)
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପାଇଁ ଦୀପାବଳି ଉପହାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଲଷାକର ପର୍ବ ଆଉ ତିନିଦିନ ବାକି ଥିବା ବେଳେ ଏହି ଉପହାର ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଉତ୍ସାହିତ କରିଛି। ବର୍ତ୍ତମାନ ବଢ଼ୁଥିବା ମହଙ୍ଗା ବଜାରକୁ ତାଳ ଦେବା ଲାଗି ରାଜ୍ୟ ସରକାର ଏହି ଉପହାର ଦେଇଛନ୍ତି।
ଏହିକ୍ରମରେ ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୫ ପ୍ରତିଶତରୁ ୫୮ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ଜୁଲାଇ ପହିଲା ୨୦୨୫ରୁ ପିଚ୍ଛିଲା ଭାବରେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ମିଳିବ ।
ଏହା ସହିତ ପେନ୍ସନଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ଅକ୍ଟୋବର ମାସ ପେନ୍ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ। ଏହା ଦ୍ୱାରା ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ଉପକୃତ ହେବେ।