Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
)
Top 10 News Today
Headlines 01- ବିଶିଷ୍ଟ ଯୋଗ ଗୁରୁ ପଦ୍ମଶ୍ରୀ ସ୍ୱାମୀ ଶିବାନନ୍ଦଙ୍କ ପରଲୋକ ହୋଇଯାଇଛି । ବାରଣାସୀରେ ୧୨୮ ବର୍ଷ ବୟସରେ ଶିବାନନ୍ଦଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଯୋଗ ଓ ଭାରତୀୟ ଜୀବନଶୈଳୀରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଶିବାନନ୍ଦ । ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।
Headlines 02- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ଅମରପ୍ରୀତ ସିଂ । ତେବେ କେଉଁ ବିଷୟରେ ଆଲୋଚନା ହୋଇଛି ତାହାର ତଥ୍ୟ ସାମ୍ନାକୁ ଆସିନାହିଁ । ଆପଣଙ୍କୁ କହିରଖୁଛୁ ଯେ, ଗତକାଲି ନୌସେନା ମୁଖ୍ୟ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ ।
Headlines 03- ପାକିସ୍ତାନ ଉପରେ ଆଉ ଏକ ଡିଜିଟାଲ ଷ୍ଟ୍ରାଇକ୍ କରିଛି ଭାରତ । ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ‘X’ ଆକାଉଣ୍ଟ ବ୍ୟାନ୍ କରାଯାଇଛି । ଭାରତରେ ଇମ୍ରାନ ଖାନଙ୍କ ସମେତ ପୂର୍ବତନ ମନ୍ତ୍ରୀ ବିଲାୱଲ୍ ଭୁଟ୍ଟୋଙ୍କ ‘X’ ଆକାଉଣ୍ଟ ମଧ୍ୟ ବ୍ୟାନ୍ କରାଯାଇଛି ।
Headlines 04- ପଶ୍ଚିମବଙ୍ଗ ଟିଏମ୍ସି ସାଂସଦ ୟୁସୁଫ ପଠାନଙ୍କୁ କଡା ଜବାବ ଦେଇଛନ୍ତି ଅନିଲ ବିଶ୍ବାଳ । ଓଡ଼ିଶାରେ ପଶ୍ଚିମବଙ୍ଗ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗର କଡ଼ା ଜବାବ ରଖି ସେ କହିଛନ୍ତି ଯେ, ଯେଉଁମାନଙ୍କ ପାଇଁ ଆପଣ ଚିନ୍ତିତ ସେମାନେ ଅବୈଧ ଅନୁପ୍ରବେଶକାରୀ ଏବଂ ଏମାନେ ଓଡ଼ିଶାର ସାମାଜିକ ସଂସ୍କୃତି ସଦ୍ଭାବକୁ ନଷ୍ଟ କରୁଛନ୍ତି । ଭୋଟ୍ ରାଜନୀତି ପାଇଁ ବଙ୍ଗ ସରକାର ସେମାନଙ୍କୁ ଜାଲ୍ ଡକ୍ୟୁମେଣ୍ଟ ଦେଉଛନ୍ତି । ମୁର୍ସିଦାବାଦରେ ହିନ୍ଦୁଙ୍କ ପ୍ରତି ଆକ୍ରମଣବେଳେ ଆପଣ କିଛି ବି କହିନଥିଲେ । ବର୍ତ୍ତମାନ ସମୟ ପାକ୍ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଲଢ଼େଇ କରିବାର ବୋଲି ଅନିଲ କହିଛନ୍ତି ।
Headlines 05- ବ୍ରହ୍ମପୁରରେ ପୋଲିସକୁ ମିଳିଛି ବଡ଼ ସଫଳତା । ୧୭ ମାଉଜର ସହ ୬୬ଟି ଅଫୁଟା ଗୁଳି ଜବତ କରାଯାଇଛି । ସ୍ପେଶାଲ ଡ୍ରାଇଭ୍ ରେ ଆସିକା, ଶେରଗଡ଼, ଭଞ୍ଜନଗର, ପୋଲସରା ଥାନା ଅଞ୍ଚଳରୁ ଜବତ ହୋଇଥିବା ସୂଚନା । ୧୬ ମୋବାଇଲ, ୪ଟି ଖୋକା ସହ ଜବତ କରିବା ସହ ୧୮ ଜଣଙ୍କୁ ଧରିଛି ପୋଲିସ ।
Headlines 06- ଦୀଘା ବିବାଦ ପ୍ରସଙ୍ଗରେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଆଉ ଏକ ଏତଲା ଦାୟର ହୋଇଛି । ସିଂହଦ୍ୱାର ଥାନାରେ ଏତଲା ଦେଇଛି ଜଗନ୍ନାଥ ସେନା । ମହାପ୍ରଭୁଙ୍କ ଦାରୁ କିଭଳି ଓ କିଏ ନେଲା ସେନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଏତଲାରେ ଦାବି କରାଯାଇଥିବା ସୂଚନା ମିଳିଛି । ଆପଣଙ୍କୁ କହିରଖୁଛୁ ଯେ ଗତକାଲି ମଧ୍ୟ ରାମକୃଷ୍ଣଙ୍କ ନାମରେ ଅନଲାଇନରେ ଏତଲା ଦିଆଯାଇଥିଲା । ଏତଲା ଦେଇଥିଲେ ଆର୍ଟିଆଇ କର୍ମୀ ଜୟନ୍ତ ଦାସ । ଆଜି ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ବଳକା ଦାରୁ ବାବଦରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଚରାଉଚରା କରିଛି । ଦଇତାପତି ନିଯୋଗ ସଭାପତି ଗଣେଶ ଦାସମହାପାତ୍ରଙ୍କୁ ମଧ୍ୟ ପଚରାଉଚରା କରାଯାଇଛି ।
Headlines 07- କଟକରେ ବ୍ରିଜ୍ ସ୍ଲାବ ଭୁଶୁଡ଼ି ୩ ମୃତ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଘଟଣାସ୍ଥଳରେ କଟକ ଜିଲ୍ଲା ପ୍ରଶାସନ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଉପଜିଲ୍ଲାପାଳ, ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ଶ୍ରମ ଅଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । କେଉଁ ପରିସ୍ଥିତିରେ ଘଟଣା ଘଟିଥିଲା ଅନୁଧ୍ୟାନ କରାଯାଉଛି । ଘଟଣାରେ କାହାର ଭୁଲ ଅଛି ତାର ତଦନ୍ତ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଗଠନ ହୋଇଥିବା ୩ ଜଣିଆ ଟିମ୍ ୧୫ ଦିନରେ ରିପୋର୍ଟ ଦେବେ ବୋଲି ମନ୍ତ୍ରୀ କହିଛନ୍ତି ।
Headlines 08- ଦୀଘା ଜଗନ୍ନାଥ ମନ୍ଦିର ବିବାଦ ମଧ୍ୟରେ ମୁହଁ ଖୋଲିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗୁନି ଭାଇ ଓରଫ୍ ଜଗନ୍ନାଥ ସ୍ବାଇଁ ମହାପାତ୍ର। ଶ୍ରୀଜଗନ୍ନାଥ ସଂସ୍କୃତିରେ କେବଳ ବ୍ରହ୍ମ ସଂସ୍ଥାପନର ପ୍ରାବଧାନ ରହିଛି। ଶ୍ରୀମନ୍ଦିର ରତ୍ନବେଦିରେ ବିରାଜିତ ଶ୍ରୀବିଗ୍ରହମାନଙ୍କର ନବକଳେବର ହୋଇଥାଏ। ଯାହା ବିଶ୍ୱରେ କୌଣସି ମନ୍ଦିରରେ ହୁଏନାହିଁ। ସେହିଭଳି କେବଳ ଶ୍ରୀକ୍ଷେତ୍ରରେ ସ୍ୱୟଂ ନାରାୟଣ ଜଗନ୍ନାଥଙ୍କ ରୂପରେ ଦାରୁବ୍ରହ୍ମ ଭାବରେ ପୁଜା ପାଆନ୍ତି। ଜଗନ୍ନାଥ ଧାମ କେବଳ ଶ୍ରୀକ୍ଷେତ୍ର ବୋଲି ଜଗୁନି କହିଛନ୍ତି ।
Headlines 09- ଜମ୍ମୁ କାଶ୍ମୀରର ରାମବନ ଜିଲ୍ଲାରେ ଭାରତୀୟ ସେନାବାହିନୀର ଗାଡ଼ି ଘାଇକୁ ଖସି ପଡ଼ିଛି। ଫଳରେ ତିନି ଜଣ ଯବାନ ଶହୀଦ ହୋଇଛନ୍ତି। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ (NH44) ରେ ବ୍ୟାଟେରୀ ଛାସ୍ମା ନିକଟରେ ଏହି ଦୁର୍ଘଟଣା ଘଟିଛି। ପୋଲିସ, ଏସଡିଆରଏଫ, ସ୍ଥାନୀୟ ଲୋକ ଏବଂ ସେନା ଦଳ ବର୍ତ୍ତମାନ ସେଠାରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ଟ୍ରକଟି ଜମ୍ମୁରୁ ଶ୍ରୀନଗର ଯାଉଥିଲା ଜାତୀୟ ରାଜପଥ ୪୪ ର ବ୍ୟାଟେରୀ ଚଷ୍ମା ନିକଟରେ ସକାଳ ପ୍ରାୟ ୧୧.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା।
Headlines 10- ରାଜ୍ୟରେ ଲାଗି ରହିଛି କାଳବୈଶାଖୀ ବର୍ଷା। ଦିନରେ ଖରା ଗୁଳୁଗୁଳି ଦେଖିବାକୁ ମିଳୁଥିବା ବେଳେ ଅପରାହ୍ଣ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ପବନ ଦେଖିବାକୁ ମିଳୁଛି। ଅନେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଦେଖିବାକୁ ମିଳିଛି। ଆସନ୍ତା କାଲି ୧୬ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଓ ୩ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ୟେଲୋ ଆଲର୍ଟ ଜାରି କରାଯାଇଥିବା ୧୬ ଜିଲ୍ଲା ହେଉଛି ଢେଙ୍କାନାଳ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦୁଝର, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଅନୁଗୁଳ, ରାୟଗଡ଼ା, ନବରଙ୍ଗପୁର, ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଓ ପୁରୀ। ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ୩ ଜିଲ୍ଲା ମୟୂରଭଞ୍ଜ, କୋରାପୁଟ ଓ ମାଲକାନାଗିରି। ଏସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସହ ୪୦-୫୦ କିମି ବେଗରେ ପବନ ବହିବା ନେଇ ବିଭାଗ ତରଫରୁ ଆଲର୍ଟ ଜାରି କରାଯାଇଛି।