)
Top 10 News Headlines
1- ଆସ୍ଥା ଭୋଟ ପୂର୍ବରୁ ବିଧାନସଭରେ ବିତର୍କ ଜାରି: ସୋମବାର ବିହାର ବିଧାନସଭାରେ ଅନୁଷ୍ଠିତ ହେଉଛି ଆସ୍ଥାଭୋଟ। ଏହି ଭୋଟିଂ ହେବା ପୂର୍ବରୁ ବିହାର ବିଧାନସଭାରେ ଜାରି ରହିଛି ବିତର୍କ। ପ୍ରଥମେ ବାଚସ୍ପତି ଆସନରେ ବସିଥିବା ଅବଧ ବିହାର ଚୌଧୁରୀ ଅନାସ୍ଥା ପ୍ରସ୍ତାବ ଆଗତ କରି ହଟାଯାଇ ସାରିଛି। ଅନ୍ୟପକ୍ଷରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ୨ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା, ବିରୋଧି ଦଳ ନେତା ତେଜସ୍ୱୀ ଯାଦବ, ମନ୍ତ୍ରୀ ବିଜୟ ଚୌଧୁରୀ ସେମାନଙ୍କର ଅଭିଭାଷଣ ରଖି ସାରିଛନ୍ତି। ମୁଖ୍ୟ ବିରୋଧି ଦଳ ଆସନରେ ବସିଥିବା ରାଷ୍ଟ୍ରୀୟ ଜନତା ଦଳର ୩ ବିଧାୟକ ଦଳୀୟ ହ୍ୱିପ୍ ଅବମାନନା କରିଥିବାର ଖବର ଆସିଛି।
2- ପ୍ରେମ ସପ୍ତାହରେ ପ୍ରେମୀ ଯୁଗଳଙ୍କ ମୃତ୍ୟୁ: ନବରଙ୍ଗପୁର ଉମରକୋଟ ବୁର୍ଜା ଗାଁର ପମ୍ପ ହାଉସରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ବିବାହ ପାଇଁ ସାମାଜିକ ସ୍ୱୀକୃତି ନ ମିଳିବାରୁ ଦୁଇ ଜଣ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବର୍ତ୍ତମାନ ସ୍ଥାନିୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।
3- ଏମକେସିଜି ମେଡିକାଲ କଲେଜରେ ପୁଣି ରାଗିଂ ଅଭିଯୋଗ: ଗତ ଶୁକ୍ରବାର ବିଳମ୍ବିତ ରାତିରେ ବ୍ରହ୍ମପୁର ମେଡିକାଲ କଲେଜର ପ୍ରଥମ ବର୍ଷ ଏମବିବିଏସ୍ ଛାତ୍ର ରୁଦ୍ର ରାଉତଙ୍କୁ କ୍ୟାମ୍ପସ ପରିସରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । କଲେଜର ଚତୁର୍ଥ ବର୍ଷ ଏମବିବିଏସର କିଛି ଛାତ୍ର ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଥିରେ ରଦ୍ର ଲହୁଲହାଣ ହୋଇଥିଲେ । ଏନେଇ ରୁଦ୍ର ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
4- ଏପ୍ରିଲ ୧୪ରେ ପାଳନ ହେବ ପଣାସଂକ୍ରାନ୍ତି: ମହା ବିଷୁବ ପଣା ସଂକ୍ରାନ୍ତି ପାଳନକୁ ନେଇ ହଟିଲା ସଂଶୟ । ଏପ୍ରିଲ ୧୪ରେ ହିଁ ପାଳନ ହେବ ପଣାସଂକ୍ରାନ୍ତି । ଏହିଦିନ ପଣା ସଂକ୍ରାନ୍ତି ପାଳନ ନେଇ ମୋହର ମାରିଲେ ପୁରୀର ମୁକ୍ତି ମଣ୍ଡପ ପଣ୍ଡିତ ସଭା । ଅନ୍ୟ କିଛି ଗଣନାକାରୀ ୧୩ ତାରିଖରେ ପଣାସଂକ୍ରାନ୍ତି ପାଳନ କରାଯିବ ବୋଲି କହିଛନ୍ତି ଯାହାକୁ ନେଇ ପୁରୀର ମୁକ୍ତି ମଣ୍ଡପ ପଣ୍ଡିତ ସଭା ଆଜି ସ୍ପଷ୍ଟ କରିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ଏହିଦିନ ଓଡ଼ିଆ ନବବର୍ଷ ଆରମ୍ଭ ହେଉଥିବା ବେଳେ ପ୍ରଭୁ ଶ୍ରୀ ହନୁମାନଜୀଙ୍କ ଜୟନ୍ତୀ ମଧ୍ୟ ପଡିଥାଏ ।
5- ପଞ୍ଚଭୂତରେ ବିଲୀନ ସାତକଡି ହୋତା: ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ୟ୍ୟାଦାର ସହ ବରିଷ୍ଠ ସାହିତ୍ୟିକ ସାତକଡି ହୋତାଙ୍କ ଅନ୍ତେଷ୍ଟିକ୍ରିୟା ଶେଷ ହୋଇଛି । ବଡ଼ପୁଅ ସଂଜୀବ ହୋତା ଶବରେ ମୁଖାଗ୍ନି ଦେଇଥିଲେ । ଜିଲ୍ଲାପାଳ ବିଜୟ କୁମାର ଦାଶ, ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ଅତିରିକ୍ତ ଏସପି ସୁଶିଲ କୁମାର ମିଶ୍ର, ବହୁ ବରିଷ୍ଠ ନାଗରିକ, ସାହିତ୍ୟିକ ଙ୍କ ସମେତ ଅନେକ ସାମ୍ବାଦିକ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
6- ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ ଘୋଷଣା: ନୂତନ ଯୁଗର ପ୍ରଭାବଶାଳୀ ତଥା ସୃଷ୍ଟିକର୍ତ୍ତାଙ୍କୁ ଚିହ୍ନିବା ଏବଂ ଭାରତର ଡିଜିଟାଲ ଅର୍ଥନୀତିକୁ ପାଳନ କରିବା ପାଇଁ ସରକାର ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ ପଦକ୍ଷେପକୁ ପ୍ରଶଂସା କରିବା ସହ ସୃଜନଶୀଳ କାର୍ୟ୍ୟରେ ନିୟୋଜିତ ଲୋକଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ବୋଲି କହିଛନ୍ତି। ନ୍ୟାସନାଲ କ୍ରିଏଟର୍ସ ଆୱାର୍ଡ ସମ୍ପର୍କରେ ମାୟଗାଓଁ ଇଣ୍ଡିଆ ଦ୍ୱାରା ଏକ ପୋଷ୍ଟ କରିଛନ୍ତି।
7- ଯମୁନା ଏକ୍ସପ୍ରେସ-ୱେରେ ଭୟଙ୍କର ଦୁର୍ଘଟଣା: ଆଜି ଭୋର ସମୟରେ ଏକ ଡବଲ ଡେକର ବସ୍ ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟିହୋଇଥିଲା । ସେହି ସମୟରେ ପଛପଟୁ ଆସୁଥିବା ଏକ ସ୍ୱିଫ୍ଟ କାର ବସ୍ ଭିତରେ ପଶିଯାଇଥିଲା । ଫଳରେ ଉଭୟ ବସ୍ ଓ କାରରେ ହଠାତ୍ ନିଆଲାଗିଥିଲା । ନିଆ ଏତେ ଭୀଷଣ ଥିଲା ଯେ , ଫାୟାର ବ୍ରିଗେଡ୍ ଆସି ନିଆଁ ଲିଭାଇବା ବେଳକୁ କାରରେ ଥିବା ୫ଜଣ ଜୀବନ୍ତ ପୋଡିଯାଇଥିଲେ ।
8- ନୂଆପଡାରେ ବନ୍ଦ ପାଳନ: ସୋମବାର ୮ଘଣ୍ଟିଆ ନୂଆପଡା ଜିଲ୍ଲା ବନ୍ଦ ପାଳନ କରାଯାଉଛି। ନୂଆପଡା ଶ୍ରମିକ ମହାସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପ୍ରଭାବରେ ସାରା ସହରରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ପ୍ରଭାବିତ ହୋଇଛି। ଜିଲ୍ଲାରେ ଶ୍ରମିକ ସମସ୍ୟା , ବେଆଇନ୍ ମଦ ବିକ୍ରି, ଦାଦନ ମୁକ୍ତ, ବେକାରୀଙ୍କୁ ରୋଜଗାର ଏବଂ ଭ୍ରଷ୍ଟାଚାର ମୁକ୍ତ ପରି ଦାବି ନେଇ ଏହି ବନ୍ଦ ପାଳନ କରାଯାଉଛି।
9- ଓଡ଼ିଶା ଆସୁଛନ୍ତି ଶିବରାଜ ସିଂ ଚୌହାନ: ମଙ୍ଗଳବାର ଓଡ଼ିଶା ଆସୁଛନ୍ତି ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ବିଜେପି ପକ୍ଷରୁ ସମୀକ୍ଷା କାର୍ଯ୍ୟକ୍ରମ ରହିଛି । ଚଳିତ ମାସ ଶେଷରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଦଳକୁ ସୁଦୃଢ କରିବା ସହ ଜନତାଙ୍କୁ ବିଜେପିର କାର୍ଯ୍ୟକଳାପ ବିଷୟରେ ସୂଚନା ଦେବା ପାଇଁ ଦଳ ପକ୍ଷରୁ ପ୍ରୟାସ ଜାରି ରହିଛି ।
10- ଆଜି ୫ ଜିଲ୍ଲାରେ ବର୍ଷା ସମ୍ଭାବନା : ଫେବୃଆରୀ ଶେଷ ହୋଇନି କିନ୍ତୁ ରାଜ୍ୟରୁ ଗାଏବ ହୋଇଯାଇଛି ଶୀତ । ଦୁଇ ଦିନ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିବା ବେଳେ ଉତ୍ତର-ପଶ୍ଚିମାଞ୍ଚଳରେ ହାଲୁକା ଶୀତ ଅନୁଭୂତ ହେଉଥିଲା । କିନ୍ତୁ ଏବେ ପୁଣି ଥରେ ରାଜ୍ୟରୁ ଶୀତ ଉଭାନ୍ ହୋଇଛି। ରାତି ପାରଦ ଉପର ମୁହାଁ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସବୁ ସ୍ଥାନର ରାତିର ତାପମାତ୍ରା ୧୦ ଡିଗ୍ରୀ ଉପରେ ରେକର୍ଡ଼ ହୋଇଛି। ଆଜି କେନ୍ଦୁଝର, ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି।