)
ଭୁବନେଶ୍ୱର: ଓଡ଼ିଶା କ୍ୟାଡରର ୧୦ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ପଦୋନ୍ନତି ମିଳିଛି। ଏମାନଙ୍କ ଭିତରେ ୪ ଜଣ ଆଇପିଏସ୍ ଅଧିକାରୀ କେନ୍ଦ୍ରୀୟ ଡେପ୍ୟୁଟେସନରେ ରହି ପଦୋନ୍ନତି ହାସଲ କରିଛନ୍ତି। ଏହି ଅଧିକାରୀମାନଙ୍କ ପଦବୀରେ ପରିବର୍ତ୍ତନ ଘଟି ନାହିଁ କିନ୍ତୁ ଦରମା ଏବଂ ଅନ୍ୟାନ୍ୟ ସୁବିଧାସୁଯୋଗ ପରିବର୍ତ୍ତନ ହୋଇଛି। ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେହିପରି ୫ ଜଣ ଅଧିକାରୀଙ୍କ ପାହ୍ୟା ପରିବର୍ତ୍ତନ ହୋଇଛି। ଦୁଇଜଣ ଡିଆଇଜି ପାହ୍ୟାକୁ ପଦୋନ୍ନତି ହୋଇଥିବା ବେଳେ ଆଉ ତିନିଜଣଙ୍କ ଆଇଜି ପାହ୍ୟାକୁ ପଦୋନ୍ନତି ଘଟିଛି।
ଆଇପିଏସ୍ ଦରମା ନିୟମାବଳି ଅନୁସାରେ ୧୩ତମ ସ୍ତରକୁ ପଦୋନ୍ନତି ପାଇଛନ୍ତି ୨୦୧୩ ବ୍ୟାଚ୍ ଆଇପିଏସ୍ ଜଗମୋହନ ମୀନା, ପରମାରସ୍ମିତ ପୁରୁଷୋତ୍ତମ ଦାସ, ମୁକେଶ କୁମାର ଭାମୁ। ଏମାନଙ୍କ ସହ କେନ୍ଦ୍ରୀୟ ଡେପ୍ୟୁଟେସନରେ ଥିବା ୨୦୧୩ ବ୍ୟାଚ୍ ଓଡ଼ିଶା କ୍ୟାଡର ଅଫିସର ରାହୁଲ ପିଆର, ଅନୁପମା ଜେମ୍ସ ଏବଂ ଏଲ୍ ଦିବ୍ୟାଙ୍କୁ ମଧ୍ୟ ଦରମାସ୍ତର ୧୩କୁ ପଦୋନ୍ନତି ମିଳିଛି।
୨୦୧୨ ବ୍ୟାଚ୍ ଆଇପିଏସ୍ ସନ୍ଦୀପ ସମ୍ପତ ଏବଂ ସୁଧାଂଶୁ ଶେଖର ମିଶ୍ରଙ୍କୁ ଡିଆଇଜି ପାହ୍ୟା ପ୍ରଦାନ କରାଯାଇଛି। ସୁଧାଂଶୁ ଏବେ କେନ୍ଦ୍ର ଡେପ୍ୟୁଟେସନ୍ରେ ରହିଛନ୍ତି।
୨୦୦୮ ବ୍ୟାଚ୍ ଅଧିକାରୀ ଡ, ସତ୍ୟଜିତ ନାୟକ ଏବଂ ଡ. ଉମାଶଙ୍କର ଦାଶଙ୍କୁ ଆଇଜି ପାହ୍ୟା ମିଳିଛି। ସେହିପରି କେନ୍ଦ୍ରୀୟ ଡେପ୍ୟୁଟେସନରେ ଥିବା ୨୦୧୬ ବ୍ୟାଚ୍ ଅଧିକାରୀ ପ୍ରକାଶ ଆର୍ ଙ୍କୁ ମଧ୍ୟ ଆଇଜି ପାହ୍ୟା ମିଳିଛି।
ନୂଆବର୍ଷର ଉପହାର ଭାବେ ଆଇପିଏସ୍ ଅଧିକାରୀ ତଥା ନକ୍ସଲ ଅପରେସନ୍ ଅତିରିକ୍ତ ଡିଜି ସଞ୍ଜୀବ କୁମାର ପଣ୍ଡା ଏବଂ ଭିଜିଲାନ୍ସ ନିର୍ଦ୍ଦେଶକ ୟଶଓ୍ୱନ୍ତ ଜେଠଓ୍ୱାଙ୍କ ଡିଜିପି ପାହ୍ୟା ପାଇଁ ଯୋଗ୍ୟ ହୋଇଛନ୍ତି। ହେଲେ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ଡିଜି ପାହ୍ୟା ଖାଲି ନଥିବାରୁ ସେମାନଙ୍କ ପଦୋନ୍ନତିକୁ ସ୍ଥଗିତ ରଖାଯାଇଛି।