H.1.ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଗତକାଲି ସଂଧ୍ୟାରେ ନିର୍ବାଚନୀ ପ୍ରଚାର ଶେଷ ହୋଇଛି। ଆସନ୍ତାକାଲି ଅର୍ଥାତ୍ ମେ ' ୨୫ ତାରିଖ ଶନିବାର ୮ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ସମୁଦାୟ ୫୮ଟି ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବ। ତେବେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ କୁରୁକ୍ଷେତ୍ର ବିଜେପିରୁ ନବୀନ ଜିନ୍ଦଲ, ସମ୍ବଲପୁର ବିଜେପିରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ବିଜେପିରୁ ସମ୍ବିତ ପାତ୍ର, ଭୁବନେଶ୍ୱର ବିଜେପିରୁ ଅପରାଜିତା ଷଡ଼ଙ୍ଗୀ, କରନାଲ୍ ବିଜେପିରୁ ମନୋହରଲାଲ୍ ଖଟ୍ଟର, ଗୁଡ଼ଗାଁଓ କଂଗ୍ରେସରୁ ରାଜ ବବର, ନୂଆଦିଲ୍ଲୀ ବିଜେପିରୁ ବାଂସୁରୀ ସ୍ବରାଜ, ଉତ୍ତର ପୂର୍ବ ଦିଲ୍ଲୀର ବିଜେପିରୁ ମନୋଜ ତିୱାରୀଙ୍କ ଭାଗ୍ୟ ପରୀକ୍ଷା ହେବ।


COMMERCIAL BREAK
SCROLL TO CONTINUE READING

H.2.ଓଡ଼ିଶାରେ ଷଷ୍ଠ ପର୍ଯ୍ୟାୟରେ ଆସନ୍ତା ମଇ ୨୫ ତାରିଖରେ ଛଅଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା କ୍ଷେତ୍ରରେ ମତଦାନ ପ୍ରକ୍ରିୟା ହେବାକୁ ଯାଉଛି । ଏଥିପାଇଁ ୬ଟି ଲୋକସଭା ଅଧିନ ୪୨ଟି ବିଧାନସଭା ଆସନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କିଛି ସମ୍ବେଦନଶୀଳ ତଥା ଅତି ସମ୍ବେଦନଶୀଳ ବୁଥରେ ରାଜନୈତିକ ହିଂସା କିମ୍ବା ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି ନିର୍ବାଚନ ଆୟୋଗ। ଜନସାଧାରଣଙ୍କ ଅବଗତି ନିମନ୍ତେ ଏହା ସ୍ପଷ୍ଟ ଭାବେ ଜଣାଇ ଦିଆଯାଉଛି ଯେ ଭାରତ ନିର୍ବାଚନ ଆୟୋଗ ରାଜନୈତିକ ହିଂସା ଓ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ‘ଶୂନ୍ୟ ସହନଶୀଳତା ନୀତି’ ଅବଲମ୍ବନ କରି ଆସିଛନ୍ତି। ତେଣୁ ଏଭଳି ସମସ୍ତ ଅପ୍ରୀତିକର ପରିସ୍ଥିତିରୁ ଦୂରେଇ ରହି ଶାନ୍ତିଶୃଙ୍ଖଳା ବଜାୟ ରଖି ଗଣତନ୍ତ୍ରର ମହାପର୍ବରେ ସାମିଲ ହେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସମସ୍ତ ରାଜନୈତିକ ଦଳ ଓ ରାଜ୍ୟର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।


H.3.ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ନିର୍ବାଚନ ମଣ୍ଡଳୀ। ନିର୍ବାଚନ ପାଇଁ ଭୁବନେଶ୍ଵର ସମେତ ୬ଲୋକସଭା କ୍ଷେତ୍ରର ମତଦାନ ପାଇଁ ଗୁରୁବାର ସଂଧ୍ୟା ୫ଟାଠାରୁ ମଦ କାଉଣ୍ଟର ଓ ବାର୍ ଗୁଡ଼ିକ ବନ୍ଦ କରି ଦିଆଯାଇଛି। ନିୟମ ଉଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସହ ଲାଇସେନ୍ସ ବାତିଲ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ତେବେ ସମସ୍ତ ମଦ ଦୋକାନ ଗୁଡ଼ିକ ବନ୍ଦ ଥିବା ଦେଖିବାକୁ ମିଳିଛି। କିନ୍ତୁ ନିର୍ବାଚନ ପାଇଁ ଅନେକ ସ୍ଥାନରେ ଚୋରାରେ ମଦ କାରବାର ଚାଲିଥିବା ଅଭିଯୋଗ ହୋଇଛି। ଆସନ୍ତା ରବିବାର ଦିନ ୧୦ଟା ପରେ ମଦ ଦୋକାନ ଗୁଡ଼ିକ ପୁଣି ଖୋଲିବା ନେଇ କୁହାଯାଇଛି।


H.4.ଆସନ୍ତା ରବିବାର, ୨୬ତାରିଖରେ ପ୍ରକାଶ ପାଇବ ଓଡ଼ିଶା ବୋର୍ଡ ଦ୍ୱାରା ପରିଚାଳିତ ୧୦ଶ୍ରେଶୀ ପରୀକ୍ଷାଫଳ। ଏନେଇ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଦିନ ୧୦ଟା ୩୦ ମିନିଟ୍‍ ସମୟରେ  ବୋର୍ଡ କାର୍ଯ୍ୟାଳୟରେ ଫଳ ପୁସ୍ତିକା ଲୋକର୍ପଣ ହେବ। ଏହାପରେ ୧୧ଟା ୩୦ରେ ଇଣ୍ଟରନେଟ୍‍ରେ ଉପଲବ୍ଧ ହେବ ପରୀକ୍ଷାଫଳ । ଅପରାହ୍ଣରେ ପରୀକ୍ଷାର୍ଥୀ ନିଜର ଡିଜିଲ୍‍ ସାର୍ଟିଫିକେଟ୍‍ ଇଣ୍ଟରନେଟରୁ ଡାଉନଲୋଡ୍‍ କରିପାରିବେ। ପରୀକ୍ଷାଫଳ ପାଇଁ www.bse.odisha.ac.in  କୁ ଲଗ୍‍ ଇନ କରାଯାଇପାରିବ। ଯେଉଁମାନଙ୍କ ପାଖରେ ଇଣ୍ଟରନେଟ୍ ନାହିଁ ସେମାନେ ଏସ୍‍ଏମଏସ୍‍ ଜରିଆରେ ମଧ୍ୟ ଫଳାଫଳ ଜାଣିପାରିବେ। ଏଥିଲାଗି ରୋଲ ନମ୍ବର ସହ ୫୬୭୬୭୫୦ କୁ ଏସ୍‍ଏମ୍‍ଏସ୍‍ କରିବାକୁ ହେବ।


H.5.ବାଂଲାଦେଶ ସାଂସଦ ଅନୱାରୁଲ ଅଜିମ ଅନାରଙ୍କ ହତ୍ୟା ମାମଲାରେ କୋଲକାତା ପୋଲିସକୁ ଆଉ କିଛି ନୂଆ ତଥ୍ୟ ମିଳିଛି। ତାଙ୍କୁ ହନିଟ୍ରାପରେ ଫସାଇ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ସାଂସଦଙ୍କୁ ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ବ୍ୟାଗରେ ରଖାଯାଇ ଫୋପାଡି ଦିଆଯାଇଥିବା କହିଛି ପୋଲିସ। ଆମେରିକାରେ ରହୁଥିବା ତାଙ୍କର ଜଣେ ସାଙ୍ଗ ତାଙ୍କର ହତ୍ୟା କରିବା ୫ କୋଟି ଟଙ୍କାର ସୁପାରି ଦେଇଥିବା କୁହାଯାଉଛି। ସାଂସଦଙ୍କୁ ଜଣେ ମହିଳାଙ୍କ ପ୍ରେମ ଜାଲରେ ଫସାଯାଇ ଏପରି ନାରକୀୟ କାଣ୍ଡ କରାଯାଇଥିବା କହିଛି ପୋଲିସ।


H.6.ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଅବପାତ ରୂପ ନେଇଛି। ଏହା ଭୀଷଣ ବାତ୍ୟାରେ ଆସନ୍ତା କାଲି ପରିଣତ ହେବ। ଏହା ପରେ ବାଂଲାଦେଶର ଖେପୁପରା ଅଞ୍ଚଳରେ ସ୍ଥଳଭାଗ ଛୁଇଁ ଦୁର୍ବଳ ହେବ। ପାଣିପାଗ ବିଭାଗର ସୂଚନା ଅନୁସାରେ ସୃଷ୍ଟ ଅବପାତ  ଉତ୍ତର ପୂର୍ବ ଦିଗ ଆଡ଼କୁ ଗତି କରୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବ। ୨୫ ତାରିଖ ସନ୍ଧ୍ୟା ବେଳକୁ ସାଂଘାତିକ ରୂପ ନେବା ଆଶଙ୍କା କରାଯାଇଛି। ୨୬ ତାରିଖ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ। ଏହିଦିନ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଦେଇ ଏହା ସ୍ଥଳଭାଗ ଛୁଇବ। ଖେପୁପରା ଓ ସାଗରଦ୍ୱୀପ ମଧ୍ୟବର୍ତ୍ତୀ ସ୍ଥାନରେ ମାଡ ହୋଇ ଏହା ଦୁର୍ବଳ ହେବ। ଏହାର ପ୍ରଭାବରେ  ସମ୍ପୃକ୍ତ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି।


H.7. ଆସନ୍ତାକାଲି ବିଜେପି ପାଇଁ କ୍ୟାମ୍ପେନିଂ ପାଇଁ ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି(BJP) ମୁଖପାତ୍ର ସତ୍ୟବ୍ରତ ପଣ୍ଡା । ଶନିବାର ସ୍ମୃତି ଇରାନୀ କୁଜଙ୍ଗ, ଆଳି ଏବଂ ବାଲେଶ୍ୱର(Balasore) ରେମୁଣାରେ ନିର୍ବାଚନୀ ସଭା କରିବେ । ଖାସ୍ କରି ସୁଭଦ୍ରା ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବେ ସ୍ମୃତି ଇରାନୀ ।


H.8. ଆଇଏସ ସ୍ଥରରେ ଛୋଟ ଧରଣର ଅଦଳବଦଳ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ନିଯୁକ୍ତ ହେଲେ ବରିଷ୍ଠ ଆଇଏସ ଅଧିକାରୀ ଅରବିନ୍ଦ ପାଢୀ। ଏହା ପୂର୍ବରୁ ୨୦୧୪ରେ ଅରବିନ୍ଦ ପାଢୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିଥିଲେ। ବୀର ବିକ୍ରମ ଯାଦବ ୨୧ ଦିନିଆ ଛୁଟିରେ ଥିବାରୁ ତାଙ୍କ ଅନୁପସ୍ଥିତିରେ ଦାୟିତ୍ୱ ତୁଲାଇବେ ଅରବିନ୍ଦ ପାଢୀ।


H.9. ସମ୍ବଲପୁରରେ ଲାଗୁ ହେଲା ଧାରା ୧୪୪। ଆସନ୍ତାକାଲି ସମ୍ବଲପୁରରେ ଭୋଟିଂ ଥିବା ବେଳେ ୧୪୪ ଧାରା ଲାଗିବା ନେଇ ସୂଚନା ଦେଇଛନ୍ତି ସମ୍ବଲପୁର ପୋଲିସ୍ ମୁଖ୍ୟ। ଆସନ୍ତା ୨୬ ତାରିଖ ସକାଳ ୧୦ଟା ଯାଏଁ ଧାରା ୧୪୪ ଲାଗୁ ହେଇଛି। ସେପଟେ ଆସନ୍ତା କାଲି ହେବାକୁ ଥିବା ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ରେ ପାଳନ ପାଇଁ ୨୮୦୦ ପୋଲିସ ନିଯୁକ୍ତି ହୋଇଛନ୍ତି। ବିଭିନ୍ନ ବିଭାଗର ପୋଲିସମାନେ ଭିନ୍ନ ଭିନ୍ନ ସ୍ଥାନରେ ନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ସୂଚନା ଦେଇଛନ୍ତି ଏସପି।


H.10. ଅଭିନେତ୍ରୀ ଲୈଲା ଖାନ ହତ୍ୟା ମାମଲାରେ ନିଷ୍ପତ୍ତି ଶୁଣାଇଛନ୍ତି କୋର୍ଟ । ହତ୍ୟାର ୧୩ ବର୍ଷ ପରେ ଆସିଛି ରାୟ । ମୁମ୍ବାଇର ସେସନ୍ସ କୋର୍ଟ ଦୋଷୀ ସାବତ ବାପା ପରଭେଜ ଟାକଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ୨୦୧୧ ମସିହାରେ ଲୈଲାଙ୍କ ସହ ୬ ଜଣଙ୍କୁ ହତ୍ୟା କରିଥିଲା। ପ୍ରାୟ ୧୩ ବର୍ଷ ପରେ କୋର୍ଟ ଏହି ମାମଲାରେ ଦଣ୍ଡ ଘୋଷଣା କରିଛନ୍ତି। ପରଭେଜ ଟକ ହେଉଛନ୍ତି ମୃତ ଲୈଲା ଖାନଙ୍କ ସାବତ ବାପା। ୨୦୧୧ ଫେବ୍ରୁଆରୀରେ, ପରଭେଜ ଟାକ ମହାରାଷ୍ଟ୍ରର ଇଗାଟପୁରୀର ଏକ ଫାର୍ମ ହାଉସରେ ଲୈଲା ଖାନ ଏବଂ ତାଙ୍କ ପରିବାରର ଅନ୍ୟ ପାଞ୍ଚଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ମୃତଦେହକୁ ମାଟି ତଳେ ପୋତି ଦେଇଥିଲେ। ମୃତକଙ୍କ ମଧ୍ୟରେ ଥିଲେ ଲୈଲାଙ୍କ ମାଆଙ୍କ ସହ ୪ ଭାଇଭଉଣୀ ।