)
ଭୁବନେଶ୍ୱର: ସନାତନ ଧର୍ମର ସର୍ବୋଚ୍ଚ ପେଣ୍ଠସ୍ଥଳ ପୁରୀର ସହରର ଅନ୍ୟତମ ପ୍ରମୁଖ ଆକର୍ଷଣ ହେଉଛି ଶ୍ରୀଗୁଣ୍ଡିଚା ମନ୍ଦିର। ମହାପ୍ରଭୁ ବାର୍ଷିକ ରଥଯାତ୍ରା ସମୟରେ ଏହି ମନ୍ଦିରରେ ବିଜେ କରିଥାଆନ୍ତି। ଏଥିଲାଗି ଏହି ଯାତ୍ରା ଶ୍ରୀ ଗୁଣ୍ଡିଚା ଯାତ୍ରା ନାଁରେ ମଧ୍ୟ ପରିଚିତ ହୋଇଛି। ଅନେକ ବର୍ଷ ପରେ ଏବେ ପ୍ରଶାସନ ପକ୍ଷରୁ ଏହି ମନ୍ଦିରଙ୍କୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିବାର ବ୍ୟବସ୍ଥା କରାଯାଇଛି। ଡିସେମ୍ବର ୧ ତାରିଖରୁ ଏହି ନିୟମ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।
ଶ୍ରୀମନ୍ଦିର ପ୍ରଶାସନର ବ୍ୟବସ୍ଥା ଅନୁସାରେ ଏହି ମନ୍ଦିର ଭକ୍ତଙ୍କ ପାଇଁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଖୋଲିବ। ଶୀତ ଦିନେ ମନ୍ଦିର ୧ ଘଣ୍ଟା ପୂର୍ବରୁ ଅର୍ଥାତ୍ ସନ୍ଧ୍ୟା ୫ଟାରେ ବନ୍ଦ ହେବ। ମନ୍ଦିରରେ ପ୍ରଥମଥର ପାଇଁ ପ୍ରବେଶ ଶୁଳ୍କ ଲାଗୁ କରାଯାଇଛି। ସାଧାରଣ ଭକ୍ତ ୧୦ ଟଙ୍କା ଦେଇ ପ୍ରବେଶ କରିବେ। ପ୍ରବେଶ ସମୟରେ ଯୋତା, ମୋବାଇଲ୍ ଚମଡ଼ା ଜାତ ଦ୍ରବ୍ୟ ବାହାରେ ରଖିବେ। ମନ୍ଦିର ପକ୍ଷରୁ ମାଗଣାରେ ଯୋତା ରଖିବା ବ୍ୟବସ୍ଥା କରାଯାଇଛି। ଏହା ସହ ମନ୍ଦିରରେ ପିଇବା ପାଣି ବ୍ୟବସ୍ଥା ହୋଇଛି। ଯଦି କୌଣସି ୮୦ ବର୍ଷରୁ ଅଧିକ ବ୍ୟକ୍ତି ବା ୫ ବର୍ଷରୁ କମ୍ ଶିଶୁ ସାଙ୍ଗରେ ରହିବେ ସେମାନଙ୍କ ପାଇଁ ପ୍ରବେଶ ଶୁଳ୍କ ପଡ଼ିବ ନାହିଁ।
ପୁଣି ଦିବ୍ୟାଙ୍ଗଙ୍କ ଲାଗି ମଧ୍ୟ ପ୍ରବେଶ ଶୁଳ୍କ ରହିବ ନାହିଁ। ତାଙ୍କ ଯିବା ପାଇଁ ସ୍ୱତନ୍ତ୍ର ରାମ୍ପ ବ୍ୟବସ୍ଥା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ି ସୂଚନା ଦେଇଛନ୍ତି।
ଶ୍ରୀ ମନ୍ଦିର ଢାଞ୍ଚାରେ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଏହି ମନ୍ଦିରରେ ତିନୋଟି ମୁଖ୍ୟ ଅଂଶ ରହିଛି। ତାହା ହେଉଛି ଜଗମୋହନ, ନାଟ ମଣ୍ଡପ ଏବଂ ଗର୍ଭଗୃହ। ଏହାସହ ଅନ୍ୟ ଏକ ଭୋଗ ମଣ୍ଡପ ମଧ୍ୟ ଏଠାରେ ରହିଛି। ଗର୍ଭଗୃହରେ ସିହାସହ କ୍ଲେରାଇଟ୍ ବା କଳା ମୁଗୁନି ପଥରରେ ନିର୍ମାଣ କରାଯାଇଛି। ଏହା ରତ୍ନ ବେଦୀ ଭାବେ ପରିଚିତ। ମହାପ୍ରଭୁ ନବଦିନାଙ୍କ ଯାତ୍ରା ସମୟରେ ଏଠାରେ ବିରାଜିତ ହୁଅନ୍ତି। ମହାପ୍ରଭୁଙ୍କ ପାଇଁ ଏଠାରେ ରେଁଶାଳା ରହିଛି। କେବଳ ମହାପ୍ର୍ରଭୁ ଥିବା ସମୟରେ ହିଁ ଏହା ପରିଚାଳିତ ହୋଇଥାଏ। ରଥଯାତ୍ରା ପ୍ରସ୍ତୁତି ଅର୍ଥାତ୍ ଦେବସ୍ନାନ ପୂର୍ଣ୍ଣମୀଠାରୁ ରଥଯାତ୍ରା ଯାଏ ଏହି ମନ୍ଦିର ଭକ୍ତଙ୍କ ପ୍ରବେଶ ପାଇଁ ବନ୍ଦ ରହିବ। ଏଠାରେ ଆବଶ୍ୟକ ରୀତି ନୀତି ପ୍ରାଇଁ ପ୍ରସ୍ତଚତି କରାଯିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।