)
Health:
ଉତ୍ତମ ଖାଦ୍ୟ, ନିୟମିତ ବ୍ୟାୟାମ, ଭଲ ନିଦ, ଚାପମୁକ୍ତ ଜୀବନ ଏବଂ ନିଶା ଠାରୁ ଦୂରରେ ରହିବା ଦ୍ବାରା ଆପଣଙ୍କ ଜୀବନରେ ଆଉ କିଛି ବର୍ଷ ଯୋଡି ହୋଇପାରେ । ବିନା ପ୍ରଦୂଷଣ ବା ସ୍ବଚ୍ଛ ବାତାବରଣ ମଧ୍ୟ ଏଥିରେ ଅଧିକ ସହାୟକ ହୋଇଥାଏ । ସେହିଭଳି ଶିକ୍ଷା ମଧ୍ୟ ଦୀର୍ଘ ଜୀବନ ବଢ଼ାଇବାରେ ସହାୟକ ହୋଇଥାଏ ।
ଆନ୍ତର୍ଜାତୀୟ ପତ୍ରିକା ଲାନସେଟରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଲୋକ ଯେତେ ଅଧିକ ପଢ଼ିବେ, ସେମାନଙ୍କ ବଂଚିବାର ସମ୍ଭାବନା ସେତେ ଅଧିକ ବଢ଼ିଯାଏ । ଅଧ୍ୟୟନରୁ ଜଣାପଡିଛି ଯେ ଶିକ୍ଷାର ପ୍ରତ୍ୟେକ ଅତିରିକ୍ତ ବର୍ଷ ସହିତ ମୃତ୍ୟୁ ଆଶଙ୍କା ଦୁଇ ପ୍ରତିଶତ କମିଯାଏ । ରିପୋର୍ଟ ଅନୁଯାୟୀ ଯେଉଁମାନେ ପ୍ରାଥମିକ ବିଦ୍ୟାଳୟର ଛଅ ବର୍ଷ ପୂରଣ କରିଥିଲେ ସେମାନଙ୍କ ମୃତ୍ୟୁ ହାର ହାରାହାରି ୧୩.୧ ପ୍ରତିଶତ କମ୍ ଥିଲା । ଦ୍ୱାଦଶ ଶ୍ରେଣୀରୁ ସ୍ନାତକ ହାସଲ କରିବା ପରେ ମୃତ୍ୟୁ ବିପଦ ୨୪.୫ ପ୍ରତିଶତ ହ୍ରାସ ଘଟିଥିଲା । ଯେଉଁମାନେ ୧୮ ବର୍ଷରେ ପଢ଼ା ଶେଷ ସମାପ୍ତ କରିଥିଲେ ସେମାନଙ୍କ କ୍ଷେତ୍ରରେ ମୃତ୍ୟୁ ହାର ୩୪.୩ ପ୍ରତିଶତ କମ୍ ଥିଲା । ଅର୍ଥାତ୍ ଶିକ୍ଷାର ପ୍ରତ୍ୟେକ ଅତିରିକ୍ତ ବର୍ଷ ସହିତ ଆୟୁଷ ୧.୯ ପ୍ରତିଶତ ବୃଦ୍ଧି ପାଇଲା । ଅଧ୍ୟୟନକାରୀଙ୍କ କହିବା ଅନୁଯାୟୀ ଆୟୁଷ ବୃଦ୍ଧି ନେଇ ଯେଉଁ ଅଧ୍ୟୟନ କରାଯାଇଥିଲା ତାହା ଯେଉଁମାନେ କେବେହେଲେ ସ୍କୁଲ ଯାଇନାହାଁନ୍ତି ସେମାନଙ୍କ ତୁଳନାରେ କରାଯାଇଥିଲା । ବୟସ, ଲିଙ୍ଗ, ଅବସ୍ଥାନ ଏବଂ ସାମାଜିକ ପୃଷ୍ଠଭୂମି ଗୁରୁତ୍ବ ବିନା ଶିକ୍ଷା ଆୟୁଷ ବୃଦ୍ଧି କରିବାରେ ସାହାଯ୍ୟ କରେ ।
ଅଶିକ୍ଷିତ ହେବା ଏତେ ବିପଜ୍ଜନକ ଅଟେ
ଅନୁସନ୍ଧାନକାରୀମାନେ ଏହି ଅଧ୍ୟୟନରେ ଶିକ୍ଷାର ପ୍ରଭାବକୁ ଆୟୁଷକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ କାରଣ ସହିତ ତୁଳନା କରିଛନ୍ତି । ଯେପରିକି ଉତ୍ତମ ଖାଦ୍ୟ, ଧୂମ୍ରପାନ ଏବଂ ଅତ୍ୟଧିକ ମଦ୍ୟପାନ କରିବା । ଶିକ୍ଷା ମଧ୍ୟ ସ୍ୱାସ୍ଥ୍ୟ ଉପରେ ସମାନ ଭାବରେ ପ୍ରଭାବ ପକାଇଥାଏ । ଯଦି ଜଣେ ବ୍ୟକ୍ତି ୧୮ ବର୍ଷ ଯାଏ ଶିକ୍ଷା ଲାଭ କରେ ତାହାକୁ ସବୁଜ ପନିପରିବା ଖାଇବା ସହ ତୁଳନା କରାଯାଇପାରେ ବୋଲି ରିପୋର୍ଟରେ କୁହାଯାଇଛି ।
୭୦ ବର୍ଷ ବୟସ ପର୍ଯ୍ୟନ୍ତ ଲୋକ ଉପକୃତ ହୁଅନ୍ତି
ଅଧ୍ୟୟନ ଅନୁଯାୟୀ ଶିକ୍ଷା ଯୁବପିଢ଼ୀଙ୍କୁ ଅଧିକ ଲାଭ ଦିଏ । ଏହା ଛଡ଼ା ୫୦ କିମ୍ବା ୭୦ ବର୍ଷ ବୟସ୍କ ଲୋକମାନେ ମଧ୍ୟ ଶିକ୍ଷା ଦ୍ବାରା ଅନେକ ଲାଭ ପାଇଥାନ୍ତି । ଅନୁସନ୍ଧାନକାରୀମାନେ ୫୯ ଟି ଦେଶରେ ପ୍ରକାଶିତ ଶହ ଶହ ଅଧ୍ୟୟନକୁ ବିଶ୍ଳେଷଣ କରିବା ପରେ ଏହି ରିପୋର୍ଟ ଦେିଛନ୍ତି । ସ୍ୱଳ୍ପ ଏବଂ ମଧ୍ୟବିତ୍ତ ଦେଶରେ ଅଧିକ ଅଧ୍ୟୟନର ଆବଶ୍ୟକତା ଉପରେ ଗୁରୁତ୍ବ ଦିଆଯାଇଛି ।
ଉନ୍ନତ ଶିକ୍ଷା ପାଇଁ ନିବେଶ ବୃଦ୍ଧି କରିବା ଆବଶ୍ୟକ
ନରୱେ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ମିର୍ଜା ବାଲାଜଙ୍କ ମତରେ ଉନ୍ନତ ଶିକ୍ଷା ପାଇବା ପାଇଁ ଆର୍ଥିକ ତଥା ସାମାଜିକ ବିନିଯୋଗକୁ ବୃଦ୍ଧି କରିବାର ଆବଶ୍ୟକତା । ଜୀବନକୁ କ୍ଷତି ପହଞ୍ଚାଉଥିବା ଅସମାନତାକୁ ଦୂର କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇପାରେ । ଅଧିକ ବର୍ଷର ଶିକ୍ଷା ଲାଭ କରିବା କେବଳ ରୋଜଗାରର ସୁଯୋଗ ଏବଂ ଆୟର ଉନ୍ନତି କରେ ନାହିଁ ବରଂ ସ୍ୱାସ୍ଥ୍ୟ ସେବା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ ।