)
ଭୁବନେଶ୍ୱର: ଭାରତ ସରକାରଙ୍କ ଚାକିରିରେ ସବୁଠାରୁ ସମ୍ମାନଜନକ, କ୍ଷମତାଶାଳୀ ସେବା ଭାବେ ଭାରତୀୟ ପ୍ରଶାସନିକ ସେବା ବା ଆଇଏଏସ୍ କୁ ଗ୍ରହଣ କରାଯାଏ। ଦେଶର ଉତ୍କୃଷ୍ଟ ମେଧାଙ୍କୁ କଠିନ ପରୀକ୍ଷା ମାଧ୍ୟମରେ ଏହି ସେବା ପାଇଁ ଚିହ୍ନଟ କରାଯାଏ। ଆଉ ଏହି ସେବା ପାଇଁ ବଛା ହେବା ପରେ ଅନେକ ଆନନ୍ଦ, ଖୁସି ଜୁଆର ଭଳି ଏକାଠି ଆସି ସମ୍ପୃକ୍ତ ଛାତ୍ରର ଜୀବନକୁ ବଦଳାଇ ଦେଇଥାଆନ୍ତି, ଆଶାଥାଏ ଏହି ଆଶୀର୍ବାଦ ପାଇଥିବା ଉତ୍କୃଷ୍ଟ ମେଧାଟି ଦେଶର ଅନ୍ୟ ଜୀବନରେ ପରିବର୍ତ୍ତନ ଆଣିବ। ଏହା କେତେ ସମ୍ଭବ ହୁଏ, ବା ନ ହୁଏ ତାହା ଆଜି ଚର୍ଚ୍ଚାର ବିଷୟ ନୁହେଁ, କିନ୍ତୁ ୧୬୭ ବର୍ଷର ଏହି ପୁରୁଣା ସେବାରେ ଥିବା ବରିଷ୍ଠ ଅଧିକାରୀମାନେ ଯେ ଆଜି ନିରାଶା ଦେଇ ଗତି କରୁଛନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି, ତାହା ପୁଣି ୧୯୯୬ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଉଷା ପାଢ଼ୀଙ୍କ କ୍ଷେତ୍ରରେ।
ଗଲା ୨୯ ବର୍ଷରୁ ଅଧିକ ସମୟ ଅର୍ଥାତ୍ ତିନି ଦଶନ୍ଧି ଧରି ଓଡ଼ିଶା ସରକାରରେ ସେବା ପ୍ରଦାନ କରୁଛନ୍ତି ଆଇଏଏସ୍ ଅଧିକାରୀ ଉଷା ପାଢ଼ୀ। ୧୯୯୬ ମସିହାର ଓଡ଼ିଶା କ୍ୟାଡର ଅଧିକାରୀ। ବେଶ୍ ବିଚକ୍ଷଣ, ସଚ୍ଚୋଟ ଅଧିକାରୀ ଭାବେ ସେ ନିଜର ପରିଚୟକୁ ଗଢ଼ିଛନ୍ତି। କିନ୍ତୁ ଦୁର୍ନୀତି ବିରୋଧରେ ସରକାର ଯେଉଁ ଅଭିଯାନ ଚଳାଉଛନ୍ତି ବା ଦେଶର ଭିନ୍ନ ଭିନ୍ନ ଅଙ୍ଗ ଯେଉଁ ଭଳିଭାବେ ନିଜର ପ୍ରତିଚ୍ଛବି ବଦଳାଉଛନ୍ତି ତାହାକୁ ନେଇ ଉଷାଙ୍କ ମନରେ ଭଲ ଧାରଣା ନଥିବା ମନେ ହେଉଛି। ବର୍ତ୍ତମାନ ଚାଲିଥିବା ଦୁର୍ନୀତି ବିରୋଧୀ ସଚେତନତା ସପ୍ତାହ ପାଳନ ଅବସରରେ ଉଷା ଯେଉଁ ମତାମତ ରଖିଛନ୍ତି ତାହା ଏ ବିଷୟକୁ ସ୍ପଷ୍ଟ କରୁଛି। ଉଷାଙ୍କ ନିରାଶା ସମ୍ବନ୍ଧରେ ଅଧିକ ଆଲୋଚନା କରିବା ପୂର୍ବରୁ ତାହାର ପୃଷ୍ଠଭୂମି ବାବଦରେ ଆପଣକୁ ପରିଚିତ କରାଇଦିଏ।
ସରକାରୀ ବ୍ୟବସ୍ଥାରୁ ଦୁର୍ନୀତି ହଟାଇବା ତଥା ସମସ୍ତ ଜନସାଧାରଣଙ୍କ ମଙ୍ଗଳ ଲାଗି ଯଥା ସମ୍ଭବ ଉଚିତ ପଦକ୍ଷେପ ନେବା ଲାଗି ସଚେତନତା ସୃଷ୍ଟି କରୁଛନ୍ତି ସରକାର। ଏଥିନେଇ ପ୍ରତି ବର୍ଷ ଅଗଷ୍ଟ ୧୮ରୁ ନଭେମ୍ବର ୧୭ ଯାଏ ଏକମାସ ସମୟକୁ ଦୁର୍ନୀତି ବିରୋଧୀ ସଚେତନତା ମାସ ଭାବେ ପାଳନ କରାଯାଉଛି। ଏହି ମାସର ୨୭ ଅକ୍ଟୋବରରୁ ୨ ନଭେମ୍ବର ସପ୍ତାହକୁ ଦୁର୍ନୀତି ବିରୋଧୀ ସପ୍ତାହ ଭାବେ ପାଳନ କରାଯାଉଛି। ‘ସଚେତନତା ହେଉଛି ଆମର ଦାୟିତ୍ୱ’ ଏ ବିଷୟକୁ ଏହି ସପ୍ତାହରେ ଗୁରୁତ୍ୱ ଦିଆଯାଉଛି। ଏହିକ୍ରମରେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ସଭା ସମିତି ମାଧ୍ୟମରେ ଅଧିକାରୀମାନଙ୍କୁ ଶାସନରେ ଦୁର୍ନୀତି ରୋକିବାକୁ ଶପଥପାଠ କରାଇଥାଆନ୍ତି। ଖାଲି ସେତିକି ନୁହେଁ, ବିଭିନ୍ନ କାର୍ଯ୍ୟାଳୟରେ ମଧ୍ୟ ପିଅନଠାରୁ ଅଧିକାରୀ ଯାଏ ଦୁର୍ନୀତିରେ ସାମିଲ ନହେବାର ଶପଥ ନେଇଥାଆନ୍ତି। ବର୍ଷ ବର୍ଷଧରି ଏ ପରମ୍ପରା ଚାଲି ଆସୁଛି ହେଲେ ଆମ ଦେଶରୁ ଦୁର୍ନୀତି କେବେ ସରୁ ନାହିଁ। କମ୍ପ୍ୟୁଟରଠାରୁ ଏଆଇ ଆମର ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ସରକାର ବ୍ୟବହାର କରୁଛନ୍ତି ତଥାପି ଦେଶ ଓ ରାଜ୍ୟ ପ୍ରଶାସନରେ ଦୁର୍ନୀତି ଚେର ଲମ୍ବି ଚାଲିଛି। ରାସନ କାର୍ଡ ହେଉ ବା ଜାତିଗତ ପ୍ରମାଣପତ୍ର ଅଥବା କୌଣସି ସରକାରୀ ବିଶ୍ୱବିଦ୍ୟାଳୟରେ ପଡ଼ି ରହିଥିବା ପ୍ରମାଣପତ୍ର ହାସଲ ଲାଗି ମଧ୍ୟ ଛାତ୍ରଙ୍କୁ ଦୁର୍ନୀତି ମାର୍ଗ ଆପଣାଇଲେ ସହଜ ହେଉଛି। ଏହିକ୍ରମରେ ଟ୍ରାନ୍ସପରେନ୍ସୀ ଇଣ୍ଟରନେସନାଲ ପକ୍ଷରୁ ପ୍ରକାଶିତ ଦୁର୍ନୀତି ସୂଚକାଙ୍କରେ ଭାରତର ସ୍ଥାନ ୯୬ ରହିଛି। ୧୮୦ ଦେଶ ମଧ୍ୟରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି।
ସରକାରୀ ସେବା କହିଲେ ପ୍ରଥମେ ଦୁର୍ନୀତି ହିଁ ସାମ୍ନାକୁ ଆସିବାର ପରମ୍ପରା କେବେଠୁ ଆସିଲା ବୋଲି କହିଲେ କେହି କେହି ମୋଗଲ ଆଉ ଜମିଦାରୀ ପ୍ରଥା ସମୟକୁ ନିଅନ୍ତି। ଆଉ କେହି ବ୍ରିଟିଶ୍ ଔପନିବେଶିକ ଶାସନକୁ ଦୁର୍ନୀତି ଇତିହାସର ନିଅଁ ଭାବେ ଗ୍ରହଣ କରନ୍ତି। କିନ୍ତୁ ଗଲା ୭୮ ବର୍ଷର ସ୍ୱାଧୀନତା ଏବଂ ୭୫ ବର୍ଷର ଗଣତନ୍ତ୍ର ଆମକୁ ଏହି ପରମ୍ପରାରୁ ଅଲଗା କରିପାରି ନାହାନ୍ତି ତାହା ସ୍ପଷ୍ଟ।
ଏଥିପାଇଁ ଆମର ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟା, ଆମ ତଦନ୍ତକାରୀ ସଂସ୍ଥାର ଆନ୍ତରିକତା ଅଭାବ ଏବଂ ଆମ ଆଇନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଆଇଏଏସ୍ ଉଷା ପାଢ଼ୀ।
ଓଡ଼ିଶା ସରକାରଙ୍କ ନିକଟରେ ସହରାଞ୍ଚଳ ବିକାଶ ବିଭାଗର ପ୍ରଧାନ ସଚିବ ଭାବେ କାର୍ଯ୍ୟ କରୁଥିବା ଉଷା ପାଢ଼ୀ ନିଜର ମତାମତକୁ ଗଣମାଧ୍ୟମ ମାଧ୍ୟମରେ ପ୍ରସାର କରିବାକୁ ଚାହିଁଛନ୍ତି। ଏହି ମତାମତ ସମ୍ବଳିତ ନିବନ୍ଧଟି ଦୁର୍ନୀତି ବିରୋଧରେ ସଚେତନତା ନୁହେଁ ବରଂ ନିରାଶା ଭାବକୁ ଅଧିକ ପ୍ରସ୍ଫୁଟିତ କରୁଛି। ଜଣେ ରାଜନେତାର ଭାଷା ଏଥିରେ ପରିଲକ୍ଷିତ ହେଉଛି।
ଏହି ନିବନ୍ଧର ଶୀର୍ଷକ ରହିଛି ‘Fighting corruption is not easy but it's necessary” ଓଡ଼ିଆରେ କହିଲେ, ଦୁର୍ନୀତି ବିରୋଧରେ ଲଢ଼ିବା ସହଜ ନୁହେଁ କିନ୍ତୁ ଜରୁରୀ।
ଏଥିରେ ସେ ନିଜର ୩ ଦଶନ୍ଧି ଚାକିରି କାଳ ଭିତରୁ ଶେଷ ଦଶନ୍ଧିର ତିକ୍ତ ଅନୁଭୂତିକୁ କହିବାକୁ ଚାହିଁଛନ୍ତି। ଦୁର୍ନୀତି ଧରୁଥିବା ଦେଶର ଶୀର୍ଷ ଅନୁଷ୍ଠାନ ସିବିଆଇକୁ ଏଥିରେ ଉଷା ସମାଲୋଚନା କରିଛନ୍ତି ତାହା ନୁହେଁ ବରଂ ନ୍ୟାୟାଳୟ ଓ ଆମ ଆଇନ ବ୍ୟବସ୍ଥାକୁ ମଧ୍ୟ ସମାଲୋଚନା କରିଛନ୍ତି। ଏପରିକି ସେ ତଦନ୍ତ ପାଇଁ ଦେଇଥିବା ଏକ ଦୁର୍ନୀତି ମାମଲା ତାଙ୍କ ପାଇଁ କିପରି ଅଡ଼ୁଆ ସୃଷ୍ଟି କରୁଛି ତାହାକୁ କହିଛନ୍ତି। ଏକ ପ୍ରକାର କହିବାକୁ ଗଲେ ଜଣେ ବରିଷ୍ଠ ଆଇଏଏସ୍ ଅଧିକରୀର ଅସହାୟତାକୁ ପ୍ରକାଶ କରିଛନ୍ତି ଉଷା।
ଉଷା ଉଲ୍ଲେଖ କରିଥିବା ମାମଲା ହେଉଛି ୨୦୧୮ ମସିହା କଥା। ଏହି ସମୟରେ ମୋଦୀ ସରକାରଙ୍କ ପ୍ରଥମ ଶାସନ ଚାଲିଥାଏ। ଦୁର୍ନୀତିକୁ ମୂଳୋତ୍ପାଟନ କରିବା ଲାଗି ମୋଦୀ ସରକାର ଆହ୍ୱାନ ଦେଇଥାଆନ୍ତି। ଏହିକ୍ରମରେ ଅନେକ ବ୍ୟବସ୍ଥାରେ ଟେକ୍ନୋଲୋଜିକୁ ବ୍ୟବହାର ଆରମ୍ଭ ହୋଇଥାଏ। ହେଲେ ନିଜ ନାକତଳେ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ ଘରୋଇ ବିମାନ ଚାଳକଙ୍କୁ ସରକାରଙ୍କ ପକ୍ଷରୁ ଆପତ୍ତି ନଥିବା ପ୍ରମାଣପତ୍ର ପାଇବା ଲାଗି ଲାଞ୍ଚ ଦେବା ବାଧ୍ୟତାମୂଳକ କାର୍ଯ୍ୟରେ ପରିଣତ ହୋଇଥିଲା। ଏ ବିଷୟ ଜଣେ ଘରୋଇ ଅପରେଟରଙ୍କଠାରୁ ଅଭିଯୋଗ ପାଇବା ପରେ ତତ୍କାଳୀନ ବେସାମରିକ ବିମାନ ଚଳାଚଳ ସଚିବ ଉଷା ପାଢ଼ୀ ଏହାର ଅଭିଯୋଗ କରିଲେ। ସମ୍ପୃକ୍ତ ଅପରେଟରଙ୍କ ସହ ଏକ କନ୍ଫରେନ୍ସ କଲରେ ଯୋଗ ଦେଇ ଉଷା ତାହାର ରେକର୍ଡିଂକୁ ସିବିଆଇକୁ ହସ୍ତାନ୍ତର କରିଥିଲେ। ସିବିଆଇ ତଦନ୍ତ କରିଲା, ଆଉ ତଦନ୍ତ ପ୍ରକ୍ରିୟାରେ ଉଷାଙ୍କ ଫୋନ୍ଟିକୁ ବି ଜବତ କରିନେଇଗଲେ। ଏହି ଫୋନ୍ ଏଯାଏ ଜବତ ହୋଇ ରହିଛି କିନ୍ତୁ ଉଷାଙ୍କୁ ମିଳିପାରୁ ନାହିଁ, ଏ ଭିତରେ ୭ ବର୍ଷ ବିତି ଯାଇଛି। ନ୍ୟାୟିକ ପ୍ରକ୍ରିୟା ଚାଲିଛି। କିନ୍ତୁ ବର୍ଷ ପରେ ବର୍ଷ ସାକ୍ଷୀ ପ୍ରମାଣ ଭାବେ ନିଜକୁ ହାଜର କରାଇବା, ପ୍ରତିବର୍ଷ ସେ ଘଟଣାକୁ ମନେ ପକାଇବା ଖାଲି ଉଦ୍ବେଗ ନୁହେଁ, ବରଂ ନିରାଶା ସୃଷ୍ଟି କରୁଛି। ଯଦି ଜଣେ ବରିଷ୍ଠ ଆଇଏଏସ୍, ଯିଏ ସେହି ବିଭାଗରୋ ସେବାମୁଖ୍ୟ ଏପରି ନିରାଶାର ଶିକାର ହେଉଛନ୍ତି ତେବେ ସରାଧାରଣ ଲୋକ କେତେ ନିରାଶା ଭିତରେ ନଥିବା ତାହା ଚିନ୍ତାର ବିଷୟ।