)
ଭୁବନେଶ୍ୱର: ଦଶହରା ରାତିରେ ସାରା ରାଜ୍ୟ ଉତ୍ସବମୁଖରିତ ଥିବା ସମୟରେ ଚମ୍ପଟ ମାରିଛନ୍ତି ବିଚାରାଧୀନ କଏଦୀ। ପୁଣି ଜେଲ୍ର ଲୁହା ବାଡ଼କୁ କାଟି ଫେରାର ହୋଇଛନ୍ତି। ଏଯାଏ ପୁଲିସ ତାଙ୍କର ଟେର ପାଉନି। ଏହା ସ୍ପଷ୍ଟ କରୁଛି ଯେ ରାଜ୍ୟର ଜେଲ୍ଗୁଡ଼ିକରେ ବି ସୁରକ୍ଷା ବ୍ୟବସ୍ଥା ଢିଲା ରହିଛି।
ସୂଚନା ଅନୁସାରେ ଏହି ଦୁଇଜଣ କଏଦୀ ଜାନୁୟାରୀ ୪ ତାରିଖରେ ଗିରଫ ହୋଇଥିଲେ। ଯାଜପୁର ଜିଲ୍ଲାର ପାଣି କୋଇଲିଠାରେ ଥିବା ପଣ୍ଡା ଜ୍ୱେଲେରୀ ଲୁଟ ଘଟଣାରେ ଏମାନେ ସମ୍ପୃକ୍ତ। ସେ ସମୟରେ ଜ୍ୱେଲେରୀରେ ନିଆଁ ଲଗାଇ ଲୁଟ କରିବାକୁ ଚେଷ୍ଟା କରିଥିଲେ ଏହି ଦୁଇ ଅଭିଯୁକ୍ତ। ଏମାନଙ୍କୁ ସେତେବଳେ ସ୍ଥାନୀୟ ଲୋକେ କାବ କରି ପୁଲିସକୁ ଦେଇଥିଲେ। ଏହି ମାମଲା ବିଚାର ଚାଲିଥିବା ବେଳେ ଏବେ ଦୁଇଜଣଯାକ କଏଦୀ ଫେରାର ହୋଇଯାଇଥିବା ସୂଚନା ମିଳିଛି।
ଏ ଦୁଇ କଏଦୀଙ୍କ ଘର ବିହାର ପ୍ରଦେଶରେ। ଜେଲ୍ ଓ୍ୱାର୍ଡେନ ନଥିବା ବେଳେ ଏମାନେ ସେଲର ଲୁହା ଜାଲି କାଟି ଫେରାର ହୋଇଥିବା ଅନ୍ୟ କଏଦୀ ମାନେ କହିଛନ୍ତି। ଏ ଘଟଣା ପ୍ରାୟ ରାତି ୧ଟା ବେଳେ ଘଟିଥିବରର ସୂଚନା ମିଳିଛି।
ତେବେ ଏହିପରି ଘଟଣା ବାରମ୍ବାର ରାଜ୍ୟର ବିଭିନ୍ନ ଜେଲରେ ଘଟୁଥିବାରୁ ଏବେ ଜେଲଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ପ୍ରଶ୍ନ ଘେରକୁ ଆସିଛି। ଜେଲ ସୁରକ୍ଷା ବ୍ୟବସ୍ଥା ପ୍ରତି ସରକାର ଧ୍ୟାନ ଦେଉ ନଥିବା ଅଭିଯୋଗ ହୋଇଛି।