)
ଭୁବନେଶ୍ୱର: ରାଜ୍ୟ ବିଭିନ୍ନ ଖଣିଜ ଅଞ୍ଚଳ ବିକାଶ ପାଣ୍ଠି ଖର୍ଚ୍ଚ ହୋଇପାରୁ ନାହିଁ। ଏଯାଏ ୫୫% ଅର୍ଥ ଖର୍ଚ୍ଚ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷାରୁ ଜଣାପଡ଼ିଛି। ଏଣୁ ତୁରନ୍ତ ଏ ବାବଦରେ ତ୍ୱରିତ ପଦକ୍ଷେପ ନେଇ ଖର୍ଚ୍ଚ ବଢ଼ାଇବା ତଥା ପାରିପାର୍ଶ୍ୱିକ ବିକାଶ ଲାଗି ଧ୍ୟାନ ଦେବାକୁ ପରାକର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଆଜି ହୋଇଥିବା ଡିଏମ୍ଏଫ୍ ପାଣ୍ଠି ସମୀକ୍ଷାରୁ ଜଣାପଡ଼ିଛି, ଚଳିତ ବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ରାଜ୍ୟର ୧୧ ଟି ଡ଼ି.ଏମ.ଏଫ ଜିଲ୍ଲା ମାନଙ୍କରୁ ସମୁଦାୟ ୩୪,୦୫୨ କୋଟି ଟଙ୍କା ଆଦାୟ ହୋଇଛି ଏବଂ ପ୍ରାୟ ୫୫ ପ୍ରତିଶତ ଟଙ୍କା ଖର୍ଚ୍ଚ ହୋଇଛି । ଏହି ଖର୍ଚ୍ଚକୁ ବୃଦ୍ଧି କରି ଲୋକଙ୍କୁ ମୌଳିକ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ବୈଠକରେ ମୁଖ୍ୟମନ୍ତ୍ରୀ, ବିଭାଗୀୟ ସଚିବଙ୍କୁ ପ୍ରତ୍ୟେକ ଡିଏମ୍ଏଫ୍ ଅଡିଟ୍ ରିପୋର୍ଟ ସହିତ ବାର୍ଷିକ ରିପୋର୍ଟ ଦାଖଲ କରିବାକୁ ଏବଂ ଲଘୁ ଖଣିଜ ପଦାର୍ଥରୁ ସଂଗୃହୀତ ଡିଏମ୍ଏଫ୍ ପାଣ୍ଠିକୁ ସେହି ଜିଲ୍ଲାର ଯେକୌଣସି ସ୍ଥାନରେ ବ୍ୟବହାର କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଏହି ପାଣ୍ଠିକୁ ସେହି ସ୍ଥାନର ମୌଳିକ ଆବଶ୍ୟକତା ଯଥା - ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ଯୋଗାଣ, ଗମନାଗମନ ଆଦି ବ୍ୟବସ୍ଥା ରେ ଖର୍ଚ୍ଚ କରିବା ପାଇଁ ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଖଣି ଅଞ୍ଚଳର ନିକଟବର୍ତ୍ତୀ ସ୍ଥାନ ଗୁଡ଼ିକରେ ଲୋକଙ୍କୁ ସମ୍ପୂର୍ଣ୍ଣ ମୌଳିକ ସେବାଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ଯେଉଁ ଜିଲ୍ଲାଗୁଡ଼ିକରେ ବାର୍ଷିକ ଡିଏମ୍ଏଫ୍ ପାଣ୍ଠି ୧୦ କୋଟି ଟଙ୍କା କିମ୍ବା ତା'ଠାରୁ ଅଧିକ ସଂଗ୍ରହ ହେଉଛି, ସେମାନେ ଏକ ଏଣ୍ଡାଓମେଣ୍ଟ ପାଣ୍ଠି ଗଠନ କରିବେ। ଏହି ଏଣ୍ଡାଓମେଣ୍ଟ ପାଣ୍ଠିକୁ ସରକାରୀ ସିକ୍ୟୁରିଟି କିମ୍ବା ଅନୁସୂଚିତ ବ୍ୟାଙ୍କଗୁଡ଼ିକର ବଣ୍ଡ ଏବଂ ଏଫଡିରେ ବିନିଯୋଗ କରାଯିବ । ଖଣିଜ ପଦାର୍ଥ ଶେଷ ହେବା ପରେ କିମ୍ୱା କୌଣସି କାରଣରୁ ଖଣି କାର୍ଯ୍ୟକଳାପ ବନ୍ଦ ହୋଇଯାଇଥିବା ଅଞ୍ଚଳରେ ଭବିଷ୍ୟତ ପିଢ଼ିଙ୍କ ପାଇଁ ଜୀବିକା ସୃଷ୍ଟି ପାଇଁ ଏହି ପାଣ୍ଠି ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।