)
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରକୁ ଭାରତର ଶ୍ରଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ପୁରସ୍କୃତ କରାଯାଇଛି। ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଜିଲ୍ଲାର ଜିଲ୍ଲାପାଳଙ୍କୁ ଏଥିନେଇ ପୁରସ୍କୃତ କରିଛନ୍ତି। କେନ୍ଦ୍ର ସରକାରଙ୍କ ଧରତୀ ଆବା ଜନଭାଗିଦାରୀ ଅଭିଯାନ ଅଧୀନରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଅନୁକରଣୀୟ ଅବଦାନ ପାଇଁ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା କେନ୍ଦୁଝର ଜିଲ୍ଲାକୁ ଏହି ସ୍ୱୀକୃତି ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ କେନ୍ଦୁଝରର ଜିଲ୍ଲାପାଳ ଵିଶାଲ ସିଂହ ଅତ୍ୟନ୍ତ ଗର୍ବ ଏବଂ ଆନନ୍ଦ ସହକାରେ ଏହି ସମ୍ମାନ ସମଗ୍ର କେନ୍ଦୁଝରବାସୀଙ୍କର ବୋଲି କହିଛନ୍ତି। ଏଥିସହ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏହି ସମ୍ମାନ ଆମର ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ଏବଂ ସ୍ଥାନୀୟ ଅନୁଷ୍ଠାନଗୁଡ଼ିକର ସାମୂହିକ ପ୍ରୟାସର ପ୍ରମାଣ ବୋଲି କହିଛନ୍ତି। ଆହୁରିମଧ୍ୟ ଶ୍ରୀ ସିଂହ ଆଦିବାସୀ ସମ୍ପ୍ରଦାୟକୁ ସଶକ୍ତ କରିବା ଓ ଯେଉଁମାନେ ଏହାର ସର୍ବାଧିକ ଆବଶ୍ୟକତା ରଖିଛନ୍ତି ସେମାନଙ୍କୁ କିପରି ଲାଭ ମିଳିବ ତାହା ଆମର ଲକ୍ଷ୍ୟ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ, ଅନ୍ତର୍ଭୁକ୍ତିକରଣ ଶାସନର ଦୃଷ୍ଟିକୋଣ ସହିତ ସଂଯୁକ୍ତ ହୋଇ ଆଦିବାସୀ ଅଞ୍ଚଳରେ ସକ୍ରିୟ ସମାବେଶୀ ଅଂଶଗ୍ରହଣ ଏବଂ ବିକାଶର ସ୍ଥାୟୀ ମଡେଲଗୁଡ଼ିକୁ ପ୍ରୋତ୍ସାହିତ କରିବାରେ ଜିଲ୍ଲା ଉଲ୍ଲେଖନୀୟ ପ୍ରଗତି ଦେଖାଇଛି।
ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ଭାରତ ସରକାରଙ୍କ ପ୍ରୟାସର ଏକ ଅଂଶ ଭାବରେ ଆରମ୍ଭ ହୋଇଥିବା ଧରତୀ ଆବା ଜନଭାଗୀଦାରୀ ଅଭିଯାନ, ଶାସନରେ ଜନଜାତି ସମ୍ପ୍ରଦାୟାର ଲୋକଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଏବଂ ଆଦିବାସୀ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରୁଛି । ଏହି ପଦକ୍ଷେପ ଅଧୀନରେ, କେନ୍ଦୁଝର ଜିଲ୍ଲା ଏହାର ଲୋକାଭିମୁଖୀ ଯୋଜନା ପ୍ରଣୟନର ଆଭିମୁଖ୍ୟ, ଅଭିନବ ଯୋଜନା ଏବଂ ଆଦିବାସୀ ସମ୍ପ୍ରଦାୟ ପାଇଁ କଲ୍ୟାଣକାରୀ ଯୋଜନାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ କରିବାରେ ସ୍ୱତନ୍ତ୍ର ଛାପ ଛାଡ଼ି ପ୍ରଶଂସା ସାଉଁଟି ପାରିଛି। ଜାତୀୟ ସ୍ତରରେ ଏଭଳି ମାନ୍ୟତା ପାଇବା ଶିକ୍ଷା, ଜୀବିକା ବୃଦ୍ଧି, ମହିଳା ସଶକ୍ତିକରଣ ଏବଂ ଡିଜିଟାଲ୍ ଅନ୍ତର୍ଭୁକ୍ତି ମାଧ୍ୟମରେ ଆଦିବାସୀ ଅଞ୍ଚଳରେ ଜୀବନର ଗୁଣବତ୍ତା ଉନ୍ନତ କରିବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନର ପ୍ରତିବଦ୍ଧତାକୁ ଦର୍ଶାଉଛି । ସ୍ଥାନୀୟ ପ୍ରଶାସନ, ବିଭିନ୍ନ ବିଭାଗ ଏବଂ ତୃଣମୂଳ ସ୍ତରର କର୍ମକର୍ତ୍ତାଙ୍କ ସମନ୍ୱିତ ପ୍ରୟାସ ଯୋଗୁଁ ଜିଲ୍ଲାର ସଫଳତା ସମ୍ଭବ ହୋଇପାରିଛି ଯେଉଁମାନେ ବିକାଶକୁ ଶେଷ ମାଇଲ ପର୍ଯ୍ୟନ୍ତ ପହଞ୍ଚାଇବା ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରିଚାଲିଛନ୍ତି।
ଏହି ସଫଳତା କେବଳ କେନ୍ଦୁଝରକୁ ଜାତୀୟ ମାନ୍ୟତା ଆଣିନାହିଁ ବରଂ ଧରତୀ ଆବା ଜନଭାଗୀଦାରୀ ଅଭିଯାନ ଅଧୀନରେ ପରିକଳ୍ପିତ ଅଂଶଗ୍ରହଣମୂଳକ ବିକାଶର ପଥ ଅନୁସରଣ କରିବା ପାଇଁ ଅନ୍ୟ ଜିଲ୍ଲାଗୁଡ଼ିକୁ ପ୍ରେରଣା ପ୍ରଦାନ କରୁଛି।