Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
)
Top 10 News Today
Headlines 01- ଆଜି ଦିଲ୍ଲୀରେ NDA ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ ଆୟୋଜନ କରାଯାଇଥିଲା । ସମଗ୍ର ଦେଶରୁ ୨୦ ଜଣ ମୁଖ୍ୟମନ୍ତ୍ରୀ ଏବଂ ୧୮ ଜଣ ଉପମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ସମ୍ମିଳନୀର ନେତୃତ୍ୱ ନେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ବୈଠକରେ ଦୁଇଟି ପ୍ରମୁଖ ପ୍ରସ୍ତାବ ଗୃହୀତ ହୋଇଥିଲା । ପ୍ରଥମଟି 'ଅପରେସନ୍ ସିନ୍ଦୂର'ରେ ଭାରତୀୟ ସଶସ୍ତ୍ର ବାହିନୀର ସାହସିକତାକୁ ପ୍ରଶଂସା କରିବା ଏବଂ ଦ୍ୱିତୀୟଟି ଜାତିଗତ ଜନଗଣନାକୁ ସମର୍ଥନ କରିବା। ସମ୍ମିଳନୀ ଶେଷରେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ସମସ୍ତ ଏନଡିଏ ନେତା ସର୍ବସମ୍ମତିକ୍ରମେ ଉଭୟ ପ୍ରସ୍ତାବକୁ ପାରିତ କରିଛନ୍ତି।
Headlines 02- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ରବିବାର) ମନକି ବାତ୍ ର ୧୧୩ତମ ଅଧ୍ୟାୟରେ ଅପରେସନ ସିନ୍ଦୂର ଏବଂ ଆତଙ୍କବାଦ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନ ବିଷୟରେ ଉଲ୍ଲେଖ କରିଛନ୍ତି। ମୋଦୀ କହିଥିଲେ ଯେ, ଅପରେସନ ସିନ୍ଦୂର ଆମ ମଧ୍ୟରେ ଦେଶପ୍ରେମର ଭାବନାକୁ ବୃଦ୍ଧି କରିଛି । ଏହା ଦେଶବାସୀଙ୍କ ସାହସ ଏବଂ ସଂକଳ୍ପର ପ୍ରତୀକ, ଯାହାର ପ୍ରତିଧ୍ୱନି ସାରା ବିଶ୍ୱ ଶୁଣିଛି। ପ୍ରଧାନମନ୍ତ୍ରୀ ମୋଦୀ ଏକଥା ମଧ୍ୟ କହିଛନ୍ତି ଯେ, ପାଞ୍ଚ ବର୍ଷ ମଧ୍ୟରେ ଗୁଜରାଟର ଗିରରେ ସିଂହ ସଂଖ୍ୟା ୬୭୪ ରୁ ୮୯୧କୁ ବୃଦ୍ଧି ପାଇଛି। ସିଂହ ଗଣନା ପରେ ଏହି ସଂଖ୍ୟା ଜଣାପଡିଛି ଯାହା ବହୁତ ଉତ୍ସାହଜନକ। ଏଥିସହ ବିଶ୍ୱ ମହୁମାଛି ଦିବସ ଏବଂ ଖେଲୋ ଇଣ୍ଡିଆ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ
Headlines 03- ବଡ଼ ପୁଅ ତେଜ ପ୍ରତାପଙ୍କୁ RJDରୁ ବହିଷ୍କାର କରିଛନ୍ତି ଲାଲୁ ପ୍ରସାଦ ଯାଦବ। ବିଶୃଙ୍ଖଳିତ ଆଚରଣ ଅଭିଯୋଗ କାରଣରୁ ୬ ବର୍ଷ ପାଇଁ ତେଜ ପ୍ରତାପଙ୍କୁ ବହିଷ୍କାର କରାଯାଇଛି । କେବଳ ସେତିକି ନୁହେଁ, ପରିବାରରୁ ବିଦା ନେଇ ବି ‘ଏକ୍ସ’ରେ ସୂଚନା ଦେଇଛନ୍ତି RJD ସୁପ୍ରିମୋ। ଜୀବନର ନୈତିକ ମୂଲ୍ୟବୋଧ ହରାଇଥିବା କଥା ଲେଖିଛନ୍ତି ଲାଲୁ ।
Headlines 04- ବରଗଡ଼ ଗାନ୍ଧି ଛକରେ କିନ୍ନର ଏବଂ ପୋଲିସଙ୍କ ମଧ୍ୟରେ ଯୁକ୍ତିତର୍କ ଏବଂ ଠେଲାପେଲା ଦେଖିବାକୁ ମିଳିଛି । ଟ୍ରାଫିକ୍ ବନ୍ଦ ସମୟରେ ଅଟକିଥିବା ଯାତ୍ରୀଙ୍କୁ କିଛି କିନ୍ନର ଟଙ୍କା ମାଗୁଥିଲେ ଏବଂ ସେହି କାରଣରୁ ବିବାଦ ହୋଇଥିବା ଜଣାପଡିଛି । ୨ କିନ୍ନରଙ୍କୁ ପୋଲିସ ହେପାଜତକୁ ନେଇ ପଚରା ଉଚରା କରିବା ସହ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ।
Headlines 05- ବିଜେଡି ନେତା ପ୍ରତାପ ଦେବଙ୍କ ଘରେ ଅନୁଷ୍ଠିତ ହୋଇଛି ପୁରୀ ବିଜେଡି ନେତାଙ୍କ ବୈଠକ । ଉକ୍ତ ବୈଠକରେ ସାଂସଦ ଶୁଭାଶିଷ ଖୁଣ୍ଟିଆ, ପୁରୀ ଜିଲ୍ଲା ସଭାପତି ଉମା ସମାନ୍ତରାୟ, ପୂର୍ବତନ ବିଧାୟକ ରୁଦ୍ର ମହାରଥୀଙ୍କ ସମେତ ବହୁ ବ୍ଲକ ସ୍ତରର ନେତା ଉପସ୍ଥିତ ରହିଥିଲେ ବୋଲି ସୂଚନା ମିଳିଛି। ତେବେ କେଉଁ ବିଷୟରେ ଆଲୋଚନା ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
Headlines 06- ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଗିରଫ ହୋଇଛନ୍ତି ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ବ୍ଲକ୍ କେଲୁଆପଲ୍ଲି ପଞ୍ଚାୟତର PEO । BDOଙ୍କ ଅଭିଯୋଗ ଆଧାରରେ PEO ସମୀର ମିଶ୍ରଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ମୋଟ ୧ କୋଟି ୩୭ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ ରହିଛି ତାଙ୍କ ନାମରେ । ବ୍ୟାଙ୍କ୍କୁ ନକଲି ଚେକ୍ ଦେଇ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି ।
Headlines 07- ଭୁବନେଶ୍ବର ଇନ୍ଫୋଭ୍ୟାଲି ଥାନା ଅଞ୍ଚଳରେ ପିତାପଲ୍ଲିରେ ବିଳମ୍ବିତ ରାତିରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ଜଣାପଡିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି । ଗୁଳିମାଡ଼ କରିଥିବା ଯୁବକ ପାଣିଓଳା ଅଞ୍ଚଳର ହୋଇଥିବା କୁହାଯାଉଛି ।
Headlines 08- ରାତି ପାହିଲେ ସାବିତ୍ରୀ ବ୍ରତ । ତେଣୁ ଫଳ ବଜାରରେ ଭିଡ ପରିଲକ୍ଷିତ ହୋଇଛି । ଅଧିକାଂଶ ଫଳ ଦର ପ୍ରାୟ ଦୁଇଗୁଣ ବଢିଥିବା ସମୟରେ ମୂଲ୍ୟକୁ ନେଇ ସାଧାରଣ ଲୋକେ ଚିନ୍ତା ପ୍ରକଟ କରିଛନ୍ତି । ଅନ୍ୟପଟେ କିଛି ସ୍ଥାନରେ ବର୍ଷା ହୋଇଥିବା କାରଣରୁ ଫଳ ବେପାର ମାନ୍ଦା ବୋଲି ବ୍ୟବସାୟୀ କହିଛନ୍ତି।
Headlines 09- ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିବା ଦୁଇଜଣ ଯୁବକଙ୍କୁ ଗିରଫ କରାଯାଇଛି । କଟକ ଚାଉଳିଆଗଞ୍ଜ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ମହାନଦୀ ବିହାର ଅଞ୍ଚଳର ସୌରଭ ସାହୁ ଏବଂ ଗୌତମ କୁମାର ଲେଙ୍କା ନାମକ ଦୁଇଜଣ ଯୁବକଙ୍କୁ ଗିରଫ କରିଛି ବୋଲି ସୂଚନା ଦେଇଛି। ଉକ୍ତ ଦୁଇ ଯୁବଙ୍କ ନିକଟରୁ ଦୁଇଟି ମୋବାଇଲ ମଧ୍ୟ ଜବତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଜୋନ-୫ ଏସିପି କୃଷ୍ଣଚନ୍ଦ୍ର ସେଠୀ ।
Headlines 10- ଓଡ଼ିଶାକୁ ମୌସୁମୀ ଆସିବାକୁ ଟିକେ ସମୟ ଲାଗିବ। ଉତ୍ତରପୂର୍ବାଞ୍ଚଳ ରାଜ୍ୟ ପରେ ଓଡ଼ିଶାକୁ ମୌସୁମୀ ପ୍ରବେଶ କରିବ। ତେବେ ମଇ ୨୭ ବେଳକୁ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି । ଅନ୍ୟପଟେ, ରାଜ୍ୟରେ ଆଗାମୀ ସପ୍ତାହେ ଯାଏଁ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୬ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।