)
ଭୁବନେଶ୍ୱର: ନିକଟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ବ୍ରହ୍ମପୁରରୁ ଉଧନା ଅମୃତ ଭାରତ ଟ୍ରେନର ଯାତ୍ରା ସଂଖ୍ୟାକୁ ବଢ଼ାଇ ଦିଆଯାଇଛି। ଏଣିକି ଏହା ସପ୍ତାହରୁ ଦିନେ ବଦଳରେ ତିନିଦିନ ଚାଲିବ।
ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀ ସୁବିଧା ବୃଦ୍ଧି କରିବା ପାଇଁ ରେଳ ମନ୍ତ୍ରଣାଳୟର ଏହି ପ୍ରୟାସ ଉଦ୍ଦିଷ୍ଟ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। ଏହି ପଦକ୍ଷେପ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ସହିତ ଯାତ୍ରୀମାନଙ୍କୁ ଉନ୍ନତ ଯାତ୍ରା ସୁବିଧା ପ୍ରଦାନ କରିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି।
ଟ୍ରେନ୍ ନମ୍ବର ୧୯୦୨୧ ଉଧନା-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସ୍, ଯାହା ପୂର୍ବରୁ କେବଳ ରବିବାର ଚାଲୁଥିଲା, ଏବେ ୧୯ ନଭେମ୍ବର ୨୦୨୫ ଠାରୁ ସପ୍ତାହରେ ତିନି ଦିନ - ରବିବାର, ବୁଧବାର ଏବଂ ଶୁକ୍ରବାର ଚାଲିବ।
ସେହିପରି, ଟ୍ରେନ୍ ନମ୍ବର ୧୯୦୨୨ ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ୍, ଯାହା ପୂର୍ବରୁ କେବଳ ସୋମବାରରେ ଚଳାଚଳ କରୁଥିଲା, ଏବେ ୨୦ ନଭେମ୍ବର ୨୦୨୫ ଠାରୁ ସପ୍ତାହରେ ତିନି ଦିନ - ସୋମବାର, ଗୁରୁବାର ଏବଂ ଶନିବାର - ଚଳାଚଳ କରିବ।
ବର୍ତ୍ତମାନର ଅମୃତ ଭାରତ ଏକ୍ସପ୍ରେସର ସମୟ, ରହଣି ସ୍ଥାନ କିମ୍ବା କୋଚ୍ ଗଠନରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହି ସମ୍ପର୍କରେ ଜାରି କରାଯାଇଥିବା ସମସ୍ତ ପୂର୍ବ ନିର୍ଦ୍ଦେଶ ଅପରିବର୍ତ୍ତିତ ରହିଛି।
ଯାତ୍ରୀମାନଙ୍କୁ ସଂଶୋଧିତ ଚଳାଚଳ ଉପରେ ଧ୍ୟାନ ଦେବା ତଥା ସେହି ଅନୁସାରେ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି।