)
ଭୁବନେଶ୍ୱର: ବିଦେଶୀ ସିଗାରେଟ ଚୋରା ଚାଲାଣ ଅଭିଯୋଗରେ ଆଜି ୩ ଜଣ ବିମାନଯାତ୍ରୀଙ୍କୁ ଅଟକ ରଖାଯାଇଛି। ଏମାନେ ଆସୁଥିବା ବିମାନରେ ୫୦ ହଜାର ଖଣ୍ଡ ବିଦେଶୀ ସିଗାରେଟ ସାଙ୍ଗରେ ଆଣୁଥିଲେ। ଏଡାର ଦାମ ୨୭ ଲକ୍ଷ ଟଙ୍କା ହେବ। ରାଜସ୍ୱ ଗୁଇନ୍ଦା ବିଭାଗ ଏ ବାବଦରେ ଗୁଇନ୍ଦା ସୂଚନା ସଂଗ୍ରହ କରି ଏହି ଯାତ୍ରୀଙ୍କୁ ଧରିବା ସହ ତାଙ୍କ ପାଖରୁ ଏହି ସିଗାରେଟ ଜବତ କରିଛି। ଏହି ସିଗାରେଟ ଚାଲାଣ ଏକ ନିୟମିତ କାରବାର ବୋଲି ସନ୍ଦେହ କରାଯାଉଛି। ଏପରି ଯାତ୍ରୀମାନଙ୍କ ଦ୍ୱାରା ବିଦେଶୀ ସିଗାରେଟ ଅଣାଯାଇ ସଡ଼କପଥରେ ମୁମ୍ବାଇ ନିଆଯାଉଥିବା ମଧ୍ୟ ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ, ଆବୁଧାବି ଭୁବନେଶ୍ୱର ଆସିଥିବା ଏକ ବିମାନରେ ଏହି ଯାତ୍ରୀମାନେ ଭୁବନେଶ୍ୱର ଆସୁଥିଲେ। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍ଆଇ) ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ତିନି ଜଣ ଯାତ୍ରୀଙ୍କ ପାଖରୁ ୫୦,୦୦୦ ରୁ ଅଧିକ ବିଦେଶୀ ସିଗାରେଟ୍ ଜବତ କରିବା ସହ ସେମାନଙ୍କୁ ଗିରଫ କରିଛି।
ଗୁଇନ୍ଦା ଅଧିକାରୀମାନେ ସୂଚନା ଆଧାରରେ ସେମାନଙ୍କ ଚେକ୍-ଇନ୍ ବ୍ୟାଗେଜ ଯାଞ୍ଚ କରିଥିଲେ। ଏହାଦ୍ୱାରା ୩୮,୪୦୦ ସିଗାରେଟ୍, ୪,୦୦୦ ସିଗାର, ୧,୨୨୮ କାର୍ଟ୍ରିଜ୍ ଇ-ସିଗାରେଟ୍, ୬ଟି ୱାୟାରଲେସ୍ ମାଇକ୍ରୋଫୋନ୍ ଏବଂ ୧୦ଟି ପୁନଃ ନିର୍ମିତ ଲାପଟପ୍ ଜବତ କରିଥିଲେ। ଏଗୁଡ଼ିକର ସମୁଦାୟ ମୂଲ୍ୟ ପ୍ରାୟ ୨୭,୦୦,୦୦୦ ଟଙ୍କା ହେବ।
ଜବତ ପରେ, ଉଦ୍ଧାର ସାମଗ୍ରୀଗୁଡ଼ିକୁ ଅଧିକ ତଦନ୍ତ ପାଇଁ ଭୁବନେଶ୍ୱର କଷ୍ଟମ୍ସର ଏୟାର ଇଣ୍ଟେଲିଜେନ୍ସ ୟୁନିଟକୁ ହସ୍ତାନ୍ତର କରାଯାଇଛି।