)
ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ପରିଚାଳନା କରାଯାଉଥିବା ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଅତିରିକ୍ତ ୧୫୧ଟି ପଦବୀ ଯୋଡ଼ିବାକୁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି। ଏହି ଆଦେଶରେ ୧୪ଟି ଓଏଏସ୍ ଏବଂ ୧୧୩ଟି ଓଆର୍ଏସ୍ ପଦବୀ ସାମିଲ୍ ରହିଛି। ଏହାଦ୍ୱାରା ପୂର୍ବପ୍ରକାଶିତ ବିଜ୍ଞପ୍ତିରେ ସଂଶୋଧନ ହେବାର ସମ୍ଭାବନା ବଢ଼ିଛି।
ନିକଟରେ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା। ହେଲେ ଏଥିରେ ଓଏଏସ୍, ଓଆର୍ଏସ୍, ଓଏଫ୍ଏସ୍ ଆଦି କେତେକ କ୍ୟାଡରରେ ଆଦୌ ପଦବୀ ନଥିବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବାର ଖବର ପ୍ରକାଶିତ ହୋଇଥିଲା। ସର୍ବାଧିକ ସରକାରୀ ଚାକିରି ସୃଷ୍ଟି କରିଥିବା ନେଇ ଡିଣ୍ଡିମ ପିଟୁଥିବା ସରକାରଙ୍କ ପାଇଁ ଏହା ଏକ ନକାରାତ୍ମକ ଖବର ଭାବେ ସରକାରୀ କଳ ଗ୍ରହଣ କରିଥିଲା। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିଛନ୍ତି। ଆଉ ଅତିରିକ୍ତ ପଦବୀ ଯୋଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହି ଅତିରିକ୍ତ ପଦବୀରେ ମଧ୍ୟ ଓଏଏଫ୍ଏସ୍ ପଦବୀ ନାହିଁ।
ପୂର୍ବରୁ ପ୍ରକାଶିତ ବିଜ୍ଞାପନ ଅନୁସାରେ ୭ଟି କ୍ୟାଡରରେ ୩୧୪ ପଦବୀ ପୂରଣ ପାଇଁ ଓପିଏସ୍ସି ବିଜ୍ଞାପନ ପ୍ରକାଶ କରିଥିଲା। ସେଥିରେ ଓଏଏସ୍, ଓଆର୍ଏସ୍, ଓଏଫ୍ଏସ୍ ପଦବୀ ନଥିଲା। ରାଜ୍ୟ ସରକାରଙ୍କ ମଞ୍ଜରୀପ୍ରାପ୍ତ ଓଏଏସ୍ ପଦବୀରେ ପଦୋନ୍ନତି କରାଯାଉ ନଥିବାରୁ ଏହି ଅସୁବିଧା ଉପୁଜିଥିବା କୁହାଯାଇଥିଲା।
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଓଡିଶା ପ୍ରଶାସନିକ ସେବାରେ ୧୪ଟି, ଓଡିଶା ରାଜସ୍ବ ସେବାରେ ୧୧୩ଟି, ଓଡିଶା ପରିବହନ ସେବାରେ ୧୬ଟି ଓ ଓଡିଶା ମଙ୍ଗଳ ସେବାରେ ୮ଟି ପଦବୀ ପୂରଣ ପାଇଁ ଓଡିଶା ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି। ସମୁଦାୟ ୧୫୧ଟି ଅଧିକ ପଦବୀ ପାଇଁ କୁହାଯାଇଥିବା ସୂଚନା ଦିଆଯାଇଛି।
ଏହାଦ୍ବାରା ଏହିସବୁ ପଦବୀ ପାଇଁ ଆଶାୟୀ ଥିବା ଅନେକ ଯୁବକ ଯୁବତୀ ପରୀକ୍ଷା ଦେଇ ନିଜ ଯୋଗ୍ୟତା ବଳରେ ସଫଳତା ହାସଲ କରି ପାରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ନିଯୁକ୍ତି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ବ ଆରୋପ କରୁଛନ୍ତି ଏବଂ ଗତ ୧୮ ମାସରେ ପ୍ରାୟ ୪୦ ହଜାର ସରକାରୀ ପଦବୀ ପୂରଣ ହୋଇସାରିଛି।
ବର୍ତ୍ତମାନ ମଧ୍ୟ ବିଭିନ୍ନ ଆୟୋଗ ଦ୍ବାରା ଯେଉଁ ପରୀକ୍ଷା କରାଯିବ, ବିଜ୍ଞପ୍ତି ପ୍ରକାଶ ପର୍ଯ୍ୟନ୍ତ ଯେତେ ପଦବୀ ଖାଲିଥିବ ସବୁ ପୂରଣ କରିବା ପାଇଁ ଆୟୋଗ ଗୁଡିକୁ ସୁପାରିସ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।