୍ୟରେ ଏବେ ସକ୍ରିୟ ରହିଛି ମୌସୁମୀ। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ମଙ୍ଗଳବାର ସେପ୍ଟେମ୍ବର ୯ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସମସ୍ତ ୩୦ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।