)
Budget 2025: ନିକଟରେ ଓଡ଼ିଶାରେ ନିର୍ବାଚନ ଜିତି ସରକାର ଗଢିଥିବା ବିଜେପି କେନ୍ଦ୍ର ବଜେଟ ୨୦୨୫-୨୬ରେ ରାଜ୍ୟ ପାଇଁ କୌଣସି ସ୍ୱତନ୍ତ୍ର ଯୋଜନା ବା ଘୋଷଣା କରିନାହିଁ। ଅନ୍ୟ ପକ୍ଷରେ ବିହାର, ଆସାମ, ଉତ୍ତର ପୂର୍ବାଞ୍ଚଳ, ଗୁଜୁରାଟ ଏବଂ ଆଣ୍ଡାମାନ ନିକୋବର ଦ୍ୱିପପୁଞ୍ଜ ପାଇଁ ଉପହାରର ବର୍ଷା କରିଛନ୍ତି। ଆଗକୁ ଏସବୁ ରାଜ୍ୟରେ ନିର୍ବାଚନ ଆଖିରେ ରଖି ସରକାର ବଜେଟକୁ ପ୍ରେରିତ କରିଥିବା ଆଲୋଚନା ହେଉଛି।
ଆଜି ୧ ଫେବୃଆରୀ ୨୦୨୫ରେ ଉପସ୍ଥାପନ କରାଯାଇଥିବା କେନ୍ଦ୍ରୀୟ ବଜେଟରେ ସବୁଠାରୁ ଅଧିକ ଲାଭାନ୍ୱିତ ହୋଇଛି ବିହାର। ମଖାନା ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ମଖାନା ବୋର୍ଡ ସହ ଏକ ଜାତୀୟ ଖାଦ୍ୟ ପ୍ରଯୁକ୍ତି ପ୍ରତିଷ୍ଠାନ, ଆଇଆଇଟି ପାଟନାର କ୍ଷମତା ବୃଦ୍ଧି ସହ ବିହାରରେ ଏକ ଗ୍ରୀନଫିଲ୍ଡ ବିମାନ ବନ୍ଦର ପାଇଁ ବଜେଟରେ ଘୋଷଣା କରାଯାଇଛି। ଓଡ଼ିଶାର ପୁରୀଠାରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଗ୍ରୀନଫିଲ୍ଡ ବିମାନ ବନ୍ଦର କୌଣସି ବଜେଟ ଆବଣ୍ଟନ ଘୋଷଣା କରାଯାଇନାହିଁ। ବିହାରର ପାଟନା ଠାରେ ଆଇଆଇଟିର ଅତିରିକ୍ତ ଭିତ୍ତିଭୂମୀ ନିର୍ମାଣ କରାଯିବ। ଏହି କ୍ରମରେ ଏଠାରେ ୬ ହଜାର ୫୦୦ ଶିକ୍ଷାର୍ଥୀଙ୍କୁ ଲାଭ ମିଳିବ।
ଆଣ୍ଡାମାନ ନିକୋବରରେ ମତ୍ସ୍ୟଶିଳ୍ପର ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ଭାରତ ଏବେ ବିଶ୍ୱରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଦ୍ୱିତୀୟ ରାଷ୍ଟ୍ର ଭାବରେ ପରିଗଣିତ ହେଉଛି। ୬୦ ହଜାର କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ଭାରତ ରପ୍ତାନୀ କରୁଛି। ଆଣ୍ଡାମାନ ନିକୋବରରେ ଏହି ଭିତ୍ତିଭୂମୀକୁ ଅଧିକ ଗୁରୁତ୍ତ୍ୱ ଦେଇ ଏଠାରେ ସ୍ୱତନ୍ତ୍ର ଇକୋନୋମିକ ଜୋନ ଘୋଷଣା କରାଯାଇଛି। ଏହା ନିବେଶ ଓ କାରଖାନା ପ୍ରତିଷ୍ଠା ପାଇଁ ସହଯୋଗୀ ହେବ।
ଉତ୍ତର ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ପୋଷଣ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରମରେ ସକ୍ଷମ ଅଙ୍ଗନବାଡି ଏବଂ ପୋଷଣ ୨.୦ କାର୍ଯ୍ୟକ୍ରମ ଆରମ୍ଭ ହେବ। ଉଡାନ ଯୋଜନାରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ଅଧିକ ହେଲିପ୍ୟାଡ ଓ ବିମାନ ବନ୍ଦର ନିର୍ମାଣ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଗୁଜୁରାଟରେ ଆନ୍ତର୍ଜାତିକ ସେବା କେନ୍ଦ୍ର ଆଇଏଫଏସସିର କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବେ ସରକାର। ଏଥିଲାଗି ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ଘୋଷଣା କରାଯାଇଛି।