)
ଭୁବନେଶ୍ୱର: ପୂର୍ବତନ ବିଧାୟିକା ତଥା ବିଜେପିର ବରିଷ୍ଠ ନେତ୍ରୀ ସଞ୍ଚିତା ମହାନ୍ତିଙ୍କର ଆଜି ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି କ୍ୟାନ୍ସର ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଯାଜପୁର ଜିଲ୍ଲା କୋରେଇକୁ ପ୍ରତିନିଧିତ୍ୱ କରିଥିବା ସଞ୍ଚିତାଙ୍କ ଶେଷ ଦର୍ଶନ ଲାଗି ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଭିଡ଼ ଦେଖିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ସମେତ ରାଜ୍ୟସରକାରଙ୍କ ପୂର୍ବତନ ମନ୍ତ୍ରୀ ଓ ନେତାମାନଙ୍କ ଶ୍ରଦ୍ଧାଞ୍ଜଳି ଲାଗି ରହିଛି। ଏହପାରେ ତାଙ୍କୁ ରାଜ୍ୟ ବିଜେପି କାର୍ଯ୍ୟାଳୟ, ବିଧାନସଭା ନିଆଯିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସନ୍ଧ୍ୟାରେ ସତ୍ୟନଗର ସ୍ମଶାନରେ ତାଙ୍କ ମରଶରୀରର ସତ୍କାର କରାଯିବା କାର୍ଯ୍ୟକ୍ରମ ରହିଛି।
ସଞ୍ଚିତା ବିଜେପି-ବିଜେଡି ମଣ୍ଟ ସରକାର ସମୟରେ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ରାଜ୍ୟ ବିଧାନସଭାରେ ସଦସ୍ୟ ଥିଲେ। କୋରେଇର ପ୍ରତିନିଧିତ୍ୱ କରିଥିବା ସଞ୍ଚିତା ଆଜି ସକାଳେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ବିୟୋଗରେ ଅନେକ ବିଜେପି ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି।
୧୯୫୮ ମସିହା ସେପ୍ଟେମ୍ବର ୧୭ ରେ ଜନ୍ମଗ୍ରହଣ କରିଥିବା ମହାନ୍ତି ଥିଲେ ରାଜେନ୍ଦ୍ର କୁମାର ସିଂଙ୍କ ଝିଅ। ସେ ରାଜନୀତି ବିଜ୍ଞାନ ଏବଂ ଓଡ଼ିଶୀ ନୃତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ଏବଂ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନ ଶିକ୍ଷା କରିଥିଲେ। ମହାନ୍ତି ବିଜେପିର ଜଣେ ସକ୍ରିୟ ସଦସ୍ୟା ଥିଲେ ଏବଂ ଓଡ଼ିଶା ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।