)
ଭୁବନେଶ୍ୱର: ଆନ୍ଧ୍ର ଉପକୂଳ ନର୍ସପୁରଠାରେ ସ୍ଥଳଭାଗ ଛୁଇଁଲା ପରେ ଦୁର୍ବଳ ହୋଇଛି ବାତ୍ୟା ମୋନ୍ଥା। ପାଣିପାଗ ବିଭାଗର ସୂଚନା ଅନୁସାରେ ରାତି ପ୍ରାୟ ସାଢ଼େ ଦୁଇଟାରେ ମୋନ୍ଥା , ନର୍ସପୁରରୁ ପ୍ରାୟ ୨୦ କିଲୋମିଟର ଦୂର ପଶ୍ଚିମ-ଉତ୍ତର-ପଶ୍ଚିମରେ ରହିଛି। ଓଡ଼ିଶାର ଗୋପାଳପୁରଠାରୁ ଏହା ୪୭୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ କେନ୍ଦ୍ରୀଭୂତ ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଅର୍ଥାତ୍ ବାତ୍ୟା ସମ୍ପୂର୍ଣ୍ଣ ଭାବେ ଟଳିଛି। କିନ୍ତୁ ରାଜ୍ୟର ଉପକୂଳ ଅଞ୍ଚଳ ବିଶେଷକରି ଦକ୍ଷିଣ ଓଡ଼ିଶାର ସ୍ଥାନେ ସ୍ଥାନେ ବର୍ଷା ଜାରି ରହିଛି। ଆକାଶ ମେଘାଚ୍ଛନ୍ନ ରହିଛି।
ପାଣିପାଗ ବିଭାଗର ଆକଳନ ଅନୁସାରେ ୨୯ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ବାତ୍ୟାର ପ୍ରକୋପ ଓଡ଼ିଶା ଉପରେ ରହିବ। ବିଶେଷ କରି ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଘଣ୍ଟାପ୍ରତି ୪୫ରୁ ୬୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହାପରେ ଧୀରେ ଧୀରେ ପବନର ବେଗ ହ୍ରାସ ପାଇବ। ୨୯ ତାରିଖ ସକାଳ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଓ ୨୯ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ, କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଗୋପାଳପୁର ବନ୍ଦରରେ ତିନି ନମ୍ବର ସ୍ଥାନୀୟ ସତର୍କତା ସଙ୍କେତ ଏବଂ ପାରାଦୀପ, ଧାମରା, ପୁରୀ, ଛତ୍ରପୁର ଓ ଚାନ୍ଦବାଲି ବନ୍ଦରରେ ଦୁଇ ନମ୍ବର ଦୂରବର୍ତ୍ତୀ ସତର୍କତା ସଙ୍କେତ ଜାରି ହୋଇଛି।
ରାତି ସାଢ଼େ ଦୁଇଟାର ତଥ୍ୟକୁ ଆଧାର କରି ପାଣିପାଗ ବିଭାଗ ସାଢ଼େ ଛଅ ଘଣ୍ଟା ଯାଏ ଅର୍ଥାତ୍ ସକାଳ ସାଢ଼େ ଆଠଟା ଯାଏ ପ୍ରକୋପ ରହିବ ବୋଲି ଆଶଙ୍କା କରିଛି। ପାଣିପାଗ ବିଭାଗ କହିଛି ‘ ଏହା ଉପକୂଳ ଆନ୍ଧ୍ର ପ୍ରଦେଶ ଦେଇ ପ୍ରାୟ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଏବଂ ଆଗାମୀ ୬ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡ଼ର ତୀବ୍ରତା ବଜାୟ ରଖିବ ଏବଂ ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ଗଭୀର ଡିପ୍ରେସନରେ ଆହୁରି ଦୁର୍ବଳ ହୋଇଯିବ’।
ଅପରପକ୍ଷେ ଗୋଟିଏ ବାତ୍ୟାର ଚିନ୍ତା ଟଳିବା କ୍ଷଣି ଆଉ ଏକ ବାତ୍ୟା ଭାରତର ସତର୍କ ବ୍ୟବସ୍ଥାରେ ରହିଛି। ଏହି ବାତ୍ୟା ଆରବସାଗରରେ ସୃଷ୍ଟି ହୋଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଏହା ଘଣ୍ଟା ପ୍ରତି ୬ରୁ ୮ ଘଣ୍ଟା ବେଗରେ ଗତି କରୁଛି। ଗୁଜରାଟର ଭେରାଭଲ ଏବଂ ମହାରାଷ୍ଟ୍ରର ମୁମ୍ବାଇଠାରୁ ୪୨୦ କିଲୋମିଟର ପୂର୍ବ କେନ୍ଦ୍ରୀୟ ଆରବସାଗରରେ ଏହି ବାତ୍ୟା କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ତିନିଦିନ ଭିତରେ ଏହା କେନ୍ଦ୍ରୀୟ ଆରବସାଗର ଦେଇ ଗତି କରିବ। ବାତ୍ୟାର ସ୍ଥିତି ବିଷୟ ଆସନ୍ତା ସମୟରେ ଅଧିକ ସ୍ପଷ୍ଟ ହେବ।